ଓଡ଼ିଶାରେ ସ୍ଥାୟୀ ଜୀବିକା ନିମନ୍ତେ ଖାଦ୍ୟ, ଜମି ଓ ଜଳ ନୀତିର ସଂଯୋଗୀକରଣ ଉପରେ ଗୁରୁତ୍ୱ

Published: Dec 14, 2023, 11:51 pm IST

ଭୁବନେଶ୍ୱର: ‘ଆନ୍ତର୍ଜାତିକ ଜଳ ପରିଚାଳନା ପ୍ରତିଷ୍ଠାନ’ ଏବଂ ‘ଶକ୍ତି, ପରିବେଶ ଓ ଜଳ ପରିଷଦ’ ଆନୁକୂଲ୍ୟରେ ଏବଂ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ସହଯୋଗରେ ‘ଖାଦ୍ୟ, ଜମି ଓ ଜଳ ପ୍ରଣାଳୀରେ ନୀତି ସମନ୍ୱୟ : ଓଡ଼ିଶା ପରିପ୍ରେକ୍ଷୀରେ ଅଧ୍ୟୟନ’ ଶୀର୍ଷକ ଏକ ରାଜ୍ୟସ୍ତରୀୟ ପରାମର୍ଶ କର୍ମଶାଳା ଆଜି ଭୁବନେଶ୍ୱରଠାରେ ଆୟୋଜିତ ହୋଇଯାଇଛି।

ଏହି କର୍ମଶାଳା ସମର୍ଥିତ ଖାଦ୍ୟ, ଭୂମି ଏବଂ ଜଳ ପ୍ରକଳ୍ପର ନୀତି ଓ ରଣନୀତି ପ୍ରସ୍ତୁତ ଦିଗରେ ସିଜିଆଇଏଆର୍‌ ପ୍ରୟାସର ଏକ ଅଂଶ ବିଶେଷ। ରାଜ୍ୟସ୍ତରରେ ଖାଦ୍ୟ, ଜମି ଏବଂ ଜଳ ପ୍ରଣାଳୀର ପ୍ରମୁଖ ନୀତି ଗୁଡ଼ିକୁ ଚିହ୍ନଟ କରି ଏହି ତିନୋଟି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ମଧ୍ୟରେ ସମନ୍ୱୟକୁ ସୁଦୃଢ଼ କରିବା ଏହାର ଲକ୍ଷ୍ୟ।

ରାଜ୍ୟର ଚାରିଟି ଗୁରୁତ୍ୱପୂର୍ଣ୍ଣ ନୀତିକୁ ଏହାର ଅଂଶଭାବରେ ଚିହ୍ନଟ କରାଯାଇଛି। ଜୀବିକା ଓ ଆୟବୃଦ୍ଧି ନିମନ୍ତେ କୃଷକ ସହାୟତା ‘କାଳିଆ’ ଯୋଜନା, ଓଡ଼ିଶା ମିଲ୍ଲେଟ୍ସ ମିଶନ, କେନାଲ ଲାଇନିଙ୍ଗ୍‌ ଓ ସିଷ୍ଟମ୍‌ ରିହାବିଲିଟେସନ ପ୍ରୋଗ୍ରାମ ଏବଂ ଜଳବାୟୁ ସହନଶୀଳ କୃଷି ପାଇଁ ଓଡ଼ିଶା ସମନ୍ୱିତ ଜଳସେଚନ ପ୍ରକଳ୍ପ (ଓଆଇଆଇପିସିଆର୍‌ଏ) ଗ୍ରାମୀଣ ରୋଜଗାର, ସ୍ଥାୟୀ ଜଳସେଚନର ବିକାଶ, କୃଷି କ୍ଷେତ୍ରରେ ଜଳ ବ୍ୟବହାରର ଦକ୍ଷତା ବିକାଶ ଏବଂ ମତ୍ସ୍ୟଚାଷ ତଥା ଉଦ୍ୟାନ କୃଷି କ୍ଷେତ୍ରରେ ସାମର୍ଥ୍ୟକୁ ସୁଦୃଢ଼ କରିପାରିଛି।

