Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜୀବନ ଶୈଳୀ»ବଞ୍ଚିଛି ସଂସ୍କୃତି, ବଦଳୁଛି ମାନସିକତା
ଜୀବନ ଶୈଳୀ

ବଞ୍ଚିଛି ସଂସ୍କୃତି, ବଦଳୁଛି ମାନସିକତା

June 9, 2026No Comments6 Mins Read
Share Facebook Twitter LinkedIn Email WhatsApp Copy Link
ବଞ୍ଚିଛି ସଂସ୍କୃତି, ବଦଳୁଛି ମାନସିକତା
ବଞ୍ଚିଛି ସଂସ୍କୃତି, ବଦଳୁଛି ମାନସିକତା

ସୁବାସ କୁମାର ତାରଣିଆଁ

ବିବାହ କେବଳ ଏକ ଆଇନଗତ ଚୁକ୍ତି ନୁହେଁ, ବିବାହ ଏକ ପବିତ୍ର ଓ ଗଭୀର ବନ୍ଧନ, ଦୁଇଟି ଅଚିହ୍ନା, ଅଜଣା ଆତ୍ମାର ମଧୁର ମିଳନ ବିଶ୍ୱାସ, ପାରସ୍ପରିକ ସମ୍ମାନ ଓ ସୁଖଦୁଃଖର ଆଦାନପ୍ରଦାନ ଉପରେ ତିଷ୍ଠି ରହିଥାଏ। ବରକନ୍ୟା ଅଗ୍ନିକୁ ସାକ୍ଷୀ ରଖି ସାତଜନ୍ମ ପାଇଁ ପବିତ୍ର ଦାମ୍ପତ୍ୟ ସମ୍ପର୍କରେ ବାନ୍ଧି ହୋଇ ରହିଥାନ୍ତି। ଝିଅଟିଏ ହେଉ ବା ପୁଅଟିଏ, ବିବାହ ବୟସ ହୋଇଗଲେ, ପିତାମାତାମାନେ ସେମାନଙ୍କ ବିବାହ ପାଇଁ ତତ୍ପରତା ପ୍ରକାଶ କରନ୍ତି। ସାଧାରଣତଃ ପିତାମାତାମାନେ ଝିଅଟିଏ ବିବାହ ଦେବା ପାଇଁ ବେଶୀ ଚିିନ୍ତାଗ୍ରସ୍ତ ଥାଆନ୍ତି। ତେଣୁ ଭଲ ଘର, ଭଲ ବର ଓ ଉପଯୁକ୍ତ ପାତ୍ର ଦେଖି ଝିଅଟିର ବିବାହ କରାଇ ଶାନ୍ତିରେ ଟିକେ ନିଶ୍ୱାସ ମାରନ୍ତି। ଏଥିପାଇଁ ଉଭୟ ପୁଅଘର ଓ ଝିଅଘରର ପରିବାର ଲୋକେ ବନ୍ଧୁବାନ୍ଧବ ପୁଅଝିଅଙ୍କୁ ଦେଖି ମନୋନୀତ ହେବା ପରେ ଏକ ନିର୍ଦ୍ଦିଷ୍ଟ ଦିନରେ ଉଭୟ ବର ଓ କନ୍ୟାପକ୍ଷ ମୁଦି ଆଦାନ ପ୍ରଦାନ ପରେ ମନ୍ଦିର ଭଳି ପବିତ୍ର ସ୍ଥାନରେ ନିର୍ବନ୍ଧ ହୁଏ ଏବଂ ସେହିଦିନ ଶୁଭ ଲଗ୍ନ ଦେଖି ବିବାହ ଦିନ ଧାର୍ଯ୍ୟ କରାଯାଏ।

