ପିପିଲି ଉପନିର୍ବାଚନ ବେଳେ ଲେଖାଶ୍ରୀଙ୍କ ବିବାଦୀୟ ମନ୍ତବ୍ୟ, ବିଜେପି ପାଇଁ ଏକ ଶକ୍ତ ଧକ୍କା

Published: Nov 17, 2020, 8:51 pm IST

ଭୁବନେଶ୍ୱର: ଶ୍ରୀକ୍ଷେତ୍ରର ସମ୍ମାନ ହାନୀ ସହ ଓଡିଶାକୁ ନିନ୍ଦିତ କରି ଭୋଟ ରାଜନୀତିର ଭିନ୍ନ ପନ୍ଥାକୁ ଧରିଲେଣି ପଦ୍ମ ଦଳର ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର। ସେ ଏଭଳି ଏକ ମନ୍ତବ୍ୟ ଦେଇଛନ୍ତି ଯେ, ତାହା ଅତ୍ୟନ୍ତ ହାସ୍ୟାସ୍ପଦ ଓ ଲଜ୍ଜାଜନକ। ଲେଖାଶ୍ରୀଙ୍କ ମନ୍ତବ୍ୟକୁ ନେଇ ଚାରିଆଡେ ବିରୋଧ କରାଯାଉଛି। ଲେଖାଶ୍ରୀ କହିଲେ ଶ୍ରୀମନ୍ଦିର ପୁରୀରେ ବୋଲି ସମ୍ବିତ ପାତ୍ର ସାଂସଦ ପ୍ରାର୍ଥୀ ହେବା ପରେ ଲୋକ ଜାଣିଲେ। ଆଗରୁ କୁଆଡେ ଶ୍ରୀକ୍ଷେତ୍ର ଓ ଶ୍ରୀମନ୍ଦିର କୋଲକାତାରେ ବୋଲି ଲୋକଙ୍କ ଧାରଣା ଥିଲା। ଏପରି ଋଚିହୀନ ତଥ୍ୟ ଦେଇ ଲେଖାଶ୍ରୀ କାହାକୁ ବଡ଼ ଦେଖାଇବାକୁ ଚେଷ୍ଟା କରିଛନ୍ତି ଜଣାପଡୁ ନାହିଁ।

ଶ୍ରୀଜଗନ୍ନାଥ, ଶ୍ରୀମନ୍ଦିର, ଶ୍ରୀକ୍ଷେତ୍ର ନା ସମ୍ବିତ ପାତ୍ରଙ୍କୁ ଲେଖାଶ୍ରୀ ମହାନ ବୋଲି ମନେ କରିଛନ୍ତି, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଗୋଟେ ଜାତି ଓ ତାର ଆରାଧ୍ୟ ଦେବତାଙ୍କୁ ନ୍ୟୁନ କରି ଭୋଟ ପାଇଁ ମାଟିର ମର୍ଯ୍ୟାଦା ହାନୀ କରିବା ନିହାତି ନିନ୍ଦନୀୟ। କାରଣ, କାହିଁ କେଉଁ କାଳରୁ ଶ୍ରୀମନ୍ଦିର ଓ ଶ୍ରୀଜଗନ୍ନାଥଙ୍କୁ ବିଶ୍ୱବାସୀ ଜାଣିଛନ୍ତି। ଜାତି, ଧର୍ମ ବର୍ଣ୍ଣ ନିର୍ବିଶେଷରେ ପ୍ରଭୁ ଶ୍ରୀଜଗନାଥଙ୍କ ପ୍ରତି ସମସ୍ତଙ୍କ ଭକ୍ତି ଓ ଶ୍ରଦ୍ଧା ରହିଛି। ହେଲେ ରାଜନୈତିକ ଅଭିସନ୍ଧି ରଖି ପୁରୀକୁ ନିନ୍ଦିତ କରିବାକୁ ରାଜନୀତି କୁହାଯାଇପାରିବ ନାହିଁ।

ଆଗକୁ ପିପିଲି ଉପନିର୍ବାଚନ। ତେଣୁ ୨୦୧୯ ସାଧାରଣ ନିର୍ବାଚନରେ ପୁରୀରେ ବିଜେପି ସାଂସଦ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ପରାଜୟବରଣ କରିଥିବା ସମ୍ବିତ ପାତ୍ର ଏବେ ପୁରୀରେ ଡେରା ପକାଉଛନ୍ତି। ସେଦିନ ସେ ଲେଖାଶ୍ରୀଙ୍କ ମନ୍ତବ୍ୟରୁ କଣ ବୁଝିଲେ କେଜାଣି, ସେ ମଧ୍ୟ ଘଟଣାକୁ ନେଇ ଦୁଃଖ ପ୍ରକାଶ ନ କରି ଚୁପ ବସି ଏପରି ପ୍ରଶଂସାର ମଜା ନେଲେ। ରାଜନୀତିରେ ଆରୋପ ପ୍ରତ୍ୟାରୋପ ଅଛି, ଏହାର ଅର୍ଥ ନୁହେଁ ଯେ, ଗୋଟିଏ ଜାତିର ସ୍ୱାଭିମାନକୁ ତଳେ ପକାଇ ଭୋଟ ହାତେଇବା।

