ଅଷ୍ଟ୍ରେଲିଆରେ ହିନ୍ଦୁ ମନ୍ଦିରର ଭଙ୍ଗାରୁଜା ଘଟଣା: କଡା କାର୍ଯ୍ୟାନୁଷ୍ଠାନ ଦାବି କଲେ ବୈଦେଶିକ ମନ୍ତ୍ରୀ

Published: Feb 21, 2023, 12:28 pm IST

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ହିନ୍ଦୁ ମନ୍ଦିରଗୁଡିକ କ୍ରମାଗତ ଭାବରେ ଟାର୍ଗେଟ କରାଯାଉଛି। ଅନେକ ମନ୍ଦିରରେ ଗୋଟିଏ ପରେ ଗୋଟିଏ ଭାରତ ବିରୋଧୀ ସ୍ଲୋଗାନ ଲେଖାଯାଇଛି ଏବଂ ସେମାନଙ୍କୁ ଭଙ୍ଗାରୁଜା କରାଯାଇଛି। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ ଭାରତ ସରକାରଙ୍କ ବାରମ୍ବାର ଅନୁରୋଧ ପରେ ମଧ୍ୟ ଅଷ୍ଟ୍ରେଲିଆ ସରକାର ଅଭିଯୁକ୍ତଙ୍କ ବିରୋଧରେ କୌଣସି କଠୋର ନିଷ୍ପତ୍ତି ନେଉନାହାଁନ୍ତି। ବର୍ତ୍ତମାନ ଏହାକୁ ନେଇ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ ଅଷ୍ଟ୍ରେଲିଆର ବୈଦେଶିକ ମନ୍ତ୍ରୀଙ୍କୁ ସ୍ପଷ୍ଟ ଭାବେ କହିଛନ୍ତି ଯେ, କଟ୍ଟରପନ୍ଥୀଙ୍କ କାର୍ଯ୍ୟକଳାପ’ ବିରୋଧରେ ସତର୍କତା ଆବଶ୍ୟକ।

ଜୟଶଙ୍କର ନିକଟରେ ଅଷ୍ଟ୍ରେଲୀୟ ପ୍ରତିପକ୍ଷ ପେନି ୱଙ୍ଗଙ୍କୁ ଭେଟିଥିଲେ। ସେ ଏହି ବୈଠକରେ ଏହି ପ୍ରସଙ୍ଗ ଉଠାଇଥିଲେ। ଜୟଶଙ୍କର ୱଙ୍ଗଙ୍କ ସହ ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ।

ବୈଠକ ପରେ ଜୟଶଙ୍କର ଟ୍ୱିଟ୍ କରି କହିଛନ୍ତି ଯେ, ଆମର ଦ୍ୱିପାକ୍ଷିକ ଏଜେଣ୍ଡା ଉପରେ ଆଗକୁ ବଢିବା ବିଷୟରେ ଉଲ୍ଲେଖ କରାଯାଇଛି। ଭାରତୀୟ ସମ୍ପ୍ରଦାୟକୁ ଟାର୍ଗେଟ କରୁଥିବା କଟ୍ଟରପନ୍ଥୀ କାର୍ଯ୍ୟକଳାପ ବିରୋଧରେ ସଜାଗତାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।

ପ୍ରକାଶ ଯେ, ଚଳିତ ବର୍ଷ ଜାନୁଆରୀରେ ଖାଲିସ୍ତାନର ସମର୍ଥକମାନେ ଅଷ୍ଟ୍ରେଲିଆର ବିଭିନ୍ନ ସ୍ଥାନରେ ଥିବା ଅନେକ ହିନ୍ଦୁ ମନ୍ଦିରକୁ ଭଙ୍ଗାରୁଜା କରିଥିଲେ। ଅଷ୍ଟ୍ରେଲିଆରେ ରହୁଥିବା ଭାରତୀୟ ସମ୍ପ୍ରଦାୟର ଲୋକମାନେ ମନ୍ଦିରର ଭଙ୍ଗାରୁଜାକୁ ନିନ୍ଦା କରିଛନ୍ତି। ଏହା ସହିତ ସେ ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

Related posts