କାନାଡା: କାନାଡାର କ୍ୟୁବେକ୍ ପ୍ରଦେଶ ଅନ୍ତର୍ଗତ ମଣ୍ଟ୍ରିଆଲ୍ ସହରଠାରୁ ପ୍ରାୟ ୫୦ କିଲୋମିଟର ଦୂରରେ ଏକ ମର୍ମନ୍ତୁଦ ହେଲିକପ୍ଟର ଦୁର୍ଘଟଣା ଘଟିଛି। ସେଣ୍ଟ-ବ୍ରିଜିଡ୍-ଡି’ଇବରଭିଲ୍ର ଏକ ଗ୍ରାମାଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଥିବା ବେଳେ ହେଲିକପ୍ଟରରେ ଥିବା ସମସ୍ତ ୪ ଜଣ ଆରୋହୀଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି।
ସୂଚନା ଅନୁଯାୟୀ, ହେଲିକପ୍ଟରଟି ବିପଦରେ ଥିବା ଓ ଦୁର୍ଘଟଣାଗ୍ରସ୍ତ ହୋଇ ନିଆଁ ଲାଗିଯାଇଥିବା ନେଇ ଜରୁରୀକାଳୀନ ସେବା ସଂସ୍ଥାକୁ ଫୋନ୍ କଲ୍ ଆସିଥିଲା। ହାଇୱେ ୧୦ ନିକଟସ୍ଥ ‘ରାଙ୍ଗ୍ ଡେସ୍ ଏକୋସାଇସ୍’ ରାସ୍ତା ନିକଟରେ ହେଲିକପ୍ଟରଟି ଖସିପଡ଼ି ଜଳିଯାଇଥିଲା। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ପ୍ରାୟ ଏକ ଘଣ୍ଟା ମଧ୍ୟରେ ନିଆଁକୁ ଆୟତ୍ତ କରିଥିଲେ। ଦୁର୍ଘଟଣାଗ୍ରସ୍ତ ବିମାନଟି ଏକ ଘରୋଇ ହେଲିକପ୍ଟର ବୋଲି ଜଣାପଡ଼ିଛି। ମୃତକଙ୍କ ସଠିକ୍ ପରିଚୟ ଏପର୍ଯ୍ୟନ୍ତ ମିଳିପାରି ନାହିଁ । ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ କ୍ରାଇମ୍ ସିନ୍ ଟେକ୍ନିସିଆନ୍ ଏବଂ ଟ୍ରାନ୍ସପୋର୍ଟେସନ୍ ସେଫ୍ଟି ବୋର୍ଡ ଅଫ୍ କାନାଡାର ତଦନ୍ତକାରୀ ଦଳ ମିଳିତ ଭାବେ ତଦନ୍ତ ଜାରି ରଖିଛନ୍ତି।


