ଚାଣକ୍ୟ ନୀତି: କୁକୁରଠାରେ ମଧ୍ୟ ଏପରି ଛଅଟି ଗୁଣ ଅଛି ଯାହା ମଣିଷ ଶିକ୍ଷା କରିବା ଉଚିତ୍

Published: Apr 4, 2022, 8:44 am IST

ଭୁବନେଶ୍ବର: ଆଚାର୍ଯ୍ୟ ଚାଣକ୍ୟ ତାଙ୍କର ଚାଣକ୍ୟ ନୀତିରେ ଯେଉଁ କଥା ଉଲ୍ଲେଖ କରିଛନ୍ତି ତାହା ଆଜିର ମଣିଷ ପାଇଁ ବେଶ ଉପାଦେୟ। ସେସବୁକୁ ଯେ ପାଳନ କରେ ସେ ନିଶ୍ଚିତ ଭାବେ ସବୁ କ୍ଷେତ୍ରରେ ବିଜୟ ହେବା ସହିତ ପ୍ରଶଂସା ମଧ୍ୟ ପାଇଥାଏ। ବିଭିନ୍ନ ପଶୁପକ୍ଷୀଙ୍କଠାରୁ ମଧ୍ୟ ମଣିଷ ଶିକ୍ଷା ଲାଭ କରିବା ଉଚିତ ବୋଲି ଚାଣକ୍ୟ କହିଛନ୍ତି। ସେହି ଅନୁସାରେ କୁକୁରଠାରୁ ମଧ୍ୟ ଅନେକ ସତ୍ ଗୁଣ ମଣିଷ ଶିକ୍ଷା କରିବା ଉଚିତ।

ଚାଣକ୍ୟଙ୍କ ମତରେ ମଣିଷ କୁକୁରଠାରୁ ଛଅଟି ଗୁଣ ଶିକ୍ଷା କରିବା ଉଚିତ। ତାହା ହେଲା ଖାଦ୍ୟ ନଷ୍ଟ ନ କରିବା, ଅଳ୍ପ ଖାଦ୍ୟରେ ସନ୍ତୁଷ୍ଠ ହେବା, ନିଦ୍ରାରେ ଥିଲେ ମଧ୍ୟ ସତର୍କ ରହିବା, ନିଦ୍ରାରୁ ଉଠି ସହସା ଜାଗରଣ, ପ୍ରଭୃ ଭକ୍ତି ଏବଂ ବୀରତା। ଚାଣକ୍ୟଙ୍କ ମତରେ କୁକୁରକୁ ବେଶୀ ଖାଦ୍ୟ ଦେଲେ ମଧ୍ୟ କୁକୁରର ଧର୍ମ ହେଲା ସେ ସବୁ ଚାଟି ଖାଇଦିଏ। ଖାଦ୍ୟ କେବେ ନଷ୍ଟ ହେବାକୁ ଦିଏ ନାହିଁ।

ସେହିପରି କୁକୁରକୁ ଅଳ୍ପ ଖାଦ୍ୟ ଦେଲେ ମଧ୍ୟ ସେ ସେଥିରେ ସନ୍ତୁଷ୍ଠ ହୋଇଥାଏ। ସେ ସେହି ଅଳ୍ପହାରୀ ହୋଇ ମଧ୍ୟ ନିଜର କାମରେ ଲାଗିପଡେ। ସେହିପରି କୁକୁର ଯେତେ ଗାଢ ନିଦ୍ରାରେ ଶୋଇ ଥିଲେ ମଧ୍ୟ ସେ ସାମାନ୍ୟ ଶଦ୍ଦରେ ଉଠିପଡେ। ନିଦ୍ରାରୁ ଉଠିବା ସହ ସେ ସବୁବେଳେ ସଜାଗ ହୋଇପଡେ। ଆଳସ୍ୟତା ତା ପାଖରେ ଦେଖିବାକୁ ମିଳେ ନାହିଁ।

ସେହିପରି ପ୍ରଭୃଭକ୍ତି ହେଉଛି କୁକୁରର ଆଉ ଏକ ଭଲ ଗୁଣ ଯାହା ମଣିଷ ଶିକ୍ଷା କରିବା ଉଚିତ। ଅନ୍ୟକୁ ଭଗବାନ ଭାବି ତାହାର ସେବା କରିବା ପ୍ରତ୍ୟେକ ମଣିଷର କର୍ତ୍ତବ୍ୟ ହେବା ଉଚିତ। ସେହିପରି କୌଣସି ଶତ୍ରୁଙ୍କୁ ଘରେ ଭର୍ତ୍ତି ନ କରାଇବା ଧର୍ମ ପାଳନ କରିଥାଏ କୁକୁର। ଶତ୍ରୁ ଯେତେ ବଡ ହେଉ ନା କାହିଁକି ତାହା ସହିତ ସେ ବୀରତ୍ବର ସହ ଲଢେଇ କରେ।

Related posts