ପୂର୍ବରୁ ବିବାହ ଉତ୍ସବ ତୋଳାକନିଆ ଓ ପାଲିଙ୍କିଚଢା ଦୁଇ ପ୍ରକାରରେ ହେଉଥିଲା। ସାଧାରଣତଃ ଆର୍ଥିକ ଅନଗ୍ରସର ଘରେ ତୋଳାକନିଆ ବିବାହ ହେଉଥିଲା, କନ୍ୟା ବରଘରକୁ ଯିବାପରେ ସେଠାରେ ବିବାହ କାର୍ଯ୍ୟ ସମ୍ପନ୍ନ ହେଉଥିଲା। ପାଲିଙ୍କିଚଢା ବିବାହ ଆର୍ଥିକ ସ୍ୱଚ୍ଛଳ ବର୍ଗର ଘରେ ହେଉଥିଲା। ବର ପାଲିଙ୍କିରେ ବରଯାତ୍ରୀମାନଙ୍କ ସହିତ ବାଜା ଓ ବାଣ ରୋଷଣୀରେ ଆସି କନ୍ୟାଘରେ ପହଞ୍ôଚବା ପରେ କନ୍ୟାଘରେ ବିବାହ କାର୍ଯ୍ୟ ସମ୍ପନ୍ନ ହେଉଥିଲା।

ସେତେବେଳ ବରକନ୍ୟା ସାଧାରଣତଃ ପାଲିଙ୍କି ଓ ସବାରୀରେ ଯିବାଆସିବା କରୁଥିଲେ। ବିବାହ ପୂର୍ବରୁ ଉଭୟ ପୁଅ ଓ ଝିଅ କେହି କାହାକୁ ଦେଖିନଥାନ୍ତି। ଓଡ଼ିଆ ପରମ୍ପରା ଅନୁଯାୟୀ ବିବାହର ଏକ ସପ୍ତାହ ପୂର୍ବରୁ ଜାଇ ରଗଡ଼ା ହୁଏ ଯାହାକୁ ଅନୁକୁଳ କୁହାଯାଏ। ସେହି ଦିନଠାରୁ ବନ୍ଧୁବାନ୍ଧବ ଓ ଆତ୍ମୀୟମାନଙ୍କୁ ଗୁଆ ଦେଇ ବିବାହ ଉତ୍ସବକୁ ନିମନ୍ତ୍ରଣ କରାଯାଏ। ବିବାହ ଦିନ କନ୍ୟାକୁ ଶେଷ ଥର ପାଇଁ ସଧବାମାନେ ଗୁପ୍ତ ଭାବରେ ଗାଧୋଇ ଦେଇଥାନ୍ତି, ଯାହାକୁ ବାଡୁଅପାଣି ଗାଧୁଆ ବୋଲି କୁହାଯାଏ। ଏହାପରେ ରାତିରେ ବରପକ୍ଷ ବରଯାତ୍ରୀ ସହ ବାଜା, ବାଣ ଓ ରୋଷଣୀରେ ଆସୁଥିଲେ। ସେତେବେଳେ ମହିଳାମାନେ ବରଯାତ୍ରୀ ଆସିବାକୁ ଲଜ୍ଜାବୋଧ କରୁଥିଲେ। କେବଳ ପୁରୁଷ ଲୋକମାନେ ବରଯାତ୍ରୀ ଆସୁଥିଲେ। ବର ରୋଷଣୀ କରିସାରିବା ପରେ କନ୍ୟା ଓଡ଼ିଆ ରୀତିନୀତି ଅନୁଯାୟୀ ନୂଆ ଶାଢୀ ପିନ୍ଧି ମୁଣ୍ଡରେ ଓଢଣୀ ଦେଇ ବିବାହ ବେଦୀକୁ ଆସିଥାଏ। ବିବାହ ବେଦୀରେ ବ୍ରାହ୍ମଣ ମନ୍ତ୍ରପାଠ କରି, ବର ଓ କନ୍ୟାର ହସ୍ତଗଣ୍ଠି ପକାଇ ବିବାହ ସମ୍ପନ୍ନ କରାଯାଏ। ଅଗ୍ନିକୁ ସାକ୍ଷୀ ରଖି ବେଦୀ ଉପରେ ବର କନ୍ୟାର ମୁଣ୍ଡରେ ସିନ୍ଦୂର ପିନ୍ଧାଇ ସାତଜନ୍ମ ପାଇଁ ପତ୍ନୀରୂପରେ ଗ୍ରହଣ କରିଥାଏ। ସେତେବେଳେ କାଁ ଭାଁ ବିବାହ ଦୃଶ୍ୟକୁ କ୍ୟାମେରାରେ ଫଟୋ ଉଠାଇ ସ୍ମୃତି ଉଦ୍ଦେଶ୍ୟରେ ଆଲବମରେ ରଖୁଥିଲେ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଟି ହେଉଛି ଝିଅ ବିଦା ବେଳେ କାନ୍ଦଣା ପର୍ବ। ଝିଅ ଯେତେବେଳେ ବାପଘରୁ ଶାଶୂଘରକୁ ଯାଏ, ସେତେବେଳେ ବାପାବୋଉ, ଭାଇଭଉଣୀ, ଅଜାଆଈ ଓ ବନ୍ଧୁବାନ୍ଧଙ୍କୁ ଧରି କାନ୍ଦିଥାଏ ଯାହା ସେଠାରେ କିଛିସମୟ ପାଇଁ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥାଏ। ବାପ ମଧ୍ୟ ନିଜ ଝିଅର ଚଳିବା ପାଇଁ ଖୁସିରେ କିଛି ଘରକରା ସାମଗ୍ରୀ ଦେଇଥାଏ ଯାହାକୁ ଯୌତୁକ ବୋଲି କୁହାଯାଏ। ବିବାହ ଭୋଜିରେ ଆଖପାଖ ଗ୍ରାମର ଭଦ୍ରଲୋକ ଓ ବନ୍ଧୁବାନ୍ଧବ ଉପସ୍ଥିତ ରହି ଭୋଜିଖାଇ ବରକନ୍ୟାକୁ ଆଶୀର୍ବାଦ କରୁଥିଲେ।