ଏହି ନୀତିଗୁଡ଼ିକରେ ଜଳ ଓ ଖାଦ୍ୟ ନିରାପତ୍ତାକୁ ସୁନିଶ୍ଚିତ କରିବା ସହିତ ଦାରିଦ୍ର୍ୟ ହ୍ରାସ, ଜୀବିକା ନିର୍ବାହର ପନ୍ଥା ଏବଂ ରୋଜଗାର ସୃଷ୍ଟି କରିବା ଆଦି ମିଳିତ ଜାତିସଂଘର ନିରନ୍ତର ବିକାଶ ଲକ୍ଷ୍ୟ ହାସଲ କରିବା ଦିଗରେ ସାମର୍ଥ୍ୟ ରହିଛି ବୋଲି ଅଧ୍ୟୟନ ମତ ପ୍ରକାଶ କରିଛି ।
ଅଧ୍ୟୟନର ପ୍ରତିଫଳନକୁ ଲକ୍ଷ୍ୟ କରି ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତି କରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ କହିଛନ୍ତି ରାଜ୍ୟ ସରକାର ନିରନ୍ତର ଏବଂ ସ୍ଥାୟୀ ଆଧାରରେ କୃଷକମାନଙ୍କ କଲ୍ୟାଣ ନିମନ୍ତେ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ଖାଦ୍ୟ, ଜମି, ଜଳ ଓ ଶକ୍ତି ମଧ୍ୟରେ ଥିବା ସମନ୍ୱୟ ପଦ୍ଧତିକୁ ଯୋଜନା ମାଧ୍ୟମରେ ସଠିକ ବିନିଯୋଗ କରି କୃଷି କ୍ଷେତ୍ରକୁ ଅଧିକ ସୁସ୍ଥାୟୀ ଓ ଜଳବାୟୁ ପରିବର୍ତ୍ତନ ସହଣୀ କରିବା ଦିଗରେ ବିଜ୍ଞାନ ଓ ପ୍ରମାଣଭିତ୍ତିକ ପଦକ୍ଷେପର ଆବଶ୍ୟକତା ହିଁ ଆଜିର ଆହ୍ୱାନ । ଏହି ଦିଗରେ ବିଭାଗ ବେଶ ଯତ୍ନବାନ।

ଜଳର ସନ୍ତୁଳିତ ବ୍ୟବହାର ଓ ଜଳର ସୁପରିଚାଳନାକୁ ବ୍ୟବସ୍ଥିତ କରିପାରିଲେ ଏହା କୃଷି ଉତ୍ପାଦନରେ ବୃଦ୍ଧି ଆଣିବା ସହ ଭବିଷ୍ୟତ ପାଇଁ ଜଳ ସଂରକ୍ଷଣକୁ ସୁନିଶ୍ଚିତ କରିବ। ମୃତ୍ତିକାର ଜୈବିକ ଅଙ୍ଗାର ଏବଂ ବଳକା ଜଳୀୟ ଅଂଶକୁ ବ୍ୟବହାର କରି ଫସଲ ଉତ୍ପାଦନ ଦିଗରେ ପଦକ୍ଷେପ ନିଆଯିବା ଉପରେ ଗୁରୁତ୍ତ୍ୱାରୋପ କରିଥିଲେ। ଏହି ନୀତି ସୁସଙ୍ଗତ କର୍ମଶାଳା ବିଭିନ୍ନ ରଣନୀତି ଉପରେ ବିଚାରବିମର୍ଶ କରିବା ନିମନ୍ତେ ଉପଯୁକ୍ତ ମଞ୍ଚ ଭାବରେ କାର୍ଯ୍ୟ କରିବ।

ଏହାର ଉଦ୍ଦେଶ୍ୟ ରାଜ୍ୟରେ କୃଷି ଓ ଖାଦ୍ୟରେ ରୂପାନ୍ତରଣ ଆଣିବା, ଯେପରି କୃଷକମାନଙ୍କର ଆୟବୃଦ୍ଧି ହେବା ସହିତ କୃଷି ଉତ୍ପାଦନକୁ ଜଳବାୟୁ ଅନୁକୂଳ କରିପାରିବା ଦିଗରେ ସରକାର ଓ ବିଭିନ୍ନ ଅଂଶୀଦାରଙ୍କ ଦ୍ୱାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପର ପ୍ରଭାବ ଆକଳନ କରିବା ଦିଗରେ ଏହା ଏକ ସୁଯୋଗ ସୃଷ୍ଟି କରିଛି ବୋଲି ଡ. ପାଢ଼ୀ କର୍ମଶାଳାରେ ମତ ରଖିଛନ୍ତି ।

