ନୂଆଦିଲ୍ଲୀ: ଭାରତର ଗ୍ରାଣ୍ଡମାଷ୍ଟର ରମେଶବାବୁ ପ୍ରଜ୍ଞାନାନନ୍ଦ ବିଶ୍ୱ ନମ୍ବର-୧ ଚେସ୍ ଖେଳାଳି ମାଗ୍ନସ୍ କାର୍ଲସେନଙ୍କୁ ପରାସ୍ତ କରିଛନ୍ତି। ଜୁଲାଇ ୧୬ ତାରିଖରେ ଲାସ୍ ଭେଗାସ୍ ରେ ଅନୁଷ୍ଠିତ ଫ୍ରିଷ୍ଟାଇଲ୍ ଚେସ୍ ଗ୍ରାଣ୍ଡ ସ୍ଲାମର ରାଉଣ୍ଡ ୪ ରେ ପ୍ରଜ୍ଞାନାନନ୍ଦ ଏହି ବିଜୟ ହାସଲ କରିଛନ୍ତି। ଏହି ୧୯ ବର୍ଷୀୟ ଚେସ୍ ଖେଳାଳି ମାତ୍ର ୩୯ ଚାଲରେ ବିଶ୍ୱ ନମ୍ବର-୧ ଖେଳାଳିଙ୍କୁ ପରାସ୍ତ କରିଛନ୍ତି। ଏହା ଲାସ୍ ଭେଗାସ୍ ରେ ପ୍ରଜ୍ଞାନାନନ୍ଦଙ୍କ ପାଇଁ ଏକ ଐତିହାସିକ ବିଜୟ।
ଗ୍ରାଣ୍ଡମାଷ୍ଟର ରମେଶବାବୁ ପ୍ରଜ୍ଞାନାନନ୍ଦ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ତାଙ୍କ ଇଚ୍ଛା ଅନୁସାରେ ଖେଳକୁ ପରିଚାଳନା କରିଥିଲେ। ଏହି ଖେଳରେ ପ୍ରଜ୍ଞାନାନନ୍ଦ ୯୩.୯ ପ୍ରତିଶତ ସଠିକତା ସହିତ ଖେଳୁଥିଲେ, ଯେତେବେଳେ କାର୍ଲସେନଙ୍କ ସଠିକତା ୮୪.୯ ପ୍ରତିଶତ ଥିଲା, ଯାହା ସାଧାରଣ ଠାରୁ କମ୍ ଥିଲା। ପ୍ରଜ୍ଞାନାନନ୍ଦଙ୍କ ଏହି ବିଜୟ ତାଙ୍କ କ୍ୟାରିଅରକୁ ନୂତନ ଉଚ୍ଚତାକୁ ନେଇଯାଉଛି। ବର୍ତ୍ତମାନ ପ୍ରଜ୍ଞାନାନନ୍ଦ ସମସ୍ତ ତିନୋଟି ପ୍ରମୁଖ ଫର୍ମାଟରେ ମାଗନସ୍ କାର୍ଲସେନଙ୍କୁ ପରାସ୍ତ କରିଛନ୍ତି। ପ୍ରଜ୍ଞାନାନନ୍ଦ କ୍ଲାସିକାଲ୍, ରାପିଡ୍ ଏବଂ ବ୍ଲିଜ୍ରେ ବିଜୟୀ ହୋଇଛନ୍ତି।
କ୍ରୀଡ଼ା ମନ୍ତ୍ରୀଙ୍କ ପ୍ରଶଂସା:
ଭାରତର କ୍ରୀଡ଼ା ମନ୍ତ୍ରୀ ମନସୁଖ ମାଣ୍ଡଭିୟ ମଧ୍ୟ ପ୍ରଜ୍ଞାନାନନ୍ଦଙ୍କ ବିଜୟ ଉପରେ ଏକ ପୋଷ୍ଟ ସେୟାର କରିଛନ୍ତି। ମନସୁଖ ମାଣ୍ଡଭିୟ ଲେଖିଛନ୍ତି ଯେ, ଚେସ୍ରେ ଭାରତ ପାଇଁ ଏହା ଆଉ ଏକ ଗର୍ବର ମୁହୂର୍ତ୍ତ। କ୍ରୀଡ଼ା ମନ୍ତ୍ରୀ ଆହୁରି ଲେଖିଛନ୍ତି ଯେ, ମାତ୍ର ୧୯ ବର୍ଷ ବୟସରେ, ଗ୍ରାଣ୍ଡମାଷ୍ଟର ଆର ପ୍ରଜ୍ଞାନାନନ୍ଦ ଫ୍ରିଷ୍ଟାଇଲ୍ ଚେସ୍ ଗ୍ରାଣ୍ଡସ୍ଲାମରେ କେବଳ ୩୯ ଚାଲରେ ବିଶ୍ୱର ନମ୍ବର ୱାନ୍ ମ୍ୟାଗନସ୍ କାର୍ଲସେନଙ୍କୁ ପରାସ୍ତ କରି ନିଜର ପ୍ରତିଭା ପ୍ରଦର୍ଶନ କରିଛନ୍ତି।