ପଞ୍ଜାବରେ ଅଟକି ରହିଛି ଆପ୍-କଂଗ୍ରେସର ଆସନ ବଣ୍ଟନ ପ୍ରସଙ୍ଗ

Published: Jan 19, 2024, 2:56 pm IST
IndiaAlliance

ନୂଆଦିଲ୍ଲୀ: ପଞ୍ଜାବରେ କଂଗ୍ରେସ ଓ ଆମ୍ ଆଦମୀ ପାର୍ଟି (ଆପ୍) ମଧ୍ୟରେ ଲୋକସଭା ଆସନ ବଣ୍ଟନ ପ୍ରସଙ୍ଗ ଅଟକି ରହିଛି। ତେବେ ଦିଲ୍ଲୀ ଓ ଗୁଜରାଟରେ ଦୁଇ ଦଳ ଆସନ ବୁଝାମଣାକୁ ନେଇ ଆଗକୁ ବଢ଼ୁଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଦିଲ୍ଲୀରେ ଉଭୟ ଦଳ ଆସନ ପାଇଁ ଚୁକ୍ତିକୁ ପ୍ରାୟ ଚୂଡ଼ାନ୍ତ କରିସାରିଛନ୍ତି। ସେହିପରି ଗୁଜରାଟରେ ଉଭୟ ଦଳ ବିଭାଜନ କୁ ନେଇ ସହମତି ପ୍ରକାଶ କରିଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ, ଆପ୍ ଦିଲ୍ଲୀର ୪ଟି ଲୋକସଭା ଆସନରେ ଲଢ଼ିବ ଏବଂ କଂଗ୍ରେସ ୩ଟି ଆସନରେ ଲଢ଼ିବ। ୨୦୧୯ରେ ଭାରତୀୟ ଜନତା ପାର୍ଟି (ବିଜେପି) ଦିଲ୍ଲୀର ସମସ୍ତ ୭ଟି ଆସନ ଦଖଲ କରିଥିଲା। ଗୁଜରାଟରେ ଆପ୍ ମୋଟ ୨୬ଟି ଆସନରୁ ୧୦ଟିରେ ଲଢ଼ିବାକୁ ପ୍ରସ୍ତୁତି ଚଳାଇଛି। ଗୁଜରାଟରେ ମଧ୍ୟ ବିଜେପି ୨୦୧୯ରେ ସମସ୍ତ ଆସନରେ ବିଜୟୀ ହୋଇଥିଲା।

ପଞ୍ଜାବରେ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ

ସୂଚନାଯୋଗ୍ୟ, ପଞ୍ଜାବରେ ଉଭୟ ଦଳର କର୍ମକର୍ତ୍ତା ଏହି ମେଣ୍ଟକୁ ବିରୋଧ କରିଛନ୍ତି। ଏଭଳି ସ୍ଥିତିରେ ଆପ୍ ଓ କଂଗ୍ରେସ ସେଠାରେ ମେଣ୍ଟ ପ୍ରକ୍ରିୟାକୁ ବନ୍ଦ କରିଦେଇଛନ୍ତି। ଆଲୋଚନାରେ ସାମିଲ ଥିବା ଜଣେ ବରିଷ୍ଠ ନେତା କହିଛନ୍ତି ଯେ ଇଣ୍ଡି ମେଣ୍ଟର ଉଭୟ ଦଳ ଏବେ ଦିଲ୍ଲୀ ଏବଂ ଗୁଜରାଟରେ ଆସନ ବୁଝାମଣା ଉପରେ ଆଲୋଚନା କରିବେ। ପଞ୍ଜାବ ମାମଲାକୁ ସ୍ଥଗିତ ରଖାଯାଇଛି।

ସେ କହିଛନ୍ତି ଯେ ପଞ୍ଜାବରେ ଆସନ ବଣ୍ଟନ ପ୍ରସଙ୍ଗ ଅତ୍ୟନ୍ତ ଜଟିଳ ହୋଇଛି। ରାଜ୍ୟର ୧୩ଟି ଲୋକସଭା ଆସନ ମଧ୍ୟରୁ ୭ଟି କଂଗ୍ରେସ ଓ ଗୋଟିଏ ଆପ୍ ହାତରେ ରହିଛି। କଂଗ୍ରେସ କୌଣସି ମୂଲ୍ୟରେ ଏହି ୭ଟି ଆସନ ଉପରେ ନିଜର ଦାବି ଛାଡ଼ିବାକୁ ଚାହୁଁନାହିଁ। କିନ୍ତୁ ଆପ୍ ବିଧାନସଭା ନିର୍ବାଚନରେ ନିଜର ପ୍ରଦର୍ଶନ କହି ଅଧିକ ଲୋକସଭା ଆସନ ଦାବି କରୁଛି ଏବଂ ଜଳନ୍ଧର ଲୋକସଭା ଆସନକୁ କଂଗ୍ରେସଠାରୁ ଛଡ଼ାଇ ନେବାକୁ ଚାହୁଁଛି।
ଆଲୋଚନାରେ ଅଂଶଗ୍ରହଣ କରିଥିବା ଏହି ନେତା କହିଛନ୍ତି ଯେ ଆପ୍ ଶାସକ ଦଳ ଏବଂ କଂଗ୍ରେସ ମୁଖ୍ୟ ବିରୋଧୀ ଦଳ। ରାଜ୍ୟ ନେତାମାନେ ଏହି ମେଣ୍ଟକୁ ଠିକ୍ ମନେ କରୁନାହାନ୍ତି। ଏହା ସେମାନଙ୍କ ସ୍ୱାର୍ଥରେ ନୁହେଁ ବୋଲି ସେମାନେ କହିଛନ୍ତି। ଖାଲି ସେତିକି ନୁହେଁ, ଦଳୀୟ କର୍ମକର୍ତ୍ତା ଓ ଭୋଟରଙ୍କୁ ବୁଝାଇବା ମଧ୍ୟ କଷ୍ଟକର ହେବ।

ଆପ୍ ଏବଂ କଂଗ୍ରେସ ମଧ୍ୟରେ ଆଲୋଚନାରେ ସାମିଲ ଥିବା ଅନ୍ୟଜଣେ ନେତା କହିଛନ୍ତି ଯେ କେବଳ ଏତିକି ନୁହେଁ, ଶିରୋମଣି ଅକାଳୀ ଦଳ ଏନଡିଏ ସହ ଯାଉଛି କି ନାହିଁ ତାହା ଉପରେ ମଧ୍ୟ ଇଣ୍ଡି ମେଣ୍ଟ ନଜର ରଖିଛି। ସୂଚନାଯୋଗ୍ୟ, ଅକାଳୀ ଦଳ ବିଜେପିର ପୁରୁଣା ସହଯୋଗୀ। କୃଷକ ପ୍ରସଙ୍ଗକୁ ନେଇ ଅକାଳୀ ଦଳ ୨୦୨୦ରେ ମୋଦି ସରକାରଙ୍କ ଠାରୁ ଅଲଗା ହୋଇଯାଇଥିଲା। ବିଧାନସଭା ନିର୍ବାଚନରେ ଅକାଳୀ ଦଳ ବିଏସପି ସହ ମେଣ୍ଟ କରିଥିଲା। ଯଦି ଅକାଳୀ ଦଳ ବିଜେପି ସହ ମେଣ୍ଟ କରେ, ତେବେ ଇଣ୍ଡି ମେଣ୍ଟକୁ ମଧ୍ୟ ରାଜ୍ୟରେ ଏକାଠି ନିର୍ବାଚନ ଲଢ଼ିବାକୁ ପଡ଼ିବ।

Related posts