କଥାଟି ପୁରୁଣାକାଳିଆ ହେଲେ ବି ପ୍ରଥାଟି ସମ୍ପର୍କର ପବିତ୍ରତା ଓ ମଧୁରତାକୁ ପ୍ରଦର୍ଶିତ କରୁଥିଲା। ପୁଅ ବାହାଘର କରି ଘରକୁ ବୋହୁ ଆଣିବା ସହିତ ପରିବାର ଓ ବନ୍ଧୁବାନ୍ଧବଙ୍କ ମନରେ ଥାଏ ବୋହୂ ପରଷା ଖାଇବାର ମାନସିକତା  ଝିଅଟିଏ ବିବାହଯୋଗ୍ୟା ପୂର୍ବରୁ ବାପଘରୁ ଶିଖିକରି ଆସୁଥିଲା ସମ୍ମାନ, ସଂସ୍କାର, ସଂସ୍କୃତି, ରନ୍ଧଣା ଓ ସଣ୍ଠଣା ଆଦି ଘରକରଣା କଥା। ସେ ସମୟରେ ସାଧାରଣତଃ ଝିଅମାନେ ମାଟ୍ରିକ ପାସ୍ କଲା ପରେ ସେମାନଙ୍କ ପାଠପଢାରେ ଡୋରି ବନ୍ଧା ହେଉଥିଲା ଏବଂ ଅଧିକ ପାଠପଢା ବଦଳରେ ସିଲାଇ, ବୁଣାବୁଣି, ପିଠାପଣା ଓ ଝୋଟି ଚିତା ସହ ରନ୍ଧାବଢାରେ ନିପୂଣତା ହାସଲ କରୁଥିଲେ।

ଦିନଥିଲା ନୂଆ ବୋହୁଟିଏ ଶାଶୁଘରକୁ ଶୋଭା ବଢାଇବା ସହ ମାର୍ଜିତ ଆଚାର ବ୍ୟବହାରରେ ସମସ୍ତଙ୍କୁ ଆପଣାର କରି ନେଉଥିଲା। ପରିବାରର ସମସ୍ତଙ୍କର ନଜର ଥିଲା ନୂଆବୋହୂ ରୋଷେଇ ଘରେ ପ୍ରସ୍ତୁତ ଖାଦ୍ୟ ପଦାର୍ଥରେ ସ୍ୱାଦର ଭିନ୍ନତା। ଘରେ ଶାଶୂ, ଶ୍ୱଶୁର, ଯାଆ, ଦେଢଶୂର ଆଦି ଗୁଜୁଜନମାନଙ୍କୁ ଆଦର ସତ୍କାର କରି ପାଣି ସଜାଡ଼ି ଅନ୍ନ ବ୍ୟଞ୍ଜନ ପରଷି ଦେଉଥିଲା ଯାହାକୁ ବୋହୂ ପରଷା କୁହାଯାଉଥିଲା। କହିବାକୁ ଗଲେ ନୂଆବୋହୂଟିଏ ଘରେ ପାଦ ଦେଉ ଦେଉ ଘରର ଚାଲିଚଳଣିରେ ପରିବର୍ତ୍ତନ ଆସିଯାଉଥିଲା।

