ମହାମେଣ୍ଟରେ ଆରମ୍ଭ ହେଲା କନ୍ଦଳ, କଂଗ୍ରେସ ଉପରେ ପ୍ରଶ୍ନ ଉଠାଇଲେ ଆରଜେଡି ନେତା

Published: Nov 15, 2020, 10:55 pm IST

ପାଟନା, ରବିବାରରେ ହୋଇଥିବା ମହାମେଣ୍ଟର ବୈଠକରେ ଆରଜେଡି ନେତା କଂଗ୍ରେସ ଦଳ ଉପରେ ଖୁବ ବର୍ଷିଛନ୍ତି। ଆରଜେଡିର ବରିଷ୍ଠ ନେତା ଶିବାନନ୍ଦ ତିୱାରୀ ବୈଠକରେ ମହାମେଣ୍ଟ ହାରିବାରେ କଂଗ୍ରେସ ଦାୟୀ ବୋଲି ରୋକଠୋକ କହିଛନ୍ତି। ବୈଠକରେ ସେ କହିଲେ ଯେ, ବର୍ତ୍ତମାନ ମହାମେଣ୍ଟ ପାଇଁ କଂଗ୍ରେସ ଗୋଟିଏ ବୋଝ ହୋଇ ରହିଲା। କଂଗ୍ରେସକୁ 70ଟି ଆସନରେ ପ୍ରାର୍ଥୀ ଦେବା ପାଇଁ ନିଷ୍ପତି ହେଲା। ହେଲେ ଦଳ 70ଟି ରାଲି ମଧ୍ୟ କଲା ନାହିଁ। ଫଳରେ କଂଗ୍ରେସ ବିପର୍ଯ୍ୟୟର ସମ୍ମୁଖୀନ ହେଲା। ଆଉ ମହାମେଣ୍ଟ ପରାଜୟ ବରଣ କଲା।

ବିହାର ନିର୍ବାଚନରେ କଂଗ୍ରେସ ତରଫରୁ ରାହୁଳ ଗାନ୍ଧୀ ମାତ୍ର ତିନି ଥର ପ୍ରଚାରକୁ ଆସିଲେ। ସେହିପରି ପ୍ରିୟଙ୍କା ଗାନ୍ଧୀ ଗୋଟିଏ ଦିନ ମଧ୍ୟ ପ୍ରଚାରକୁ ଆସିଲେ ନାହିଁ। କଂଗ୍ରେସ ଦଳ ଯେଉଁମାନଙ୍କୁ ପ୍ରଚାର ପାଇଁ ପଠାଇଲା ସେମାନଙ୍କୁ ଲୋକ ଜାଣନ୍ତି ନାହିଁ। ଦଳ ବିହାର ନିର୍ବାଚନକୁ ଯେପରି ଗୁରୁତ୍ବ ଦେବା କଥା ତାହା ଦେଲା ନାହିଁ ବୋଲି ତିୱାରୀ ଖୋଲାଖୋଲି ବୈଠକରେ ଅଭିଯୋଗ କଲେ।

ସେହିପରି ତିୱ୍ବାରୀ ରାହୁଳ ଗାନ୍ଧୀଙ୍କ ଉପରେ ଏକ ଗୁରୁତର ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ, ବିହାର ନିର୍ବାଚନ ପ୍ରଚାର ଯେତେବେଳେ ପୁରା ଗରମ ଥିଲା ସେତେବେଳେ ରାହୁଳ ଗାନ୍ଧୀ ସିମିଲାରେ ପ୍ରିୟଙ୍କା ଗାନ୍ଧୀଙ୍କ ଘରେ ପିକନିକ କରୁଥିଲେ। ତିୱାରୀଙ୍କ ଅପରି ମନ୍ତବ୍ୟକୁ ନେଇ ବୈଠକରେ ବେଶ ଉତ୍ତେଜନା ସୃଷ୍ଟି ହୋଇଥିଲା।

ବର୍ତ୍ତମାନ ମହାମେଣ୍ଟ ନିର୍ବାଚନରେ ହାରିବାର ମୁଖ୍ୟ କାରଣ ହେଉଛି କଂଗ୍ରେସ। କଂଗ୍ରେସ ଯଦି ଠିକ୍ ଭାବେ ନିର୍ବାଚନ ପରିଚାଳନା କରିଥାଆନ୍ତା ତେବେ ଦଳ ଆଜି ସରକାର ଗଠନ କରିଥାଆନ୍ତା। ଭବିଷ୍ୟତରେ କଂଗ୍ରେସକୁ ନେଇ ବିହାରରେ ରାଜନୀତି କରିବା ସମ୍ଭବ ନୁହେଁ ବୋଲି ଶିବାନନ୍ଦ ରୋକଠୋକ କହିଥିଲେ।

ଗୋଟିଏ ପଟେ ନୀତିଶ କୁମାର ସରକାର ଗଠନ କରିବାକୁ ଯାଉଥିବା ବେଳେ ଏପଟେ ମହାମେଣ୍ଟରେ କନ୍ଦଳକୁ ନେଇ ରାଜନୀତି ଗରମ ହୋଇପଡିଛି। ତେବେ ଶିବାନନ୍ଦଙ୍କ ଏପରି ଆରୋପ ଉପରେ କଂଗ୍ରେସ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

 

Related posts