କର୍ମଶାଳାରେ ଓର୍‌ମାସ୍‌ (ORMAS)ର ମୁଖ୍ୟ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଗୁହା ପୁନମ ତାପସ କୁମାର କୃଷିଜାତ ଦ୍ରବ୍ୟର ବଜାରୀକରଣ, ମୂଲ୍ୟଯୁକ୍ତ ଓ ନୂତନ ବଜାର ସୃଷ୍ଟି ଦିଗରେ ଅବଶ୍ୟକୀୟ ନୀତି ପ୍ରଣୟନ ଉପରେ ଆଲୋକପାତ କରିଥିଲେ।

ଓର୍‌ମାସ୍‌ ମାଧ୍ୟମରେ ଗ୍ରାମୀଣ ଅର୍ଥନୀତିର ବିକାଶ, ସମାଜର ତଳ ସ୍ତରର ତଥା ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକମାନଙ୍କର ସାମାଜିକ ଓ ଆର୍ଥିକ ଅଭିବୃଦ୍ଧିରେ ବିକାଶ ଘଟିବା ସହ ସାମାଜିକ ପ୍ରଗତିର ଉନ୍ନତି ଦିଗରେ ଆବଶ୍ୟକୀୟ ନୀତିମାନ ପ୍ରଣୟନ କରାଯାଇଛି। ପୁନଶ୍ଚ ଯୋଜନାଭିତ୍ତିକ ସମନ୍ୱୟ ମାଧ୍ୟମରେ ଆମକୁ ଆହୁରି ଅନେକ କିଛି କରିବାର ଆବଶ୍ୟକ ଅଛି ବୋଲି ସେ ମତପୋଷଣ କରିଛନ୍ତି ।

କାର୍ମଶାଳାର ଅନ୍ୟତମ ବକ୍ତା ତଥା ଉଦ୍ୟାନ କୃଷି ବିଭାଗର ନିର୍ଦ୍ଦେଶକ ଶ୍ରୀ ରୋହିତ କୁମାର ଲେଙ୍କା କହିଥିଲେ ଯେ ଉଦ୍ୟାନ କୃଷି ବିଭାଗରେ ଯୋଜନା ପ୍ରସ୍ତୁତ କଲାବେଳେ ବିଭାଗ ବିଭାଗ ମଧ୍ୟରେ ସମନ୍ୱୟକୁ ପ୍ରାଧାନ୍ୟ ଦିଆଯାଇଥାଏ। ବିଭାଗୀୟ ଯୋଜନା ଯଥା – ଫୁଲ ମିଶନ, ପଣସ ମିଶନ, ମସଲା ମିଶନ ଓ ଛତୁ ମିଶନ ମାଧ୍ୟମରେ ମିଶନ ଶକ୍ତି, ଓର୍‌ମାସ୍‌, ଅନ୍ୟାନ୍ୟ ସଂଶ୍ଳିଷ୍ଟ ବିଭାଗ ଓ ବିଭିନ୍ନ ବେସରକାରୀ ଅନୁଷ୍ଠାନ ସହ ଯୋଜନା ଭିତ୍ତିକ ସମନ୍ୱୟ କରାଯାଇ କୃଷକ ଉତ୍ପାଦକ ଗୋଷ୍ଠୀ ମାଧ୍ୟମରେ ଉଦ୍ୟାନ କୃଷିରୁ କିପରି ଅଧିକ ଅର୍ଥ ରୋଜଗାର କରିହେବ ସେ ବିଷୟରେ ବିଭାଗ ଯଥେଷ୍ଟ ସଚେତନ ଅଛି ବୋଲି ଶ୍ରୀ ଲେଙ୍କା କହିଛନ୍ତି।