ଓଡ଼ିଶାରେ ସଦ୍ୟ ସମାପ୍ତ ହୋଇଥିବା ଦୁଇଟି ଆସନର ଉପନିର୍ବାଚନ ଫଳାଫଳ କେବଳ ବିଜେଡି ସପକ୍ଷରେ ଥିଲା। ସାଧାରଣ ନିର୍ବାଚନରେ ଏହି ଦୁଇ ବିଧାନସଭା ଆସନ ମଧ୍ୟରୁ ଗୋଟିଏ ବିଜେଡି ହାତରେ ଥିଲାବେଳେ ଉପନିର୍ବାଚନ ଆଉ ଗୋଟିଏ ଆସନ ବିଜେଡିକୁ ଦେଲା। କାରଣ ବାଲେଶ୍ୱର ସଦର ଆସନଟି ବିଜେପିର ଥିଲା ବେଳେ ତିର୍ତ୍ତୋଲ ଥିଲା ବିଜେଡି ହାତରେ। କିନ୍ତୁ ଉପନିର୍ବାଚନ ଜନମତ ଦୁଇଟି ଆସନ ବିଜେଡିକୁ ଦେଇଦେଲା।

ଏବେ ପିପିଲି ଉପନିର୍ବାଚନ ପାଳି, ଏହା ପୁଣି ଦିବଙ୍ଗତ ନେତା ପୂର୍ବତନ ମନ୍ତ୍ରୀ, ବିଧାୟକ ପ୍ରଦୀପ ମହାରଥୀଙ୍କ ଗଡ଼। ଯେଉଁଠି କେବଳ ଶଙ୍ଖ ଧ୍ୱନୀ, ସେଠାରେ ଉପନିର୍ବାଚନରେ ପଦ୍ମ ଫୁଟାଇବା ଆଦୌ ସହଜ ନୁହେଁ। ସକଳ କସରତ ସତ୍ତ୍ୱେ ବିଜେଡିର ଭୋଟ ଗଣିତ ବିଜେପି ପାଖରେ ନାହିଁ, ଏହା ବାରମ୍ବାର ପ୍ରମାଣ ହୋଇ ସାରିଛି। ତେଣୁ ରାଜ୍ୟର ଲୋକପ୍ରିୟ, ଭରସାଯୋଗ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତାକୁ ଗୌଣ କରି ପିପିଲିରେ ବିଜେପି ଜିତିବା ସମ୍ଭବ ନୁହେଁ ବୋଲି ଚର୍ଚ୍ଚା ହେଉଛି।

ବର୍ତ୍ତମାନ ପିପିଲି ଉପନିର୍ବାଚନ ପାଇଁ ଲେଖାଶ୍ରୀ ଦଳ ପାଇଁ ଗୋଟିଏ ପେଞ୍ଚ ଛାଡିଦେଲେ। ବିରୋଧୀ ଏହାକୁ ନେଇ ରାଜନୀତି କରିବା ପାଇଁ ଏକ ଭଲ ସୁଯୋଗ ଆଣିଲେ ଲେଖାଶ୍ରୀ। ଏହି ନିଶ୍ଚିତ ଯେ ଲେଖାଶ୍ରୀଙ୍କ ଏହି ମନ୍ତ୍ରବ୍ୟ ପାଇଁ ଦଳ ନିଶ୍ଚିତ ହରଡଘଣାରେ ପଡିବ। ଏଥର ନୁହେଁ, ଅନେକ ଥର ଲେଖାଶ୍ରୀଙ୍କ ବିବାଦୀୟ ବୟାନ ବିଜେପି ପାଇଁ ଭାରୀ ପଡିଛି। ତ୍ରୁଣମୂଳରେ କର୍ମୀମାନେ ଯେପରି ପରିଶ୍ରମ କରି ଦଳକୁ ଆଗକୁ ନେଉଛନ୍ତି, ଏଥିରେ ଲେଖାଶ୍ରୀଙ୍କ ପରି ଚରିତ୍ର ଦଳକୁ ସେତିକି ପଛକୁ ଟାଣୁଛନ୍ତି। ଏପରି କ୍ଷେତ୍ରରେ ବିଜେପି କେତେ ଫାଇଦା ହାସଲ କରୁଛି କି ନାହିଁ ତାହାର ସମୀକ୍ଷା କରି ପଦକ୍ଷେପ ନେବାର ଆବଶ୍ୟକତା ରହିଛି।

Related posts