କେନ୍ଦ୍ରାପଡ଼ା, ବରଗଡ଼ ଓ କଳାହାଣ୍ଡିରେ ସବୁ ଦଳର ନୂଆ ମୁହଁ ଭରଷା

Published: Feb 12, 2024, 8:51 am IST

ଭୁବନେଶ୍ୱର: ଆଉ ଦିନ କେଇଟା ପରେ ଲୋକସଭା ନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବ । ଏହା ପୂର୍ବରୁ ରାଜ୍ୟରେ ଲୋକସଭାରେ କିଏ କେଉଁଠୁ ପ୍ରାର୍ଥୀ ହେବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଚର୍ଚ୍ଚା ଅନୁସାରେ ଆଗାମୀ ନିର୍ବାଚନରେ କେନ୍ଦ୍ରାପଡ଼ା, ବରଗଡ଼ ଓ କଳାହାଣ୍ଡି ଲୋକସଭା ଆସନରେ ନୂଆ ମୁହଁଙ୍କ ମଧ୍ୟରେ ଲଢ଼େଇ ହେବ ବୋଲି ରାଜନୀତିକ ମହଲରେ ଆଲୋଚନା ହେଉଛି ।

ପ୍ରଥମେ ଅଣ କଂଗ୍ରେସ ଗଡ଼ କୁହାଯାଉଥିବା କେନ୍ଦ୍ରପଡ଼ା ଲୋକସଭା ଆସନ କଥା । କେବଳ ୧୯୫୨ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଜିତିଥିବା ଏହି ଆସନରେ ୧୭ ଥର ଅଣକଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ଏଠାରୁ ସୁରେନ୍ଦ୍ରନାଥ ଦ୍ୱିବେଦୀ ଓ ବିଜୁ ପଟ୍ଟନାୟକ ୩ଥର ଲେଖାଏଁ ଲଢ଼ି ବିଜୟୀ ହୋଇଥିବାବେଳେ ରିବ ରାୟ, ପ୍ରଭାତ ସାମନ୍ତରାୟ ଓ ବୈଜୟନ୍ତ ପଣ୍ଡା ୨ଥର ଲେଖାଏଁ ଏହି ଆସନରୁ ବିଜୟୀ ହୋଇଛନ୍ତି ।

ସାଲେପୁର, ମାହାଙ୍ଗା, ପାଟକୁରା, କେନ୍ଦ୍ରାପଡ଼ା, ଆଳି, ରାଜନଗର ଓ ମହାକାଳପଡ଼ା ବିଧାନସଭାକୁ ନେଇ ଗଠିତ କେନ୍ଦ୍ରାପଡ଼ା ଲୋକସଭା ଆସନରେ ୨୦୧୪ ନିର୍ବାଚନରେ ବୈଜୟନ୍ତ ପଣ୍ଡା (୬,୦୧,୫୭୪ ଖଣ୍ଡ ଭୋଟ) ବିଜୁ ଜନତା ଦଳର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ି କଂଗ୍ରେସ ପ୍ରାର୍ଥୀ ଧରଣୀଧର ନାୟକ (୩,୯୨,୪୬୬ ଖଣ୍ଡ ଭୋଟ)ଙ୍କୁ ୨ଲକ୍ଷ ୯ ହଜାର ୧୦୮ ଭୋଟରେ ହରାଇ ବିଜୟୀ ହୋଇଥିଲେ । ଏହାର ପରବର୍ତ୍ତୀ ନିର୍ବାଚନ ୨୦୧୯ରେ ବୈଜୟନ୍ତ (୪,୪୪୭,୪୫୬ ଭୋଟ) ବିଜେପି ପ୍ରାର୍ଥୀ ହୋଇ ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତି (୬,୨୮, ୯୩୯ଭୋଟ)ଙ୍କଠାରୁ ୧ଲକ୍ଷ ୫୨ହଜାର ୫୮୪ଖଣ୍ଡ ଭୋଟରେ ହାରିଯାଇଥିଲେ ।

