ଇସଲାମାବାଦ: ସୀମା ବିବାଦକୁ ନେଇ ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହି ସଂଘର୍ଷ ମଧ୍ୟରେ ଆଫଗାନିସ୍ତାନ ପକ୍ଷରୁ ପ୍ରେରଣ କରାଯାଇଥିବା ୮ଟି ଡ୍ରୋନ୍କୁ ପାକିସ୍ତାନ ସେନା ଗୁଳି କରି ଖସାଇଥିବା ଦାବି କରିଛି। ତାଲିବାନ ପକ୍ଷରୁ ଆକ୍ରମଣ ଉଦ୍ଦେଶ୍ୟରେ ପଠାଯାଇଥିବା ଏହି ଡ୍ରୋନ୍ଗୁଡ଼ିକ ମଧ୍ୟରୁ ୪ଟି କୋହାଟ ଏବଂ ୪ଟି ତୋରଖମ ନିକଟରେ ନଷ୍ଟ କରାଯାଇଛି। ଡ୍ରୋନ୍ଗୁଡ଼ିକ ସାଧାରଣ ଧରଣର ଥିବାରୁ ଏଥିଯୋଗୁଁ କୌଣସି ବଡ଼ ଧରଣର କ୍ଷତି ହୋଇନାହିଁ ବୋଲି ପାକ୍ ସେନା ଅଧିକାରୀ ସୂଚନା ଦେଇଛନ୍ତି। ପାକ୍ତିଆ ଏବଂ ନଙ୍ଗରହାର ସୀମା ପୋଷ୍ଟ ନିକଟରେ ହୋଇଥିବା ଅନୁପ୍ରବେଶ ଉଦ୍ୟମକୁ ପାକ୍ ସୈନ୍ୟମାନେ ପଣ୍ଡ କରିବା ପରେ ଏହି ଡ୍ରୋନ୍ଗୁଡ଼ିକୁ ନଷ୍ଟ କରାଯାଇଥିଲା।
ଅନୁପ୍ରବେଶ ବିଫଳ ହେବା ପରେ, ଆଫଗାନ ତାଲିବାନ ୟୁନିଟ୍ଗୁଡ଼ିକ ପାକିସ୍ତାନୀ ସୀମା ପୋଷ୍ଟ ଉପରକୁ ମୋର୍ଟାର ଏବଂ ଭାରୀ ଅସ୍ତ୍ରଶସ୍ତ୍ର ପ୍ରହାର କରିଥିଲେ। ଏହାର ଜବାବରେ ପାକିସ୍ତାନୀ ବାହିନୀ ତାଲିବାନ ଘାଟିଗୁଡ଼ିକୁ ଲକ୍ଷ୍ୟ କରି ତୋପ ପ୍ରହାର କରିବାରୁ ସେମାନେ ପଛକୁ ହଟିବାକୁ ବାଧ୍ୟ ହୋଇଥିଲେ। ଇସଲାମାବାଦ୍ ଅଭିଯୋଗ କରିଛି ଯେ କାବୁଲ ସରକାର ‘ତେହରିକ-ଇ-ତାଲିବାନ ପାକିସ୍ତାନ’ (ଟିଟିପି)କୁ ସମର୍ଥନ କରୁଛନ୍ତି, ଯାହା ଯୋଗୁଁ ପାକିସ୍ତାନ ଭିତରେ ଆକ୍ରମଣ ବୃଦ୍ଧି ପାଉଛି। ତେବେ ତାଲିବାନ ସରକାର ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି କହି ପ୍ରତ୍ୟାଖ୍ୟାନ କରିଛନ୍ତି।
କୋହାଟ ଏବଂ ହାଙ୍ଗୁ ନିକଟରେ ହୋଇଥିବା ଆତ୍ମଘାତୀ ବିସ୍ଫୋରଣ ଏବଂ ପୋଲିସ ପରିସରରେ ୨୦ ଘଣ୍ଟା ଧରି ଚାଲିଥିବା ଗୁଳିବିନିମୟ ଏହି ଅଞ୍ଚଳରେ ଆତଙ୍କବାଦୀ ବିପଦକୁ ସ୍ପଷ୍ଟ କରୁଛି। ଏହି ହିଂସା ଯୋଗୁଁ ଗତ କିଛି ସପ୍ତାହର ଶାନ୍ତି ଭଙ୍ଗ ହେବା ସହ ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ଶତ୍ରୁତା ଆହୁରି ବଢ଼ିଛି। ଅନ୍ୟପକ୍ଷରେ, ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଇସହାକ ଦାର୍ ଜାତିସଂଘ ସାଧାରଣ ସଭାରେ ଆଫଗାନିସ୍ତାନ ମାଟିରୁ ସକ୍ରିୟ ଥିବା ଆତଙ୍କବାଦୀ ଗୋଷ୍ଠୀଗୁଡ଼ିକୁ ନେଇ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ସୀମାପାର ସଂଘର୍ଷ ତୀବ୍ର ହେଉଥିବାରୁ ଚୀନ୍, ତୁର୍କୀ, କାତାର ଏବଂ ସାଉଦି ଆରବ ଭଳି ଦେଶଗୁଡ଼ିକ ଦ୍ୱାରା କରାଯାଉଥିବା ଆଞ୍ଚଳିକ ମଧ୍ୟସ୍ଥତା ଉଦ୍ୟମ ପ୍ରତି ନୂଆ ଆହ୍ୱାନ ସୃଷ୍ଟି ହୋଇଛି।


