ଜୟାଙ୍କୁ ସମର୍ଥନ କଲେ ସଞ୍ଜୟ, ଟାର୍ଗେଟ୍‌ କଲେ କଙ୍ଗନା

Published: Sep 15, 2020, 5:55 pm IST

ମୁମ୍ବାଇ : ବଲିଉଡ୍‌ ଓ ଡ୍ରଗ୍ସ୍‌ ଲିଙ୍କ୍‌କୁ ନେଇ ଏବେ ବିବାଦ ବଢିବାରେ ଲାଗିଛି । ଡ୍ରଗ୍ସ କାରାବାରକୁ ନେଇ ରିଆ ଚକ୍ରବର୍ତ୍ତୀ ଏବେ ଗିରଫ ହୋଇଥିବାବେଳେ ଅନେକ ଅଭିନେତ୍ରୀଙ୍କନାମ ମଧ୍ୟ ଏବେ ଏହି ବିବାଦକୁ ଆସିଛି । ଏହି ମାମଲାକୁ ନେଇ ଏବେ ବଲିଉଡ୍‌ ଦୁଇ ଗୋଷ୍ଠୀରେ ବିଭକ୍ତ ହୋଇଯାଇଥିବାର ଦେଖାଯାଇଛି ।

ତେବେ ବଲିଉଡ୍‌ ଓ ଡ୍ରଗ୍ସ ଲିଙ୍କ୍‌କୁ ନେଇ ଆଜି ଗୃହରେ ଜୟା ବଚ୍ଚନ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି । ଡଗ୍ସ୍‌ କାରବାର ନେଇ ବଲିଉଡ୍‌କୁ ବଦନାମ କରାଯିବାର ଯୋଜନା କରାଯାଉଛି ବୋଲି କହିଛନ୍ତି ସମାଜବାଦୀ ପାର୍ଟି ସାଂସଦ ଜୟା ବଚ୍ଚନ ।କରୋନା ପାଇଁ ଦେଶର ଆର୍ଥିକ ସ୍ଥିତି ଏବେ ଠିକ୍‌ ନାହିଁ । ଏହି ପ୍ରସଙ୍ଗରୁ ଧ୍ୟାନ ହଟାଇବା ଲାଗି ବଲିଉଡକୁ ଟାର୍ଗେଟ୍‌ କରାଯାଉଛି ବୋଲି ଜୟା କହିଥିଲେ । ଏତଦ୍‌ବ୍ୟତୀତ ଜଣକ ପାଇଁ ବଲିଉଡ୍‌କୁ ବଦନାମ କରିବା ଉଚିତ୍‌ ନୁହେଁ ବୋଲି କହିଛନ୍ତି ।

ତେବେ ଜୟାଙ୍କ ଏହି ପ୍ରତିକ୍ରିୟାରେ ବଲିଉଡ୍‌ ଅଭିନେତ୍ରୀ କଡା ଜବାବ ରଖିଛନ୍ତି । ସେ ଏକ ଟୁଇଟରେ ଅଭିନେତ୍ରୀ ତଥା ରାଜ୍ୟ ସଭା ସଦସ୍ୟ ଜୟା ବଚ୍ଚନଙ୍କୁ ଟାର୍ଗେଟ କରିଛନ୍ତି। କଙ୍ଗନା ଟୁଇଟ୍‌ କରି ଜୟା ବଚ୍ଚନଙ୍କ ଝିଅ ଶ୍ବେତା ବଚ୍ଚନ ଓ ଅଭିଷେକ ବଚ୍ଚନଙ୍କ ନାମକୁ ମଧ୍ୟ ସାମିଳ୍‌ କରିଛନ୍ତି । କଙ୍ଗନା କହିଛନ୍ତି ଯେ, ଯଦି ତାଙ୍କ ସ୍ଥାନରେ ଜୟାଙ୍କ ଝିଅ ଶ୍ବେତାକୁ ଡ୍ରଗ୍ସ ଦିଆଯାଇ କିଶୋର ଅବସ୍ଥାରେ ମାଡ ଏବଂ ନିର୍ଯାତନା ଦିଆଯାଇଥାନ୍ତା। କିମ୍ବା ଅଭିଷେକ କ୍ରମାଗତ ଭାବରେ ଗାଳିଗୁଲଜ ଏବଂ ନିର୍ଯାତନା ଅଭିଯୋଗ କରି ଦିନେ ନିଜକୁ ଫାଶୀ ଦେଇଥାନ୍ତେ ତେବେ ସେତେବେଳେ ଜୟା କ’ଣ ଏପରି ପ୍ରତିକ୍ରିୟା ରଖିଥାନ୍ତେ  ବୋଲି ଜବାବ ରଖିଛନ୍ତି କଙ୍ଗନା ।

ଅପରପକ୍ଷରେ ଶିବସେନାର ନେତା ସଞ୍ଜୟ ରାଓ୍ବତ ଜୟା ବଚ୍ଚନଙ୍କୁ ପ୍ରତିକ୍ରିୟାକୁ ସ୍ବାଗତ କରିଛନ୍ତି । ସଞ୍ଜୟ ରାଓ୍ବତ କହିଛନ୍ତି ଯେ, ଫିଲ୍ମ ଇଣ୍ଡିଷ୍ଟ୍ରିରେ କିଛି ଲୋକ ଖରାପ କଥା କହୁଛନ୍ତି । ସେ କେବଳ ଏହି ଇଣ୍ଡଷ୍ଟ୍ରିର ବଦନାମ କରୁଛନ୍ତି ତାହା ନୁହେଁ ବରଂ ଦେଶର ସଂସ୍କୃତିକୁ ମଧ୍ୟ ବଦନାମ କରୁଛନ୍ତି । ଫିଲ୍ମ ଇଣ୍ଡଷ୍‌ଟ୍ରିରେ ରାଜନୀତିର କୌଣସି ସ୍ଥାନ ନାହିଁ ବୋଲି କହିଛନ୍ତି ସଞ୍ଜୟ ରାଓ୍ବତ । ସୂଚନାଯୋଗ୍ୟ, ସୁଶାନ୍ତ ସିଂହ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ୍‌ ଆସିବା ପରେ କ୍ରମାଗତ ଭାବରେ ସଞ୍ଜୟ ରାଓ୍ବତ ଓ କଙ୍ଗନାଙ୍କ ଟୁଇଟ୍‌ ଓ୍ବାର ଜାରି ରହିଛି । (ଏଜେନ୍ସି)

Related posts