ଏହି ଆସନରେ ୨୦୧୪ ନିର୍ବାଚନରେ ବିଜେଡି ଓ କଂଗ୍ରେସ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହୋଇଥିବାବେଳେ ବିଜେପି ପ୍ରାର୍ଥୀ ବିଷ୍ଣୁ ଦାଶ ମାତ୍ର ୧ଲକ୍ଷ ୧୮ହଜାର ୭୦୭ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ଥିଲେ । ୨୦୧୯ରେ ବୈଜୟନ୍ତ ପଣ୍ଡା ବିଜେପିରୁ ଲଢ଼ିବାରୁ ପ୍ରତିଦ୍ୱନ୍ଦ୍ୱୀତା ବିଜେଡି ଓ ବିଜେପି ମଧ୍ୟରେ ହୋଇଥିବାବେଳେ କଂଗ୍ରେସ ପ୍ରାର୍ଥୀ ଧରଣୀଧର ନାୟକଙ୍କ ପୂର୍ବର ଭୋଟ ସଖ୍ୟା ୧ଲକ୍ଷ ୧୩ ହଜାର ୮୪୧କୁ ହ୍ରାସ ପାଇବା ସହିତ ତୃତୀୟ ସ୍ଥାନକୁ ଖସି ଆସିଥିଲେ ।

କିନ୍ତୁ ଆଗାମୀ ନିର୍ବାଚନରେ ଶାସକ ବିଜୁ ଜନତା ଦଳର ସାଂସଦ ଅନୁଭବ ମହାନ୍ତି ବହୁ ବିବାଦରେ ଛନ୍ଦି ହୋଇଯାଇଥିବାରୁ ଦଳ ତାଙ୍କୁ ଆଉ ପ୍ରାର୍ଥୀ କରିବାର ସମ୍ଭାବନା ନାହିଁ । ଦ୍ୱିତୀୟ ସ୍ଥାନରେ ଥିବା ବୈଜୟନ୍ତ ପଣ୍ଡାଙ୍କୁ ବିଜେପି ୮୦ଟି ଲୋକସଭା ଆସନ ଥିବା ଗୁରୁତ୍ୱପୂର୍ଣ୍ଣ ଉତ୍ତରପ୍ରଦେଶର ପ୍ରଭାରୀ କରିଛି । ବର୍ତ୍ତମାନ ବୈଜୟନ୍ତ ପଣ୍ଡା ଦଳର ଶୀର୍ଷ ନେତୃତ୍ୱଙ୍କ ଭରଷା ହାସଲ କରିଥିବାରୁ ତାଙ୍କୁ ଉତ୍ତର ପ୍ରଦେଶ ଦାୟିତ୍ୱ ବୁଝିବା ପାଇଁ ସ୍ୱାଧୀନ ଭାବରେ ଛାଡ଼ି ଦିଆଯାଇଛି । ତେଣୁ ସେ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱୀତା କରୁନାହାନ୍ତି ବୋଲି ସ୍ପଷ୍ଟ ହୋଇଯାଇଛି । ସେହିପରି ବିଗତ ଦୁଇଟି ନିର୍ବାଚନ ଲଢ଼ି ପରାଜିତ ହୋଇଥିବା କଂଗ୍ରେସ ପ୍ରାର୍ଥୀଙ୍କୁ ଦଳ ଆଉ ପ୍ରାର୍ଥୀ କରିନପାରେ ବୋଲି କଂଗ୍ରେସ ମହଲରେ ଚର୍ଚ୍ଚା ହେଉଛି । ତେଣୁ ଆଗାମୀ ନିର୍ବାଚନରେ ୩ଟିଯାକ ରାଜୈତିକ ଦଳ ନୂଆ ମୁହଁ ନେଇ ନିର୍ବାଚନ ଲଢ଼ିବ ବୋଲି ସ୍ପଷ୍ଟ ହୋଇଯାଇଛି । କିନ୍ତୁ କିଏ ପ୍ରାର୍ଥୀ ହେବେ ତାହା ଏବେଠାରୁ ଜଣାପଡ଼ିନାହିଁ ।

