ପଶୁଧନ ଭିତ୍ତିଭୂମି ବିକାଶ ପାଣ୍ଠିର ସମ୍ପ୍ରସାରଣକୁ କ୍ୟାବିନେଟର ଅନୁମୋଦନ

Published: Feb 1, 2024, 8:57 pm IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ପଶୁଧନ ଭିତ୍ତିଭୂମି  ବିକାଶ ପାଣ୍ଠିର ସମ୍ପ୍ରସାରଣକୁ ଅନୁମୋଦନ କରାଯାଇଛି। ଏହି ପାଣ୍ଠି ଏବେ ଭିତ୍ତିଭୂମି ବିକାଶ ପାଣ୍ଠି (ଆଇଡିଏଫ୍‌) ଅଧୀନରେ କାର୍ଯ୍ୟକାରୀ ହେବ ଏବଂ ଏଥିପାଇଁ ୨୦୨୫-୨୬ ଆର୍ଥିକ ବର୍ଷ ନିମନ୍ତେ ୨୯,୬୧୦ କୋଟି ୨୫ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଛି । ସମ୍ପୃକ୍ତ ଅର୍ଥ ବିଶେଷତଃ ଦୁଗ୍ଧ ପ୍ରକ୍ରିୟାକରଣ, ବିଭିନ୍ନ ପ୍ରକାର ଦୁଗ୍ଧଜାତ ଦ୍ରବ୍ୟର ଉତ୍ପାଦନ ଓ ସଂରକ୍ଷଣ, ମାଂସ ପ୍ରକ୍ରିୟାକରଣ, ଉତ୍ପାଦର ବିବିଧାୟନ, ପଶୁଖାଦ୍ୟ ପ୍ଲାଣ୍ଟ ସ୍ଥାପନ, ପଶୁ ପ୍ରଜାତିର ସୁରକ୍ଷା ଓ ବିକାଶ, ଗୋମେଷାଦିର ମଳମୂତ୍ରରୁ ଖତ ଓ ଅନ୍ୟାନ୍ୟ ଦରକାରୀ ସାମଗ୍ରୀ ପ୍ରସ୍ତୁତ, ପଶୁପକ୍ଷୀଙ୍କ ଟିକା ଓ ଔଷଧ ପ୍ରସ୍ତୁତି ୟୁନିଟ୍‌ମାନ ସ୍ଥାପନ କରିବାରେ ଖର୍ଚ୍ଚ ହେବ।

ଯେଉଁମାନେ ପଶୁଧନ ବିକାଶ କାର୍ଯ୍ୟ ପାଇଁ ଋଣ ନେବେ ସରକାର ସେମାନଙ୍କୁ ଆଠ ବର୍ଷ ଯାଏ ୩ ଶତାଂଶ ସୁଧ ରିହାତି ଦେବେ । ଋଣ ନେବାର ପ୍ରଥମ ଦୁଇବର୍ଷ ପର୍ଯ୍ୟନ୍ତ କିସ୍ତି ପରିଶୋଧ କରିବାକୁ ପଡିବ ନାହିଁ । ଏହି ଋଣ ସବୁ ଅନୁସୂଚିତ ବ୍ୟାବସାୟିକ ବ୍ୟାଙ୍କ, ଜାତୀୟ ସମବାୟ ବିକାଶ ନିଗମ (ଏନ୍‌ସିଡିସି), ଏଫପିଓ, ଏମ୍‌ଏସ୍‌ଏମଇ ଓ ଧାରା ଆଠର ଅନ୍ତର୍ଭୁକ୍ତ  କମ୍ପାନୀ ସମୂହ ନେଇପାରିବେ । ଏବେ ଡେରୀ ଉଦ୍ୟୋଗକୁ ମଧ୍ୟ ଆଧୁନିକୀକରଣର ସୁଯୋଗ ମିଳିବ  ଏବଂ ଏହା ଫଳରେ ଡେରୀ ପ୍ଲାଣ୍ଟ ତଥା ଦୁଗ୍ଧ ସମବାୟକୁ ଲାଭ ମିଳିବ । ସରକାର ଯେଉଁ ସୁଧ ରିହାତି ଦେବେ ତାହା ମୋଟ ଋଣର ୯୦ ଶତାଂଶ ପର୍ଯ୍ୟନ୍ତ ପ୍ରଯୁଜ୍ୟ ହେବ ।

