ଅଲମ୍ପିକ୍ସ ହକିରେ ଭାରତକୁ ମିଳିଲା ବ୍ରୋଞ୍ଜ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଘୋଷଣା କଲେ ଆର୍ଥିକ ପୁରସ୍କାର

Published: Aug 8, 2024, 11:33 pm IST

ଭୁବନେଶ୍ବର: ପ୍ୟାରିସ ଅଲିମ୍ପିକସ୍‌ରେ ସ୍ପେନ ବିରୁଦ୍ଧରେ ଚମକପ୍ରଦ ବିଜୟ ହାସଲ କରି ବ୍ରୋଞ୍ଜ ପଦକ ପାଇଥିବାରୁ ଭାରତୀୟ ପୁରୁଷ ହକି ଦଳର ଅଧିନାୟକ ହରମନପ୍ରୀତ ସିଂହ, ପ୍ରଶିକ୍ଷକ କ୍ରେଗ ଫଲଟନ, ସମସ୍ତ ଖେଳାଳି ଓ ସହାୟକ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅଭିନନ୍ଦନ ଜଣାଇଛନ୍ତି। ସେମାନଙ୍କ ସହିତ ଫୋନରେ କଥା ମଧ୍ୟ ହୋଇଛନ୍ତି। ଏହି ବ୍ରୋଞ୍ଜ ପଦକ ବର୍ଷବର୍ଷ ଧରି ହକି ପ୍ରତି ଆମର ଉତ୍ସର୍ଗୀକୃତ ମନୋଭାବର ପ୍ରତିଫଳନ ଅଟେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସେ କହିଛନ୍ତି ଯେ, ପ୍ରତ୍ୟେକ ଓଡ଼ିଶାବାସୀ ଏହି ସଫଳତାରେ ଗର୍ବିତ। ହକି ଖେଳାଳିମାନେ ଆମ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି। ସେମାନଙ୍କୁ ଶୀଘ୍ର ଓଡିଶା ଆସିବାକୁ ସେ ନିମନ୍ତ୍ରଣ କରିଛନ୍ତି। ବିଶେଷ କରି ଓଡ଼ିଆ ପୁଅ ଅମିତ ରୋହିଦାସଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଇଛନ୍ତି।

ମୁଖ୍ୟମନ୍ତ୍ରୀ ରାଜ୍ୟ ସରକାରଙ୍କ ତରଫରୁ ପ୍ରତ୍ୟେକ ଖେଳାଳିଙ୍କୁ ୧୫ ଲକ୍ଷ ଟଙ୍କା ଏବଂ ପ୍ରତ୍ୟେକ ସପୋର୍ଟ ଷ୍ଟାଫଙ୍କୁ ୧୦ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି। ସେହିପରି ଓଡିଆ ଖେଳାଳି ଅମିତ୍ ରୋହିଦାସଙ୍କୁ ଚାରି କୋଟି ଟଙ୍କାର ସ୍ଵତନ୍ତ୍ର ପୁରସ୍କାର ମଧ୍ୟ ଘୋଷଣା କରାଯାଇଛି। ଓଡ଼ିଶାର ଅସଂଖ୍ଯ କ୍ରୀଡାବିତଙ୍କୁ ଏହି ସଫଳତା ଉତ୍ସାହିତ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Related posts