ଇସଲାମାବାଦ୍: ଉତ୍ତର-ପଶ୍ଚିମ ପାକିସ୍ତାନରେ ପୁଣି ଏକ ରକ୍ତାକ୍ତ ଆତଙ୍କବାଦୀ ଆକ୍ରମଣ ଦେଖିବାକୁ ମିଳିଛି। ଖାଇବର ପଖତୁନଖ୍ୱା ପ୍ରଦେଶର ଡେରା ଇସମାଇଲ ଖାନ ଜିଲ୍ଲାରେ ଏକ ପୁଲିସ୍ ଚେକପୋଷ୍ଟ ନିକଟରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ ଘଟି ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ ଜଣ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ପୋଲିସ ମୁଖ୍ୟ ସଫଦର ବଲୋଚଙ୍କ ସୂଚନା ଅନୁସାରେ, ଜଣେ ଆତ୍ମଘାତୀ ଆକ୍ରମଣକାରୀ ବିସ୍ଫୋରକ ଭର୍ତ୍ତି ଗାଡ଼ିକୁ ସୁରକ୍ଷା ଚେକପୋଷ୍ଟରେ ପିଟି ଦେଇଥିଲା। ବିସ୍ଫୋରଣ ପୂର୍ବରୁ ଆକ୍ରମଣକାରୀମାନେ ଅନ୍ଧାଧୁନ ଗୁଳିଚାଳନା ମଧ୍ୟ କରିଥିଲେ। ମୃତାହତଙ୍କ ମଧ୍ୟରେ ଅଧିକାଂଶ ସୁରକ୍ଷା କର୍ମୀ, କଷ୍ଟମସ ଓ ବନ ବିଭାଗର ଅଧିକାରୀଙ୍କ ସମେତ କିଛି ସାଧାରଣ ନାଗରିକ ରହିଛନ୍ତି। ଏହି ବର୍ବର ଆକ୍ରମଣ ପାଇଁ ବର୍ତ୍ତମାନ ସୁଦ୍ଧା କୌଣସି ଆତଙ୍କବାଦୀ ସଙ୍ଗଠନ ନିଜକୁ ଦାୟୀ କରିନାହାନ୍ତି। ତେବେ ଘଟଣାପଛରେ ପାକିସ୍ତାନ ତାଲିବାନ (ଟିଟିପି)ର ହାତ ଥିବା ସନ୍ଦେହ କରାଯାଉଛି। ସୂଚନାଯୋଗ୍ୟ, ନିକଟରେ ଆଫଗାନିସ୍ତାନ ସୀମା ନିକଟରେ ପାକିସ୍ତାନ ପକ୍ଷରୁ ଏୟାର ଷ୍ଟ୍ରାଇକ୍ କରାଯାଇ ୧୩ ଜଣ ଆଫଗାନ ତାଲିବାନ ଲଢୁଆଙ୍କୁ ନିପାତ କରାଯାଇଥିବା ଦାବି କରାଯାଇଥିଲା। ଏହି ସାମରିକ କାର୍ଯ୍ୟାନୁଷ୍ଠାନର ମାତ୍ର ୪୮ ଘଣ୍ଟା ମଧ୍ୟରେ ଏହି ଆତ୍ମଘାତୀ ଆକ୍ରମଣ ଘଟିଥିବାରୁ ଏହାକୁ ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ବୋଲି ମନେକରାଯାଉଛି।


