ପ୍ରେମ ଆଗରେ ହାର ମାନିଲା କରୋନା : 90 ବର୍ଷୀୟା ଅସୁସ୍ଥ ସ୍ବାମୀଙ୍କ ପାଇଁ 55 ଦିନ ଭିତରେ 45ଟି ଚିଠି ଲେଖିଲେ ସ୍ତ୍ରୀ

Published: Mar 31, 2020, 11:39 am IST

ଚୀନ୍‌ : ଯେତେ ବଡ ବିପତ୍ତି ଆସିଲେ ବି ସଚ୍ଚା ପ୍ରେମ କେବେବି ହାରିନଥାଏ । ଦେଶରେ ମୃତ୍ୟୁର ତାଣ୍ଡବ ରଚୁଥିବା କରୋନା ମଧ୍ୟ ଏହି ପ୍ରେମକୁ ହରାଇପାରିନାହିଁ । ଏପରି ଏକ କାହାଣୀ ଏବେ ସାମ୍ନାକୁ ଆସିଛି । ଏହି କାହାଣୀ ହେଉଛି ବୃଦ୍ଧା ଦମ୍ପତିଙ୍କର । ଯାହାଙ୍କ ପ୍ରେମ ଆଗରେ କରୋନା ମଧ୍ୟ ହାର୍ ମାନିଛି । ବୃଦ୍ଧ ସ୍ବାମୀଙ୍କ କରୋନା ସଂକ୍ରମିତ ହେବା ପରେ ସେ ଚିକିତ୍ସା ପାଇଁ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ । ତାଙ୍କ ସ୍ତ୍ରୀ ତାଙ୍କୁ ଦେଖା ମଧ୍ୟ କରିପାରୁନଥିଲେ । ଦେଶରେ ଲକ୍‌ ଡାଉନ୍‌ ଚାଲିଥିବା ହେତୁ ସେ ତାଙ୍କ ସ୍ବାମୀଙ୍କୁ ଦେଖିବା ପାଇଁ ହସ୍ପିଟାଲ୍‌ ମଧ୍ୟ ଯାଇପାରୁନଥିଲେ । କିନ୍ତୁ ସେ ତାଙ୍କ ସ୍ବାମୀଙ୍କ ପାଇଁ ପ୍ରେମପୂର୍ଣ୍ଣ ଚିଠି ଲେଖିବା ଆରମ୍ଭ କଲେ ।