ଏବେ କିନ୍ତୁ ସମୟ ବଦଳିଯାଇଛି, ବଦଳିଛି ଲୋକଙ୍କ ମାନସିକତା। ବିବାହ ଉତ୍ସବରେ ଅନେକ ପରିବର୍ତ୍ତନ ଘଟିଛି। ବିବାହ ପୂର୍ବରୁ ଉଭୟ ପୁଅଝିଅ ପରସ୍ପର ସହିତ ମିଶିବା, ସପିଂ କରିବା, ପଞ୍ଚତାରକା ହୋଟେଲରେ ଖାଇବା ଇତ୍ୟାଦିରେ ପରିଣତ ହେଲାଣି। ବିବାହ ଉତ୍ସବ ଏବେ ତିନି, ଚାରିଦିନଆ ଉତ୍ସବରେ ପରିଣତ ହୋଇଯାଇଛି। ସାହି ପଡ଼ିଶା ଓ ବନ୍ଧୁବାନ୍ଧବଙ୍କ ଗହଣରେ ରିଂ ସେରିମନି, ମେହେନ୍ଦୀ ସେରିମନି, ହଳଦୀ ସେରିମନି, ସଙ୍ଗୀତ ସେରିମନି ପାଳନ କରାଯାଉଛି ଏବଂ ସେସବୁ ଦୃଶ୍ୟକୁ ଉତ୍ତୋଳନ କରାଯାଇ ସଙ୍ଗେ ସଙ୍ଗେ ସୋସିଆଲ ମିଡ଼ିଆରେ ପ୍ରସାରଣ କରାଯାଉଛି।

ଏବେ ବିବାହ ଉତ୍ସବ ବିଭିନ୍ନ ମଣ୍ଡପ, ପଞ୍ଚତାରକା ହୋଟେଲରେ ସମ୍ପନ୍ନ ହେଉଛି। ପାଲିଙ୍କି ଓ ସବାରୀର ସ୍ଥାନ ନେଇଛି ଦାମୀ କାର୍। ବରକନ୍ୟାଙ୍କୁ ସୁସଜ୍ଜିତରେ ବେଶରେ ସଜାଇବା ପାଇଁ ବିଭିନ୍ନ ବିୟୁଟିପାର୍ଲରମାନ ଖୋଲିଲାଣି। ବର ନାମୀଦାମୀ ଫୁଲରେ ସଜ୍ଜିତ ବିଳାସପୂର୍ଣ୍ଣ କାର୍‌, ବିଭିନ୍ନ ଆତସବାଜୀ, ସୁସଜ୍ଜିତ ଡ଼ିଜେରେ ରୋଷଣୀ କରି ଆସିଲେଣି। ଉଭୟ ପୁରୁଷ ଓ ମହିଳା ବରଯାତ୍ରୀମାନେ ଡ଼ିଜେର ସୁମଧୁର ଗୀତରେ ମତୁଆଲା ହୋଇ ଆଧୁନିକ ଶୈଳୀରେ ନୃତ୍ୟ ପରିବେଷଣ କରି କନ୍ୟାଘରେ ପହଞ୍ଚିବା ପରେ ବିବାହ କାର୍ଯ୍ୟ ଆରମ୍ଭ ହେଉଛି।