କର୍ମଶାଳାର ନିର୍ଯ୍ୟାସ ଓ ନୀତିଗୁଡ଼ିକର କାର୍ଯ୍ୟକାରିତା କେବଳ ଓଡ଼ିଶାରେ ନୁହେଁ, ଅନ୍ୟ ରାଜ୍ୟଗୁଡ଼ିକର ନୀତିଗୁଡ଼ିକୁ ସୁସଂହତ ଓ ନୀତିଗତ ସମନ୍ୱୟ ଆଣିବାରେ ଉପଯୋଗୀ ହୋଇପାରିବ। କୃଷକମାନଙ୍କ ଆୟବୃଦ୍ଧି ଏବଂ ଜଳବାୟୁ ସହନଶୀଳତା ବୃଦ୍ଧି ଦିଗରେ ଚାଷୀମାନଙ୍କୁ ଜଳବାୟୁ ସ୍ମାର୍ଟ କୃଷି ଅନୁଶୀଳନ, ଉନ୍ନତ ସେଚ ପ୍ରଣାଳୀ, ଉପଲବ୍ଧ ସମ୍ବଳର ଦକ୍ଷ ବିନିଯୋଗ, ଅଧିକ ପୁଞ୍ଜିନିବେଶ, ବିକ୍ରିବଟା ଏବଂ ବିକଳ୍ପ ଫସଲ ସହିତ ମତ୍ସ୍ୟ ଓ ପ୍ରାଣୀପାଳନ କ୍ଷେତ୍ରରେ ଅଧିକ ଦୃଷ୍ଟି ନିବଦ୍ଧ କରିବାକୁ ହେବ।

କର୍ମଶାଳାରେ ଶକ୍ତି ପରିବେଶ ଓ ଜଳ ପରିଷଦର ବରିଷ୍ଠ ପ୍ରୋଗ୍ରାମର ଶ୍ରୀ ନୀତିନ ବାସି କର୍ମଶାଳାର ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରି କହିଲେ ଯେ ଖାଦ୍ୟ ଏବଂ ଜଳ ପରସ୍ପର ସହିତ ସଂଯୁକ୍ତ। ଗୋଟିଏ କ୍ଷେତ୍ରର ଅନ୍ୟ କ୍ଷେତ୍ର ଉପରେ କୌଣସି ପ୍ରକାରର ଅନିଚ୍ଛାକୃତ ପ୍ରଭାବ ଏଡାଇବା ପାଇଁ ନୀତି ଗୁଡ଼ିକ ମଧ୍ୟରେ ସମନ୍ୱୟ ଆବଶ୍ୟକ, ଯାହାର ଫଳାଫଳ ଉପରେ କୃଷକମାନଙ୍କର ଆୟବୃଦ୍ଧି ଏବଂ ନିରନ୍ତର ଜୀବିକା ନିର୍ବାହର ପନ୍ଥା ସୃଷ୍ଟି ହୋଇ ପାରିବ।

ଖାଦ୍ୟ, ଜମି ଓ ଜଳ କ୍ଷେତ୍ରରେ ବିଶ୍ଳେଷଣ ଏବଂ ପ୍ରାରମ୍ଭିକ ସୁପାରିଶ ଅନୁଯାୟୀ କୃଷିକୁ ଅନୁକୂଳ କରିବା ଏବଂ ଜଳ ଓ କୃଷି ପ୍ରଣାଳୀକୁ ଜଳବାୟୁ ପରିବର୍ତ୍ତନର ସହନଶୀଳ କରିବା ଦିଗରେ ଓଡ଼ିଶା ସରକାରଙ୍କ ପ୍ରୟାସ ଭାରତ ବର୍ଷର ଅନ୍ୟ ରାଜ୍ୟ ପାଇଁ ଏବଂ ବିଶ୍ୱର ଅନ୍ୟ ଉଦୀୟମାନ ଅର୍ଥନୀତି ପାଇଁ ଶିକ୍ଷଣୀୟ ହୋଇ ପାରିବ। ସକରାତ୍ମକ ପ୍ରଭାବକୁ ସମର୍ଥନ କରିବା ଦିଗରେ ତିନୋଟି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପକୁ ଚିହ୍ନଟ କରାଯାଇଛି। ସେଗୁଡ଼ିକ ହେଉଛି ନୀତି ଗୁଡ଼ିକ ମଧ୍ୟରୁ ଶିକ୍ଷଣୀୟ ସର୍ବୋତ୍ତମ ଅନୁଶୀଳନକୁ ନଥିଭୁକ୍ତ କରିବା, ନୀତି ଗୁଡିକର ଫଳାଫଳ ଭିତ୍ତିକ ପ୍ରଭାବର ମୂଲ୍ୟାୟନକୁ ସକ୍ଷମ କରିବା ଏବଂ ଅଂଶୀଦାରମାନଙ୍କ ସହିତ ଏକ ଭାଗୀଦାରିମୂଳକ ପଦ୍ଧତି ବୃଦ୍ଧି କରିବା।

