ନୂଆଦିଲ୍ଲୀ: ଚୀନର ମୋକି ଠାରେ ଆୟୋଜିତ ମହିଳା ଜୁନିୟର ଏସିଆ କପ୍ ୨୦୨୬ରେ ଭାରତୀୟ ଦଳର ବିପୁଳ ବିଜୟ ଅଭିଯାନ ଜାରି ରହିଛି। ଆଜି ଖେଳାଯାଇଥିବା ପ୍ରଥମ କ୍ୱାର୍ଟର ଫାଇନାଲ ମହାମୁକାବିଲାରେ ଭାରତୀୟ ଟିମ୍ ଏକତରଫା ଭାବେ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୧୯-୦ ଗୋଲର ବୃହତ ବ୍ୟବଧାନରେ ପରାସ୍ତ କରି ସେମିଫାଇନାଲରେ ନିଜ ସ୍ଥାନ ପକ୍କା କରିଛି। ଚଳିତ ଟୁର୍ଣ୍ଣାମେଣ୍ଟରେ ଏହା ଯେକୌଣସି ଦଳର ସବୁଠାରୁ ବଡ଼ ବିଜୟ। ଏହାପୂର୍ବରୁ ଗ୍ରୁପ୍ ପର୍ଯ୍ୟାୟରେ ଜାପାନ, ମାଲେସିଆ ଓ ଦକ୍ଷିଣ କୋରିଆକୁ ହରାଇ ଶୀର୍ଷରେ ରହିଥିବା ଡିଫେଣ୍ଡିଂ ଚାମ୍ପିୟନ୍ ଭାରତ ଏବେ ସେମିଫାଇନାଲରେ ଦକ୍ଷିଣ କୋରିଆ ଓ ମାଲେସିଆ ମଧ୍ୟରେ ହେବାକୁ ଥିବା ମ୍ୟାଚର ବିଜେତାଙ୍କୁ ଭେଟିବ।
ସମ୍ପୂର୍ଣ୍ଣ ମ୍ୟାଚରେ ଭାରତୀୟ ଖେଳାଳିଙ୍କ ଦବଦବା ଦେଖିବାକୁ ମିଳିଥିଲା। ମ୍ୟାଚର ୭ମ ମିନିଟରେ ପୂଜା ସାହୁ ପେନାଲ୍ଟି କର୍ଣ୍ଣର ଜରିଆରେ ପ୍ରଥମ ଗୋଲ କରି ଭାରତର ଖାତା ଖୋଲିଥିଲେ। ପ୍ରଥମ କ୍ୱାର୍ଟରରେ ୫ଟି ଏବଂ ଦ୍ୱିତୀୟ କ୍ୱାର୍ଟରରେ ୫ଟି ଗୋଲ ଦେଇ ଭାରତ ହାଫ୍-ଟାଇମ୍ ସୁଦ୍ଧା ୧୦-୦ରେ ଆଗୁଆ ରହିଥିଲା। ପରବର୍ତ୍ତୀ ସମୟରେ ତୃତୀୟ କ୍ୱାର୍ଟରରେ ୩ଟି ଏବଂ ଶେଷ କ୍ୱାର୍ଟରରେ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରି ସର୍ବାଧିକ ୬ଟି ଗୋଲ ହାସଲ କରିଥିଲା ଦଳ।
ଏହି ମ୍ୟାଚରେ ଭାରତର ମୋଟ ୧୩ ଜଣ ଖେଳାଳି ଗୋଲ କରିଥିଲେ। ପୂଜା ମଲ୍ଲିକ ୨୭, ୪୯ ଓ ୫୧ତମ ମିନିଟରେ ଗୋଲ ଦେଇ ନିଜର ଶାନ୍ଦାର ହ୍ୟାଟ୍ରିକ୍ ସମ୍ପୂର୍ଣ୍ଣ କରିଥିଲେ। ସେହିପରି ରୋଶନୀ, ସନିକା ଚନ୍ଦ୍ରକାନ୍ତ ମାନେ, ମଧୁ ସିଦର, ସୁପ୍ରିୟା ଓ ପୂର୍ଣ୍ଣିମା ଯାଦବ ୨ଟି ଲେଖାଏଁ ଗୋଲ ସ୍କୋର କରିଥିଲେ। ଏତଦ୍ବ୍ୟତୀତ ପୂଜା ସାହୁ, ତନୁଶ୍ରୀ ଦିନେଶ କାଡୁ, ସୁଖବୀର କୌର, ଗୀତା ଯାଦବ, ତନୁଜା ଟପ୍ପୋ, କୃଷ୍ଣା ଶର୍ମା ଏବଂ ବିନିମା ଧନ ଗୋଟିଏ ଲେଖାଏଁ ଗୋଲ ଦେଇ ଭାରତର ଏହି ସ୍ମରଣୀୟ ବିଜୟରେ ପ୍ରମୁଖ ଯୋଗଦାନ ଦେଇଛନ୍ତି।


