ସାର୍କ ସମ୍ମିଳନୀରେ ପୁଣି କାଶ୍ମୀର ପ୍ରସଙ୍ଗ ଉଠାଇଲା ପାକିସ୍ତାନ

Published: Mar 15, 2020, 7:47 pm IST

ନୂଆଦିଲ୍ଲୀ : କୋରୋନା ଭାଇରସ୍‌ ଆତଙ୍କ କାରଣରୁ ଚଳିତ ବର୍ଷର ସାର୍କ ସମୁଦାୟ ବୈଠକକୁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ କରାଯାଉଥିବା ବେଳେ ଭାରତର ପଡୋଶୀ ରାଷ୍ଟ୍ର ପାକିସ୍ତାନ ପୁଣି ଥରେ କାଶ୍ମୀର ପ୍ରସଙ୍ଗ ଉଠାଇଛି । କୋରୋନା ଭାଇରସ୍‌ କାରଣରୁ ବିଶ୍ବ ସଙ୍କଟରେ ରହିଥିବା ବେଳେ ପାକିସ୍ତାନର ଜାମ୍ମୁ କାଶ୍ମୀର ପ୍ରସଙ୍ଗ ଉଠାଇବାକୁ ସୋସିଆଲ ମିଡିଆରେ ସମାଲୋଚନା କରାଯାଇଛି । ଜମ୍ମୁ କାଶ୍ମୀରରୁ ସମସ୍ତ ପ୍ରକାର କଟକଣା ଉଠାଇବା ପାଇଁ ପାକିସ୍ତାନ ପକ୍ଷରୁ କୁହାଯାଇଥିଲା । ଏହି ସମ୍ମିଳନୀରେ ମୋଦି ସମସ୍ତ ରାଷ୍ଟ୍ରଙ୍କୁ କୋରୋନାର ମୁକାବିଲାର ପରାମର୍ଶ ଦେଇଥିଲେ । ପ୍ରସ୍ତୁତ ରହିବା ସହିତ ଦୃଢ ଭାବରେ ଭାଇରସ୍‌ର ମୁକାବିଲା କରିବା ପାଇଁ ମୋଦି ସମସ୍ତ ରାଷ୍ଟ୍ରମୁଖ୍ୟଙ୍କୁ ପରାମର୍ଶ ଦେଇଥିଲେ । ଏହା ସହିତ ଭୟଭୀତ ନହେବା ପାଇଁ ମୋଦି ପରାମର୍ଶ ଦେଇଥିଲେ । ଏହା ସହିତ ସମସ୍ତ ସାର୍କ ସମୁଦାୟ ରାଷ୍ଟ୍ର ନିମନ୍ତେ ଭାରତୀୟ ମେଡିକାଲ୍ ଟିମ୍‌ ପ୍ରସ୍ତୁତ ରହିଛି । କୌଣସି ରାଷ୍ଟ୍ର ଆବଶ୍ୟକ କଲେ ମେଡିକାଲ୍‌ ଟିମ୍‌ ପଠାଯିବ ବୋଲି ମୋଦି କହିଥିଲେ । ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ସ୍କଟ୍‌ ମୋରିସନ୍‌ ମୋଦିଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଭାରତରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 107 ପହଞ୍ଚିଥିବା ବେଳେ ଦୁଇ ଜଣ ପ୍ରାଣ ହରାଇଛନ୍ତି । (ଏଜେନ୍ସି)

Related posts