ସମୟ ଏପରି ଉପନୀତ ହୋଇଛି ଯେ, ପୁରୁଷମାନେ ନାଚିବାକୁ ସଙ୍କୋଚ ମନେ କରୁଥିବା ବେଳେ ମହିଳାମାନେ କିନ୍ତୁ ଅନାୟସରେ, ବିନା ଦ୍ୱିଧାରେ ବିଭିନ୍ନ ଶୈଳୀରେ ନୃତ୍ୟ ପରିବେଷଣ କରିବା ଏକ ଫେଶନରେ ପରିଣତ ହେଲାଣି। ବିବାହ ବେଦୀରେ କନ୍ୟା ଓଡ଼ିଆ ରୀତିନୀତି ଓ ପରମ୍ପରା ଅନୁଯାୟୀ ଶାଢୀ ପିନ୍ଧିବାକୁ ପସନ୍ଦ କରୁନାହାଁନ୍ତି ବରଂ ପାଶ୍ଚାତଶୈଳୀରେ ଦାମୀ ପୋଷାକ (ଲେହେଙ୍ଗା) ପିନ୍ଧି ବିବାହ ବେଦୀକୁ ଆସିଲେଣି। ବିବାହ ପରେ ବାପଘର ଛାଡ଼ି ଶାଶୁଘରକୁ ଯିବା ସମୟରେ କନ୍ୟା ଯେଉଁ କାନ୍ଦଣା କାନ୍ଦୁଥିଲା, ସେ କାନ୍ଦ ଆଉ ଦେଖିବାକୁ ମିଳୁନି। ବରଂ ବିବାହ ପରେ ବାପାବୋଉ, ଭାଇଭଉଣୀ ଓ ବନ୍ଧୁବାନ୍ଧଙ୍କ ଠାର ହସି ହସି ଶାଶୁ ଘରକୁ ଯିବାର ଦୃଶ୍ୟ ଏବେ ଅଧିକ ପରିଲକ୍ଷିତ ହେଉଛି। ବିବାହ ପରେ ଶାଶୁଘରେ ନୂଆବୋହୂଟି ଶାଢୀ ବଦଳରେ ଜିନ୍‌ପ୍ୟାଣ୍ଟ ଓ ଟି-ସାର୍ଟ ପିନ୍ଧିବାକୁ ପସନ୍ଦ କରୁଛି।

ଏବେ ସବୁଠି ଚର୍ଚ୍ଚାରେ ରହୁଛି ବିବାହ ଭୋଜି। ବର ହେଉ ବା କନ୍ୟା, ଉଭୟ ପକ୍ଷଙ୍କ ଭୋଜି ବିଭିନ୍ନ ମଣ୍ଡପ ଓ ପଞ୍ଚତାରକା ହୋଟେଲରେ କରାଗଲାଣି। ବିବାହ ଭୋଜିରେ ଓଡ଼ିଆ ଖାଦ୍ୟ ଓ ପରମ୍ପରାକୁ ଛାଡ଼ି ଏବେ ପାଶ୍ଚାତ୍ୟ ଶୈଳୀରେ ବିଭିନ୍ନ ରାଜ୍ୟର ଭିନ୍ନ ଭିନ୍ନ ରକମର ସୁସ୍ୱାଦୁ ଖାଦ୍ୟ ପରଷା ଗଲାଣି। ପୂର୍ବରୁ ଅତିଥି ଏବଂ ବନ୍ଧୁବାନ୍ଧବମାନେ ଭୋଜି ଖାଇ ବରକନ୍ୟାକୁ କେବଳ ଆଶୀର୍ବାଦ କରୁଥିଲେ, କ୍ୱିଚିତ ସାଙ୍ଗସାଥୀମାନେ ପୁଲତୋଡ଼ା ବା ଛୋଟମୋଟ ଉପହାର ଦେଉଥିଲେ। ଏବେ କିନ୍ତୁ ଅତିଥିମାନେ ଭୋଜି ଖାଇବା ପୂର୍ବରୁ ଗୋଟିଏ ଗୋଟିଏ ଲଫାଫାରେ ୫୦୦/୧୦୦୦/୨୦୦୦/୩୦୦୦ ପୁରାଇ ବରକନ୍ୟାକୁ ଉପହାର ଦେଉଛନ୍ତି। ସମୟ ଏପରି ଉପନୀତ ହୋଇଛି ଯେ, ଜଣେ ଅତିଥି ବିନା ଉପହାରରେ ବିବାହ ଭୋଜି ଖାଇବାକୁ ଯାଉନାହିଁ। ବର୍ତ୍ତମାନ ସମୟରେ ଜଣେ ଭଦ୍ରବ୍ୟକ୍ତି ବିବାହ ଭୋଜିକୁ ଗଲେ ଅତି କମ୍‌ରେ ୫୦୦ରୁ ୧୦୦୦ ଟଙ୍କା ଉପହାର ଦେବାକୁ ପଡୁଛି। କହିବାକୁ ଗଲେ ଏବେ ବିବାହ ଭୋଜି ଏକ ବ୍ୟବସାୟରେ ପରିଣତ ହୋଇଗଲା।