ଚୀନ୍‌ର ହୋଙ୍ଗଝାଓ ସହରର ରହୁଥିବା ଜଣେ 80 ବର୍ଷୀୟା ବୃଦ୍ଧା ହୁଆଙ୍ଗ ଗୁୟେକି ଓ  ତାଙ୍କ ସ୍ବାମୀ 90 ବର୍ଷୀୟ ମିଷ୍ଟର ସନ୍‌ଙ୍କ ପ୍ରେମ କାହାଣୀକୁ ନେଇ ଏବେ ଚର୍ଚ୍ଚା ।  ସ୍ବାମୀଙ୍କୁ ନିଃଶ୍ବାସ ନେବାରେ କଷ୍ଟ ହେବାରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତାଙ୍କ ସ୍ତ୍ରୀ ତାଙ୍କୁ ଦେଖିବା ପାଇଁ ପ୍ରତ୍ୟହ ହସ୍ପିଟାଲ୍‌ ଯାଉଥିଲେ । କିନ୍ତୁ କରୋନା ଭାଇରସ୍‌ କାରଣରୁ ସହରରେ ଲକ୍‌ ଡାଉନ୍‌ ହୋଇଗଲା । ଏବଂ ସେ ଘରୁ ମଧ୍ୟ ବାହାରକୁ ବାହାରି ପାରିଲେ ନାହିଁ ।  କିନ୍ତୁ ସେ ଏପରି ଏକ ଘଡିସନ୍ଧି ମୁହୂର୍ତ୍ତରେ ତାଙ୍କ ସ୍ବାମୀଙ୍କ ପ୍ରତି ଅନୁରକ୍ତ ପ୍ରେମ ପ୍ରଦର୍ଶନ ପୂର୍ବକ ଚିଠି ଲେଖୁଥିଲେ।  ପ୍ରେମ ପୂର୍ଣ୍ଣ ଉପଦେଶ ଦେଇ ତାଙ୍କୁ ଚିଠି ଲେଖୁଥିଲେ । ଅପରପକ୍ଷରେ ତାଙ୍କ ସ୍ବାମୀ ମଧ୍ୟ ହସ୍ପିଟାଲ୍‌ରେ ବେଡରେ ପଡି ତାଙ୍କ ସ୍ତ୍ରୀଙ୍କ ଚିଠିକୁ ପଢୁଥିଲେ । ବୃଦ୍ଧା ସ୍ତ୍ରୀ ଜଣକ 55 ଦିନ ଭିତରେ ତାଙ୍କ ସ୍ବାମୀଙ୍କ ନିକଟକୁ 45ଟି ପ୍ରେମ ପତ୍ର ଲେଖିଥିଲେ । ସେ ଏହି ପତ୍ରରେ ସ୍ବାମୀଙ୍କୁ ସାନ୍ତ୍ବାନା ଦେବା ସହ ତାଙ୍କ ସହ ସବୁବେଳେ ଅଛନ୍ତି ଏବଂ ଖୁବ୍‌ ଶୀଘ୍ର ସେମାନଙ୍କ ମିଳନ ହେବ ବୋଲି ସେ ଲେଖିଥିଲେ ।

ଗତ ସପ୍ତାହରେ ସହରରୁ ଲକ୍‌ଡାଉନ୍‌ ହଟିବା ପରେ ବୃଦ୍ଧଙ୍କୁ ଭେଟିଛନ୍ତି ତାଙ୍କ ବୃଦ୍ଧା ପତ୍ନୀ । ସେ ସାଙ୍ଗରେ ତାଙ୍କ ପସନ୍ଦର କୋବି ଫ୍ରୁଟ୍‌ ନେଇଥିବାବେଳେ ତାଙ୍କୁ ପ୍ରେମରେ ଖୁଆଇ ଥିଲେ।
ଏହି ଦୁଇ ବୃଦ୍ଧ ଦମ୍ପତ୍ତିଙ୍କ ପ୍ରେମ କାହାଣୀକୁ ନେଇ ହସ୍ପିଟାଲ୍‌ରେ ବେଶ୍‌ ଚର୍ଚ୍ଚା ହୋଇଥିଲା ଏପରିକି ତାଙ୍କୁ ହସ୍ପିଟାଲ୍‌ରେ ‘ଦାଦା ସନ୍‌’ ନାମରେ ଡାକିବା ଆରମ୍ଭ କରିଥିଲେ । କରୋନା ପରି ମହାମାରୀ ଆଗରେ ଏହି ବୃଦ୍ଧ ଦମ୍ପତି ହାର୍‌ ନ ମାନି ନିଜ ପ୍ରେମ ଜରିଆରେ ତାକୁ ଜିତି ସମସ୍ତଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି । କରୋନା ପରି ଏକ ମହାମାରୀ ସାମ୍ନାରେ ନିଜର ଧୈର୍ଯ୍ୟ ଓ ପ୍ରେମକୁ ଢାଲ କରି ଏହି ବୃଦ୍ଧ ଦମ୍ପତି ମୃତ୍ୟକୁ ମଧ୍ୟ ଜିଣିଛନ୍ତି । ଦେଶର ଏପରି ସଂକଟ ସମୟରେ ମଧ୍ୟ ଆମେ ଧେର୍ଯ୍ୟ, ପ୍ରେମ ଓ ସଂଯମକୁ ଢାଲ କରି ଚଳିବା ଉଚିତ୍‌ ।  (ଏଜେନ୍ସି)

Related posts