Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ମିଶନ ଶକ୍ତି ମହିଳାଙ୍କୁ ୟୁନିଫର୍ମ କିଣିବା ପାଇଁ ମିଳିବ ହଜାର ଟଙ୍କା, ରାଜ୍ୟ କ୍ୟାବିନେଟରେ ଅନୁମୋଦନ

ଭୁବନେଶ୍ବର: ରାଜ୍ୟର ସମସ୍ତ ଏସଏଚଜି ମହିଳାମାନଙ୍କୁ ମିଳିବ ହଜାରେ ଟଙ୍କା ଲେଖାଏଁ। ସେମାନଙ୍କର ୟୁନିଫର୍ମ କିଣିବା ପାଇଁ ଏହି ଅନୁଦାନ ପ୍ରଦାନ କରାଯିବ। ସେହିପରି କାର୍ଯ୍ୟନିର୍ବାହି କମିଟ ସଦସ୍ୟାଙ୍କୁ ବ୍ଲେଜର ପାଇଁ ମୋଟ ଦୁଇ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ।ଏ ନେଇ ରାଜ୍ୟ କ୍ୟାବିନେଟ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି।

ରାଜ୍ୟରେ ବର୍ତ୍ତମାନ ୭୦ଲକ୍ଷ ମହିଳା ଏହି ମିଶନ ଶକ୍ତି ମାଧ୍ୟମରେ କାର୍ଯ୍ୟ କରୁଛନ୍ତି। ସେମାନଙ୍କୁ ସଶକ୍ତ କରିବା ପାଇଁ ସରକାର ପୂର୍ବରୁ ସ୍କୁଟର ଯୋଜନା ଲାଗୁ କରିବା ସହିତ ବିନା ସୁଧରେ ଋଣ ଯୋଗାଇ ଆସୁଛନ୍ତି। ଏଥିପାଇଁ ୭୩୦କୋଟି ବ୍ୟୟ କରାଯିବ ଯାହାକୁ କ୍ୟାବିନେଟ ଅନୁମୋଦନ କରିଛନ୍ତି।

ଗତକାଲି ରାଜ୍ୟ କ୍ୟାବିନେଟର ୭୩ ତମ ବୈଠକ ଲୋକ ସେବା ଭବନର ତୃତୀୟ ମହଲା ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି କ୍ୟାବିନେଟ ବୈଠକରେ ୧୦ ଟି ବିଭିନ୍ନ ବିଭାଗ ର ୧୨ ଟି ପ୍ରସ୍ତାବ ଆଗତ କରାଯାଇଥିଲା ବେଳେ ସମସ୍ତ ପ୍ରସ୍ତାବ ପାରିତ ହୋଇଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ୟୁରିଆ ପ୍ରସ୍ତୁତି ପାଇଁ ଘରୋଇ ଗ୍ୟାସ୍ ଯୋଗାଣ ସଂକ୍ରାନ୍ତ ପ୍ରସ୍ତାବକୁ କ୍ୟାବିନେଟରେ ଅନୁମୋଦିତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ରାସାୟନିକ ସାର (ୟୁରିଆ) ପ୍ରସ୍ତୁତି ପାଇଁ ଘରୋଇ ଗ୍ୟାସ୍ ଯୋଗାଣ ସଂକ୍ରାନ୍ତ ମାର୍କେଟିଂ ମାର୍ଜିନ (ବିପଣନ ଲାଭ)କୁ ପିଛିଲା ଭାବେ ଅନୁମୋଦନ କରାଯାଇଛି । ଏହା ଫଳରେ ୟୁରିଆ ଉତ୍ପାଦନ ପାଇଁ ସାର କାରଖାନାକୁ ମେ ପହିଲା ୨୦୦୯ରୁ ୨୦୧୫ ନଭେମ୍ବର ୧୭ ତାରିଖ ମଧ୍ୟରେ ଯୋଗାଇ ଦିଆଯାଇଥିବା ଘରୋଇ ଗ୍ୟାସ ଉପରେ ସମ୍ପୃକ୍ତ ଗ୍ୟାସ ଯୋଗାଣକାରୀ କମ୍ପାନୀଙ୍କୁ ବିପଣନଗତ ଲାଭ ମିଳିବ । ଏହି ଅନୁମୋଦନ ଢାଞ୍ଚାଗତ ସଂସ୍କାରର ଏକ ଅଂଶ ବିଶେଷ । ଗ୍ୟାସ ବିପଣନ କରୁଥିବା କମ୍ପାନୀମାନେ ଗ୍ୟାସର ପ୍ରକୃତ ମୂଲ୍ୟଠାରୁ ଅଧିକ ଦାମ୍‌ରେ ତାହା ଖାଉଟି ବା ଉପଭୋକ୍ତାଙ୍କୁ ଯୋଗାଇଥାନ୍ତି । ପରିବହନ ଓ ଆବଣ୍ଟନ ଜନିତ ଖର୍ଚ୍ଚକୁ ଭରଣା କରି ତା’ ଉପରେ ସେମାନେ ଉପଯୁକ୍ତ ଲାଭ ରଖିଥାନ୍ତି । ସେ ଦୃଷ୍ଟିରୁ ୟୁରିଆ କାରଖାନା ଗୁଡିକ ସମ୍ପୃକ୍ତ ଗ୍ୟାସ ଯୋଗାଣକାରୀଙ୍କୁ ଏହି ସମୟ ପାଇଁ ବର୍ଦ୍ଧିତ ମୂଲ୍ୟ ଦେବେ ।

ଦେଶର ୟୁରିଆ ପ୍ରସ୍ତୁତକାରୀ ସାର କମ୍ପାନୀମାନେ ଦେଶୀ ଗ୍ୟାସ ବିନିଯୋଗ କରିଥାନ୍ତି । ସେମାନେ କେଉଁ ଦରରେ ଗ୍ୟାସ ବିପଣନକାରୀ କମ୍ପାନୀଙ୍କ ଠାରୁ କିଣିବେ ତାହା ସରକାର ଧାର୍ଯ୍ୟ କରିଥାନ୍ତି । ଏଲ୍‌ପିଜି ଉତ୍ପାଦନକାରୀଙ୍କୁ ମଧ୍ୟ ଗ୍ୟାସ ଯୋଗାଣବେଳେ ସମାନନୀତି ଅବଲମ୍ବନ କରାଯାଇଥାଏ । ୨୦୦୯ ମେ ପହିଲାରୁ ୨୦୧୫ ନଭେମ୍ବର ୧୭ ତାରିଖ ଯାଏ ଏହି ମାର୍କେଟିଂ ମାର୍ଜିନ ବା ଲାଭଜନକ ଯୋଗାଣ ମୂଲ୍ୟ ଗ୍ୟାସ ଯୋଗାଣକାରୀଙ୍କ ପାଇଁ କ୍ୟାବିନେଟରେ ଅନୁମୋଦନ ପାଇ ନ ଥିଲା ।

ଏବେ କ୍ୟାବିନେଟରେ ଏହା ଅନୁମୋଦିତ ହୋଇଥିବାରୁ ସମ୍ପୃକ୍ତ ୟୁରିଆ ଉତ୍ପାଦନକାରୀ କମ୍ପାନୀମାନେ ଗ୍ୟାସ କ୍ରୟ ବାବଦ ଅତିରିକ୍ତ ଖର୍ଚ୍ଚ ପାଇଁ ଆବଶ୍ୟକ ପୁଞ୍ଜି ପାଇବେ । ସେମାନଙ୍କୁ ନୂଆ ହାରରେ ଏହି ଅର୍ଥ ସମ୍ପୃକ୍ତ ଗ୍ୟାସ ଯୋଗାଣକାରୀଙ୍କୁ ଦେବାକୁ ପଡିବ । ସୂଚନାଯୋଗ୍ୟ ଯେ ୨୦୧୫ ନଭେମ୍ବର ୧୮ ଠାରୁ ନୂଆ ମୂଲ୍ୟରେ ଘରୋଇ ଗ୍ୟାସ କିଣିବାକୁ ୟୁରିଆ ଗୁଡିକୁ ଅନୁମତି ମିଳିଛି ଏବଂ ତାହା ଏବେ ମଧ୍ୟ ବଳବତ୍ତର ଅଛି ।

ଏହି ଅନୁମୋଦନ ଭାରତ ସରକାରଙ୍କ ଆତ୍ମନିର୍ଭର ଭାରତ ଯୋଜନା ନୀତିକୁ ପ୍ରୋତ୍ସାହିତ କରିବ ଏବଂ ପୁଞ୍ଜିନିବେଶ ବଢାଇବାକୁ ଅଧିକ ଆଗ୍ରହ ନିବେଶକଙ୍କ ମଧ୍ୟରେ ସୃଷ୍ଟି କରିବ । ଏହି କ୍ଷେତ୍ରରେ ପୁଞ୍ଜିନିବେଶ ବଢିଲେ ଭାରତ ୟୁରିଆ ଭଳି ଗୁରୁ୍‌ତ୍ୱପୂର୍ଣ୍ଣ ସାର ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭର ହୋଇପାରିବ । ଏହାଛଡା ଗ୍ୟାସ ଭିତ୍ତିଭୂମିରେ ଭବିଷ୍ୟତର ପୁଞ୍ଜିନିବେଶକୁ ଏହା ପ୍ରୋତ୍ସାହନ ଯୋଗାଇବ ।