ଆର୍ଯ୍ୟ ସନାତନର ସଂସ୍କୃତି ଓ ପରମ୍ପରା ଅନୁଯାୟୀ ଷୋହଳ ସଂସ୍କାର ମଧ୍ୟରେ ବିବାହ ଉତ୍ସବ ଏକ ପ୍ରମୁଖ ସଂସ୍କାର। ମାତ୍ର ଏବେ ବିବାହ ଉତ୍ସବ ଆସିଲେ ଆଉ ମନେପଡୁନି ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଗୁଆ ନିମନ୍ତ୍ରଣ, ଜାଇ ରଗଡ଼ା, ବଡ଼ି ଅନୁକୁଳ, ବାଡ଼ୁଅ ପାଣି ଗାଧୁଆ ଭଳି ଓଡ଼ିଆ ଘରର ରୀତିନୀତି। ଶଙ୍ଖା, ସିନ୍ଦୂର ଓଡ଼ିଆ ଘରର ସୁହାଗର ପ୍ରତୀକ ହୋଇଥିବା ବେଳେ ଏବେ ଉତ୍ତର ଓ ଦକ୍ଷିଣ ଭାରତୀୟଙ୍କ ଭଳି ମଙ୍ଗଳସୂତ୍ରକୁ ସୁହାଗର ପ୍ରତୀକ ଭାବେ ଗ୍ରହଣ କରାଗଲାଣି ଯାହାକି ଧୀରେ ଧୀରେ ଓଡ଼ିଆ ସଂସ୍କୃତିକୁ ଅବକ୍ଷୟମୁଖୀ କରିବା ସହ ବିଦେଶୀ ସଂସ୍କୃତିକୁ ଆପଣାଉଛନ୍ତି। ସାଂସ୍କୃତିକ ଭାବ ବିନିମୟ ଯୋଗୁ ଗୋଟିଏ ସଂସ୍କୃତିର ରୀତିନୀତି, ପରମ୍ପରା ଅନ୍ୟ ଏକ ସଂସ୍କୃତିକୁ ଯିବା ଶୁଭ ଲକ୍ଷଣ। କିନ୍ତୁ ଏହାର ମାନେ ନୁହେଁ ଯେ, ନିଜର ଗରିମାମୟ ସଂସ୍କୃତି ଓ ପରମ୍ପରାକୁ ବିକୃତ କରିବା। ଏହା ଫଳରେ ଓଡ଼ିଆ ସଂସ୍କୃତି ଓ ପରମ୍ପରା ଲୋପ ପାଇଯିବ। କୌଣସି ଏକ ଜାତିର ପରିଚୟ ହେଉଛି ଏହାର ଭାଷା, ସଂସ୍କୃତି, ପରମ୍ପରା, ଚାଲିଚଳଣି, ବେଶଭୂଷା ଓ ଖାଦ୍ୟପେୟ ଏସବୁ ଓଡ଼ିଆ ଜାତିର ଭିନ୍ନ, ଅନନ୍ୟ ଓ ସ୍ୱତନ୍ତ୍ର ବୋଲି ଓଡ଼ିଆ ଜାତି ସମୃଦ୍ଧ।