ପଦ୍ମପୁର, ବିଜେପୁର, ବରଗଡ଼, ଅତାବିରା, ଭଟଲି, ବ୍ରଜରାଜନଗର ଓ ଝାରସୁଗୁଡ଼ା ବିଧାନସଭା କ୍ଷେତ୍ରକୁ ନେଇ ଗଠିତ ବରଗଡ଼ ଲୋକସଭା ଆସନ କୌଣସି ରାଜୈତିକ ଦଳର ହସ୍ତମୁଦି ମାହାଲ ନୁହେଁ । ବିଗତ ୩ଟି ନିର୍ବାଚନକୁ ଲକ୍ଷ୍ୟକଲେ ଜଣାଯାଏ ୨୦୦୯ରେ କଂଗ୍ରେସ, ୨୦୧୪ରେ ବିଜେଡି ଓ ୨୦୧୯ରେ ବିଜେପି ଏହି ଆସନରୁ ବିଜୟୀ ହୋଇଛି ।

୨୦୧୪ରେ ବିଜେଡି ପ୍ରାର୍ଥୀ ପ୍ରଭାସ ସିଂହ (୩,୮୩,୨୩୦ ଭୋଟ) ବିଜେପି ପ୍ରାର୍ଥୀ ସୁଭାଷ ଚୌହାନ (୩,୭୨,୦୫୨ ଭୋଟ)ଙ୍କଠାରୁ ମାତ୍ର ୧୧ହଜାର ୧୭୮ଖଣ୍ଡ ଅଧିକ ଭୋଟ ପାଇ ବିଜୟୀ ହୋଇଥିଲେ । ୨୦୦୯ରେ ଏହାରୁ ବିଜୟୀ ହୋଇଥିବା କଂଗ୍ରେସ ପ୍ରାର୍ଥୀ ସଞ୍ଜୟ ଭୋଇ ୨, ୭୪, ୬୧୦ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନକୁ ଖସି ଆସିଥିଲେ ।

୨୦୧୯ ନିର୍ବାଚନରେ ବରଗଡ଼ ଲୋକସଭା ଆସନ ବିଜେଡି ହାତରୁ ଖସି ଯାଇ ବିଜେପି ପ୍ରାର୍ଥୀ ବିଜୟୀ ହୋଇଥିଲେ । ବିଜେପି ପ୍ରାର୍ଥୀ ସୁରେଶ ପୂଜାରୀ (୫,୮୧,୨୪୫ ଭୋଟ) ବିଜେଡି ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟ (୫,୧୭,୩୦୬ ଭୋଟ)ଙ୍କୁ ୬୩ ହଜାର ୯୩୯ ଭୋଟ ବ୍ୟବଧାନରେ ପରାଜିତ କରିଥିଲେ । କଂଗ୍ରେସ ପ୍ରାର୍ଥୀ ପ୍ରଦୀପ ଦେବତା ୧,୦୯,୪୧୭ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ଥିଲେ ।

ଆଗାମୀ ନିର୍ବାଚନରେ କୌଣସି ଦଳ ସେମାନଙ୍କର ପୁରୁଣା ପ୍ରାର୍ଥୀଙ୍କୁ ନିର୍ବାଚନ ଲଢ଼ାଇବାର ସମ୍ଭାବନ ନାହିଁ । କାରଣ ସାଂସଦ ସୁରେଶ ପୂଜାରୀ ସ୍ୱାସ୍ଥ୍ୟଗତ କାରଣରୁ ବ୍ରଜରାଜନଗରରୁ ବିଧାନସଭା ନିର୍ବାଚନ ଲଢ଼ିବା ପାଇଁ କେନ୍ଦ୍ରୀୟ ନେତାଙ୍କ ନିକଟରେ ଇଚ୍ଛାପ୍ରକାଶ କରିଛନ୍ତି । ସେହିପରି ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଦଳ ରେଢ଼ାଖୋଲ ବିଧାନସଭା ଆସନରୁ ପ୍ରାର୍ଥୀ କରିବ ବୋଲି ଚର୍ଚ୍ଚା ହେଉଛି । ଅପର ପକ୍ଷରେ କଂଗ୍ରେସ ମଧ୍ୟ ଆଗାମୀ ନିର୍ବାଚନରେ ନୂଆ ମୁହଁ ନେଇ ଲଢ଼ିବ ବୋଲି ଦଳୀୟ ମହଲରେ ଆଲୋଚନା ହେଉଛି । ଏପରି କ୍ଷେତ୍ରରେ ବରଗଡ଼ ଲୋକସଭା ନିର୍ବାଚନ ପାଇଁ ୩ଟି ପ୍ରମୁଖ ଦଳ ନୂଆ ମୁଡୋ ନେଇ ନିର୍ବାଚନ ଲଢ଼ିବା ନିଶ୍ଚିତ ହୋଇଛି ।