Categories
ଆଜିର ଖବର ଜାତୀୟ ଖବର

ପଶୁଧନ ଭିତ୍ତିଭୂମି ବିକାଶ ପାଣ୍ଠିର ସମ୍ପ୍ରସାରଣକୁ କ୍ୟାବିନେଟର ଅନୁମୋଦନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ପଶୁଧନ ଭିତ୍ତିଭୂମି  ବିକାଶ ପାଣ୍ଠିର ସମ୍ପ୍ରସାରଣକୁ ଅନୁମୋଦନ କରାଯାଇଛି। ଏହି ପାଣ୍ଠି ଏବେ ଭିତ୍ତିଭୂମି ବିକାଶ ପାଣ୍ଠି (ଆଇଡିଏଫ୍‌) ଅଧୀନରେ କାର୍ଯ୍ୟକାରୀ ହେବ ଏବଂ ଏଥିପାଇଁ ୨୦୨୫-୨୬ ଆର୍ଥିକ ବର୍ଷ ନିମନ୍ତେ ୨୯,୬୧୦ କୋଟି ୨୫ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଛି । ସମ୍ପୃକ୍ତ ଅର୍ଥ ବିଶେଷତଃ ଦୁଗ୍ଧ ପ୍ରକ୍ରିୟାକରଣ, ବିଭିନ୍ନ ପ୍ରକାର ଦୁଗ୍ଧଜାତ ଦ୍ରବ୍ୟର ଉତ୍ପାଦନ ଓ ସଂରକ୍ଷଣ, ମାଂସ ପ୍ରକ୍ରିୟାକରଣ, ଉତ୍ପାଦର ବିବିଧାୟନ, ପଶୁଖାଦ୍ୟ ପ୍ଲାଣ୍ଟ ସ୍ଥାପନ, ପଶୁ ପ୍ରଜାତିର ସୁରକ୍ଷା ଓ ବିକାଶ, ଗୋମେଷାଦିର ମଳମୂତ୍ରରୁ ଖତ ଓ ଅନ୍ୟାନ୍ୟ ଦରକାରୀ ସାମଗ୍ରୀ ପ୍ରସ୍ତୁତ, ପଶୁପକ୍ଷୀଙ୍କ ଟିକା ଓ ଔଷଧ ପ୍ରସ୍ତୁତି ୟୁନିଟ୍‌ମାନ ସ୍ଥାପନ କରିବାରେ ଖର୍ଚ୍ଚ ହେବ।

ଯେଉଁମାନେ ପଶୁଧନ ବିକାଶ କାର୍ଯ୍ୟ ପାଇଁ ଋଣ ନେବେ ସରକାର ସେମାନଙ୍କୁ ଆଠ ବର୍ଷ ଯାଏ ୩ ଶତାଂଶ ସୁଧ ରିହାତି ଦେବେ । ଋଣ ନେବାର ପ୍ରଥମ ଦୁଇବର୍ଷ ପର୍ଯ୍ୟନ୍ତ କିସ୍ତି ପରିଶୋଧ କରିବାକୁ ପଡିବ ନାହିଁ । ଏହି ଋଣ ସବୁ ଅନୁସୂଚିତ ବ୍ୟାବସାୟିକ ବ୍ୟାଙ୍କ, ଜାତୀୟ ସମବାୟ ବିକାଶ ନିଗମ (ଏନ୍‌ସିଡିସି), ଏଫପିଓ, ଏମ୍‌ଏସ୍‌ଏମଇ ଓ ଧାରା ଆଠର ଅନ୍ତର୍ଭୁକ୍ତ  କମ୍ପାନୀ ସମୂହ ନେଇପାରିବେ । ଏବେ ଡେରୀ ଉଦ୍ୟୋଗକୁ ମଧ୍ୟ ଆଧୁନିକୀକରଣର ସୁଯୋଗ ମିଳିବ  ଏବଂ ଏହା ଫଳରେ ଡେରୀ ପ୍ଲାଣ୍ଟ ତଥା ଦୁଗ୍ଧ ସମବାୟକୁ ଲାଭ ମିଳିବ । ସରକାର ଯେଉଁ ସୁଧ ରିହାତି ଦେବେ ତାହା ମୋଟ ଋଣର ୯୦ ଶତାଂଶ ପର୍ଯ୍ୟନ୍ତ ପ୍ରଯୁଜ୍ୟ ହେବ ।

ସରକାର ମଧ୍ୟ ୭୫୦ କୋଟି ଟଙ୍କାର ଋଣ ଗ୍ୟାରେଣ୍ଟି ପାଣ୍ଠିର ବ୍ୟବସ୍ଥା କରିଛନ୍ତି । ସେହି ପାଣ୍ଠିରୁ ଏମ୍‌ଏସ୍‌ଏମ୍‌ଇ ଓ ଦୁଗ୍ଧ ସମବାୟଗୁଡିକୁ ସେମାନଙ୍କ ଋଣ ଉପରେ ୨୫ ଶତାଂଶ ଯାଏ ଋଣ ଗ୍ୟାରେଣ୍ଟି ଯୋଗାଇ ଦିଆଯିବ ।

ପଶୁଧନ ଭିତ୍ତିଭୂମି ବିକାଶ ପାଣ୍ଠି (ଏଏଚ୍‌ଆଇଡିଏଫ) ଏବେ ଦେଶରେ ଦୈନିକ ୧୪୧.୦୪ ଲକ୍ଷ ଲିଟର ଅତିରିକ୍ତ କ୍ଷୀର ପ୍ରକ୍ରିୟାକରଣ କ୍ଷମତା ସୃଷ୍ଟି କରିଛି । ଏହାଛଡା ଏବେ ଦେଶରେ ଦୈନିକ ୭୯.୨୪ ଲକ୍ଷ ମେଟ୍ରିକ ଟନ୍ ପଶୁଖାଦ୍ୟ ପ୍ରକ୍ରିୟାକରଣ ଓ ୯.୦୬ ଲକ୍ଷ ମେଟ୍ରିକଟନ୍ ମାଂସ ପ୍ରକ୍ରିୟାକରଣ ସାମର୍ଥ୍ୟ ସୃଷ୍ଟି ହୋଇଛି । ଏହା ଫଳରେ ଏ କ୍ଷେତ୍ରରେ ସମଗ୍ର ଯୋଗାଣ ବ୍ୟବସ୍ଥା ସୁଦୃଢ ତଥା ବ୍ୟାପକ ହୋଇ ଲୋକଙ୍କର ଆୟ ବଢିଛି । ଏହି ଯୋଜନାରେ ଦେଶରେ ଦୁଗ୍ଧ, ମାଂସ ଓ ପଶୁଖାଦ୍ୟ ପ୍ରକ୍ରିୟାକରଣ କ୍ଷମତା ୨ରୁ ୪ ଶତାଂଶ ବୃଦ୍ଧି ପାଇଛି ।

ପଶୁଧନ କ୍ଷେତ୍ର ନିବେଶକଙ୍କ ପାଇଁ ଏକ ଆକର୍ଷଣୀୟ ସୁଯୋଗ ସୃଷ୍ଟି କରିଛି । ଯୋଗାଣ ଶୃଙ୍ଖଳ, ପଶୁପକ୍ଷୀ ପାଳନ, ଶୀତଳ ଜଞ୍ଜିର ବ୍ୟବସ୍ଥା ସ୍ଥାପନ, ଦୁଗ୍ଧ, ମାଂସ ଓ ପଶୁଖାଦ୍ୟର ସମନ୍ୱିତ ଉଦ୍ୟୋଗ, ବୈଷୟିକ ପ୍ରଣାଳୀରେ ଗୋମେଷ ଓ କୁକୁଡା ବତକ ପାଳନ, ପଶୁପକ୍ଷୀଙ୍କ ଆବର୍ଜନାର ପରିଚାଳନା, ପଶୁପକ୍ଷୀଙ୍କ ଔଷଧ ଓ ଟିକା ଉତ୍ପାଦନ ୟୁନିଟ୍ ସ୍ଥାପନ ଏସବୁକୁ ମିଶାଇଲେ ଏହା ଏକ ବିରାଟ ଉଦ୍ୟୋଗ ପାଲଟିଛି ଯେଉଁଠି ପୁଞ୍ଜିନିବେଶ ବିଶେଷ ଲାଭଜନକ ହୋଇଛି ।

ଏହି ଯୋଜନା ବିପୁଳ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଏବଂ ପ୍ରାୟ ୩୫ ଲକ୍ଷ ଲୋକ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁବିଧା ପାଇବେ । ଏହା ମଧ୍ୟ ଉଦ୍ୟମିତା ବିକାଶକୁ ପ୍ରୋତ୍ସାହନ ଯୋଗାଇବ । ପ୍ରାଣୀଧନ କ୍ଷେତ୍ରରେ ସମ୍ପଦ ସୃଷ୍ଟିରୁ ଏହା ବିଶେଷ ସହାୟକ ହେବ । ଏଯାବତ ଏଚଆଇଡିଏଫ ଉଭୟ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ପ୍ରାୟ ୧୫ଲକ୍ଷ ଚାଷୀଙ୍କୁ ଉପକୃତ କରିବାରେ ସଫଳ ହୋଇଛି । ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିବାକୁ ପ୍ରଧାନମନ୍ତ୍ରୀ ଯେଉଁ ଲକ୍ଷ୍ୟ ରଖିଛନ୍ତି ତାହାକୁ ହାସଲ କରିବାରେ ଏହି ଉଦ୍ୟୋଗ ଉତ୍ତମ ଅବଦାନ ଯୋଗାଇବ । ଏହି କ୍ଷେତ୍ରରେ ଘରୋଇ ପୁଞ୍ଜିନିବେଶ ଯେତେ ବଢିବ ଏହାର ଅଭିବୃଦ୍ଧି ସେତେ ତ୍ୱରାନ୍ୱିତ ହେବ । ଏହି କ୍ଷେତ୍ରରେ ଉତ୍ପାଦିତ ସାମଗ୍ରୀର ମାନବୃଦ୍ଧି କରି ଏହାର ରପ୍ତାନୀ ବଜାରକୁ ବଢାଇବାରେ ହେଉଥିବାର ଉଦ୍ୟମ ଉତ୍ସାହଜନକ ସଙ୍କେତ ଦେଉଛି । ଏ କ୍ଷେତ୍ରରେ ନୂଆ ଟେକ୍‌ନୋଲୋଜିର ପ୍ରବେଶ ବହୁ ଭାବେ ଘଟୁଛି । ଭିତ୍ତିଭୂମି ବିକାଶ କାମ ମଧ୍ୟ ଦ୍ରୁତଗତିରେ ବ୍ୟାପକ ସ୍ତରରେ ଆଗେଇ ଚାଲିଛି । ଦେଶର ଅର୍ଥନୈତିକ  ବିକାଶରେ ଏହି ଉଦ୍ୟୋଗର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।