ସେହିପରି ବିବାହ ଉତ୍ସବରେ ଓଡ଼ିଆ ରୀତିନୀତି ଅନୁଯାୟୀ ଶାଢୀପିନ୍ଧା ଶୈଳୀର ଏକ ନିଆରା ଢଙ୍ଗ ରହିଥିଲେ ବି ଦକ୍ଷିଣ ଭାରତୀୟଙ୍କ ଭଳି କୁଞ୍ଚପଜା ଶାଢୀ ଓ ଲେହେଙ୍ଗା ପିନ୍ଧାଗଲାଣି। ଓଡ଼ିଆ ପାରମ୍ପରିକ ଶାଢୀ ପିନ୍ଧା ଶୈଳୀକୁ ଅନେକ ଓଡ଼ିଆ ଝିଅ ଭୁଲିଗଲେଣି। ବଲିଉଡ଼ ଚଳଚ୍ଚିତ୍ରରେ ବିବାହର ଚାକଚକ୍ୟ ଓ ବର୍ଣ୍ଣାଢ୍ୟ ଉତ୍ସବ ଦେଖି ଅନେକ ଯୁବପିଢି ସେହି ଶୈଳୀରେ ବିବାହ କରିବାକୁ ଅଭିଭାବକଙ୍କୁ ବାଧ୍ୟ କରୁଛନ୍ତି। ଅଭିଭାବକମାନେ ଏହାକୁ ବିରୋଧ କରିବା ଆବଶ୍ୟକ, ନଚେତ ଆମ ଓଡ଼ିଆ ପରମ୍ପରା ଧୀରେ ଧୀରେ ବିଲୁପ୍ତ ହୋଇଯିବ। ଏଥିପ୍ରତି ଉଭୟ ବର ଓ କନ୍ୟାପକ୍ଷ ଲୋକମାନେ ଦୃଷ୍ଟି ଦେଇ ଏହାକୁ ପରିବର୍ତ୍ତନ କରି ଓଡ଼ିଆ ପରମ୍ପରା ଓ ରୀତିନୀତିକୁ ଆପଣାଇଲେ ପୂର୍ବ ପରି ଆମ ସଂସ୍କୃତି ଓ ପରମ୍ପରା ବଜାୟ ରହିବ।

କଣ୍ଟି, ବାହାରଣା, ବାଲିକୁଦା, ଜଗତସିଂହପୁର

ମୋ : ୮୩୨୮୮୪୦୨୧୪

ଆଇନଗତ ଚୁକ୍ତି ବିବାହ ସଂସ୍କୃତି ସୁବାସ କୁମାର ତାରଣିଆଁ
Share. Facebook Twitter LinkedIn Email WhatsApp Copy Link

Related Posts

ଦ୍ରୁତ ଗତିରେ ଆଗକୁ ବଢ଼ୁଛି ମୌସୁମୀ ବାୟୁ: ଓଡିଶାରେ କେବେ ପହଞ୍ଚିବ?

June 9, 2026

ଭୁବନେଶ୍ବରରେ କେନ୍ଦ୍ର ଆଇନ ମନ୍ତ୍ରୀ; ମୋଦି ସରକାରର ୧୨ ବର୍ଷ ପୂର୍ତ୍ତି ଉପରେ ରଖିଲେ ହିସାବ

June 9, 2026

ରାଜ୍ୟ ପାଇଁ ଗୌରବ ଆଣିଲେ ବାଣପୁରର କୁନି ଝିଅ: ଗୁଜୁରାଟରେ ଜିତିଲେ “ଦି ଆଇଏଫଏ ୱାର୍ଲ୍ଡ ୨୦୨୬”

June 9, 2026

ପିଓକେରେ ଶାହବାଜ-ମୁନିରଙ୍କ ବିରୋଧରେ ବିଦ୍ରୋହ: ପାକ୍ ସେନାର ଗୁଳି ମାଡ଼

June 9, 2026
Latest News

କଂଗ୍ରେସକୁ ବଡ଼ ଝଟକା: ମଧ୍ୟପ୍ରଦେଶରୁ ରାଜ୍ୟସଭା ପ୍ରାର୍ଥୀ ମୀନାକ୍ଷୀ ନଟରାଜନଙ୍କ ନାମାଙ୍କନ ବାତିଲ

June 9, 2026

ବଞ୍ଚିଛି ସଂସ୍କୃତି, ବଦଳୁଛି ମାନସିକତା

June 9, 2026

ଦ୍ରୁତ ଗତିରେ ଆଗକୁ ବଢ଼ୁଛି ମୌସୁମୀ ବାୟୁ: ଓଡିଶାରେ କେବେ ପହଞ୍ଚିବ?

June 9, 2026

ଭୁବନେଶ୍ବରରେ କେନ୍ଦ୍ର ଆଇନ ମନ୍ତ୍ରୀ; ମୋଦି ସରକାରର ୧୨ ବର୍ଷ ପୂର୍ତ୍ତି ଉପରେ ରଖିଲେ ହିସାବ

June 9, 2026

ରାଜ୍ୟ ପାଇଁ ଗୌରବ ଆଣିଲେ ବାଣପୁରର କୁନି ଝିଅ: ଗୁଜୁରାଟରେ ଜିତିଲେ “ଦି ଆଇଏଫଏ ୱାର୍ଲ୍ଡ ୨୦୨୬”

June 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.