ନୂଆଦିଲ୍ଲୀ: ଇରାନ-ଆମେରିକା ମଧ୍ୟରେ ତିକ୍ତତା କମିବାର ନାଁ ନେଉନି। ଏହାରି ଭିତରେ ତେହେରାନ କଡା ଆଭିମୁଖ୍ୟ ନେଇଛି। ଇରାନର ସୁରକ୍ଷା ପ୍ରମୁଖ ମୋହସେନ ରେଜାଇ କହିଛନ୍ତି ଯେ, ଯଦି ଆମେରିକା ଇରାନର ୭ ସର୍ତ୍ତ ମାନେ, ତେବେ ଆଲୋଚନା ଓ କୂଟନୀତିର ରାସ୍ତା ଖୋଲା ଅଛି।
ଶୁକ୍ରବାର କତାରର ମଧ୍ୟସ୍ଥତାକାରୀମାନେ ତେହେରାନରେ ୧୨ ଘଣ୍ଟାରୁ ଅଧିକ ଆଲୋଚନା କରିଛନ୍ତି। ଶନିବାର ଦୋହାରେ ପୁଣି ଆଲୋଚନା ହୋଇଛି। ଆମେରିକା ଉପ-ରାଷ୍ଟ୍ରପତି ଜେଡି ଭେନ୍ସ ରେଜାଇଙ୍କୁ ଚିଠି ଲେଖିଛନ୍ତି, ଯାହାଙ୍କର ସ୍ୱର ବଦଳିଛି ବୋଲି ରେଜାଇ କହିଛନ୍ତି।
ଇରାନର ୭ ସର୍ତ୍ତ କଣ?
ସୂଚନା ଅନୁଯାୟୀ ୭ ସର୍ତ୍ତ ହେଉଛି:
୧. ମଧ୍ୟପ୍ରାଚ୍ୟରେ ଯୁଦ୍ଧ ବିରାମ
୨. ତୈଳ ରପ୍ତାନୀ ଉପରେ ପ୍ରତିବନ୍ଧକ ହଟାଇବା ଓ ତୈଳ ୱେଭର ପୁନଃ ସ୍ଥାପନ
୩. ବିଦେଶରେ ଫ୍ରିଜ୍ ହୋଇଥିବା ଇରାନୀ ସମ୍ପତ୍ତି ମୁକ୍ତ – କତାରରେ ୬ ବିଲିୟନ ଡଲାର ସମେତ
୪. ଇସଲାମାବାଦ MoU ପରେ ଲାଗିଥିବା ନୂଆ ପ୍ରତିବନ୍ଧ ହଟାଇବା
୫. ଆମେରିକା ନୌସେନା ଅବରୋଧ ଶେଷ
୬. ହରମୁଜ ପ୍ରଣାଳୀରେ ଇରାନ-ଓମାନ ଦ୍ୱାରା ନିର୍ଦ୍ଧାରିତ ନୂଆ ଜାହାଜ ରୁଟକୁ ମାନ୍ୟତା
୭. ଯୁଦ୍ଧ କ୍ଷତିପୂରଣ ଓ ଆମେରିକା ସେନା ପ୍ରତ୍ୟାହାର।
ଇରାନ କହିଛି, ଏହି ସର୍ତ୍ତ ପୂରା ହେଲେ ୨ ଦିନରେ ହରମୁଜ ପ୍ରଣାଳୀ ଖୋଲିବ। ନହେଲେ କୌଣସି ଆକ୍ରମଣର ଜବାବ ଭୌଗୋଳିକ ସୀମା ବିନା କଡା ଭାବେ ଦିଆଯିବ ଏବଂ ସର୍ବୋଚ୍ଚ ନେତା ମୁଜତବା ଖାମେନେଇଙ୍କ ନିର୍ଦ୍ଦେଶରେ ନୂଆ ଅସ୍ତ୍ର ବ୍ୟବହାର ହୋଇପାରେ।
ଅନ୍ୟପକ୍ଷରେ ଆମେରିକା ଚାହୁଁଛି ଆଲୋଚନା ପୂର୍ବରୁ ଇରାନ ପରମାଣୁ କାର୍ଯ୍ୟକ୍ରମରେ ରିହାତି ଦିଅନ୍ତୁ।


