କଂଗ୍ରେସ କ୍ଷମତାକୁ ଆସିଲେ କୃଷି ଆଇନକୁ ରଦ୍ଦ କରିବ : ରାହୁଲ୍‌ ଗାନ୍ଧି

Published: Oct 4, 2020, 5:21 pm IST

ପଞ୍ଜାବ :  ନୂତନ କୃଷି ଆଇନକୁ ନେଇ କେନ୍ଦ୍ର ସରକାରଙ୍କୁ ପୁଣି ଥରେ ଟାର୍ଗେଟ୍‌ କରିଛନ୍ତି କଂଗ୍ରେସ ନେତା ରାହୁଲ୍‌ ଗାନ୍ଧି । ପଞ୍ଜାବର ମୋଗାଠାରେ କ୍ଷେତ ବଞ୍ଚାଅ ଯାତ୍ରାକୁ ସମ୍ବୋଧନ କରି ରାହୁଲ୍‌ ସରକାରଙ୍କ ଉପରେ ବର୍ଷିଛନ୍ତି । ଏହି ଅବସରରେ ରାହୁଲ୍‌ କୃଷକଙ୍କୁ ଗ୍ୟାରେଣ୍ଟି ଦେଇ କହିଛନ୍ତି ଯେ, ଯେଉଁଦିନ କଂଗ୍ରେସ କ୍ଷମତାକୁ ଆସିବ ସେହିଦିନ ଏହି ତିନି କଳା ଆଇନକୁ ରଦ୍ଦ କରିଦେବ । ସରକାର ଏହି ବିଲ୍‌କୁ ନେଇ ପୂର୍ବରୁ ଲୋକସଭା ଓ ରାଜ୍ୟସଭାରେ ଚର୍ଚ୍ଚା କରିବାର ଆବଶ୍ୟକତା ଥିଲା, କିନ୍ତୁ ଏହା କରିନାହାନ୍ତି ।

ରାହୁଲ୍‌ ଆହୁରି ମଧ୍ୟ କହିଛନ୍ତି ଯେ, ସେ କୃଷକଙ୍କୁ ଭରସା ଦେବାକୁ ଚାହାଁନ୍ତି ଯେ, କଂଗ୍ରେସ ସାରା ଦେଶର କୃଷକମାନଙ୍କ ସହିତ ରହିଛି ଓ ରହିବ ମଧ୍ୟ । ଏହି ପ୍ରତିଶ୍ରୁତିରୁ କଂଗ୍ରେସ ଏକ ଇଞ୍ଚ ମଧ୍ୟ ପଛକୁ ହଟିବ ନାହିଁ । ନରେନ୍ଦ୍ର ମୋଦିଙ୍କ ସରକାର ଏମ୍‌ଏସପିକୁ ଶେଷ କରିବାକୁ ଚାହାଁନ୍ତି । କିନ୍ତୁ ଏହା କଂଗ୍ରେସ ଦଳ କରିବାକୁ ଦେବନି ।  କୃଷକମାନେ ଏହି ନୂତନ କୃଷି ଆଇନକୁ ନେଇ ଖୁସି ନାହାନ୍ତି । ଏଥିପାଇଁ ସାରା ଦେଶରେ ବିରୋଧ ପ୍ରଦର୍ଶନ ଜାରି ରଖିଛନ୍ତି ।

କୃଷି ବିଲ୍‌ ବିରୋଧରେ କଂଗ୍ରେସ ସାଂସଦ ରାହୁଲ୍‌ ଗାନ୍ଧି, ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂହ ଓ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ସୁନୀଲ ଜାଖଡ ଟ୍ରାକ୍ଟର ଯାତ୍ରା କରିଛନ୍ତି । (ଏଜେନ୍ସି)

Related posts