ଢାକା: ବାଂଲାଦେଶର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କକ୍ସ ବଜାର ଜିଲ୍ଲାରେ ଏକ ବଡ଼ଧରଣର ଦୁର୍ଘଟଣା ଘଟିଛି । ସମୁଦ୍ର କୂଳରେ ଥିବା ଏକ ରିସର୍ଟରେ ହଠାତ୍ ଭୀଷଣ ନିଆଁ ଲାଗିଯିବାରୁ ଗୋଟିଏ ପରିବାରର ୬ ଜଣ ସଦସ୍ୟଙ୍କ ସମେତ ଅତି କମରେ ୧୦ ଜଣଙ୍କର କରୁଣ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଆଉ କିଛି ପର୍ଯ୍ୟଟକ ଆହତ ମଧ୍ୟ ହୋଇଛନ୍ତି।
ମୃତକଙ୍କ ମଧ୍ୟରେ ଗୋଟିଏ ପରିବାରର ୬ ଜଣ ସାମିଲ ଅଛନ୍ତି, ଯେଉଁମାନେ ହେଲେ- ଇସରତ ଜାହାନ ମଲିହା (୩୦), ମିଲିତା ମେହେଜାବିନ ଅଲଭି (୨୩), ଲୈଲା ଜାହାନ ନାବିଲା (୨୭), ନଫିସ୍ତା ମିମ (୨୭), ଫରିହା କବୀର (୩୩) ଏବଂ ପାଞ୍ଚ ବର୍ଷର ଶିଶୁ ଫୈଜାନ ଅହମ୍ମଦ। ‘ଟୁପ୍ଟୁପ୍ ରେଷ୍ଟୋ ଆଣ୍ଡ୍ ରିସର୍ଟ’ରେ ଏହି ନିଆଁ ଲାଗିଥିଲା। କାଠରେ ନିର୍ମାଣ କରାଯାଇଥିବା ତିନି ମହଲା ବିଶିଷ୍ଟ ଘରଟି ନିଆଁରେ ସମ୍ପୂର୍ଣ୍ଣ ପୋଡ଼ି ଛାରଖାର ହୋଇଯାଇଛି। କକ୍ସ ବଜାରର ଲୋକପ୍ରିୟ ସମୁଦ୍ର କୂଳ ଅଞ୍ଚଳ କୋଲାତୋଲୀର ବାହାର ଭାଗରେ ଅବସ୍ଥିତ ଏହି ସ୍ଥାନଟି ରାଜଧାନୀ ଢାକାଠାରୁ ପ୍ରାୟ ୪୧୦ କିଲୋମିଟର ଦୂରରେ ଅବସ୍ଥିତ।
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ରିସର୍ଟ ନିକଟରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ପାଇଁ ଆବଶ୍ୟକୀୟ ଅନୁମତି ନ ଥିଲା ଏବଂ ଗତ ଜୁନ୍ ମାସରେ ଯାଞ୍ଚ ବେଳେ ଅଧିକାରୀମାନେ ଏହାକୁ ନେଇ ଚେତାବନୀ ମଧ୍ୟ ଦେଇଥିଲେ। ପ୍ରଥମେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଥିଲେ ହେଁ, ବାଂଲାଦେଶର ଖବରକାଗଜ ‘ପ୍ରଥମ ଆଲୋ’ ଅଧିକାରୀମାନଙ୍କ ସୂତ୍ରରୁ ଜଣାଇଛି ଯେ ବିଦ୍ୟୁତ୍ ତାରରେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିଲା ଏବଂ ପରେ ଏହା ଏୟାର କଣ୍ଡିସନରରେ ବ୍ୟାପି ଯାଇଥିଲା।
ନିଆଁ ଲାଗିବା ସମୟରେ ରିସର୍ଟରେ ପ୍ରାୟ ୩୦ ଜଣ ଲୋକ ଉପସ୍ଥିତ ଥିଲେ। ସେଠାରେ ହାହାକାର ପଡ଼ିଯିବାରୁ ୧୪ରୁ ୧୫ ଜଣ ଯେକୌଣସି ପ୍ରକାରେ ଜୀବନ ବଞ୍ଚାଇ ବାହାରକୁ ବାହାରିବାରେ ସଫଳ ହୋଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ କର୍ମଚାରୀ ସକାଳ ୮ଟାରେ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟ ଆରମ୍ଭ କରିଥିଲେ ଏବଂ ଦୀର୍ଘ ପ୍ରଚେଷ୍ଟା ପରେ ନିଆଁକୁ ଆୟତ୍ତ କରାଯାଇଥିଲା। ତଦନ୍ତ ଶେଷ ହେବା ପରେ ହିଁ ଅଗ୍ନିକାଣ୍ଡର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ତଦନ୍ତକାରୀ ଏଜେନ୍ସି ପକ୍ଷରୁ କୁହାଯାଇଛି।