ଅତଏବ ଏଏଚ୍‌ଆଇଡିଏଫକୁ ପ୍ରୋତ୍ସାହିତ କରିବା ପାଇଁ ପୁଞ୍ଜିନିବେଶ ଏକ ବାସ୍ତବବାଦୀ ପଦକ୍ଷେପ । ଏହା ଏ କ୍ଷେତ୍ରରେ ଘରୋଇ ପୁଞ୍ଜିନିବେଶକୁ ସାତଗୁଣ ବଢାଇବା  ବୋଲି ଆଶା କରାଯାଏ । ସର୍ବୋପରି  ଏହା ମଧ୍ୟ କୃଷକଙ୍କୁ ଏ କ୍ଷେତ୍ରରେ ବିଭିନ୍ନ ପ୍ରକାର ବିନିଯୋଗ ପାଇଁ ଉତ୍ସାହିତ କରିବା ସହ ସେମାନଙ୍କର ଆୟ ବୃଦ୍ଧିରେ ସହାୟକ ହେବ ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ରାଜ୍ୟ କ୍ୟାବିନେଟ ବୈଠକ, ହୋଇପାରେ ପୁଣି ଏକ ବଡ ଘୋଷଣା

ଭୁବନେଶ୍ବର: ଆଜି ବସିବ ରାଜ୍ୟ କ୍ୟାବିନେଟ ବୈଠକ। ମଧ୍ୟାହ୍ନରେ ଏହି ବୈଠକ ବସିବ ବୋଲି ନିଷ୍ପତି ହୋଇଛି। ତେବେ ଏହି ବୈଠକରେ ଏକ ଗୁରୁତ୍ବପୂର୍ଣ୍ଣ ଘୋଷଣା ହେବାର ସମ୍ଭାବନା ରହିଛି। କାରଣ ବର୍ତ୍ତମାନ ନବୀନ ସରକାର ପ୍ରତିଦିନ କିଛି ନା କିଛି ନୂଆନୂଆ ଘୋଷଣା କରିବାରେ ଲାଗିଛନ୍ତି। ସେହି ଅନୁସାରେ ଆଜି ମଧ୍ୟ କିଛି ନୂଆ ଯୋଜନାର ଘୋଷଣା କରାଯିବ ବୋଲି ଆଶା କରାଯାଉଛି।

ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସୁଥିବା ଏହି କ୍ୟାବିନେଟ ବୈଠକରେ ୧୦ରୁ ଅଧିକ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବରେ ମୋହର ବାଜିପାରେ । ବିଭିନ୍ନ ବିଭାଗର କ୍ୟାଡର ପୁନର୍ଗଠନ ସହିତ କୃଷ, ମହିଳା ବିକାଶ କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ। ସେହିପରି ପଞ୍ଚାୟତିରାଜ, ସ୍ବାସ୍ଥ୍ୟ, ଜଳସଂପଦ, ସମବାୟ ବିଭାଗ ସମ୍ପର୍କିତ ଏକାଧିକ ପ୍ରସ୍ତାବରେ ନିଷ୍ପତି ନିଆଯାଇପାରେ।

Categories
ଜାତୀୟ ଖବର ବିଶେଷ ଖବର

ଜାତିସଂଘ ଜଳବାୟୁ ପରିବର୍ତ୍ତନ ଚୁକ୍ତିର କାର୍ଯ୍ୟକାରିତା ସଂକ୍ରାନ୍ତ ଏନଡିସି କୁ କ୍ୟାବିନେଟର ଅନୁମୋଦନ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଏଠାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଜାତିସଂଘ ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ସମ୍ମିଳନୀ (ୟୁଏନ୍‌ଏଫସିସିସି)କୁ ଅବଗତ କରାଇବା ପାଇଁ ଉଦ୍ଦିଷ୍ଟ ଭାରତର ନୂଆ କାର‌୍ୟ୍ୟସୂଚୀ ଓ ଉପଲବ୍ଧି (ଏନ୍‌ଡିସି)କୁ ଅନୁମୋଦନ କରାଯାଇଛି।

ଏହି ଅଦ୍ୟତନ(ଅପଡେଟେଡ୍‌) ଏନ୍‌ଡିସିରେ ପ୍ୟାରିସ୍ ଚୁକ୍ତି ଅନୁସାରେ ଜଳବାୟୁ ପରିବର୍ତ୍ତନ ରୋକିବାକୁ କି ପ୍ରକାର ସବିଶେଷ ଜାତୀୟ ପଦକ୍ଷେପ ଓ ଯୋଜନାମାନ ପ୍ରସ୍ତୁତ କରାଯାଇଛି ତାହା ସ୍ଥାନ ପାଇଛି। ଭାରତର ଏହି କାର‌୍ୟ୍ୟାନୁଷ୍ଠାନ ଦେଶର ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ କରିବାରେ ସହାୟକ ହେବ। ଏଥିରେ ଅଭିବୃଦ୍ଧି ଧାରାକୁ ଅବ୍ୟାହତ ରଖିବା ସହିତ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ ଗୁରୁତ୍ୱ ପାଇଛି। ୟୁଏନ୍‌ଏଫ୍‌ସିସିସିର ସର୍ତ୍ତ ଅନୁସାରେ ନିଜର ଜରୁରୀ ଆବଶ୍ୟକତା ପୂରଣ ନୀତିରେ ଭାରତ ଜୈବିକ ଇନ୍ଧନ ବ୍ୟବହାର କରିବ; ତେବେ ଏ କ୍ଷେତ୍ରରେ ଅଙ୍ଗାରକାମ୍ଳ ନିର୍ଗମନ କିପରି କମିବ ସେ ଦିଗରେ ଧ୍ୟାନ ଦେବ।

ଜାତିସଂଘ ମାର୍ଫତରେ ବିଶ୍ୱ ଜଳବାୟୁ ପରିବର୍ତ୍ତନ ପ୍ରଭାବ ରୋକିବାକୁ ବିଭିନ୍ନ ରାଷ୍ଟ୍ରମାନଙ୍କ ସମ୍ମିଳନୀ (କୋପ୍‌)ନିୟମିତ ଭାବେ ଆୟୋଜିତ ହେଉଛି। ବ୍ରିଟେନର ଗ୍ଲାସ୍‌ଗୋରେ ଅନୁଷ୍ଠିତ କୋପ୍‌-୨୬ରେ ଭାରତ ବିଶ୍ୱ ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ସମଗ୍ର ପୃଥିବୀକୁ ଏକ ପଞ୍ଚସୂତ୍ରୀ ଯୋଜନା ଦେଇଥିଲା ଯାହା “ପଞ୍ଚାମୃତ” ନାମରେ ପରିଚିତ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ସୂତ୍ର ପ୍ରଦାନ କରିଥିଲେ। ଭାରତ ସେହି ପଞ୍ଚାମୃତ ସୂତ୍ରରେ ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ କାର‌୍ୟ୍ୟ କରୁଛି। ଏବେ ଭାରତ ତାହାର ଏହି କାର‌୍ୟ୍ୟକ୍ରମ/ଯୋଜନାକୁ ଅଦ୍ୟତନ (ଅପଡେଟ୍‌) କରି ସେଥିରେ ୨୦୭୦ ସୁଦ୍ଧା ତାହାର ଅଙ୍ଗାରକାମ୍ଳ (କାର୍ବନ)ନିର୍ଗମନ ହାରକୁ ଶୂନରେ ପହଞ୍ଚାଇବାକୁ ଲକ୍ଷ୍ୟଧାର୍ଯ୍ୟ କରିଛି ।

ପୂର୍ବରୁ ଭାରତ ୨୦୧୫ ଅକ୍ଟୋବର ୨ରେ ୟୁଏନ୍‌ଏଫ୍‌ସିସିସିକୁ ଏହାର ଏନ୍‌ଡିସି ପ୍ରଦାନ କରିଥିଲା। ଏଥିରେ ଆଠଟି ଲକ୍ଷ୍ୟ ଥିଲା। ସେଥିରୁ ତିନୋଟି ଯଥା ଅକ୍ଷୟଶକ୍ତି ଉତ୍ପାଦନ ମାଧ୍ୟମରେ ନିଜର ବିଜୁଳି ଆବଶ୍ୟକତାର ୪୦% ପୂରଣ କରିବାକୁ ଆବଶ୍ୟକ ଭିତ୍ତିଭୂମି ନିର୍ମାଣ, ୨୦୦୫ ସ୍ତର ଅନୁସାରେ ନିଜ ଜିଡିପିର ୩୩ରୁ ୩୫ଭାଗ ପର‌୍ୟ୍ୟନ୍ତ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ, ତଥା ନୂତନ ଜଙ୍ଗଲ ଓ ସବୁଜିମା ସୃଷ୍ଟି ମାଧ୍ୟମରେ ଆଉ ଅତିରିକ୍ତ ୨.୫ରୁ ୩ ବିଲିୟନ ଟନ୍‌ର କାର୍ବନ ସିଙ୍କ୍ ସୃଷ୍ଟି ଗୁରୁତ୍ୱ ପାଇଥିଲା।

ନୂଆ ଏନ୍‌ଡିସି ଅନୁସାରେ ୨୦୦୫ ବର୍ଷ ତୁଳନାରେ ୨୦୩୦ ସୁଦ୍ଧା ଭାରତ ତାହାର ଜିଡିିପିର ୪୫ ଶତାଂଶ ପର‌୍ୟ୍ୟନ୍ତ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ କରିବାକୁ ସଂକଳ୍ପ ବଦ୍ଧ । ସେହିଭଳି ୨୦୩୦ ସୁଦ୍ଧା ଭାରତ ମଧ୍ୟ ଅଣ ପାରମ୍ପରିକ ଉତ୍ସରୁ ଅକ୍ଷୟ ଶକ୍ତି ଉତ୍ପାଦନ ପାଇଁ ତାହାର ବିଜୁଳି ଉତ୍ପାଦନ କ୍ଷମତାକୁ ୫୦% ବୃଦ୍ଧି କରିବ। ଆଜି କ୍ୟାବିନେଟରେ ଅନୁମୋଦିତ ଏନ୍‌ଡିସିରେ ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟ ପ୍ରତିଫଳିତ ହୋଇଛି। ଜଳବାୟୁ ପରିବର୍ତ୍ତନର ପ୍ରଭାବରୁ ଗରିବ ଓ ବିପଦାପନ୍ନ ଲୋକଙ୍କୁ ସୁରକ୍ଷିତ ରଖିବା ସହିତ ଜୀବନ ଶୈଳୀ ପରିବର୍ତ୍ତନ, ନିରନ୍ତର ବିକାଶ ଏବଂ ସମସ୍ତଙ୍କୁ ଜଳବାୟୁ ନ୍ୟାୟ ପ୍ରଦାନ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ।

