ନୂଆଦିଲ୍ଲୀ: ଆମେରିକା ଏବଂ ଏହାର ପାରମ୍ପରିକ ସହଯୋଗୀ ଦେଶ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦାବିକୁ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ତୀବ୍ର ସମାଲୋଚନା କରିଛନ୍ତି। ଟ୍ରମ୍ପଙ୍କ ବକ୍ତବ୍ୟକୁ “ସମ୍ପୂର୍ଣ୍ଣ କପୋଳକଳ୍ପିତ” ବୋଲି କହି ମେଲୋନି କହିଛନ୍ତି ଯେ, ଆମେରିକା ରାଷ୍ଟ୍ରପତି ତାଙ୍କ ନିଜ ସହଯୋଗୀଙ୍କ ସହ ଏପରି ବ୍ୟବହାର କରୁଥିବା ଦେଖି ସେ ଆଶ୍ଚର୍ଯ୍ୟ ଏବଂ ଦୁଃଖିତ।
ମେଲୋନି ସ୍ପଷ୍ଟ ଭାବରେ କହିଛନ୍ତି ଯେ, “ଟ୍ରମ୍ପଙ୍କ ବକ୍ତବ୍ୟ ସତ୍ୟଠାରୁ ବହୁ ଦୂରରେ। ଏହା ପ୍ରଥମ ଥର ପାଇଁ ଘଟିନାହିଁ, କିନ୍ତୁ ଏହା ଅତ୍ୟନ୍ତ ଲଜ୍ଜାଜନକ।” ଇଟାଲୀ ପ୍ରଧାନମନ୍ତ୍ରୀ ପ୍ରଶ୍ନ କରିଛନ୍ତି ଯେ, “ଟ୍ରମ୍ପ ତାଙ୍କ ସହଯୋଗୀଙ୍କ ବିରୁଦ୍ଧରେ ଯେଉଁ ଦୃଢ଼ତା ପ୍ରଦର୍ଶନ କରନ୍ତି ତାହା ପାଶ୍ଚାତ୍ୟ ବିରୋଧୀ ଏବଂ ଆମେରିକାର ପ୍ରତିଦ୍ୱନ୍ଦ୍ୱୀମାନଙ୍କ ବିରୁଦ୍ଧରେ କାହିଁକି ଦେଖାଯାଏ ନାହିଁ।
ଇଟାଲୀ ପ୍ରଧାନମନ୍ତ୍ରୀ ମେଲୋନି ତାଙ୍କ ବକ୍ତବ୍ୟର କହିଥିଲେ ଯେ, “କିଛି ଜିନିଷର ତୁରନ୍ତ ଉତ୍ତର ଦେବା ଆବଶ୍ୟକ। ଡୋନାଲ୍ଡ ଟ୍ରମ୍ପଙ୍କ ବକ୍ତବ୍ୟ ସମ୍ପୂର୍ଣ୍ଣ କପୋଳକଳ୍ପିତ ଏବଂ ମିଥ୍ୟା। ସତ କହିବାକୁ ଗଲେ, ମୁଁ ଅତ୍ୟନ୍ତ ଆଶ୍ଚର୍ଯ୍ୟ ଏବଂ ମର୍ମାହତ।”
ତାଙ୍କ ବିବୃତ୍ତିରେ ମେଲୋନି ଏହା ମଧ୍ୟ ସୂଚାଇଛନ୍ତି ଯେ, ଟ୍ରମ୍ପ ଅନେକ ବିଶ୍ୱ ନେତାଙ୍କ ପ୍ରତି ଏକ ନରମ ମନୋଭାବ ଗ୍ରହଣ କରନ୍ତି ଯେଉଁମାନଙ୍କର ନୀତି ପାଶ୍ଚାତ୍ୟ ସ୍ୱାର୍ଥର ବିପରୀତ ବୋଲି ବିବେଚିତ ହୁଏ। ସେ କହିଛନ୍ତି ଯେ, ସହଯୋଗୀ ଦଳ ଉପରେ ଚାପ ପକାଇବା ସହଜ, କିନ୍ତୁ ବିରୋଧୀଙ୍କ ସାମ୍ନାରେ ଶକ୍ତି ପ୍ରଦର୍ଶନ କରିବାରେ ପ୍ରକୃତ ନେତୃତ୍ୱ ଦେଖାଯାଏ।
ତଥାପି, ତାଙ୍କ ବିବୃତ୍ତିର ଶେଷରେ ତାଙ୍କର ସବୁଠାରୁ ଦୃଢ଼ ବାର୍ତ୍ତା ଆସିଥିଲା। ମେଲୋନି ସ୍ପଷ୍ଟ ଭାବରେ କହିଥିଲେ ଯେ, “ସେ ଗୋଟିଏ କଥା ମନେ ରଖିବା ଉଚିତ – ମୁଁ କିମ୍ବା ଇଟାଲୀ କେବେ ଭିକ୍ଷା ମାଗେନାହିଁ।”
ଇଟାଲୀର ଉପ-ପ୍ରଧାନମନ୍ତ୍ରୀ ଏବଂ ବୈଦେଶିକ ମନ୍ତ୍ରୀ ଆଣ୍ଟୋନିଓ ତଜାନି କହିଛନ୍ତି ଯେ: “ପ୍ରଧାନମନ୍ତ୍ରୀ ଜର୍ଜିଓ ମେଲୋନିଙ୍କ ବିରୁଦ୍ଧରେ ରାଷ୍ଟ୍ରପତି ଟ୍ରମ୍ପ ଦେଇଥିବା ଗମ୍ଭୀର ଏବଂ ଅପମାନଜନକ ମନ୍ତବ୍ୟ କେବଳ ମେଲୋନି ପାଇଁ ନୁହେଁ, ବରଂ ସମଗ୍ର ଇଟାଲୀ ପାଇଁ ଅପମାନ। ସେଥିପାଇଁ ମୁଁ ଜୁନ୍ ୨୧ ତାରିଖ ଏବଂ ୨୨ ତାରିଖରେ ମୋର ଯୋଜନାବଦ୍ଧ ଆମେରିକା ଗସ୍ତ ବାତିଲ କରିବାକୁ ନିଷ୍ପତ୍ତି ନେଇଛି।”


