ଇସଲାମାବାଦ: ଗମ୍ଭୀର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନର ବୈଦେଶିକ ମୁଦ୍ରା ଭଣ୍ଡାର ବିଗତ ୩ ବର୍ଷ ମଧ୍ୟରେ ପ୍ରାୟ ୭ ଗୁଣ ବୃଦ୍ଧି ପାଇ ୨୬.୭୯ ଅରବ (ବିଲିୟନ) ଡଲାରରେ ପହଞ୍ଚିଛି। ଏହା ପାକିସ୍ତାନର ଅର୍ଥନୈତିକ ଇତିହାସରେ ସବୁଠୁ ବଡ଼ ସ୍ତର ଭାବେ ବିବେଚନା କରାଯାଉଛି। ଜାନୁଆରୀ ୨୦୨୩ରେ ପାକିସ୍ତାନ ପାଖରେ ଡଲାରର ପ୍ରବଳ ଅଭାବ ଦେଖାଦେଇଥିଲା ଏବଂ ଷ୍ଟେଟ୍ ବ୍ୟାଙ୍କ ଅଫ୍ ପାକିସ୍ତାନର ରିଜର୍ଭ କେବଳ ୩.୦୮ ଅରବ ଡଲାରକୁ ଖସି ଆସିଥିଲା। ତେବେ ବର୍ତ୍ତମାନ ଏହି ସ୍ଥିତିରେ ସୁଧାର ଆସିଥିଲେ ହେଁ ଏତେ କମ୍ ସମୟ ମଧ୍ୟରେ ବୈଦେଶିକ ମୁଦ୍ରା ଭଣ୍ଡାର ୭ ଗୁଣ କିପରି ବୃଦ୍ଧି ପାଇଲା, ତାହାକୁ ନେଇ ପ୍ରଶ୍ନ ଉଠିଛି। ଅର୍ଥନୀତିଜ୍ଞମାନଙ୍କ ଅନୁସାରେ, ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍ ଏବଂ ସେନା ମୁଖ୍ୟ ଅସୀମ ମୁନିର ବିଦେଶ ମୁଦ୍ରା ଭଣ୍ଡାର ବୃଦ୍ଧି କରିବା ପାଇଁ ଅନ୍ତର୍ଜାତୀୟ ସ୍ତରରୁ ବ୍ୟାପକ ପରିମାଣର ଋଣ ଉଠାଇ ତାହାକୁ ଗଚ୍ଛିତ ରଖିଛନ୍ତି। ଏହି ବୃଦ୍ଧିରେ ପାକିସ୍ତାନର ନିଜସ୍ୱ ଆୟ ଅପେକ୍ଷା ବୈଦେଶିକ ଋଣ ଏବଂ ବାହ୍ୟ ପାଣ୍ଠିର ଭୂମିକା ଅଧିକ ରହିଛି।
ଅପରପକ୍ଷରେ, ପ୍ରଧାନମନ୍ତ୍ରୀ ଶେହବାଜ୍ ଶରିଫ୍ ଏହାକୁ ନିଜ ସରକାରର ସଫଳତା ଭାବେ ଦର୍ଶାଇଛନ୍ତି। ଷ୍ଟେଟ୍ ବ୍ୟାଙ୍କ ଅଫ୍ ପାକିସ୍ତାନ ପାଖରେ ଥିବା ଏହି ରେକର୍ଡ ବୈଦେଶିକ ମୁଦ୍ରା ଭଣ୍ଡାର ସରକାରଙ୍କ ଆର୍ଥିକ ଟିମ୍ର କ୍ରମାଗତ ପରିଶ୍ରମର ଫଳ ବୋଲି ସେ କହିଛନ୍ତି। ଏହା ସରକାରଙ୍କ ଆର୍ଥିକ ନୀତି ସଠିକ୍ ଦିଗରେ ଆଗେଇ ଚାଲିଥିବାର ସଙ୍କେତ ବୋଲି ଦର୍ଶାଇବା ସହ ସେ ଦେଶର ଅର୍ଥମନ୍ତ୍ରୀ ମହମ୍ମଦ ଆଉରଙ୍ଗଜେବ, ଷ୍ଟେଟ୍ ବ୍ୟାଙ୍କ ଗଭର୍ଣ୍ଣର ଜମିଲ ଅହମ୍ମଦ, ଆର୍ଥିକ ଟିମ୍ ଏବଂ ପ୍ରବାସୀ ପାକିସ୍ତାନୀମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଆନ୍ତର୍ଜାତୀୟ ପୁଞ୍ଜି ବଜାରକୁ ସଫଳତାର ସହ ଫେରିବା ଦ୍ୱାରା ବିଶ୍ୱର ନିବେଶକମାନଙ୍କର ବିଶ୍ୱାସ ପାକିସ୍ତାନ ଅର୍ଥବ୍ୟବସ୍ଥା ଉପରେ ବୃଦ୍ଧି ପାଉଛି ବୋଲି ଶେହବାଜ ଦାବି କରିଛନ୍ତି।