ଅପ୍‌ଡେଟେଡ୍ ଏନ୍‌ଡିସିରେ କୁହାଯାଇଛି ଯେ “ ପରମ୍ପରା ଭିତ୍ତିରେ, ସଂରକ୍ଷଣ ମୂଲ୍ୟବୋଧ ଅନୁସାରେ, ସର୍ବନିମ୍ନ ଆବଶ୍ୟକତା ପୂରଣ ଲକ୍ଷ୍ୟରେ ସୁସ୍ଥ ଓ ନିରନ୍ତର ଜୀବନ ଯାପନ ପ୍ରଚାର ନିମନ୍ତେ ଏହା ଉପସ୍ଥାପିତ ହେଉଛି ଏବଂ ‘ଲାଇଫ’କୁ ଏକ ଗଣ ଆନ୍ଦୋଳନରେ ପରିଣତ କରିବାକୁ ପ୍ରସ୍ତାବ ରଖିଛି। ‘ଲାଇଫ୍‌’ର ଅର୍ଥ ଲାଇଫ ଷ୍ଟାଇଲ ଫର ଏନ୍‌ଭିରୋନ୍‌ମେଣ୍ଟ (ପରିବେଶ ପାଇଁ ଜୀବନ ଶୈଳୀ) ଯାହା ଜଳବାୟୁ ପରିବର୍ତ୍ତନର ମୁକାବିଲା କ୍ଷେତ୍ରରେ ବିଶେଷ ଗୁରୁତ୍ୱପୂର୍ଣ୍ଣ।

ଏହି ନୂତନ ଏନ୍‌ଡିସି ଭାରତର ସ୍ୱାର୍ଥ, ପରିବେଶ ଓ ଜଳବାୟୁ ପରିବର୍ତ୍ତନରେ ଜରୁରୀ ଆବଶ୍ୟକତାଗୁଡିକୁ ବିଚାରକୁ ନେଇ ଅତ୍ୟନ୍ତ ସତର୍କତାର ସହ ପ୍ରସ୍ତୁତି ହୋଇଛି। ତେବେ ଦାୟିତ୍ୱବୋଧ ସହିତ ଦେଶର ସାମର୍ଥ୍ୟକୁ ଏଥିରେ ଗୁରୁତ୍ୱପ୍ରଦାନ କରାଯାଇଛି। ଦେଶର ନିରନ୍ତର ବିକାଶଧାରାକୁ ଅବ୍ୟାହତ ରଖି ଯଥାସମ୍ଭବ କମ୍ ଅଙ୍ଗାରକାମ୍ଳ ନିର୍ଗମନ କରିବା ଦିଗରେ ଆମେ ଯେଉଁ ଅଙ୍ଗୀକାର ପ୍ରକାଶ କରିଥିଲୁ ସେ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।

କୋପ୍‌-୨୬ରେ ପ୍ରଧାନମନ୍ତ୍ରୀ ବିଶ୍ୱ ସବୁଦାୟକୁ ଏକ ଏକକ ଶବ୍ଦ ବିଶିଷ୍ଟ ଆନ୍ଦୋଳନ (ୱାନ ୱାର୍ଡ ମୁମେଣ୍ଟ) ପାଇଁ ଆହ୍ୱାନ ଦେଇଥିଲେ। ସେହି ଶବ୍ଦଟି ଥିଲା ‘ଲାଇଫ’(ଖ, ଓ, ୠ, ଋ,)ବା ଲାଇଫ ଷ୍ଟାଇଲ ଫର ଏନ୍‌ଭିରୋନମେଣ୍ଟ। ସରଳ ଭାଷାରେ ପରିବେଶ ପାଇଁ ଜୀବନ ଶୈଳୀ। ଆମ ପୃଥିବୀର ସ୍ୱାର୍ଥ ଅନୁକୂଳ ଜୀବନ ଶୈଳୀ ଆମେ ଆପଣାଇଲେ ଆମର ଆବଶ୍ୟକତା ପୂରଣ ହେବ ଏବଂ ବସୁଧାର କୌଣସି କ୍ଷତି ହେବ ନାହିଁ । ଏନ୍‌ଡିସିରେ ନାଗରିକ କେନ୍ଦ୍ରୀୟ ଆଭିମୁଖ୍ୟ ନେଇ ଜଳବାୟୁ ପରିବର୍ତ୍ତନର ମୁକାବିଲାକୁ ଗୁରୁତ୍ୱ ଦିଆଯାଇଛି ।

୨୦୨୧ରୁ ୨୦୩୦ ମଧ୍ୟରେ ଭାରତ କିପରି ସ୍ୱଚ୍ଛ ଇନ୍ଧନ ବ୍ୟବହାର ପର‌୍ୟ୍ୟାୟକୁ ଯିବ ତାହା ଉଲ୍ଲେଖ କରାଯାଇଛି। ସ୍ୱଚ୍ଛ ଇନ୍ଧନ ଉତ୍ପାଦନ ପାଇଁ ସରକାର ଟିକସ ରିହାତି ସହିତ ଯୋଗାଇ ଦେଉଥିବା ଅନ୍ୟାନ୍ୟ ପଦକ୍ଷେପ ସମ୍ପର୍କରେ ଉଲ୍ଲେଖ ଅଛି। ଜଳ, କୃଷି, ଜଙ୍ଗଲ, ଉର୍ଜା, ଆବାସ, ବର୍ଜ୍ୟବସ୍ତୁ ପରିଚାଳନା, ସର୍କୁଲାର ଇକ୍‌ନମି ଆଦି ବିଭିନ୍ନ କ୍ଷେତ୍ରରେ ସରକାର ଗ୍ରହଣ କରୁଥିବା ପରିବେଶ ଅନୁକୂଳ ପଦକ୍ଷେପ ସମ୍ପର୍କରେ ମଧ୍ୟ ଏନ୍‌ଡିସି ତଥ୍ୟ ରଖିଛି । ଭାରତ କିପରି ପ୍ରଦୂଷଣକାରୀ ଅର୍ଥନୀତିରୁ ନିଜକୁ କ୍ରମଶଃ ଦୂରେଇ ସ୍ୱଚ୍ଛ ଇନ୍ଧନର ବ୍ୟବହାର ପୂର୍ବକ ନିଜର ଅଭିବୃଦ୍ଧି ବଢାଇବା ଦିଗରେ କାମ କରୁଛି ତାହାର ଅନେକ ଉଦାହରଣ ଏନ୍‌ଡିସିରେ ଉଲ୍ଲେଖ କରାଯାଇଛି।

୨୦୩୦ସୁଦ୍ଧା ଭାରତୀୟ ରେଳବାଇ ସମ୍ପୂର୍ଣ୍ଣ ସ୍ୱଚ୍ଛ ଇନ୍ଧନ ବ୍ୟବହାର କରିବା ଫଳରେ ବାର୍ଷିକ ଅଙ୍ଗାରକାମ୍ଳ ନିର୍ଗମନ ୬୦ ନିୟୁତ ଟନ୍ ହ୍ରାସ ପାଇବ। ସେହିଭଳି ଏଲ୍‌ଇଡି ବଲ୍‌ବ ଅଭିଯାନ ଫଳରେ ଅଙ୍ଗାରକାମ୍ଳ ନିର୍ଗମନ ବାର୍ଷିକ ୪୦ ନିୟୁତ ଟନ୍ କମିଥିବା ରିପୋର୍ଟରେ ଦର୍ଶାଯାଇଛି।

ଭାରତରେ ଜଳବାୟୁ ପରିବର୍ତ୍ତନ ମୁକାବିଲା କାର‌୍ୟ୍ୟ ପାଇଁ ମୁଖ୍ୟତଃ ଘରୋଇ ସମ୍ବଳ ବିନିଯୋଗ କରାଯାଉଛି। ତେବେ ଏ କ୍ଷେତ୍ରରେ ଅଧିକ କିଛି କରିବା ପାଇଁ ଅତିରିକ୍ତ ସମ୍ବଳ ଓ ଅତ୍ୟାଧୁନିକ ଟେକ୍‌ନୋଲୋଜିର ଆବଶ୍ୟକତା ରହିଛି। ୟୁଏନ୍‌ଏଫସିସିସି ଏବଂ ପ୍ୟାରିସ ଚୁକ୍ତିର ସର୍ତ୍ତ ଅନୁସାରେ ଏହି ଅର୍ଥ ଓ ଟେକ୍‌ନୋଲୋଜି ବିକାଶଶୀଳ ରାଷ୍ଟ୍ରଙ୍କୁ ଯୋଗାଇ ଦେବା ବିକଶିତ ରାଷ୍ଟ୍ରମାନଙ୍କର ଦାୟିତ୍ୱ। ଭାରତ ମଧ୍ୟ ଏଭଳି ବାହ୍ୟ ଆର୍ଥିକ ସହାୟତା ଓ ଟେକ୍‌ନୋଲୋଜି ଆବଶ୍ୟକ କରୁଛି।

ଭାରତର ଏନ୍‌ଡିସି କୌଣସି ନିର୍ଦ୍ଧିଷ୍ଟ କ୍ଷେତ୍ରରେ ଜଳବାୟୁ ପରିବର୍ତ୍ତନର ପ୍ରଭାବର ମୁକାବିଲା କରିବାକୁ ବାଧ୍ୟତାମୂଳକ ନୁହେଁ। ଏହାର ମୂଳ ଲକ୍ଷ୍ୟ ହେଲା ସାମଗ୍ରିକ ଅଙ୍ଗାରକାମ୍ଳ ନିର୍ଗମନ ମାତ୍ରା ହ୍ରାସ ଓ ସମୟ କ୍ରମେ ଏହାର ଅର୍ଥନୀତିର ଊର୍ଜା ଦକ୍ଷତା ବୃଦ୍ଧି। ଏହା ମଧ୍ୟ ଦେଶର ଦୁର୍ବଳ ବର୍ଗ ଅର୍ଥନୀତିର ଦୁର୍ବଳ କ୍ଷେତ୍ରକୁ ସୁରକ୍ଷିତ ରଖିବାକୁ ଚାହେଁ।

Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଭାରତ ସରକାରଙ୍କ ଠାରୁ ଏନଏସଆଇଏଲ ନେବ ୧୦ଟି ଇନ୍‌-ଅର୍ବିଟ୍‌ ଉପଗ୍ରହ, ମିଳିଲା କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଭାରତ ସରକାରଙ୍କ ଠାରୁ ୧୦ଟି ଇନ-ଅର୍ବିଟ୍‌ ସଞ୍ଚାର ଉପଗ୍ରହ ମେସର୍ସ ନ୍ୟୁ ସ୍ପେସ୍‌ ଇଣ୍ଡିଆ ଲିଃ (ଏନଏସଆଇଏଲ)କୁ ହସ୍ତାନ୍ତର କରିବା ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ଏନଏଆଇଏଲ ହେଉଛି ଭାରତ ସରକାରଙ୍କ ମହାକାଶ ବିଭାଗର ପ୍ରଶାସନିକ ନିୟନ୍ତ୍ରଣ ଅଧୀନରେ ଥିବା ଏକ ସମ୍ପୂର୍ଣ୍ଣ ରାଷ୍ଟ୍ରାୟତ୍ତ କ୍ଷେତ୍ର ଉଦ୍ୟୋଗ।

ଏନଏସଆଇଏଲର ଅଧିକୃତ ଅଂଶଧନ ପୁଞ୍ଜିକୁ ୧୦୦୦ ଟଙ୍କାରୁ ୭୫୦୦ ଟଙ୍କାକୁ ବଢ଼ାଇବା ଲାଗି ମଧ୍ୟ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି ମିଳିଛି ।

ଏସବୁ ସମ୍ପତ୍ତି ଏନଏସଆଇଏଲକୁ ହସ୍ତାନ୍ତର କରାଯିବା ଫଳରେ ସରକାରୀ ମାଲିକାନାରେ ଥିବା ଏହି କମ୍ପାନୀ ପୁଞ୍ଜି ଆଧାରିତ କାର୍ଯ୍ୟକ୍ରମ/ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ଲାଗି ଆବଶ୍ୟକ ଆର୍ଥିକ କ୍ଷମତା ପାଇପାରିବ। ଏହାଦ୍ବାରା କମ୍ପାନୀରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହିତ ପ୍ରଯୁକ୍ତି ବିକାଶ ହୋଇପାରିବ। ଅନ୍ୟ କ୍ଷେତ୍ରରେ ମଧ୍ୟ କମ୍ପାନୀର ବିକାଶ ସମ୍ଭବ ହେବ। ଏହି ଅନୁମୋଦନ ଦ୍ବାରା ମହାକାଶ କ୍ଷେତ୍ରରେ ଘରୋଇ ଆର୍ଥିକ ଗତିବିଧି ବୃଦ୍ଧି ପାଇବ ଏବଂ ବିଶ୍ବ ମହାକାଶ ବଜାରରେ ଭାରତର ଅଂଶଧନ ବଢ଼ିବ।

ମହାକାଶ କ୍ଷେତ୍ରରେ ସଂସ୍କାର ଆସିବା ଫଳରେ ଏଣ୍ଡ ଟୁ ଏଣ୍ଡ ବାଣିଜ୍ୟିକ ମହାକାଶ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବା ଏବଂ ଏକ ସମ୍ପୂର୍ଣ୍ଣ ଉପଗ୍ରହ ପରିଚାଳକ ହେବାରେ ଏନଏସଆଇଏଲକୁ କ୍ଷମତା ମିଳିପାରିଛି। ସିଙ୍ଗଲ ୱିଣ୍ଡୋ ଅପରେଟର ଭାବେ କାମ କରିବାକୁ ଥିବା ଏନଏସଆଇଏଲ ମହାକାଶ କ୍ଷେତ୍ରରେ ବ୍ୟବସାୟିକ ସୁଗମତା ସୁବିଧା ମଧ୍ୟ ପ୍ରଦାନ କରିବ।

ଏନଏସଆଇଏଲ ବୋର୍ଡ ଏବେ ଉପଗ୍ରହ ସଞ୍ଚାର କ୍ଷେତ୍ରରେ ବଜାର ପରିଦୃଶ୍ୟ ଏବଂ ବିଶ୍ବସ୍ତରୀୟ ଧାରା ଅନୁରୂପ ଟ୍ରାନ୍ସପଣ୍ଡରଗୁଡ଼ିକର ମୂଲ୍ୟ ନିର୍ଦ୍ଧାରଣ କରିବାର ଅଧିକାର ପାଇବ। ଏନଏସଆଇଏଲକୁ ନିଜ ଅନ୍ତରୀଣ ନୀତି ଏବଂ ମାର୍ଗଦର୍ଶିକା ଅନୁରୂପ କ୍ଷମତା (କାପାସିଟି) ଉପସ୍ଥାପନ କରିବା ଏବଂ ଆବଣ୍ଟିତ କରିବା ଲାଗି ମଧ୍ୟ ଅଧିକୃତ କରାଯାଇଛି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ପ୍ରବାସୀ ଓ ଗରିବ ଶ୍ରମିକଙ୍କ ପାଇଁ ଶସ୍ତା ଭଡ଼ାଘର ନିର୍ମାଣ କରିବା ପ୍ରସ୍ତାବ କେନ୍ଦ୍ର କ୍ୟାବିନେଟରେ ଗୃହୀତ

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ସହରାଞ୍ଚଳର ପ୍ରବାସୀ ଓ ଗରିବ ଶ୍ରମିକଙ୍କ ପାଇଁ ସୁଲଭ ଭଡାଘର କମ୍ପ୍ଲେକ୍ସ (ଏଆରଏଚ୍‌ସିଏସ୍‌) ନିର୍ମାଣ କରିବାକୁ ଏକ ପ୍ରସ୍ତାବ ଅନୁମୋଦନ ଲାଭ କରିଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ସହରାଞ୍ଚଳର ଏକ ଉପଯୋଜନା ଭାବେ ଏହା କାର୍ଯ୍ୟକାରୀ ହେବ ଏବଂ  ଏହାର ନାମ ରଖାଯିବ ପିଏମ୍‌ଏୱାଇ-ୟୁ। ଏହା ନିମ୍ନଲିଖିତ ବ୍ୟବସ୍ଥାରେ କାର୍ଯ୍ୟକାରୀ ହେବ।

  1. ବର୍ତ୍ତମାନ ଖାଲି ପଡିଥିବା ସମସ୍ତ ସରକାରୀ ଆବାସିକ କମ୍ପ୍ଲେକ୍ସକୁ ଏଆରଏଚସିଏସ୍‌ରେ ପରିଣତ କରାଯିବ। ଏଥିପାଇଁ 25 ବର୍ଷିଆ ରିହାତି ଚୁକ୍ତିରେ ବ୍ୟବସ୍ଥା ରହିବ। ଚୁକ୍ତି ସ୍ୱାକ୍ଷରକାରୀ ଏସବୁ କମ୍ପ୍ଲେକ୍ସକୁ ମରାମତି ଓ ବାସପୋଯୋଗୀ କରିବେ ତଥା କୋଠରୀଗୁଡିକର ରକ୍ଷାଣାବେକ୍ଷଣ ଦାୟିତ୍ୱ ତୁଲାଇବେ। ଜଳଯୋଗାଣ, ସ୍ୱେରେଜ, ସେପ୍ଟେଜ, ପରିମଳ, ରାସ୍ତା ନିର୍ମାଣ ଆଦି କାମ ସଂପୃକ୍ତ କନ୍‌ସେସନାୟରକୁ ବୁଝିବାକୁ ପଡିବ। ଏ କ୍ଷେତ୍ରରେ କନ୍‌ସେସନାୟାର କିଏ ହେବ ରାଜ୍ୟ ସରକାର ନିଲାମ ବ୍ୟବସ୍ଥାରେ ତାହା ଚୂଡାନ୍ତ କରିବେ। ପଚିଶ ବର୍ଷ ପରେ ଏସବୁ ଆବାସିକ କମ୍ପ୍ଲେକ୍ସ ସଂପୃକ୍ତ ନଗର ପ୍ରଶାସନ ଅଧୀନକୁ ଆସିବ ଏବଂ ପୁନର୍ବାର ଆଉ ଏକ ପ୍ରକ୍ରିୟା ଆରମ୍ଭ ହେବ।
  2. ଏହି ଏଆରଏଚସିଏସ୍‌ର ବିକାଶ ପାଇଁ ସରକାର ବିଭିନ୍ନ ପ୍ରକାର ପ୍ରୋତ୍ସାହନ ଯୋଗାଇଦେବେ । ସେଥିମଧ୍ୟରେ ଅନୁମତି, 50 ଶତାଂଶ ଅତିରିକ୍ତ ଏଫ୍‌ଏଆର/ ଏଫ୍‌ଏସ୍‌ଆଇ, ରିଆତି ହାରରେ ଋଣ ଓ ଟିକସ ଆଦି ଅନ୍ତର୍ଭୁକ୍ତ । ଘରୋଇ ଏବଂ ସରକାରୀ ସଂସ୍ଥାମାନେ ଏଥିରେ ଭାଗ ନେଇପାରିବେ ଏବଂ ସେମାନଙ୍କୁ 25 ବର୍ଷ ପାଇଁ ଏସବୁ ସୁବିଧା ସହ ନିଜ ଜମିରେ ମଧ୍ୟ ଏଭଳି ଆବାସିକ କମ୍ପ୍ଲେକ୍ସକୁ ନିର୍ମାଣର ସୁବିଧା ମିଳିବ ।

