କରୋନାର ଭବିଷ୍ୟତ, ଏକ ଅକର୍ମଣ୍ୟ ଓ ଭୟଙ୍କର ସମୟ ଆଡକୁ ଆମର ଗତି

Published: Aug 26, 2020, 11:46 am IST

କେଦାର ମିଶ୍ର

କରୋନା ଯୁଦ୍ଧର ପାଞ୍ଚମାସ ପରେ ଆମେ କେଉଁ ସ୍ଥିତିରେ ଅଛୁ, ଏ ପ୍ରଶ୍ନ କେହି ଜଣେ ପଚାରିବା ଉଚିତ ନୁହଁ କି? ତେବେ ଏ ପ୍ରଶ୍ନ ପଚାରିବ କିଏ? ଯିଏ ଏହି ପ୍ରଶ୍ନ ପଚାରିବା କଥା ସେମାନେ ଏବେ ନିଜେ ସିବିଆଇର ବଡବାପା ସାଜି ସୁଶାନ୍ତ ସିଂ ରାଜପୁତ ମାମଲାର ତଦନ୍ତ କରୁଛନ୍ତି। ଆମ ଗଣମାଧ୍ୟମ ଲାଗି ମହାମାରୀ ତୁଳନାରେ ଜଣେ ଚିତ୍ରତାରକାଙ୍କର ଆତ୍ମହତ୍ୟା ବହୁତ ବଡ ଖବର। ପ୍ରତିଦିନ ଦେଶରେ ବଢି ଚାଲିଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟାକୁ ନେଇ ଏବେ କେହି ଚିନ୍ତିତ ଥିବାର ଜଣା ପଡୁନି। ଯେତେବେଳେ ଦେଶରେ ଦିନକୁ ୫୦୦/୧୦୦୦ ଆକ୍ରାନ୍ତ ବାହାରୁଥିଲେ, ସେତେବେଳେ ଆମ ସରକାର ପ୍ରତିଦିନ ସାମ୍ବାଦିକ ସମ୍ମିଳନୀ କରୁଥିଲେ। ଆମର ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଆମକୁ ନିୟମିତ ବ୍ୟବଧାନରେ କରୋନା ଯୋଦ୍ଧାଙ୍କ ଲାଗି ତାଳି ବଜାଅ, ଥାଳି ବଜାଅ, ଦୀପ ଜଳାଅ, ଦେଶପ୍ରେମର ଗୀତ ଗାଅ ବୋଲି କହି ଚାଲୁଥିଲେ। ଏବେ ଦିନକୁ ହାରାହାରି ୬୦ ହଜାର ଆକ୍ରାନ୍ତ ଓ ମୋଟ ପ୍ରାୟ ୬୦ ହଜାର ମୃତଙ୍କୁ ନେଇ କାହାର କିଛି କହିବାର ନାହିଁ। ଏବେ ମହାମାରୀ ସହର ଛାଡି ଗାଁ-ମୁହାଁ ହେଲାଣି। ଯେତିକି ଆକ୍ରାନ୍ତଙ୍କ ପରୀକ୍ଷା ସହରରେ ହେଉଛି, ସେତିକି ଗାଁ ରେ ହେଉନି। ତେଣୁ ସରକାରୀ ଭାବେ ଯେତିକି ଆକ୍ରାନ୍ତଙ୍କ ସଂଖ୍ୟା କୁହାଯାଉଛି, ତାଠୁ ଢେର ଅଧିକ ଲୋକ ବିନା ପରୀକ୍ଷାରେ ଏହି ଭୂତାଣୁ ଦ୍ଵାରା ଆକ୍ରାନ୍ତ ବୋଲି ବିଶେଷଜ୍ଞ କହୁଛନ୍ତି।

