ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ସରିଫ୍‌ଙ୍କ ଜ୍ବାଇଁଙ୍କୁ ଉଠାଇ ନେଲା ପୋଲିସ୍‌

Published: Oct 19, 2020, 10:58 am IST

କରାଚୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଜ୍ୱାଇଁଙ୍କୁ ପୋଲିସ ଗିରଫ କରିଛି । ସକାଳୁ ହୋଟେଲ କବାଟ ଭାଙ୍ଗି ପାକିସ୍ତାନ ପୋଲିସ ତାଙ୍କୁ ଗିରଫ କରିଛି । ଏନେଇ ନୱାଜଙ୍କ ଝିଅ ଓ ପାକିସ୍ତାନ ମୁସଲିମ ଲିଗ୍ ନେତା ମାରିୟମ ସରିଫ ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି ।

ପାକିସ୍ତାନ ରାଜନୀତିରେ ଏବ ହଲ୍‌ଚଲ ସୃଷ୍ଟି ହୋଇଛି । ଗତକାଲି ଇମ୍ରାନ୍‌ ସରକାରଙ୍କ ବିରୋଧରେ ବିପକ୍ଷ ଦଳମାନେ ଏକ ବଡ ରାଲିର ଆୟୋଜନ କରିଥିବାବେଳେ ଆଜି ବିପକ୍ଷ ଦଳଙ୍କ ଉପରେ ଆକ୍ସନ ହୋଇଥିବାର ଜଣାଯାଇଛି । ସୋମବାର ସକାଳୁ ସକାଳୁ ମାରିୟମ୍‌ଙ୍କ ହୋଟେଲ ରୁମକୁ ଆସିଥିଲା ଓ କବାଟ ଭାଙ୍ଗି କ୍ୟାପଟେନ୍‌ ସଫଦରଙ୍କୁ ଗିରଫ କରିଥିଲା।

ରବିବାର  ପାକିସ୍ତାନର କରାଚୀରେ ବିରୋଧୀ ଦଳ ତରଫରୁ ଆୟୋଜିତ ହୋଇଥିବା ଏହି ରାଲିରେ ମାରିୟମଙ୍କ ଭାଷଣ ଚର୍ଚ୍ଚାର ବିଷୟ ପାଲଟି ଥିଲା । ମାରିୟମ ଏହି ରାଲିରେ ଇମ୍ରାନ ଖାନଙ୍କୁ ଡରୁଆ ଓ ​ଅପାରଗ ବ୍ୟକ୍ତି ବୋଲି କହିଥିଲେ। ଏହା ସହ ଇମ୍ରାନ ସରକାର ନିଜର ଭୁଲକୁ ଲୁଚାଇବା ପାଇଁ କଥାକଥାରେ ସେନାକୁ ବ୍ୟବହାର କରିଥାନ୍ତି କହିଥିଲେ। ଦୁର୍ନୀତି ଓ କରୋନା ସଙ୍କଟକୁ ମୁକାବିଲା କରିବାରେ  ଇମ୍ରାନ ସରକାର ବିଫଳ ହୋଇଛନ୍ତି ବୋଲି କହିଥିଲେ । ସେନା ଈଶାରାରେ ଇମ୍ରାନ ଚାଲୁଛନ୍ତି ବୋଲି କହିଥିଲେ ମାରିୟମ୍‌ ।ଏହି ରାଲିରେ ମାରିୟମ ଶରିଫଙ୍କ ବ୍ୟତୀତ ବିଲାଓ୍ବଲ ଭୁଟ୍ଟୋ, ଶାହିଦ୍ ଖକ୍କାନ, ମୌଲାନା ଫଜଲୁର ରେହମାନ ଓ ଆମାବୀ ପାର୍ଟିର ମେହମ୍ମୁଦ ଆଦି ନେତା ସାମିଲ ଥିଲେ।

ଗତ କିଛି ଦିନ ଇମ୍ରାନସରକାରଙ୍କ ବିରୋଧରେ ବିରୋଧୀଙ୍କ ସ୍ବର ଶାଣିତ ହୋଇଛି। ସମସ୍ତ ବିରୋଧୀ ଦଳ ସମେତ ଅନ୍ୟ କିଛି ସଙ୍ଗଠନ ଏକ ହୋଇ ଇମ୍ରାନ ସରକାର ଓ ପାକିସ୍ତାନ ସେନା ବିରୋଧରେ ମୋର୍ଚ୍ଚା ଖୋଲିଛନ୍ତି । (ଏଜେନ୍ସି)

Related posts