ମ୍ୟାନୁଫ୍ୟାକ୍‌ଚରିଂ ଉଦ୍ୟୋଗ, ଆତିଥ୍ୟ କ୍ଷେତ୍ର, ସ୍ୱାସ୍ଥ୍ୟ, ଘରୋଇ ଓ ବ୍ୟାବସାୟିକ ପ୍ରତିଷ୍ଠାନ ତଥା ଅନ୍ୟାନ୍ୟ ନିର୍ମାଣ କ୍ଷେତ୍ର ଶ୍ରମିକ ଏବଂ ଛାତ୍ରଛାତ୍ରୀମାନେ, ଯେଉଁମାନେ ଗ୍ରାମାଞ୍ଚଳରୁ ସହରକୁ ଆସୁଛନ୍ତି, ସେମାନଙ୍କ ଆବାସିକ ଆବଶ୍ୟକତା ପୂରଣ ପାଇଁ ଏହି ଯୋଜନା ଉଦ୍ଦିଷ୍ଟ। ଟେକ୍‌ନୋଲଜି ଇନୋଭେସନ ଗ୍ରାଣ୍ଟ ଆକାରରେ 600 କୋଟି ଟଙ୍କାର ବ୍ୟୟ ଆକଳନ କରାଯାଇଛି। ଏହି ଅର୍ଥ ପ୍ରକଳ୍ପର ସ୍ଥାନ ନିରୂପଣ ଏବଂ ଆବଶ୍ୟକ ଜ୍ଞାନକୌଶଳ ବ୍ୟବହାର ପାଇଁ ଖର୍ଚ୍ଚ ହେବ। ଏଆରଏଚସିଏସ ଯୋଜନାରେ ପ୍ରାରମ୍ଭିକଭାବେ 3 ଲକ୍ଷ ଲୋକଙ୍କୁ ସାମିଲ କରାଯିବ। ଏହାଫଳରେ ସହରାଞ୍ଚଳରେ ଏକ ନୂଆ ପରିବେଶ ସୃଷ୍ଟି ହେବା ସହ ଗ୍ରାମାଞ୍ଚଳରୁ ଆସୁଥିବା ଲୋକଙ୍କୁ ସୁବିଧାରେ ରହିବାର ସୁଯୋଗ ମିଳିପାରିବ । ଏହା କେବଳ ନୂଆ ନିଯୁକ୍ତି ସୃଷ୍ଟି କରିବ ନାହିଁ, ଅଯଥା ଭ୍ରମଣ, ଗହଳି ଓ ପ୍ରଦୂଷଣ ରୋକିବାରେ ସହାୟକ ହେବ।

ଆହୁରି ମଧ୍ୟ ସରକାରୀ ଅର୍ଥରେ ତିଆରି ହୋଇ ବ୍ୟବହୃତ ହୋଇନଥିବା ଅନେକ ଆବାସିକ ପ୍ରକଳ୍ପ ଓ ଘରଦ୍ୱାର ଏହି ଯୋଜନା ଫଳରେ ସୁରକ୍ଷିତ ହେବା ସହ ଆର୍ଥିକ ଦୃଷ୍ଟିରୁ ଲାଭଜନକ କାର୍ଯ୍ୟରେ ଲାଗିପାରିବ।  ଘରୋଇ ଉଦ୍ୟୋଗ ନିଜ ଜମିରେ ଏଭଳି ଆବାସିକ ପ୍ରକଳ୍ପ ନିର୍ମାଣ କଲେ ସେଥିରେ ପୁଞ୍ଜି ନିବେଶର ସୁଯୋଗ ସୃଷ୍ଟି ହେବା ସହ ନିଯୁକ୍ତି ସୁବିଧା ମଧ୍ୟ ମିଳିବ । ଏହା ମଧ୍ୟ ଉଦ୍ୟମିତାକୁ ପ୍ରୋତ୍ସାହିତ କରିବ।

ପୃଷ୍ଠଭୂମି

ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟର ଏଆର୍‌ଏଚ୍‌ସିଏସ୍‌ ଯୋଜନାର ପରିକଳ୍ପନା କରି ଏ ଦିଗରେ କାମ ଆରମ୍ଭ କରିଛି । 2020 ମେ 14 ତାରିଖରେ ପ୍ରଧାନମନ୍ତ୍ରୀ ଏହା ଘୋଷଣା କରିଥିଲେ। ଏହା ଆତ୍ମନିର୍ଭର ଭାରତ ପ୍ୟାକେଜର ଏକ ଅଂଶବିଶେଷ ।

କରୋନା ମହାମାରୀ ଯୋଗୁଁ ସହରାଞ୍ଚଳରେ କାମ କରୁଥିବା ପ୍ରବାସୀ ଶ୍ରମିକମାନେ ବିପୁଳ ସଂଖ୍ୟାରେ ନିଜ ନିଜ ଭିଟାମାଟିକୁ ଫେରିଯାଇଛନ୍ତି। ସେମାନେ ରୋଜଗାର ପାଇଁ ସହରାଞ୍ଚଳକୁ ଆସିଥିଲେ। ସହରାଞ୍ଚଳରେ ସ୍ଥାନ ଓ ଅର୍ଥାଭାବ ଯୋଗୁଁ ଏସବୁ ଶ୍ରମିକମାନେ ମୁଖ୍ୟତଃ ବେଆଇନ ବସ୍ତି, ଝୁମ୍ପୁଡି ଏବଂ ଅତ୍ୟନ୍ତ ଅସ୍ୱାସ୍ଥ୍ୟକର ସ୍ଥାନ ଓ ସହର ଉପକଣ୍ଠରେ ବାସ କରିବାକୁ ବାଧ୍ୟ ହୁଅନ୍ତି । କାର୍ଯ୍ୟସ୍ଥଳୀକୁ ଯିବାପାଇଁ ସେମାନେ ଚାଲିଚାଲି କିମ୍ବା ସାଇକଲରେ ବହୁତ ବାଟ ଯାଇଥାନ୍ତି। ଏହାଦ୍ୱାରା ସେମାନଙ୍କ ଜୀବନ ବିପନ୍ନ ହେବାର ଭୟ ମଧ୍ୟ ଥାଏ। ଏସବୁକୁ ଦୃଷ୍ଟିରେ ରଖି ସରକାର ଏହି ପ୍ରୟାସ ଆରମ୍ଭ କରିଛନ୍ତି ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଦେଶର ତିନୋଟି ରାଷ୍ଟ୍ରାୟତ ବୀମା କଂପାନୀଙ୍କୁ କେନ୍ଦ୍ର ସରକାର 12450 କୋଟି ଟଙ୍କା ଦେବେ ସହାୟତା

ନୂଆଦିଲ୍ଲୀ, ଦେଶର ତିନୋଟି ସାଧାରଣ ରାଷ୍ଟ୍ରାୟତ ବୀମା କମ୍ପାନୀକୁ ମୋଟ ୧୨୪୫୦ କୋଟି ଟଙ୍କା ସହାୟତା ଦେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ନିଷ୍ପତି ନିଆଯାଇଛି। ଏହି ତିନୋଟି କଂପାନୀ ହେଲା  ଓରିଏଣ୍ଟାଲ ଇନ୍ୟୁସୁରାନ୍ସ କମ୍ପାନୀ ଲିମିଟେଡ, ନ୍ୟାସନାଲ ଇନ୍ୟୁସୁରାନ୍ସ କମ୍ପାନୀ ଲିମିଟେଡ ଓ ୟୁନାଇଟେଡ ଇଣ୍ଡିଆ ଇନ୍ୟୁସୁରାନ୍ସ କମ୍ପାନୀ ଲିମିଟେଡକୁ  ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି।

ଏଥିରେ ୨୦୧୯-୨୦ ଆର୍ଥିକ ବର୍ଷରେ ପ୍ରଦାନ କରାଯାଇଥିବା ୨୫୦୦ କୋଟି ଟଙ୍କାର ପୁଞ୍ଜି ସହାୟତା ମଧ୍ୟ ଉପଲବ୍ଧ ରହିଛି। ଏଥିମଧ୍ୟରୁ ୩,୪୭୫ କୋଟି ଟଙ୍କାର ତତ୍କାଳ ସହାୟତା ରାଶି ଜାରି କରି ଦିଆଯିବ। ବାକି ୬,୪୭୫ କୋଟି ଟଙ୍କା ପରେ ଜାରି କରାଯିବ। କ୍ୟାବିନେଟ ଏହି ପୁଞ୍ଜି ଉପଲବ୍ଧତାକୁ ଲାଗୁ କରିବା ନିମନ୍ତେ ଏନଆଇସିଏଲ ପାଇଁ ୭୫୦୦ କୋଟି ଟଙ୍କା ଏବଂ ୟୁଆଇଆଇସିଏଲ ତଥା ଓଆଇସିଏଲ ପାଇଁ ୫୦୦୦ କୋଟି ଟଙ୍କା ପର‌୍ୟ୍ୟନ୍ତ ଅଧିକୃତ ଶେୟାର ପୁଞ୍ଜିରେ ବୃଦ୍ଧି ପ୍ରସ୍ତାବକୁ ମଧ୍ୟ ଲାଗୁ କରିଛନ୍ତି।

ଏହାବ୍ୟତୀତ ବର୍ତ୍ତମାନର ସ୍ଥିତିକୁ ଧ୍ୟାନରେ ରଖି ଏଗୁଡ଼ିକର ମିଶ୍ରଣ ପ୍ରକ୍ରିୟାକୁ ସ୍ଥଗିତ ରଖାଯାଇଛି ଏବଂ ଏହା ସ୍ଥାନରେ ଏଗୁଡ଼ିକର ଲାଭଦାୟକ ବିକାଶ ପ୍ରତି ଧ୍ୟାନ ଦିଆଯିବ।
ତିନୋଟି ସାଧାରଣ ବୀମା କମ୍ପାନୀ ଓଆଇସିଏଲ, ଏନଆଇସିଏଲ ଏବଂ ୟୁଆଇଆଇସିଏଲକୁ ଏହି ପୁଞ୍ଜି ପ୍ରବାହର ପ୍ରଥମ ଭାଗ ସ୍ବରୂପ ଚଳିତ ଆର୍ଥିକ ବର୍ଷରେ ୩,୪୭୫ କୋଟି ଟଙ୍କା ଆବଣ୍ଟନ କରି ଦିଆଯିବ। ଅବଶିଷ୍ଟ ରାଶି ଗୋଟିଏ କିମ୍ବା ଦୁଇଟି ଭାଗରେ ଜାରି କରାଯିବ।

