Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିବେ କି  ଓଡିଆରେ ଲିଖିତ ରୁଇପାଦ କାଥେଡପଦି ରାମାୟଣ ସେ କେଉଁଠି ପଢିଛନ୍ତି!!
ବିଶେଷ ଖବର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିବେ କି  ଓଡିଆରେ ଲିଖିତ ରୁଇପାଦ କାଥେଡପଦି ରାମାୟଣ ସେ କେଉଁଠି ପଢିଛନ୍ତି!!

August 9, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟକ୍ତିତ୍ବର ଗୋଟେ ବଡ ଦିଗ ହେଉଛି, ସେ ଯାହା କହନ୍ତି ପୂର୍ଣ୍ଣ ଆତ୍ମବିଶ୍ବାସର ସହିତ କହନ୍ତି। ତାଙ୍କ କଥାରେ ସତ୍ୟ ଓ ତଥ୍ୟ ଥାଉ କି ନଥାଉ ଆତ୍ମ ବିଶ୍ଵାସ କିନ୍ତୁ ଭରପୂର ରହିଥାଏ। ଗଭୀର ଆତ୍ମ ବିଶ୍ବାସର ସହିତ ସେ କିଛି ବି କହିପାରନ୍ତି। ତ୍ରୟୋଦଶ ଶତାବ୍ଦୀର କୋଣାର୍କ ମନ୍ଦିରକୁ ୨୦୦୦ ବର୍ଷର ପୁରୁଣା ବୋଲି ସେ ଆରାମରେ କହିପାରନ୍ତି। ତକ୍ଷଶିଳାକୁ ସେ ବିହାରର ବୋଲି କହିପାରନ୍ତି। ମୋହନଦାସ କରମଚାନ୍ଦ ଗାନ୍ଧୀଙ୍କୁ ମୋହନଲାଲ ବୋଲି କହିପାରନ୍ତି। ତାଙ୍କର କହିବାର ବାଗ ହିଁ ସେମିତି। ଅନ୍ୟ ଦେଶର ମୁଖିଆଙ୍କ ପରି ଭୁଲ କହିଲେ କ୍ଷମା ମାଗିବାକୁ ଆମ ପ୍ରଧାନମନ୍ତ୍ରୀ ଦୁର୍ବଳତା ବୋଲି ଭାବନ୍ତି। ମଣିଷ ଯେ ଭୁଲ କରେ, ଏ କଥା ମାନିବା ହୁଏତ ସାଧାରଣ ଲୋକପାଇଁ। ନରେନ୍ଦ୍ର ମୋଦୀ ଅସାଧାରଣ, ତେଣୁ ସେ ଭୁଲ ମାନିବାକୁ ପ୍ରସ୍ତୁତ ନୁହନ୍ତି। ତାଙ୍କ ଅପେକ୍ଷା ତାଙ୍କର ଭକ୍ତମାନେ ଅଧିକ ଅସାଧାରଣ। ସେମାନେ ମୋଦୀଙ୍କୁ ମହାଦେବତାର ସ୍ତରକୁ ନେଇ ସାରିଛନ୍ତି। ପ୍ରଧାନମନ୍ତ୍ରୀ ଯାହା କହିଲେ ତାହା ହିଁ ସତ୍ୟ ବୋଲି ସେମାନେ ଧରି ନେଇଛନ୍ତି। ତେଣୁ ପ୍ରଧାନମନ୍ତ୍ରୀ କୋଣାର୍କକୁ ୨୦୦୦ ବର୍ଷର କହିଲେ ମାନେ ତାହା ହିଁ ସତ୍ୟ। ବେଶୀ ଯୁକ୍ତି କଲେ ସେମାନେ କହିବେ ମାର୍କ୍ଶିଷ୍ଟ ଇତିହାସରେ ସବୁ ଭୁଲ ଲେଖା ହୋଇଛି। ମୋଦୀ କହୁଛନ୍ତି ମାନେ କୋଣାର୍କ ୧୨ ଶହ ବର୍ଷ ପଛକୁ ଫେରିବାକୁ ବାଧ୍ୟ।

