ନୂଆଦିଲ୍ଲୀ: ଚୀନ୍ରେ ଚାଲିଥିବା ଜୁନିୟର୍ ହକି ଏସିଆ କପ୍ରେ ଭାରତୀୟ ଦଳର ଦମ୍ଦାର ପ୍ରଦର୍ଶନ ଜାରି ରହିଛି। ଖେଳାଯାଇଥିବା ହାଇ-ଭୋଲ୍ଟେଜ୍ ପୁରୁଷ ମ୍ୟାଚ୍ରେ ଭାରତ ୩-୩ ଗୋଲ୍ରେ ଜାପାନ ସହ ରୋମାଞ୍ଚକର ଡ୍ର’ କରି ପଏଣ୍ଟ ଭାଗ କରିଛି। ଅପରପକ୍ଷରେ, ମହିଳା ବିଭାଗରେ ଭାରତୀୟ ଟିମ୍ ଏକତରଫା ଭାବେ ମାଲେସିଆକୁ ୧୧-୧ ଗୋଲ୍ର ବୃହତ୍ ବ୍ୟବଧାନରେ ପରାସ୍ତ କରି ନିଜର ଦବ୍ଦବା ବଜାୟ ରଖିଛି। ପେନାଲ୍ଟି ଷ୍ଟ୍ରୋକ୍ରୁ ଗୋଲ୍ କରି କ୍ୟାପ୍ଟେନ୍ ଅନମୋଲ୍ ଏକ୍କା ଭାରତକୁ ୧-୦ରେ ଆଗୁଆ କରିଥିଲେ। ପେନାଲ୍ଟି କର୍ଣ୍ଣର୍ରୁ ଆଶୁ ମୌର୍ଯ୍ୟ ଗୋଲ୍ ଦେଇ ସ୍କୋର୍ ୨-୦ କରିଥିଲେ। ୪ର୍ଥ କ୍ୱାର୍ଟରରେ ଜାପାନର କ୍ୟାପ୍ଟେନ୍ କାଜୁକୀ ନାକାନିଶୀ ଦୁଇଟି ଗୋଲ୍ (ପେନାଲ୍ଟି କର୍ଣ୍ଣର୍) ଦେଇ ୫୯ତମ ମିନିଟ୍ ସୁଦ୍ଧା ଜାପାନକୁ ୩-୨ରେ ଆଗୁଆ କରିଦେଇଥିଲେ। ପରାଜୟର ଦ୍ୱାରଦେଶରେ ଥିବା ଭାରତ ଶେଷ ମିନିଟ୍ରେ ନିଜ ଗୋଲ୍କିପର୍ଙ୍କୁ ହଟାଇ ସମ୍ପୂର୍ଣ୍ଣ ଶକ୍ତି ସହ ଆକ୍ରମଣ କରିଥିଲା। ମ୍ୟାଚ୍ ଶେଷ ହେବାକୁ ମାତ୍ର ୫୯ ସେକେଣ୍ଡ ବାକି ଥିବାବେଳେ ଭାରତକୁ ମିଳିଥିବା ପେନାଲ୍ଟି କର୍ଣ୍ଣର୍କୁ ଗୋଲ୍ରେ ପରିଣତ କରି କ୍ୟାପ୍ଟେନ୍ ଅନମୋଲ୍ ସ୍କୋର୍ ୩-୩ କରିବା ସହ ଟିମ୍କୁ ପରାଜୟରୁ ବଞ୍ଚାଇଥିଲେ। ସୂଚନାଯୋଗ୍ୟ, ଭାରତ ନିଜର ପ୍ରଥମ ମ୍ୟାଚ୍ରେ ଇଣ୍ଡୋନେସିଆକୁ ୧୪-୦ରେ ହରାଇଥିଲା। ପୁଲ୍-ଏ’ର ନିଜର ତୃତୀୟ ମ୍ୟାଚ୍ରେ ଭାରତୀୟ ଦଳ ଆସନ୍ତା ମଙ୍ଗଳବାର ଦକ୍ଷିଣ କୋରିଆକୁ ଭେଟିବ।