ଏହା ଦ୍ବାରା କଣ ରହିବ ପ୍ରଭାବ :-

ଏହି ପୁଞ୍ଜି ପ୍ରବାହ ଫଳରେ ରାଷ୍ଟ୍ରୟତ୍ତ କ୍ଷେତ୍ରର ତିନୋଟି ସାଧାରଣ ବୀମା କମ୍ପାନୀ ନିଜର ଆର୍ଥିକ ଏବଂ ଋଣ ପରିଶୋଧ କ୍ଷମତାରେ ସୁଧାର, ଅର୍ଥବ୍ୟବସ୍ଥାର ବୀମା ଆବଶ୍ୟକତା ପୂରଣ କରିବା, ପରିବର୍ତ୍ତନକୁ ଆପଣାଇବା, ସମ୍ବଳ ଯୋଗାଡ଼ କରିବାର କ୍ଷମତା ବଢ଼ାଇବା ଏବଂ ବିପତ୍ତି ପରିଚାଳନାରେ ସୁଧାର ଆଣିବାରେ ସହାୟତା ପାଇପାରିବେ।

କଣ ରହିବ ଆର୍ଥିକ ପ୍ରଭାବ:

ଚଳିତ ଆର୍ଥିକ ବର୍ଷରେ ରାଷ୍ଟ୍ରାୟତ୍ତ କ୍ଷେତ୍ରର ତିନୋଟି ସାଧାରଣ ବୀମା କମ୍ପାନୀ- ଓଆଇସିଏଲ, ଏନଆଇସିଏଲ ଏବଂ ୟୁଆଇଆଇସିଏଲରେ ପୁଞ୍ଜି ପ୍ରବାହର ପ୍ରଥମ ଭାଗ ଆକାରରେ ୩,୪୭୫ କୋଟି ଟଙ୍କାର ଆର୍ଥିକ ପ୍ରଭାବ ରହିବ। ଏହାପରେ ୬,୪୭୫ କୋଟି ଟଙ୍କାର ଅବଶିଷ୍ଟ ଅର୍ଥରାଶି ଜାରି କରି ଦିଆଯିବ।

କଣ ହେବ ପରବର୍ତ୍ତୀ ପଦକ୍ଷେପ :-

ଉପଲବ୍ଧ କରାଯାଉଥିବା ଅର୍ଥରାଶିର ସର୍ବୋତ୍ତମ ଉପଯୋଗ ସୁନିଶ୍ଚିତ କରିବା ଲାଗି ସରକାର କେପିଆଇ ରୂପରେ ଗାଇଡଲାଇନ ଜାରି କରିଛନ୍ତି। ଯାହାର ଲକ୍ଷ୍ୟ ଏସବୁ କମ୍ପାନୀର ବ୍ୟବସାୟିକ କ୍ଷମତାକୁ ବଢ଼ାଇବା ଏବଂ ଲାଭଦାୟକ ବୃଦ୍ଧି ଆଣିବା। ଇତିମଧ୍ୟରେ ବର୍ତ୍ତମାନର ସ୍ଥିତିକୁ ଦୃଷ୍ଟିରେ ରଖି ମିଶ୍ରଣ ପ୍ରକ୍ରିୟକୁ ସ୍ଥଗିତ କରିଦିଆଯାଇଛି। ଏହା ପରିବର୍ତ୍ତେ ପୁଞ୍ଜି ପ୍ରବାହ ପରେ ଏଗୁଡ଼ିକର ଋଣ ପରିଶୋଧ କ୍ଷମତା ବଢ଼ାଇବା ଏବଂ ଲାଭଦାୟକ ବୃଦ୍ଧି ପ୍ରତି ଧ୍ୟାନ ନିଆଯିବ।

Categories
ଆଜିର ଖବର ଜାତୀୟ ଖବର

ଶିବରାଜଙ୍କ କ୍ୟାବିନେଟ ସଂପ୍ରସାରଣ: ମନ୍ତ୍ରୀଭାବେ 28 ଜଣ ବିଧାୟକ ନେଲେ ଶପଥପାଠ

Categories
ଆଜିର ଖବର

ଅଟଳ ଜଳ ଯୋଜନା ପାଇଁ ୬୦୦୦ କୋଟି ଟଙ୍କାକୁ କେନ୍ଦ୍ରର ମଞ୍ଜୁରୀ ପ୍ରଦାନ

ନୂଆଦିଲ୍ଲୀ, 24/12: କେନ୍ଦ୍ର ସରକାର ଚାଷୀଙ୍କ ଆମଦାନୀ ବଢାଇବା ପାଇଁ ପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଦିନ ଅବସରରେ ଦୁଇ ମହତ୍ତ୍ବପୂର୍ଣ୍ଣ ଯୋଜନାର ଆରମ୍ଭ କରୁଛନ୍ତି। ଏଥିପାଇଁ କେନ୍ଦ୍ର ସରକାର ୬୦୦୦ କୋଟି ଟଙ୍କାର ଆବଣ୍ଟନ କରିଛନ୍ତି। ଅଟଳ ଜଳ ଯୋଜନାକୁ କେନ୍ଦ୍ର କ୍ୟାବିନେଟ୍‌ ମଂଜୁରୀ ମିଳିଯାଇଛି। ଏହି ଯୋଜନାର ଲାଭ 6ଟି ରାଜ୍ୟକୁ ମିଳିବ। ଏହି ଯୋଜନାରେ ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ଗୁଜୁରାଟ, ହରିୟାଣା, ମହାରାଷ୍ଟ୍ର ଓ ରାଜସ୍ଥାନ ଆଦି ସାମିଲ୍‌ ରହିଛି। କେନ୍ଦ୍ର ସରକାର ଚାଷୀଙ୍କ ଆୟ ଦୁଇଗୁଣା କରିବା ପାଇଁ ଏହି ନିଷ୍ପତ୍ତି ନେଇଛନ୍ତି। ଏହି ଯୋଜନାର ଲାଭ ୬ଟି ରାଜ୍ୟର ୮,୩୫୦ ଗ୍ରାମକୁ ମିଳିବ। (ଏଜେନ୍ସି)

Categories
ଆଜିର ଖବର

ମୋଦି ସରକାରଙ୍କ କ୍ୟାବିନେଟ୍‌ ବୈଠକ : ଏନ୍‌ପିଆରକୁ ମଞ୍ଜୁରୀ

ନୂଆଦିଲ୍ଲୀ,24/12 : ନୂଆଦିଲ୍ଲୀରେ ମୋଦି ସରକାରଙ୍କ ପକ୍ଷରୁ ଏକ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହୋଇଯାଇଛି । ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ଏନ୍‌ପିଆରକୁ ମଞ୍ଜୁରୀ ମିଳିଛି । ଦେଶରେ ସିଏଏ ଏବଂ ଏନ୍‌ଆରସିକୁ ନେଇ ବିରୋଧ ଏବଂ ଆନ୍ଦୋଳନ ଲାଗି ରହିଥିବା ବେଳେ ଏହା ମଧ୍ୟରେ ସରକାର ଏନ୍‌ପିଆରକୁ ମଞ୍ଜୁରୀ ଦେଇଛନ୍ତି । ମଙ୍ଗଳବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଜନଗଣନା(ଏନ୍‌ପିଆର) ନିମନ୍ତେ ସରକାର 8700 କୋଟିର ବଜେଟ୍‌ ନିର୍ଦ୍ଧାରଣ କରାଯାଇଛି । ମୋଦିଙ୍କ ବ୍ୟତିତ ଗୃହମନ୍ତ୍ରୀ ଅମିତ ଶାହା ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ବୈଠକରେ ଉପସ୍ଥିତ ଥିଲେ । (ଏଜେନ୍ସୀ)

Categories
ଆଜିର ଖବର

ଆଜି ସନ୍ଧ୍ୟାରେ ମୋଦି କ୍ୟାବିନେଟ୍‌ର ପ୍ରଥମ ବୈଠକ : ବିଭାଗ ଆବଣ୍ଟନକୁ ନେଇ କଳ୍ପନା ଜଳ୍ପନା

କ୍ରମାଗତ ଦ୍ବିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବରେ ଗୁରୁବାର ଶପଥ ଗ୍ରହଣ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦିଙ୍କ ସମେତ ଅନ୍ୟ ୫୭ ଜଣ ନେତା ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ଶପଥ ଗ୍ରହଣ କରିଥିଲେ। ବିଭିନ୍ନ ବିଶ୍ବନେତା ଏବଂ ବଲିଉଡ୍‌ ତାରକାଙ୍କ ସମ୍ମୁଖରେ ନିଜ ମନ୍ତ୍ରୀମଣ୍ଡଳ ଶହ ଶପଥ ଗ୍ରହଣ କରିଥିଲେ ମୋଦି। ଗତକାଲି ଶପଥ ଗ୍ରହଣ ହୋଇଥିଲେ ମଧ୍ୟ କୌଣସି ମନ୍ତ୍ରୀଙ୍କୁ ସେମାନଙ୍କର ପଦବୀ ପ୍ରଦାନ କରାଯାଇନଥିଲା। ଆଜି ଅପରାହ୍ନ ୫ ଟାରେ ମୋଦି କ୍ୟାବିନେଟ୍‌ର ପ୍ରଥମ ବୈଠକ ବସିବ। ଏହି କ୍ୟାବିନେଟରେ ଶପଥ ଗ୍ରହଣ କରିଥିବା ମନ୍ତ୍ରୀ ମାନଙ୍କ ମଧ୍ୟରେ ଏହି ବୈଠକରେ ବିଭାଗ ଆବଣ୍ଟନ କରାଯିବ। ବରିଷ୍ଠ ନେତା ଅରୁଣ ଜେଟ୍‌ଲୀ ଏବଂ ସୁଷମା ସ୍ବରାଜ ମନ୍ତ୍ରୀମଣ୍ଡଳରେ ନଥିବାରୁ ଅମିତ ଶାହା ଏବଂ ରାଜନାଥ ସିଂଙ୍କ ମଧ୍ୟରେ ଗୃହ ବିଭାଗ ଏବଂ ଅର୍ଥ ବିଭାଗ ବଣ୍ଟନ ହେବାର ସମ୍ଭାବନା ରହିଛି। ସେହିପରି ନିର୍ମଳା ସୀତାରମଣ ପ୍ରତିରକ୍ଷା ଏବଂ ସ୍ମୃତି ଜୁବିନ୍‌ ଇରାନୀଙ୍କ ହାତକୁ ବୈଦେଶିକ ମନ୍ତ୍ରାଳୟ ଯିବାର ସମ୍ଭାବନା ରହିଛି।