ଗଲା ଅଗଷ୍ଟ ୫ ତାରିଖ ଦିନ ଅଯୋଧ୍ୟାରେ ନୂଆ ରାମ ମନ୍ଦିରର ଭୂମି ପୂଜନ ଅବସରରେ ପ୍ରଧାନମନ୍ତ୍ରୀ ପ୍ରାୟ ଅଧ ଘଣ୍ଟା ଭାଷଣ ଦେଇଥିଲେ। ସତ କହିବାକୁ ଗଲେ ଆମ ଭଳି ଅଭକ୍ତ ଆଜିକାଲି ଆଉ ମୋଦୀଜୀଙ୍କୁ ଶୁଣିବାର ସାହସ ରଖି ପାରୁନୁ। କେବଳ ସାମ୍ବାଦିକତାର ଦାୟରେ ପ୍ରଧାନମନ୍ତ୍ରୀଙ୍କ ଭାଷଣକୁ କେବେ କେମିତି ପଢିବାକୁ ବାଧ୍ୟ ହେଉଛୁ। ସେଦିନ ପ୍ରଧାନମନ୍ତ୍ରୀ ଓଡିଶାର ରାମାୟଣ ପରମ୍ପରା ବିଷୟରେ କିଛି ଗୋଟେ କହିଛନ୍ତି ବୋଲି ଗତକାଲି ଓଡିଶାର ପ୍ରଖ୍ୟାତ ସଂବାଦପତ୍ର “ସମ୍ବାଦ” ଲେଖିଲା। ଓଡିଆ ଭାଷାରେ ରୁଇପାଦ କାଥେଡପଦି ରାମାୟଣ ବୋଲି କିଛି ଗୋଟେ ଅଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ବୋଲି “ସମ୍ବାଦ” ଲେଖିଲା। ଉତ୍ସୁକତା ବଶତଃ ଆମେ ୟୁଟୁବରେ ପ୍ରଧାନମନ୍ତ୍ରୀଙ୍କ ଭାଷଣ ଶୁଣିଲା ପରେ ମୁଣ୍ଡ ଝାଇଁ ଝାଇଁ ହୋଇଗଲା।

ଭାରତର ବିଭିନ୍ନ ଅଞ୍ଚଳ ଓ ଭାଷାରେ ରହିଥିବା ରାମାୟଣ ବିଷୟରେ ପ୍ରଧାନମନ୍ତ୍ରୀ କହୁଥିଲେ। ସଂସ୍କୃତରେ ବାଲ୍ମୀକିଙ୍କ ମୂଳ ରାମାୟଣ ବ୍ୟତୀତ ତାମିଲରେ କମ୍ବନ ରାମାୟଣ, ବଙ୍ଗଳାର କୃତ୍ତିବାସ ରାମାୟଣ, ତେଲୁଗୁରେ ରଘୁନାଥ-ରଙ୍ଗନାଥ ରାମାୟଣ, କାନ୍ନାଡ଼ାରେ କୁମୁଦେନ୍ଦୁ ରାମାୟଣ ଇତ୍ୟାଦିର କଥା କହିବାକୁ ଯାଇ ପ୍ରଧାନମନ୍ତ୍ରୀ କହିଲେ ଓଡିଆରେ “ରୁଇପାଦ କାଥେଡପଦି” ରାମାୟଣ ରହିଛି। ଇଏ ତ ଗୋଟେ ଭାଷା ଓ ତାର ବିଶାଳ ରାମ ସାହିତ୍ୟ ପରମ୍ପରା ପ୍ରତି ଘୋର ଅପମାନ। ପ୍ରଧାନମନ୍ତ୍ରୀ ଆମକୁ କହିବା ଉଚିତ, ସେ ଯେଉଁ “ରୁଇପାଦ କାଥେଡପଦି” ରାମାୟଣ କଥା କହୁଛନ୍ତି, ତାର ସୂଚନା ସେ କେଉଁଠୁ ପାଇଲେ। ଏମିତି ଏକ ଶବ୍ଦ ଓଡିଆ ସାହିତ୍ୟରେ କେହି କେବେ ଶୁଣି ନାହାନ୍ତି ବା ଜାଣି ନାହାନ୍ତି। ତାହେଲେ ପ୍ରଧାନମନ୍ତ୍ରୀଙ୍କର ସୂଚନାର ଆଧାର କଣ?

