ନ୍ୟୁଜ ଷ୍ଟୁଡିଓରେ ‘ବିପର୍ଯ୍ୟୟ’, ସାମ୍ବାଦିକତାର ଅଧପତନର ଅନ୍ୟ ନାମ ଅର୍ଣ୍ଣବ ଗୋସ୍ବାମୀ

Published: Jun 16, 2023, 11:32 am IST
rtvbharat

ଶରତ ପାଇକରାୟ

ବର୍ତ୍ତମାନ ସାମ୍ବାଦିକତାର ମୂଲ୍ୟବୋଧ କେଉଁ ସ୍ତରକୁ ଗଲାଣି ତାହା କଳ୍ପନା କରିବା ସମ୍ଭବ ହେଉ ନାହିଁ। ଯେଉଁମାନଙ୍କୁ ନୂଆ ପିଢୀର ସାମ୍ବାଦିକ ଆଦର୍ଶ ବୋଲି ଭାବୁଛନ୍ତି ସେମାନେ ସାମ୍ବାଦିକତାର ସବୁ ନିୟମ ଭାଙ୍ଗୁଛନ୍ତି। ସେମାନେ ନ୍ୟୁଜ ଷ୍ଟୁଡିଓକୁ ଯାତ୍ରା ପେଣ୍ଡାଲ ଭାବେ ପରିଣତ କରିସାରିଲେଣି। ଫଳରେ ସାଧାରଣ ଲୋକେ ସେମାନଙ୍କ ସାମ୍ବାଦିକତାଠାରୁ  ନିଜକୁ ଦୂରେଇ ରଖିବାକୁ ଉଚିତ ମଣୁଛନ୍ତି।

ଗତକାଲିଠାରୁ ସାମାଜିକ ଗଣମାଧ୍ୟମରେ ଏକ ଭିଡିଓକୁ ନେଇ ବେଶ ସମାଲୋଚନା କରାଯାଉଛି। ତାହା ସହିତ ଅଜସ୍ର ଗାଳି। ଭିଡିଓଟି ହେଉଛି ରିପବ୍ଲିକ ଭାରତ ନ୍ୟୁଜ ଚ୍ୟାନେଲରେ ପ୍ରସାରିତ ବିପର୍ଯ୍ୟୟ ବାତ୍ୟା ଆଙ୍କରିଂ। ସେଥିରେ ଆଙ୍କର ଶ୍ବେତା ତ୍ରିପାଠୀ କ୍ରୋମା ଷ୍ଟୁଡିଓରେ ହାତରେ ଛତା ଧରି ଷ୍ଟୁଡିଓ ଭିତରେ ଦୋହଲି ଦୋହଲି ଖବର ପରିବେଷଣ କରୁଛନ୍ତି।

ସେଠାରେ ସେ ଏପରି ଅଭିନୟ କରୁଛନ୍ତି ଯେ , ଲୋକେ ଭାବିବେ ଯେ, ପବନ ତାଙ୍କୁ ଉଡେଇ ନେଉଛି ନିଜକୁ ସମ୍ବାଳି ସେ ଆଙ୍କରିଂ କରୁଛନ୍ତି। ଆଜିକାଲି ଯୁଗରେ ଏପରି କାର୍ଯ୍ୟକୁ ସାଧାରଣ ଲୋକେ ଜାଣି ସାରିଲେଣି। ଏପରିକି କ୍ରୋମା ସେଟ୍ କଣ ତାହା ମଧ୍ୟ ଲୋକେ ଅବଗତ ହୋଇସାରିଲେଣି। ଏପରି କ୍ଷେତ୍ରରେ ଶ୍ବେତା ଷ୍ଟୁଡିଓ ଭିତରେ ଏମିିତି ଅଭିନୟ କରି ଖବର ପରିବେଷଣ କରିବାର ଉଦ୍ଦେଶ୍ୟ କଣ ତାହା ବୁଝି ହେଉ ନାହିଁ।

ଏଠାରେ ଅବଶ୍ୟ ଶ୍ବେତାଙ୍କୁ ଭୁଲ ଦେଇ ହେବ ନାହିଁ। କାରଣ ନ୍ୟୁଜ ଷ୍ଟୁଡିଓରେ କିପରି ଖବର ପରିବେଷଣ କରାଯିବ ତାହା ସେହି ବୁଲେଟିନର ପ୍ରଯୋଜକ ନିଷ୍ପତି କରିଥାଏ। ହେଲେ ଏଠାରେ ଯେପରି ନ୍ୟୁଜ ପରିବେଷଣ ହେଲା ତାହା ପ୍ରଯୋଜକଙ୍କର ଇଚ୍ଛାରେ କେବେ ହୋଇ ନ ଥିବ। ନିଶ୍ଚିତ ଭାବେ ମୁଖ୍ୟ ସଂପାଦକ ବା ଏଡିଟର ଇନ ଚିଫ୍ ଙ୍କ ନିର୍ଦ୍ଦେଶ ରହିଥିବ। ଆଉ ସେ ହେଉଛନ୍ତି ତଥାକଥିତ ସାମ୍ବାଦିକ ଅର୍ଣ୍ଣବ ଗୋସ୍ବାମୀ।

କେବଳ ଏହି ଗୋଟିଏ ଘଟଣା ନୁହେଁ ଏପରି ଅନେକ ଉଦାହରଣ ରହିଛି ଯାହା ରିପବ୍ଲିକ ଟିଭି ନିୟମ ଉର୍ଦ୍ଧରେ ରହି କାମ କରୁଛି। ପୂର୍ବରୁ ୟୁକ୍ରେନ ଋଷ ଯୁଦ୍ଧ ଘଟଣା ଖବର ନାଟକୀୟ ଢଙ୍ଗରେ ପରିବେଷଣ କରି ଚର୍ଚ୍ଚାକୁ ଆସିଥିଲେ। ଯାତ୍ରା ଅଭିନୟ ପରି ନାଚିନାଚି ୟୁକ୍ରେନରେ ଆଙ୍କର ଖବର ପରିବେଷଣ କରୁଥିଲେ। ସେତେବେଳେ ତାହା ମଧ୍ୟ ଏହି ଚ୍ୟାନେଲ ପ୍ରବଳ ସମାଲୋଚନାର ଶିକାର ହୋଇଥିଲା।

ଆମ ଓଡିଆରେ ଏକ ଢଗ ଅଛି, ଦେଉଳ ତୋଳିଲେ ନା କରିବ, ବାଟରେ ହଗିଲେ ମଧ୍ୟ ନା କରିବ। ଏଥିରୁ ସ୍ପଷ୍ଟ ଯେ, ତଥାକଥିତ ସାମ୍ବାଦିକ ଅର୍ଣ୍ଣବ ଗୋସ୍ବାମୀ କେବଳ ବାଟରେ ହଗି ନାଁ କମାଇବା ପାଇଁ ବ୍ୟଗ୍ର। ଆଗକୁ ନିର୍ବାଚନ ଆସୁଛି, ନିଜ ଚ୍ୟାନେଲର ଟିଆରପି ଖସିବାରେ ଲାଗିଛି, ଏପରି କ୍ଷେତ୍ରରେ ସେ ବାଟ ହଗା କାମ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଅପଚେଷ୍ଠା କରିବାରେ ଲାଗିଛନ୍ତି। (ଫଟୋ ସୌଜନ୍ୟ-ରିପବ୍ଲିକ ଭାରତ)

Related posts