ସରକାର ମଧ୍ୟ ୭୫୦ କୋଟି ଟଙ୍କାର ଋଣ ଗ୍ୟାରେଣ୍ଟି ପାଣ୍ଠିର ବ୍ୟବସ୍ଥା କରିଛନ୍ତି । ସେହି ପାଣ୍ଠିରୁ ଏମ୍‌ଏସ୍‌ଏମ୍‌ଇ ଓ ଦୁଗ୍ଧ ସମବାୟଗୁଡିକୁ ସେମାନଙ୍କ ଋଣ ଉପରେ ୨୫ ଶତାଂଶ ଯାଏ ଋଣ ଗ୍ୟାରେଣ୍ଟି ଯୋଗାଇ ଦିଆଯିବ ।

ପଶୁଧନ ଭିତ୍ତିଭୂମି ବିକାଶ ପାଣ୍ଠି (ଏଏଚ୍‌ଆଇଡିଏଫ) ଏବେ ଦେଶରେ ଦୈନିକ ୧୪୧.୦୪ ଲକ୍ଷ ଲିଟର ଅତିରିକ୍ତ କ୍ଷୀର ପ୍ରକ୍ରିୟାକରଣ କ୍ଷମତା ସୃଷ୍ଟି କରିଛି । ଏହାଛଡା ଏବେ ଦେଶରେ ଦୈନିକ ୭୯.୨୪ ଲକ୍ଷ ମେଟ୍ରିକ ଟନ୍ ପଶୁଖାଦ୍ୟ ପ୍ରକ୍ରିୟାକରଣ ଓ ୯.୦୬ ଲକ୍ଷ ମେଟ୍ରିକଟନ୍ ମାଂସ ପ୍ରକ୍ରିୟାକରଣ ସାମର୍ଥ୍ୟ ସୃଷ୍ଟି ହୋଇଛି । ଏହା ଫଳରେ ଏ କ୍ଷେତ୍ରରେ ସମଗ୍ର ଯୋଗାଣ ବ୍ୟବସ୍ଥା ସୁଦୃଢ ତଥା ବ୍ୟାପକ ହୋଇ ଲୋକଙ୍କର ଆୟ ବଢିଛି । ଏହି ଯୋଜନାରେ ଦେଶରେ ଦୁଗ୍ଧ, ମାଂସ ଓ ପଶୁଖାଦ୍ୟ ପ୍ରକ୍ରିୟାକରଣ କ୍ଷମତା ୨ରୁ ୪ ଶତାଂଶ ବୃଦ୍ଧି ପାଇଛି ।

ପଶୁଧନ କ୍ଷେତ୍ର ନିବେଶକଙ୍କ ପାଇଁ ଏକ ଆକର୍ଷଣୀୟ ସୁଯୋଗ ସୃଷ୍ଟି କରିଛି । ଯୋଗାଣ ଶୃଙ୍ଖଳ, ପଶୁପକ୍ଷୀ ପାଳନ, ଶୀତଳ ଜଞ୍ଜିର ବ୍ୟବସ୍ଥା ସ୍ଥାପନ, ଦୁଗ୍ଧ, ମାଂସ ଓ ପଶୁଖାଦ୍ୟର ସମନ୍ୱିତ ଉଦ୍ୟୋଗ, ବୈଷୟିକ ପ୍ରଣାଳୀରେ ଗୋମେଷ ଓ କୁକୁଡା ବତକ ପାଳନ, ପଶୁପକ୍ଷୀଙ୍କ ଆବର୍ଜନାର ପରିଚାଳନା, ପଶୁପକ୍ଷୀଙ୍କ ଔଷଧ ଓ ଟିକା ଉତ୍ପାଦନ ୟୁନିଟ୍ ସ୍ଥାପନ ଏସବୁକୁ ମିଶାଇଲେ ଏହା ଏକ ବିରାଟ ଉଦ୍ୟୋଗ ପାଲଟିଛି ଯେଉଁଠି ପୁଞ୍ଜିନିବେଶ ବିଶେଷ ଲାଭଜନକ ହୋଇଛି ।