ଓଡିଆ ରାମ ସାହିତ୍ୟର ଦୁଇ ଜଣ ପ୍ରକାଣ୍ଡ ବିଦ୍ଵାନ ଡ. କୃଷ୍ଣ ଚରଣ ସାହୁ ଓ ପଣ୍ଡିତ ନୀଳମଣି ମିଶ୍ର ଓଡିଆ ରାମ ସାହିତ୍ୟର ବିବିଧତାକୁ ନେଇ ଅନେକ ପ୍ରବନ୍ଧ ଲେଖିଛନ୍ତି। ସେମାନେ ଏମିତି କୌଣସି ରାମାୟଣର ନାମ ଗନ୍ଧ ଉଲ୍ଲେଖ କରି ନାହାନ୍ତି। ଓଡିଆ ସାହିତ୍ୟର ଆଦିକବି ସାରଳା ଦାସ ଥିଲେ ଉଭୟ ରାମାୟଣ ଓ ମହାଭାରତର ରଚୟିତା। ମହାକବି ସାରଳା ଦାସଙ୍କର “ବିଲଙ୍କା ରାମାୟଣ” ରେ ଆମେ ରାମୟଣର ମୂଳ କାହାଣୀଠାରୁ ଭିନ୍ନ ଏକ କାହାଣୀର ଅବତାରଣା ଦେଖିଛୁ। ଷୋଡଶ ଶତାବ୍ଦୀରେ ବଳରାମ ଦାସଙ୍କର ଜଗମୋହନ ରାମାୟଣ ବା ଦାଣ୍ଡି ରାମାୟଣ ଓଡିଆ ଭାଷାର ପ୍ରଥମ ପୂର୍ଣ୍ଣାଙ୍ଗ ରାମାୟଣ। ରାମାୟଣ, ରାମକଥା ଓ ରାମକାବ୍ୟର ଏକ ବିଶାଳ ପରମ୍ପରା ଆମର ରହିଛି।

ଏକେ ରାମାନୁଜନ ତାଙ୍କର ପ୍ରସିଦ୍ଧ ପ୍ରବନ୍ଧରେ ୩୦୦ ରାମାୟଣର କଥା କହିଛନ୍ତି। ହେଲେ ଓଡିଆ ଭାଷାରେ କେବଳ ଶତାଧିକ ରାମାୟଣ ରଚିତ ହୋଇଛି। ସାରଳା ଦାସଙ୍କର “ବିଲଙ୍କା ରାମାୟଣ”, ବଳରାମ ଦାସଙ୍କର “ଜଗମୋହନ ରାମାୟଣ”, ବିଶ୍ଵନାଥ ଖୁଣ୍ଟିଆଙ୍କର “ବିଚିତ୍ର ରାମାୟଣ”, ଉପେନ୍ଦ୍ର ଭଞ୍ଜଙ୍କର “ବୈଦେହୀଶ ବିଳାସ”, ଅର୍ଜୁନ ଦାସଙ୍କର “ରାମବିଭା”, ମହେଶ୍ଵର ଦାସଙ୍କର “ଟୀକା ରାମାୟଣ”, ଧନଞ୍ଜୟ ଭଞ୍ଜଙ୍କର “ରଘୁନାଥ ବିଳାସ”, ହଳଧର ଦାସଙ୍କର “ଆଧ୍ୟାତ୍ମ୍ୟ ରାମାୟଣ”, ବନମାଳୀ ଦାସଙ୍କର “ରାମାୟଣ ଚମ୍ପୁ”, କୃଷ୍ଣଚନ୍ଦ୍ର ରାଜେନ୍ଦ୍ରଙ୍କର “ଆର୍ଷ ରାମାୟଣ” (ଏହା ମୂଳ ବାଲ୍ମୀକି ରାମାୟଣର ଓଡିଆ ଅନୁବାଦ), ରାମ ଦାସଙ୍କର “ରାମ ରସାମୃତ”,  ବୈଶ୍ୟ ସଦାଶିବଙ୍କର “ରାମଳୀଳା” (ଏହାରି ଆଧାରରେ ପ୍ରାୟତଃ ଆମର ରାମଳୀଳା ନାଟକ ପ୍ରଦର୍ଶିତ ହୋଇଥାଏ), ଯଦୁମଣି ମହାପାତ୍ରଙ୍କର “ରାଘବ ବିଳାସ”, କେଶବ ପଟ୍ଟନାୟକଙ୍କର “ନୃତ୍ୟ ରାମାୟଣ” ଇତ୍ୟାଦି ଆମ ସାହିତ୍ୟର ଅମୂଲ୍ୟ ସମ୍ପଦ। ତେବେ ଓଡିଶାର ଘରେ ଘରେ ପରିଚିତ ରାମାୟଣ ହେଉଛି ବଳରାମ ଦାସଙ୍କର “ଜଗମୋହନ ରାମାୟଣ”। ଓଡିଆ ରାମାୟଣର ଏହି ମହାର୍ଘ ପରମ୍ପରାରରେ ନରେନ୍ଦ୍ର ମୋଦୀଙ୍କର “ରୁଇପାଦ କାଥେଡପଦି” ରାମାୟଣ ଟି ଆସିଲା କେଉଁଠୁ?

