ତାଲିବାନ ମୁଖପାତ୍ରଙ୍କ ବଡ ବିବୃତ୍ତି: କାଶ୍ମୀର ମୁସଲମାନମାନଙ୍କ ପାଇଁ ସ୍ୱର ଉତ୍ତୋଳନ କରିବାର ଅଧିକାର ଆମର ରହିଛି

Published: Sep 3, 2021, 11:15 am IST

ନୂଆଦିଲ୍ଲୀ: ଆଫଗାନିସ୍ତାନକୁ କବଜା କରିବା ପରେ ତାଲିବାନ କାଶ୍ମୀର ବିଷୟରେ ଏକ ବଡ଼ ବିବୃତ୍ତି ଦେଇଛି। ତାଲିବାନ ମୁଖପାତ୍ର ସୁହେଲ ଶାହିନ କହିଛନ୍ତି ଯେ, କାଶ୍ମୀରର ମୁସଲମାନମାନଙ୍କ ପାଇଁ ମଧ୍ୟ ସ୍ୱର ଉତ୍ତୋଳନ କରିବାର ଅଧିକାର ଆମର ଅଛି। ବିଚ୍ଛିନ୍ନତାବାଦୀ ଏଜେଣ୍ଡାକୁ ଇନ୍ଧନ ଦେବା ପାଇଁ ପାକିସ୍ତାନ ତାଲିବାନର ଉତ୍ଥାନକୁ କାଶ୍ମୀରରେ ଇସଲାମିକ ଭାବନାକୁ ପ୍ରଜ୍ୱଳିତ କରିପାରେ ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଇଛି।

ଏହାପୂର୍ବରୁ ତାଲିବାନର ଅନ୍ୟ ଜଣେ ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ୍ ଭାରତ ଏବଂ ପାକିସ୍ତାନ ମଧ୍ୟରେ କାଶ୍ମୀର ବିବାଦ ଉପରେ କହିଥିଲେ ଯେ, ଉପତ୍ୟକା ପ୍ରତି ଭାରତ ଏକ ସକରାତ୍ମକ ଆଭିମୁଖ୍ୟ ଗ୍ରହଣ କରିବା ଉଚିତ। ସେ ଏହା ମଧ୍ୟ କହିଛନ୍ତି ଯେ, ଭାରତ ଏବଂ ପାକିସ୍ତାନ ଏକାଠି ବସି ସମସ୍ୟାର ସମାଧାନ କରିବା ଉଚିତ କାରଣ ଉଭୟ ପଡୋଶୀ ଏବଂ ସେମାନଙ୍କର ସ୍ୱାର୍ଥ ପରସ୍ପର ସହ ଜଡିତ।

କାଶ୍ମୀର ତଥା ଅନ୍ୟାନ୍ୟ ତଥାକଥିତ ଇସଲାମ ଦେଶକୁ ମୁକ୍ତ କରିବାକୁ ଅଲ-କାଏଦା ଆହ୍ଵାନ ଦେଇଛି। ଜୈଶ-ଏ-ମହମ୍ମଦ ଏବଂ ଲଶ୍କର-ଏ-ତୋଏବା କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି କରିପାରନ୍ତି।

୨୦୧୯ ମସିହାରେ ଧାରା ୩୭୦ ଉଚ୍ଛେଦ ହେବା ପରେ ଜମ୍ମୁ କାଶ୍ମୀରର ପ୍ରଶାସନକୁ କେନ୍ଦ୍ର ସରକାର ସିଧାସଳଖ ନିଜ ହାତକୁ ନେଇଥିଲେ। ଯଦିଓ ସ୍ଥାନୀୟ ନିର୍ବାଚନ ସହିତ ରାଜନୈତିକ କାର୍ଯ୍ୟକଳାପ ପୁନଃସ୍ଥାପିତ ହୋଇଛି, କିନ୍ତୁ ବିଚ୍ଛିନ୍ନତା ଭାବନା କମିନାହିଁ।

Related posts