ମୂଳରୁ ଏହି ମହାମାରୀକୁ ଏକ ରାଜନୀତି ଭାବେ ବ୍ୟବହାର କରିବାକୁ ଆମର ସରକାରମାନେ ଚାହିଁଲେ। ସେମାନଙ୍କୁ ରାଜନୀତି କରିବା ଲାଗି ଅନ୍ୟାନ୍ୟ ସଂସ୍ଥା ସରକାରଙ୍କୁ ସହାୟତା ଦେଲେ। ଏକ ନିର୍ଦ୍ଦିଷ୍ଟ ସମୟ ପରେ ଗଣମାଧ୍ୟମରେ କରୋନାକୁ ନେଇ ଚର୍ଚ୍ଚା ବନ୍ଦ ହୋଇଗଲା। କରୋନା କଥା କହିବା ବେଳେ, କେବଳ ଦୁଇଟି ଦିଗ ଆମେ ଦେଖିଲୁ। ଏହାକୁ ନେଇ ପ୍ରବଳ ଭୟ ନଚେତ ଏହାକୁ ସରକାର ଆୟତ୍ତ କରିଛନ୍ତି ବୋଲି ମିଥ୍ୟା ପ୍ରଚାର। ଏ ଦୁଇଟି ଧାରା ଆଜି ବି ଅବ୍ୟାହତ ରହିଛି। ବଢୁଥିବା ଆକ୍ରାନ୍ତ ଓ ମୃତ ଲୋକଙ୍କ ସଂଖ୍ୟା ତୁଳନାରେ ଆରୋଗ୍ୟ ଲାଭ କରୁଥିବା ଲୋକଙ୍କ ସଂଖ୍ୟା ଅଧିକ ବୋଲି ଆମେ ସରକାରଙ୍କୁ ବାହାବା ଦେଉଛୁ।

ମୂଳରୁ କରୋନା ଯୋଗୁଁ ମରୁଥିବା ଲୋକଙ୍କ ସଂଖ୍ୟା କମ ରହି ଆସିଛି। ପ୍ରତି ଶହେ ଲୋକରେ ମାତ୍ର ଦୁଇ ଜଣ ମାରୁଛନ୍ତି ବୋଲି କହି ଆମେ ଆଶ୍ଵସ୍ତ ହେଉଛୁ। ହେଲେ ସେମାନଙ୍କ ସଂଖ୍ୟା ଯେ ୬୦ ହଜାର ଓ ପ୍ରତିଦିନ ସେଥିରେ ନୂଆ ହଜାରେ ସଂଖ୍ୟା ସାମିଲ ହେଉଛି, ଏହା କଣ ଚିନ୍ତାର ବିଷୟ ନୁହେଁ? ଗୋଟେ ମହାମାରୀ ହଠାତ ଆମ ସରକାରୀ ନଜରରେ ହାଲୁକା ହୋଇଗଲା କେମିତି?

ସାରା ପୃଥିବୀରେ ବର୍ତ୍ତମାନ ୬୬,୪୦, ୬୪୨ ଜଣ ଲୋକଙ୍କ ଦେହରେ କରୋନା ଭୂତାଣୁ ସକ୍ରିୟ ରହିଛି। ଏଥିରୁ ପ୍ରାୟ ୪୦ ଲକ୍ଷ ଲୋକ କେବଳ ଆମେରିକା, ବ୍ରାଜିଲ ଓ ଭାରତରେ ରହିଛନ୍ତି। ଆମେରିକାରେ ୨୫ ଲକ୍ଷ ୧୬ ହଜାର , ବ୍ରାଜିଲରେ ୭ ଲକ୍ଷ ୩୫ ହଜାର ଏବଂ ଭାରତରେ ୭ ଲକ୍ଷ ୧୦ ହଜାର ସକ୍ରିୟ ଆକ୍ରାନ୍ତ ଅଛନ୍ତି। ବାକି ପୃଥିବୀ ଆସ୍ତେ ଆସ୍ତେ କରୋନା କବଳରୁ ମୁକ୍ତ ହେବା ଆରମ୍ଭ କରିଛି। ଭାରତରେ ଯେଉଁ ପରି ଭାବରେ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି, ସେଥିରେ କରୋନା ଯୁଦ୍ଧ ଜିତିବାକୁ ଅତି କମରେ ଆମକୁ ଆହୁରି ୬ ମାସ ଲାଗି ଯାଇପାରେ। ଭୂତାଣୁ ସଂକ୍ରମଣକୁ ଛୋଟ ଛୋଟ ଦେଶ ପ୍ରତିହତ କରିବାରେ ସଫଳ ହେଉଛନ୍ତି। ଚୀନ ଓ ଇଣ୍ଡୋନେସିଆ ଭଳି ବଡ ଦେଶ ମଧ୍ୟ ଏଥିରେ ସଫଳ ହେଲେଣି। ଋଷିଆ ରେ ଆକ୍ରାନ୍ତଙ୍କ ତୁଳନାରେ ମୃତ୍ୟୁହାର ୧.୭୧% ଓ ଆରୋଗ୍ୟ ହାର ୮୦%। ଆମେ ବି ପାଖାପାଖି ସେହି ସ୍ଥିତିରେ ରହିଛୁ। ହେଲେ ଆମର ମୌଳିକ ସମସ୍ୟା ହେଲା ଆମର ସଂଖ୍ୟା ଅଧିକ।