ପ୍ରଧାନମନ୍ତ୍ରୀ ଯାହା କହନ୍ତି, ତାର ଏକ ଐତିହାସିକ ମୂଲ୍ୟ ରହିଛି। ତେଣୁ ପ୍ରଧାନମନ୍ତ୍ରୀ ନିଜର ବକ୍ତବ୍ୟରେ କୌଣସି ଭାଷା ସାହିତ୍ୟ ସମ୍ପର୍କରେ କହିଲା ବେଳେ ଅଧିକ ସତର୍କ ହେବା ଜରୁରୀ। ଓଡିଆ ଭାଷା ଭାରତର ଅନ୍ୟତମ ପ୍ରାଚୀନ ଶାସ୍ତ୍ରୀୟ ଭାଷା। ଏହି ଭାଷାର ରାମ ପରମ୍ପରା ବିଷୟରେ କହିଲା ବେଳେ ପ୍ରଧାନମନ୍ତ୍ରୀ ସଠିକ ତଥ୍ୟ ରଖିବା ଉଚିତ।

ଏକଥା ପ୍ରଧାନମନ୍ତ୍ରୀ ନ କହି ଯଦି ଅନ୍ୟ କୌଣସି ରାଜନୈତିକ ଦଳର ନେତା କହିଥାନ୍ତେ ତାହେଲେ, ପ୍ରଧାନମନ୍ତ୍ରୀଙ୍କ ଭକ୍ତମାନେ ସେହି ନେତାଙ୍କୁ ହଜାର ଥର ଅପଦସ୍ତ କରି ସାରନ୍ତେଣି। ପ୍ରଧାନମନ୍ତ୍ରୀଙ୍କୁ ଓଡିଆ ରାମାୟଣ ଓ ଓଡିଆ ରାମକଥାର ଏକ ସଠିକ ତାଲିକା ତାଙ୍କର ଓଡିଆ ସହଯୋଗୀମାନେ ଦେବା ଉଚିତ ହେବ।

କେଦାର ମିଶ୍ର କୋଣାର୍କ ମନ୍ଦିର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
Share. Facebook Twitter LinkedIn Email WhatsApp Copy Link

Related Posts

ବିଶ୍ୱ ସଂକଟର ମୁକାବିଲା ଲାଗି ପ୍ରଧାନମନ୍ତ୍ରୀଙ୍କ ନିବେଦନ ପରେ ୪୦ରୁ ଅଧିକ ଦେଶ ଶକ୍ତି ସଞ୍ଚୟ ପାଇଁ ନେଲେ ପଦକ୍ଷେପ

May 12, 2026

ମାତୃତ୍ଵ ଲାଭ ପରେ ପୁଣି ଥରେ କର୍ମକ୍ଷେତ୍ରକୁ ଫେରିବା ପାଇଁ ମହିଳାଙ୍କୁ ସଶକ୍ତ କରିଛି ଜିଓ

May 12, 2026

ଜୁଲାଇ ପହିଲାରୁ ଭିବି – ଜି ରାମ ଜି ଆଇନ୍

May 12, 2026

ସୁନା ମୂଲ୍ୟରେ ସବୁଠାରୁ ବଡ଼ ହ୍ରାସ କେବେ ଘଟିଥିଲା ? ଜାଣନ୍ତୁ ସୁନାର ମୂଲ୍ୟ ହ୍ରାସର ଇତିହାସ ବିଷୟରେ

May 12, 2026
Latest News

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ ଘୋଷଣା

May 12, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026

ବାରଙ୍ଗରେ ବୁଲିଲା ଖଣ୍ଡା; ୨ଜଣ ଆହତ

May 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.