ଜି -୨୦ ର ଅଧ୍ୟକ୍ଷତା କରିବ ଭାରତ, ସମଗ୍ର ଦେଶରେ ୨୦୦ ରୁ ଅଧିକ ହେବ ସଭା

Published: Sep 13, 2022, 1:22 pm IST

ନୂଆଦିଲ୍ଲୀ: ୨୦୨୨ ଶେଷରେ ଆରମ୍ଭ ହେବାକୁ ଥିବା ଜି-୨୦ ବୈଠକରେ ଭାରତ ଅଧ୍ୟକ୍ଷତା କରିବାକୁ ଯାଉଛି। ଭାରତ ଡିସେମ୍ବର ୧ ତାରିଖରୁ ନଭେମ୍ବର ୩୦ ତାରିଖ ୨୦୨୩ ପର୍ଯ୍ୟନ୍ତ ଜି-୨୦ର ଅଧ୍ୟକ୍ଷତା କରିବ। ଏହି ଅଧ୍ୟକ୍ଷତା ଦେଶରେ ୨୦୦ ରୁ ଅଧିକ ଜି-୨୦ ବୈଠକ ଆୟୋଜନ କରିବେ ବୋଲି ଆଶା କରାଯାଉଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଆଜି ଏକ ବିବୃତ୍ତି ଜାରି କରି ଏହି ସୂଚନା ଦେଇଛି।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ, ଜି-୨୦ ଦେଶର ନେତାଙ୍କ ଶିଖର ସମ୍ମିଳନୀ ୨୦୨୩ ମସିହା ସେପ୍ଟେମ୍ବର ୯ ତାରିଖ ଓ ୧୦ ତାରିଖ ଦିନ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଯାଉଛି। ଜି-୨୦ କିମ୍ବା ଗ୍ରୁପ୍ ଅଫ୍ ୨୦ ହେଉଛି ବିଶ୍ଵର ପ୍ରମୁଖ ବିକଶିତ ତଥା ବିକାଶଶୀଳ ଅର୍ଥନୀତିର ଏକ ଆନ୍ତ- ସରକାରୀ ମଞ୍ଚ। ଏଥିରେ ୧୯ ଟି ଦେଶ ଅନ୍ତର୍ଭୁକ୍ତ।

ଜି-୨୦ରେ କେଉଁ ଦଶ ଅନ୍ତର୍ଭୁକ୍ତ?:

ଜି-୨୦ ରେ ଅନ୍ତର୍ଭୁକ୍ତ ଦେଶଗୁଡିକ ହେଉଛି- ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ବ୍ରାଜିଲ, କାନାଡା, ଚୀନ୍, ଫ୍ରାନ୍ସ, ଜର୍ମାନୀ, ଭାରତ, ଇଣ୍ଡୋନେସିଆ, ଇଟାଲୀ, ଜାପାନ, କୋରିଆ, ମେକ୍ସିକୋ, ଋଷ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା, ତୁର୍କୀ, ଆମେରିକା ଏବଂ ୟୁରୋପୀୟ ୟୁନିଅନ୍। ସାମୂହିକ ଭାବରେ ଜି-୨୦ ବିଶ୍ଵ ଜିଡିପିର ୮୫ ପ୍ରତିଶତ, ଆନ୍ତର୍ଜାତୀୟ ବାଣିଜ୍ୟର ୭୫ ପ୍ରତିଶତ ଏବଂ ବିଶ୍ଵର ଦୁଇ ତୃତୀୟାଂଶ ଜନସଂଖ୍ୟାକୁ ଏହା ଆନ୍ତର୍ଜାତୀୟ ଅର୍ଥନୈତିକ ସହଯୋଗ ପାଇଁ ଏକ ପ୍ରମୁଖ ପ୍ଲାଟଫର୍ମ କରିପାରିଛି।

Related posts