ପୁଣି ପୋଲିସଠୁ ସୁରକ୍ଷା ଲୋଡିଲେ ବର୍ଷା : ଦୁଇ ଜଣ ଅଜଣା ଯୁବକ ଘରକୁ ପଶିଥିବାର ଅଭିଯୋଗ

Published: Sep 8, 2020, 10:15 am IST

କଟକ : ପୋଲିସଠାରୁ ସୁରକ୍ଷା ଲୋଡିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ । ବର୍ଷା ନିଜ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ପୋଲିସକୁ ସୁରକ୍ଷା ମାଗିଛନ୍ତି। ଏଥିପାଇଁ ବର୍ଷା ପୁରୀଘାଟ ଥାନାରେ ଅଭିଯୋଗ କରିଛନ୍ତି। ଗତକାଲି ବର୍ଷା 100କୁ ଫୋନ୍‌ କରି ସୁରକ୍ଷା ମାଗିଥିବାବେଳେ ଗତକାଲି ଜଣେ ମହିଳା କନେଷ୍ଟବଳ ବର୍ଷାଙ୍କ ସୁରକ୍ଷା ଦାୟିତ୍ବରେ ରହିଛନ୍ତି ।

ଗତକାଲି ଘରେ ଥିବାବେଳେ 2 ଜଣ ଅଜଣା ଯୁବକ ଘରକୁ ପଶିଥିବାର ଅଭିଯୋଗ କରିଛନ୍ତି ବର୍ଷା । ଦୁଇ ଯୁବକ ବେଡରୁମ୍‌ରେ ପଶି ଭିଡିଓ ସୁଟିଂ କରିଥିଲେ ବୋଲି ବର୍ଷା ଅଭିଯୋଗ କରିଛନ୍ତି । ଏପରିକି ବର୍ଷା ଖାଉଥିବା ବେଳେ ଦୁଇ ଅଜଣା ଯୁବକ ଫଟୋ ଉଠାଇଥିବା ଅଭିଯୋଗ ହୋଇଛି।  ଏପରି ଅଭିଯୋଗ ପରେ ଅନୁଭବଙ୍କ କଟକ ନନ୍ଦିସାହି ଘରେ ପହଞ୍ଚି ବର୍ଷାଙ୍କ ବୟାନ ରେକର୍ଡ କରିଛନ୍ତି ଜିଲ୍ଲା ସୁରକ୍ଷା ଅଧିକାରୀ। ବର୍ଷା ଅନୁଭବଙ୍କ ବିରୋଧରେ ଦେଇଥିବା ଅଭିଯୋଗ ସମ୍ପର୍କରେ ପଚାରି ବୁଝିଛନ୍ତି ସୁରକ୍ଷା ଅଧିକାରୀ। ଏହାପରେ ବର୍ଷାଙ୍କ ସୁରକ୍ଷା ପାଇଁ ଜଣେ ମହିଳା ପୋଲିସ୍‌ କନଷ୍ଟେବଳ ମୁତୟନ କରାଯାଇଥିବା ଜଣାଯାଇଛି।

ଅପରପକ୍ଷରେ ବର୍ଷାଙ୍କ ବେଡରୁମ୍‌ରେ ପଶି ଦୁଇ  ଯୁବକ ଭିଡିଓ ସୁଟ କରିବା ବେଳର ଚିତ୍ର ବିଭିନ୍ନ ଗଣମାଧ୍ୟମରେ ଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହୋଇଥିବା ବେଳେ ଏହି ଭିଡ଼ିଓ ଗତକାଲିର କି ନୁହେଁ ତାହା ବର୍ଷାଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ। ଭିଡିଓରେ ବର୍ଷା କାହା ସହ କଥା ହେଉଥିବା ଶୁଣିବାକୁ ମିଳୁଛି। ଯେଉଁ ଦୁଇ ଅଜଣା ଯୁବକ ବର୍ଷାଙ୍କ ବେଡରୁମ୍‌ରେ ପଶି ଭିଡ଼ିଓ ସୁଟ୍ କରୁଥିଲେ ସେମାନଙ୍କ ଭିଡିଓ ମଧ୍ୟ ବର୍ଷା ସୁଟ୍ କରିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ,  ସାଂସଦ ତଥା ଫିଲ୍ମଭିନେତା ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ଚାଲିଥିବା ପାରିବାରିକ ତିକ୍ତତା ଦିନକୁ ଦିନକୁ ଅଧିକ ତୀବ୍ରତର ହେବାରେ ଲାଗିଛି। ଅନୁଭବଙ୍କ ବିରୋଧରେ ବର୍ଷା ଦାଖଲ କରିଥିବା ପାରିବାରିକ ହିଂସା ପିଟିସନ୍‌ର ଶୁଣାଣି ଅକ୍ଟୋବର 12କୁ ଘୁଞ୍ଚିଛି ।

Related posts