ଅଭିନେତା ସୁଶାନ୍ତ ସିଂହ ରାଜପୁତ୍‌ଙ୍କ ଆତ୍ମହତ୍ୟା

Published: Jun 14, 2020, 2:39 pm IST

ମୁମ୍ବାଇ : ବଲିଉଡରୁ ପୁଣି ଏକ ଦୁଃଖଦ ଖବର ମିଳିଛି । ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା କରିଥିବାର ସୂଚନା ମିଳିଛି। 34 ବର୍ଷ ବୟସରେ ଏହି  ଅଭିନେତା ଜଣକ ମୁମ୍ବାଇର ବାନ୍ଦ୍ରା ସ୍ଥିତ ନିଜ ବାସଭବନରେ ଫାଶୀ ଲଗାଇ ଆତ୍ମ ହତ୍ୟା କରିଥିବାର ଖବର ମିଳିଛି। ତେବେ କେଉଁ କାରଣ ଯୋଗୁଁ ସେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଛନ୍ତି, ତାହା ସମ୍ପର୍କରେ ଜଣାପଡିନାହିଁ । ପୋଲିସ ଏହି ଘଟଣାର ତଦନ୍ତ ଚଳାଇଛି ।

ଜୀ ଟିଭିର ଲୋକପ୍ରିୟ ଧାରାବାହିକ ‘ପବିତ୍ର ରିସ୍ତା’ର ମାନବ ଚରିତ୍ରରେ ଅଭିନୟ କରି ଘରେ ଘରେ ପରିଚିତ ଥିବା ସୁଶାନ୍ତ ସିଂହ ରାଜପୁତ୍‌ ବଲିଉଡ୍‌ରେ ମଧ୍ୟ ନିଜର ଏକ ସ୍ବତନ୍ତ୍ର ପରିଚୟ ତିଆରି କରିଥିଲେ ।

ସୁଶାନ୍ତ ‌ ଫିଲ୍ମ ‘କାଇ ପୋଚେ’ରୁ ବଲିଉଡ୍‌ କ୍ୟାରିଅର ଆରମ୍ଭ କରିଥିବାବେଳେ ସେ ‘ଶୁଦ୍ଧ ଦେଶୀ ରୋମାନ୍ସ’, ‘ପିକେ’, ‘ଧୋନୀ : ଦ ଅନ୍‌ଟୋଲ୍ଡ ଷ୍ଟୋରୀ’, ‘ରାବ୍‌ତା’, ‘କେଦାରନାଥ’, ସୋନଚିଡିଆ’, ‘ଛିଚୋର’ ପରି ଫିଲ୍ମରେ ଅଭିନୟ କରିଛନ୍ତି ।

ଖୁବ୍‌ କମ୍‌ ସମୟରେ ବଲିଉଡ୍‌ରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ତିଆରି କରିଥିଲେ ଅଭିନେତା ସୁଶାନ୍ତ । ଛୋଟ ପରଦାରୁ ଅଭିନୟ କ୍ୟାରିଅର ଆରମ୍ଭ କରିଥିବା ଏହି ଅଭିନେତା ଜଣକ ଖୁବ୍‌ କମ୍‌ ସମୟରେ ବଡ ପରଦାରେ ମଧ୍ୟ ସୁନାମ ଅର୍ଜନ କରିଥିଲେ । ଷ୍ଟାର୍‌ ପ୍ଲସ୍‌ରେ ପ୍ରସାରିତ ହୋଇଥିବା ‘କିସ୍‌ ଦେଶ ମେ ହେଁ ମେରା ଦିଲ୍‌’ରେ ପ୍ରଥମ ଥର ପାଇଁ ଅଭିନୟ କରିଥିବା ସୁଶାନ୍ତ ‘ପବିତ୍ର ରିସ୍ତା’ରେ ଲୋକପ୍ରିୟତା ପାଇଥିଲେ । ଏହି ଧାରାବାହିକରେ ସେ ମାନବ ଚରିତ୍ରରେ ଅଭିନୟ କରି ଘରେ ଘରେ ପରିଚିତ ହୋଇଥିଲେ ।

ଏହି ଧାରାବାହିକରେ ତାଙ୍କ ବିପକ୍ଷରେ ଅଭିନୟ କରିଥିବା ଅଭିନେତ୍ରୀ ଅଙ୍କିତା ଲୋଖେଣ୍ଡଙ୍କ ସହ ତାଙ୍କ ଅଫେୟାର ମଧ୍ୟ ବେଶ୍‌ ଚର୍ଚ୍ଚାରେ ରହିଥିଲା । ଏପରିକି ଦୁହେଁ ଲିଭ୍‌ ଇନ ରିଲେସନସିପ୍‌ରେ ରହୁଥିବାବେଳେ ବିବାହ କରିବା ପାଇଁ ଚାହୁଁଥିଲେ । କିନ୍ତୁ ଦୁହିଁଙ୍କ ସମ୍ପର୍କରେ ବହୁତ କମ ଦିନ ମଧ୍ୟରେ ଭଟ୍ଟା ପଡି ଯାଇଥିଲା। ଦୁହିଁଙ୍କ ମଧ୍ୟରେ ବ୍ରେକ୍‌ ଅପ୍‌ ହୋଇଯାଇଥିଲା । ଏହା ପରେ ସୁଶାନ୍ତଙ୍କ ଜୀବନରେ କୃତି ସାନୋନ୍‌ ଆସିଥିଲେ ।  ଫିଲ୍ମ ‘ରାବ୍‌ତା’ରେ ଦୁହେଁ ନଜର ଆସିଥିଲେ । ପରେ ଦୁହିଁଙ୍କ ମଧ୍ୟରେ ବ୍ରେକ୍‌ଅପ୍‌ ହୋଇଯାଇଥିଲା । ସୁଶାନ୍ତ ସିଂହ ରାଜପୁତ ଓ  ଅଭିନେତ୍ରୀ ରିଆଙ୍କ ସମ୍ପର୍କକୁ ନେଇ ବହୁତ ଦିନ ବିଟାଉନ୍‌ରେ ବେଶ୍‌ ଚର୍ଚ୍ଚା ଲାଗି ରହିଥିଲା ।

ନିଜର ଅଭିନୟ କ୍ୟାରିଅରରେ ଗୋଟିଏ ପରେ ଗୋଟିଏ ସଫଳତାର ସିଡିରେ ଚଢିବା ପରେ ସୁଶାନ୍ତ ହଠାତ୍‌ ଏମିତି ଚରମ ନିଷ୍ପତ୍ତି କାହିଁକି ନେଲେ, ସେ ନେଇ ଏବେ ସମସ୍ତଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି ।

Related posts