ୟୁରିଆ ପ୍ରସ୍ତୁତି ପାଇଁ ଘରୋଇ ଗ୍ୟାସ୍ ଯୋଗାଣ ସଂକ୍ରାନ୍ତ ପ୍ରସ୍ତାବକୁ କ୍ୟାବିନେଟରେ ଅନୁମୋଦିତ

Published: Feb 2, 2024, 8:42 am IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ରାସାୟନିକ ସାର (ୟୁରିଆ) ପ୍ରସ୍ତୁତି ପାଇଁ ଘରୋଇ ଗ୍ୟାସ୍ ଯୋଗାଣ ସଂକ୍ରାନ୍ତ ମାର୍କେଟିଂ ମାର୍ଜିନ (ବିପଣନ ଲାଭ)କୁ ପିଛିଲା ଭାବେ ଅନୁମୋଦନ କରାଯାଇଛି । ଏହା ଫଳରେ ୟୁରିଆ ଉତ୍ପାଦନ ପାଇଁ ସାର କାରଖାନାକୁ ମେ ପହିଲା ୨୦୦୯ରୁ ୨୦୧୫ ନଭେମ୍ବର ୧୭ ତାରିଖ ମଧ୍ୟରେ ଯୋଗାଇ ଦିଆଯାଇଥିବା ଘରୋଇ ଗ୍ୟାସ ଉପରେ ସମ୍ପୃକ୍ତ ଗ୍ୟାସ ଯୋଗାଣକାରୀ କମ୍ପାନୀଙ୍କୁ ବିପଣନଗତ ଲାଭ ମିଳିବ । ଏହି ଅନୁମୋଦନ ଢାଞ୍ଚାଗତ ସଂସ୍କାରର ଏକ ଅଂଶ ବିଶେଷ । ଗ୍ୟାସ ବିପଣନ କରୁଥିବା କମ୍ପାନୀମାନେ ଗ୍ୟାସର ପ୍ରକୃତ ମୂଲ୍ୟଠାରୁ ଅଧିକ ଦାମ୍‌ରେ ତାହା ଖାଉଟି ବା ଉପଭୋକ୍ତାଙ୍କୁ ଯୋଗାଇଥାନ୍ତି । ପରିବହନ ଓ ଆବଣ୍ଟନ ଜନିତ ଖର୍ଚ୍ଚକୁ ଭରଣା କରି ତା’ ଉପରେ ସେମାନେ ଉପଯୁକ୍ତ ଲାଭ ରଖିଥାନ୍ତି । ସେ ଦୃଷ୍ଟିରୁ ୟୁରିଆ କାରଖାନା ଗୁଡିକ ସମ୍ପୃକ୍ତ ଗ୍ୟାସ ଯୋଗାଣକାରୀଙ୍କୁ ଏହି ସମୟ ପାଇଁ ବର୍ଦ୍ଧିତ ମୂଲ୍ୟ ଦେବେ ।

ଦେଶର ୟୁରିଆ ପ୍ରସ୍ତୁତକାରୀ ସାର କମ୍ପାନୀମାନେ ଦେଶୀ ଗ୍ୟାସ ବିନିଯୋଗ କରିଥାନ୍ତି । ସେମାନେ କେଉଁ ଦରରେ ଗ୍ୟାସ ବିପଣନକାରୀ କମ୍ପାନୀଙ୍କ ଠାରୁ କିଣିବେ ତାହା ସରକାର ଧାର୍ଯ୍ୟ କରିଥାନ୍ତି । ଏଲ୍‌ପିଜି ଉତ୍ପାଦନକାରୀଙ୍କୁ ମଧ୍ୟ ଗ୍ୟାସ ଯୋଗାଣବେଳେ ସମାନନୀତି ଅବଲମ୍ବନ କରାଯାଇଥାଏ । ୨୦୦୯ ମେ ପହିଲାରୁ ୨୦୧୫ ନଭେମ୍ବର ୧୭ ତାରିଖ ଯାଏ ଏହି ମାର୍କେଟିଂ ମାର୍ଜିନ ବା ଲାଭଜନକ ଯୋଗାଣ ମୂଲ୍ୟ ଗ୍ୟାସ ଯୋଗାଣକାରୀଙ୍କ ପାଇଁ କ୍ୟାବିନେଟରେ ଅନୁମୋଦନ ପାଇ ନ ଥିଲା ।

ଏବେ କ୍ୟାବିନେଟରେ ଏହା ଅନୁମୋଦିତ ହୋଇଥିବାରୁ ସମ୍ପୃକ୍ତ ୟୁରିଆ ଉତ୍ପାଦନକାରୀ କମ୍ପାନୀମାନେ ଗ୍ୟାସ କ୍ରୟ ବାବଦ ଅତିରିକ୍ତ ଖର୍ଚ୍ଚ ପାଇଁ ଆବଶ୍ୟକ ପୁଞ୍ଜି ପାଇବେ । ସେମାନଙ୍କୁ ନୂଆ ହାରରେ ଏହି ଅର୍ଥ ସମ୍ପୃକ୍ତ ଗ୍ୟାସ ଯୋଗାଣକାରୀଙ୍କୁ ଦେବାକୁ ପଡିବ । ସୂଚନାଯୋଗ୍ୟ ଯେ ୨୦୧୫ ନଭେମ୍ବର ୧୮ ଠାରୁ ନୂଆ ମୂଲ୍ୟରେ ଘରୋଇ ଗ୍ୟାସ କିଣିବାକୁ ୟୁରିଆ ଗୁଡିକୁ ଅନୁମତି ମିଳିଛି ଏବଂ ତାହା ଏବେ ମଧ୍ୟ ବଳବତ୍ତର ଅଛି ।

ଏହି ଅନୁମୋଦନ ଭାରତ ସରକାରଙ୍କ ଆତ୍ମନିର୍ଭର ଭାରତ ଯୋଜନା ନୀତିକୁ ପ୍ରୋତ୍ସାହିତ କରିବ ଏବଂ ପୁଞ୍ଜିନିବେଶ ବଢାଇବାକୁ ଅଧିକ ଆଗ୍ରହ ନିବେଶକଙ୍କ ମଧ୍ୟରେ ସୃଷ୍ଟି କରିବ । ଏହି କ୍ଷେତ୍ରରେ ପୁଞ୍ଜିନିବେଶ ବଢିଲେ ଭାରତ ୟୁରିଆ ଭଳି ଗୁରୁ୍‌ତ୍ୱପୂର୍ଣ୍ଣ ସାର ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭର ହୋଇପାରିବ । ଏହାଛଡା ଗ୍ୟାସ ଭିତ୍ତିଭୂମିରେ ଭବିଷ୍ୟତର ପୁଞ୍ଜିନିବେଶକୁ ଏହା ପ୍ରୋତ୍ସାହନ ଯୋଗାଇବ ।

Related posts