ନୂଆଦିଲ୍ଲୀ: ପାକିସ୍ତାନୀ ସେନା ଏବଂ ତାଲିବାନ ମଧ୍ୟରେ ସୀମା ରେଖା ଡୁରଣ୍ଡ ଲାଇନରେ ଯୁଦ୍ଧ ପରି ପରିସ୍ଥିତି ଉପୁଜିଛି। ଟିଟିପି ଆତଙ୍କବାଦୀଙ୍କ ଦ୍ଵାରା ୧୬ ଜଣ ପାକିସ୍ତାନୀ ସୈନିକଙ୍କୁ ହତ୍ୟା କରିବା ପରେ ପାକିସ୍ତାନୀ ବାୟୁସେନା ଆଫଗାନିସ୍ତାନର ପାକ୍ତିକା ଏବଂ ଖୋସ୍ତ ପ୍ରଦେଶରେ ଏୟାର ଷ୍ଟ୍ରାଇକ କରିଥିଲା। ପାକିସ୍ତାନର ଏହି ଆକ୍ରମଣରେ ପ୍ରାୟ ୫୦ ଜଣ ପ୍ରାଣ ହରାଇଛନ୍ତି। ପାକିସ୍ତାନ ଦାବି କରିଛି ଯେ, ସେମାନେ ଟିଟିପି ଆତଙ୍କବାଦୀଙ୍କ ଉପରେ ଆକ୍ରମଣ କରିଛନ୍ତି।
ଏହି ଆକ୍ରମଣରେ କ୍ରୋଧିତ ହୋଇଯାଇ ତାଲିବାନ ଡୁରଣ୍ଡ ଲାଇନରେ ପାକିସ୍ତାନୀ ସେନା ପୋଷ୍ଟ ଉପରେ ଆକ୍ରମଣ କରି ୧୯ ଜଣ ପାକିସ୍ତାନୀ ସୈନିକଙ୍କୁ ହତ୍ୟା କରିଥିବା ଦାବି କରିଛି। ଏହା ବ୍ୟତୀତ ୨ଟି ପାକିସ୍ତାନୀ ପୋଷ୍ଟ ଦଖଲ କରିଥିବା ମଧ୍ୟ ଦାବି କରିଛି।
ପ୍ରକାଶ ଯୋଗ୍ୟ ଯେ, ବ୍ରିଟିଶମାନଙ୍କ ଦ୍ୱାରା ଅଙ୍କିତ ଡୁରଣ୍ଡ ଲାଇନକୁ ଆଫଗାନିସ୍ତାନ ଗ୍ରହଣ କରେ ନାହିଁ। ଏହି କାରଣରୁ ଆରମ୍ଭରୁ ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ପରିସ୍ଥିତି ତିକ୍ତ ହୋଇ ରହିଛି। ବର୍ତ୍ତମାନ ଉଭୟ ଦେଶ ପରସ୍ପର ଉପରେ ଆକ୍ରମଣ କରିବା ପରେ ଡୁରଣ୍ଡ ଲାଇନ ପ୍ରସଙ୍ଗ ପୁଣି ଥରେ ଉଷ୍ମ ହୋଇଛି।