ସବୁଠୁ ବଡ ସଙ୍କଟ ଆମର ଆଜି ନୁହଁ, ଆଗାମୀ ଦିନରେ ଆସିବ। ଆମ ଅର୍ଥନୀତିର ସ୍ଥିତି ଅତ୍ୟନ୍ତ ସଙ୍କଟଜନକ ଅବସ୍ଥାରେ ରହିଛି। ସେ ବିଷୟରେ ଆଲୋଚନା କରିବାକୁ ଆମର ବେଳ ନାହିଁ। ସାରା ପୃଥିବୀରେ ଅର୍ଥନୀତିର ଅବସ୍ଥା ଖରାପ ଅଛି ତେଣୁ ଆମର ବି ସେହି ସମଦଶା ବୋଲି ଆମକୁ ସରକାର ବୁଝାଉଛନ୍ତି। ହେଲେ କରୋନା ସମୟରେ ମଧ୍ୟ ଆମ ପଡିଶା ବାଂଲାଦେଶରେ ଅର୍ଥନୈତିକ ଅଭିବୃଦ୍ଧି ୪% ରୁ ଅଧିକ ରହିବ ବୋଲି ଆକଳନ କରାଯାଇଛି। ଆମର ମାଇନସ ୪% ରୁ ଆହୁରି ତଳକୁ ଯିବାର ସମ୍ଭାବନା ରହିଛି।

ଋଣାତ୍ମକ ଅଭିବୃଦ୍ଧି ବା ମାଇନସ ଗ୍ରୋଥ ରେ ବେକାରି ଓ ଦାରିଦ୍ର୍ୟ ଉତ୍କଟ ହେବ। ସେ ବିଷୟରେ ଆମେ ଚର୍ଚ୍ଚା କରୁଛେ କି? ଆମକୁ ଗୋଟେ ମାୟା ଘାରିଛି- ରାଜନୀତିର ମାୟା। ଆମକୁ କୁହାଯାଇଛି, ସବୁ ଠିକ ଅଛି। କରୋନା ଆକ୍ରାନ୍ତ ହେଲେ, ଚିନ୍ତା ନାଇଁ, କାରଣ ଆମର ମୃତ୍ୟୁହାର କମ ଓ ଆରୋଗ୍ୟ ହାର ବେଶୀ। ଅର୍ଥନୀତି ଉଜୁଡି ଗଲେ ଚିନ୍ତା ନାଇଁ, କାରଣ ଆମକୁ ଧର୍ମ ଓ ଦେଶପ୍ରେମକୁ ନେଇ ଡେଇଁବାର ଅଛି।

ଉଦବେଗଜନକ ଭାବେ ବଢୁଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆମର ଭବିଷ୍ୟତକୁ ଯେ ଅକର୍ମଣ୍ୟ କରି ଚାଲିଛି, ସେ କଥା କେହି ବି ଆଜି ବୁଝିବାକୁ ନାରାଜ।

Related posts