Categories
ଆଜିର ଖବର

ରାଜଭର୍‌ଙ୍କୁ କ୍ୟାବିନେଟ୍‌ରୁ ବହିଷ୍କାର କରିବା ପାଇଁ ସୁପାରିଶ୍‌ କଲେ ଯୋଗୀ

ଦେଶରେ ସପ୍ତଦଶ ଲୋକସଭାର ନିର୍ବାଚନ ସରିଯାଇଛି। ଏବେ ମେ ୨୩କୁ ଅପେକ୍ଷା। ସରକାର ଗଢିବା ନେଇ ଏବେ ଚାଲିଛି କଳ୍ପନାଜଳ୍ପନା। ଯଦିଓ ଏକ୍‌ଜିଟ୍‌ ପୋଲ୍‌ ଏନ୍‌ଡିଏକୁ ବହୁମତ ଦେଇ ପୁନଃସରକାର ଗଠନ କରିବା ନେଇ ମତ ଦେଇଛି, ତେବେ ଅସଲ କଥା ତ ମେ ୨୩ରେ ଜଣାପଡିବ। ତେବେ ଏହି ଭିତରେ ଉତ୍ତରପ୍ରଦେଶରେ ବିଜେପିର ସହଯୋଗୀ ଦଳ ସୁହେଲ୍‌ଦେବ ଭାରତୀୟ ସମାଜ ପାର୍ଟିର ପ୍ରମୁଖ ଓମ୍‌ପ୍ରକାଶ ରାଜଭର୍‌ଙ୍କୁ ୟୁପି କ୍ୟାବିନେଟ୍‌ରୁ ବହିଷ୍କାର କରିବା ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟପାଳଙ୍କୁ ସୁପାରିଶ୍‌ କରିଛନ୍ତି। ଉତ୍ତରପ୍ରଦେଶରେ ବିଜେପିର ସହଯୋଗୀ ଦଳ ଭାବେ ସୁଭାସପା ୨୦୧୭ ବିଧାନସଭା ନିର୍ବାଚନରେ ୪ଟି ଆସନ ଜିତିଥିଲେ। କିନ୍ତୁ ଲୋକସଭା ନିର୍ବାଚନରେ ରାଜଭରଙ୍କ ଦଳ ବିଜେପି ସହିତ ମିଶିକରି ନିର୍ବାଚନ ଲଢିନଥିଲେ। ଚଳିତ ଥର ରାଜଭରଙ୍କ ଦଳ ୩୯ ପ୍ରାର୍ଥୀଙ୍କୁ ନିର୍ବାଚନ ଲଢିଥିଲେ। ଏବଂ କିଛି ଆସନ ପାଇଁ ବିଜେପି ପ୍ରାର୍ଥୀଙ୍କ ବିରୋଧରେ ମଧ୍ୟ ପ୍ରଚାର କରିଥିଲେ। ତେବେ, ରାଜଭରଙ୍କ ପୁତ୍ର ତଥା ସୁଭାସପାର ମହାସଚିବ ଅରୁଣ ରାଜଭର ସ୍ପଷ୍ଟ କରି କହିଛନ୍ତି ଯେ, ବିଜେପି ସହିତ ବିଧାନସଭା ନିର୍ବାଚନ ପାଇଁ ମେଣ୍ଟ ରହିଥିଲା, କିନ୍ତୁ ଲୋକସଭା ନିର୍ବାଚନ ପାଇଁ ନୁହେଁ। ଚଳିତ ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ବିରୋଧରେ ଲଗାତାର ଭାବେ ରାଜଭର ଆକ୍ରମଣ କରିବା ସହିତ ସିଧାସଳଖ ଯୋଗୀଙ୍କୁ ଟାର୍ଗେଟ୍‌ କରିଥିଲେ। ନିକଟରେ ରାଜଭର ପୂର୍ବାଞ୍ଚଳରେ ୩୦ଟି ଆସନରୁ ବିଜେପି କେବଳ ତିନୋଟି ଆସନ ପାଇବ ବୋଲି କହିଥିଲେ।ରାଜଭର ନିର୍ବାଚନୀ ପ୍ରଚାର ସଭାରେ ଭବିଷ୍ୟତରେ କେନ୍ଦ୍ର ଏବଂ ଉତ୍ତରପ୍ରଦେଶରେ ସପା – ବସପାର ସହଯୋଗ ଦ୍ବାରା କୌଣସି ଦଳ ସରକାର ଗଢିବେ ବୋଲି ଦାବା କରିଥିଲେ । ରାଜଭର୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ କଟାକ୍ଷ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମିଛ କହୁଛନ୍ତି, ନିଜକୁ ପଛୁଆ ବୋଲି କହୁଛନ୍ତି, ପୂର୍ବରୁ ନିଜକୁ ଉଚ୍ଚ ବର୍ଗ କହିଥିଲେ।

Categories
ଆଜିର ଖବର

ବିଶ୍ଵ ବିଦ୍ୟାଳୟରେ ଚାକିରି ପାଇଁ ୨୦୦ ପଏଣ୍ଟ ରୋଷ୍ଟରକୁ ମିଳିଲା ମଞ୍ଜୁରୀ

୧୩ ପଏଣ୍ଟ ରୋଷ୍ଟର ଜରିଆରେ ବିଶ୍ଵ ବିଦ୍ୟାଳୟରେ ନିଯୁକ୍ତିକୁ ନେଇ ସମଗ୍ର ଦେଶରେ ଜାରି ଆନ୍ଦୋଳନ ପରେ କେନ୍ଦ୍ର ୨୦୦ ପଏଣ୍ଟ ରୋଷ୍ଟରକୁ ଅନୁମତି ଦେଇଛନ୍ତି। ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କ୍ୟାବିନେଟ୍ ମିଟିଂ ପରେ ସୂଚନା ଦେଇଛନ୍ତି ଯେ, କେନ୍ଦ୍ର କ୍ୟାବିନେଟର ଏହି ନିଷ୍ପତ୍ତି ପରେ ସଂରକ୍ଷିତ ବର୍ଗର ଅନୁସୂଚିତ ଜାତି, ଜନଜାତି ଓ ପଛୁଆ ବର୍ଗକୁ ବିଶ୍ଵ ବିଦ୍ୟାଳୟରେ ଅଧ୍ୟାପକ ହିସାବରେ ପ୍ରତିନିଧିତ୍ଵ ମିଳିପାରିବ। ଏତଦ୍‌ବ୍ୟତୀତ ସରକାର ୫୦ଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ପାଇଁ ମଧ୍ୟ ନିଷ୍ପତ୍ତି ନେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମନ୍ତ୍ରିମଣ୍ଡଳର ବୈଠକରେ ରୋଷ୍ଟର ଲାଗୁ ପାଇଁ ତଥା ୫୦ଟି ନୂଆ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ପ୍ରସ୍ତାବକୁ ମଂଜୁରୀ ଦେଇଛନ୍ତି । ଓଡ଼ିଶାରେ କେନ୍ଦୁଝରର ଚମ୍ପୁଆ ଓ ଆନନ୍ଦପୁରରେ ଖୋଲିବ କେନ୍ଦ୍ରୀୟ ବିଦ୍ୟାଳୟ, ଗଞ୍ଜାମର ଛତ୍ରପୁର ଓ ରାୟଗଡ଼ାର ଗୁଣୁପୁରରେ ଆଦି ୪ଟି ସ୍ଥାନରେ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବ ବୋଲି ସୂଚନା ରହିଛି ।

Categories
ଆଜିର ଖବର

ଭଦ୍ରକ-ନାରାୟଣଗଡ଼ ତୃତୀୟ ରେଳଲାଇନ୍‌ ପାଇଁ କ୍ୟାବିନେଟ୍‌ ମଞ୍ଜୁରୀ

ଭଦ୍ରକ-ନାରାୟଣଗଡ଼ ତୃତୀୟ ରେଳଲାଇନ୍‌ ପାଇଁ ମିଳିଛି କ୍ୟାବିନେଟ୍‌ ମଞ୍ଜୁରୀ। କେନ୍ଦ୍ରୀୟ କ୍ୟାବିନେଟ୍‌ର ଆର୍ଥିକ ବ୍ୟାପାର ପକ୍ଷରୁ ଏହି ପ୍ରକଳ୍ପକୁ ଅନୁମୋଦନ କରାଯାଇଛି। ୧୫୫ କିଲୋମିଟର ରେଳପଥ ନିର୍ମାଣ ଲାଗି ମୋଟ ୧୮୬୫.୩୧ କୋଟି ଟଙ୍କାର ବ୍ୟୟ ଅଟକଳ ପ୍ରସ୍ତୁତ କରାଯାଇଛି। ୨୦୨୩-୨୪ରେ ଏହି ପ୍ରକଳ୍ପ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ୩୭.୨ ଲକ୍ଷ ଶ୍ରମ ସୃଷ୍ଟି ହେବ ବୋଲି ଅରୁଣ ଜେଟ୍‌ଲୀ କହିଛନ୍ତି । ନୟାଗଡ ଭଦ୍ରକ ରେଳ ଲାଇନ ମୁଖ୍ୟତଃ ଷ୍ଟିଲ୍ ପ୍ଲାଣ୍ଟ ଗୁଡ଼ିକ ଲାଗି ବ୍ୟବହୃତ ହେଉଥିବା କୋଇଲା ପରିବହନ ଲାଗି ବ୍ୟସ୍ତ ରହିଥାଏ। ତୃତୀୟ ରେଳ ଲାଇନ୍‌ ନିର୍ମାଣ ହେବା ଦ୍ୱାରା ଏହି ପରିବହନ ସହଜ ହୋଇପାରିବ।