ଏହି ଯୋଜନା ବିପୁଳ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଏବଂ ପ୍ରାୟ ୩୫ ଲକ୍ଷ ଲୋକ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁବିଧା ପାଇବେ । ଏହା ମଧ୍ୟ ଉଦ୍ୟମିତା ବିକାଶକୁ ପ୍ରୋତ୍ସାହନ ଯୋଗାଇବ । ପ୍ରାଣୀଧନ କ୍ଷେତ୍ରରେ ସମ୍ପଦ ସୃଷ୍ଟିରୁ ଏହା ବିଶେଷ ସହାୟକ ହେବ । ଏଯାବତ ଏଚଆଇଡିଏଫ ଉଭୟ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ପ୍ରାୟ ୧୫ଲକ୍ଷ ଚାଷୀଙ୍କୁ ଉପକୃତ କରିବାରେ ସଫଳ ହୋଇଛି । ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିବାକୁ ପ୍ରଧାନମନ୍ତ୍ରୀ ଯେଉଁ ଲକ୍ଷ୍ୟ ରଖିଛନ୍ତି ତାହାକୁ ହାସଲ କରିବାରେ ଏହି ଉଦ୍ୟୋଗ ଉତ୍ତମ ଅବଦାନ ଯୋଗାଇବ । ଏହି କ୍ଷେତ୍ରରେ ଘରୋଇ ପୁଞ୍ଜିନିବେଶ ଯେତେ ବଢିବ ଏହାର ଅଭିବୃଦ୍ଧି ସେତେ ତ୍ୱରାନ୍ୱିତ ହେବ । ଏହି କ୍ଷେତ୍ରରେ ଉତ୍ପାଦିତ ସାମଗ୍ରୀର ମାନବୃଦ୍ଧି କରି ଏହାର ରପ୍ତାନୀ ବଜାରକୁ ବଢାଇବାରେ ହେଉଥିବାର ଉଦ୍ୟମ ଉତ୍ସାହଜନକ ସଙ୍କେତ ଦେଉଛି । ଏ କ୍ଷେତ୍ରରେ ନୂଆ ଟେକ୍‌ନୋଲୋଜିର ପ୍ରବେଶ ବହୁ ଭାବେ ଘଟୁଛି । ଭିତ୍ତିଭୂମି ବିକାଶ କାମ ମଧ୍ୟ ଦ୍ରୁତଗତିରେ ବ୍ୟାପକ ସ୍ତରରେ ଆଗେଇ ଚାଲିଛି । ଦେଶର ଅର୍ଥନୈତିକ  ବିକାଶରେ ଏହି ଉଦ୍ୟୋଗର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।

ଅତଏବ ଏଏଚ୍‌ଆଇଡିଏଫକୁ ପ୍ରୋତ୍ସାହିତ କରିବା ପାଇଁ ପୁଞ୍ଜିନିବେଶ ଏକ ବାସ୍ତବବାଦୀ ପଦକ୍ଷେପ । ଏହା ଏ କ୍ଷେତ୍ରରେ ଘରୋଇ ପୁଞ୍ଜିନିବେଶକୁ ସାତଗୁଣ ବଢାଇବା  ବୋଲି ଆଶା କରାଯାଏ । ସର୍ବୋପରି  ଏହା ମଧ୍ୟ କୃଷକଙ୍କୁ ଏ କ୍ଷେତ୍ରରେ ବିଭିନ୍ନ ପ୍ରକାର ବିନିଯୋଗ ପାଇଁ ଉତ୍ସାହିତ କରିବା ସହ ସେମାନଙ୍କର ଆୟ ବୃଦ୍ଧିରେ ସହାୟକ ହେବ ।

Related posts