ସୂଚନାଯୋଗ୍ୟ ଯେ ରାଷ୍ଟ୍ରୀୟ ନୀତି ଏବଂ ରଣନୀତି ଉପରେ ସିଜିଆଇଆର୍‌ ର ପ୍ରୟାସ ଜାତୀୟ ଅନୁଷ୍ଠାନ ସହିତ ଚାହିଦା ମୁତାବକ ସମାଧାନ ନୀତି ପ୍ରସ୍ତୁତ କରିବା, ବିକାଶ ତଥା ପୋଷଣୀୟ ଭବିଷ୍ୟତ ପାଇଁ ଦେଶର ଖାଦ୍ୟ, ଜମି ଓ ଜଳ ପ୍ରଣାଳୀରେ ପରିବର୍ତ୍ତନ ଆଣିବା ଲକ୍ଷ୍ୟରେ କାର୍ଯ୍ୟ କରୁଛି। ଲକ୍ଷ ଲକ୍ଷ ଲୋକଙ୍କର ଜୀବନ ଓ ଜୀବିକାରେ ଉନ୍ନତି ଆଣିବା ପାଇଁ ସୁଦୃଢ଼ ନୀତି ଓ ରଣନୀତି ପ୍ରଣୟନ କରିବା ପାଇଁ ଏହା କାର୍ଯ୍ୟ କରୁଛି।

ସେହିପରି ‘ଅନ୍ତଃରାଷ୍ଟ୍ରୀୟ ଜଳ ପରିଚାଳନା ପ୍ରତିଷ୍ଠାନ’ ହେଉଛି ଏକ ଗବେଷଣା ଓ ବିକାଶ ସଂଗଠନ ଯାହା ବିକାଶଶୀଳ ଦେଶମାନଙ୍କର ଜଳ ସମସ୍ୟାର ସମାଧାନ ପାଇଁ ସରକାର, ନାଗରିକ ସମାଜ ଏବଂ ବେସରକାରୀ କ୍ଷେତ୍ର ସହିତ କାର୍ଯ୍ୟ କରିଥାଏ। ସହଭାଗିତା ମାଧ୍ୟମରେ ଏହି ଅନୁଷ୍ଠାନ ଜଳ ଓ ଜମି ସମ୍ବଳର ନିରନ୍ତର ବ୍ୟବହାର, ଉତ୍ପାଦଗୁଡ଼ିକର ଦକ୍ଷତା ବୃଦ୍ଧି ସମେତ କୃଷି, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନରେ ଅନ୍ତର୍ଭୁକ୍ତି ଅର୍ଥନୈତିକ ଅଭିବୃଦ୍ଧିର ପନ୍ଥା ନିର୍ଦ୍ଧାରଣ କରେ। ବିଶ୍ୱର ୧୫ଟି ଦେଶରେ ଏହାର କାର୍ଯ୍ୟାଳୟ ଅଛି ଏବଂ ୫୫ଗୋଟି ରାଷ୍ଟ୍ରରେ ବୈଶ୍ୱିିକ ନେଟୱାର୍କ ଅଛି।

‘ଶକ୍ତି, ପରିବେଶ ଏବଂ ଜଳ ପରିଷଦ’ ଏସିଆ ମହାଦେଶର ଅନ୍ୟତମ ଅଗ୍ରଣୀ ଅଣଲାଭ ଗବେଷଣା ପ୍ରତିଷ୍ଠାନ ଏବଂ ବିଶ୍ୱ ଜଳବାୟୁ ପ୍ରବୁଦ୍ଧ ମଣ୍ଡଳୀ ପରିଷଦ ଏକ ସମନ୍ୱିିତ ଆନ୍ତର୍ଜାତୀୟ ସ୍ତରକୁ ଦୃଷ୍ଟିରେ ରଖି ବିଶ୍ୱ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ ଦିଗରେ ପ୍ରୟାସରତ। ଉଚ୍ଚ ମାନର ଗବେଷଣା ଓ ସରକାରୀ ତଥା ବେସରକାରୀ ଅନୁଷ୍ଠାନ ସହିତ ସହଭାଗିତା ମାଧ୍ୟମରେ ଏହା ବ୍ୟାପକ ଭାବେ ଜନସାଧାରଣଙ୍କସହ ଜଡ଼ିତ। ଭାରତର ୨୦ଟି ରାଜ୍ୟରେ ଏହାର ଅବସ୍ଥିତି ରହିଛି। କର୍ମଶାଳାରେ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ମତରଖିଥିଲେ।

Related posts