ୱାସିଂଟନ: ଆମେରିକା ଓ ଇରାନ ମଧ୍ୟରେ ସମ୍ପର୍କ ଅଧିକ ତିକ୍ତ ହେବାରେ ଲାଗିଛି। ନିକଟରେ ଆମେରିକା ସରକାର ଇରାନ ବିରୋଧରେ ଏକ କଠୋର ନିଷ୍ପତ୍ତି ନେଇ ଜାତିସଂଘ ସାଧାରଣ ସଭାରେ ଯୋଗଦେବାକୁ ଆସିଥିବା ୨ ଜଣ ଇରାନୀ କୂଟନୀତିଜ୍ଞଙ୍କୁ ଦେଶରୁ ବହିଷ୍କାର କରିଛନ୍ତି। ସାଧାରଣ ସଭା ଶେଷ ହେବା ପରେ ବି ଏହି ପ୍ରତିନିଧିମାନେ ନ୍ୟୁୟର୍କରେ ରହିଥିବାରୁ ଆମେରିକା ବୈଦେଶିକ ବିଭାଗ ସେମାନଙ୍କୁ ତୁରନ୍ତ ଆମେରିକା ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛି।
ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓଙ୍କ ନିଷ୍ପତ୍ତିକ୍ରମେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜଣେ ଆମେରିକୀୟ ଅଧିକାରୀ ସୂଚନା ଦେଇଛନ୍ତି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହ ଚାଲିଥିବା ବିବାଦ ଶୀଘ୍ର ଶେଷ ହେବ ବୋଲି ଘୋଷଣା କରିବାର ମାତ୍ର ଗୋଟିଏ ଦିନ ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ଟ୍ରମ୍ପ କହିଥିଲେ ଯେ, “ବିବାଦ କିଛି ଦିନ ମଧ୍ୟରେ ଶାନ୍ତ ହୋଇପାରେ, କିନ୍ତୁ ଇରାନକୁ କୌଣସି ପରିସ୍ଥିତିରେ ପରମାଣୁ ଅସ୍ତ୍ର ରଖିବାକୁ ଦିଆଯିବ ନାହିଁ।” ଏହାସହ ହର୍ମୁଜ ପ୍ରଣାଳୀକୁ ନେଇ ଆଲୋଚନା ମୁଖ୍ୟ ପ୍ରସଙ୍ଗ ପାଲଟିଛି। ତେବେ ଇରାନୀ କୂଟନୀତିଜ୍ଞଙ୍କୁ ଏଭଳି ବହିଷ୍କାର କରିବା ଘଟଣା ଦୁଇ ଦେଶ ମଧ୍ୟରେ ଉତ୍ତେଜନାକୁ ଆହୁରି ବୃଦ୍ଧି କରିବା ନେଇ ଆଶଙ୍କା ସୃଷ୍ଟି ହୋଇଛି।