ସେହିପରି ନୂଆପଡ଼ା, ଖରିଆର, ଲାଞ୍ଜିଗଡ଼, ଜୁନାଗଡ଼, ଧର୍ମଗଡ଼, ଭବାନୀପାଟଣା ଓ ନର୍ଲା ବିଧାନସଭା କ୍ଷେତ୍ରକୁ ଗଠିତ କଳାହାଣ୍ଡି ଲୋକସଭା ଆସନରେ ମଧ୍ୟ କୌଣସି ଦଳର ଆଧିପତ୍ୟ ନାହିଁ ୨୦୦୯ରୁ ୨୦୧୯ ପର୍ଯ୍ୟନ୍ତ କଂଗ୍ରେସ, ବିଜେଡି ଓ ବିଜେପି ପ୍ରାର୍ଥୀମାନେ ଏଠାରୁ ବିଜୟୀ ହୋଇଛନ୍ତି ।

୨୦୦୯ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଭକ୍ତଚରଣ ଦାସ (୪,୦୧,୭୩୬ ଭୋଟ) ବିଜେଡି ପ୍ରାର୍ଥୀ ସୁବାଷ ଚନ୍ଦ୍ର ନାୟକ (୨,୪୭,୬୯୯ଭୋଟ)ଙ୍କୁ ୧,୫୪,୦୩୭ ଭୋଟ ବ୍ୟବଧାନରେ ପରାଜିତ କରିଥିଲେ । ବିଜେପି ପ୍ରାର୍ଥୀ ବିକ୍ରମ କେଶରୀ ଦେଓ ୨,୨୧,୫୮୧ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ଥିଲେ ।

ଏହି ନିର୍ବାଚନ ପରେ ବିକ୍ରମ କେଶରୀ ଦେଓ ଶାସକ ବିଜେଡିରେ ଯୋଗଦେବାରୁ ୨୦୧୪ ନିର୍ବାଚନରେ ତାଙ୍କ ପୁତ୍ର ଅର୍କକେଶରୀ ଦେଓଙ୍କୁ ଦଳ ପ୍ରାର୍ଥୀ କରିଥିଲା । ଅର୍କକେଶରୀ ଦେଓ (୩,୭୦,୮୭୧ ଭୋଟ) ବିଜେପିର ପ୍ରଦୀପ କୁମାର ନାୟକ (୩,୧୪,୫୨୪)ଙ୍କୁ ୫୬, ୩୪୭ ଭୋଟ ବ୍ୟବଧାନରେ ପରାଜିତ କରିଥିଲେ । କଂଗ୍ରେସ ପ୍ରାର୍ଥୀ ଭକ୍ତ ଚରଣ ଦାସ ୩,୦୭,୯୬୭ ଭୋଟ ପାଇ ତୃତୀୟ ସ୍ଥାନରେ ଥିଲେ ।

୨୦୧୯ ନିର୍ବାଚନରେ ବିଜେପି ପ୍ରାର୍ଥୀ ବସନ୍ତ କୁମାର ପଣ୍ଡା (୪,୩୩,୦୭୩ଭୋଟ) ବିଜେଡି ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂହଦେଓ (୪,୦୬,୨୬୦)ଙ୍କୁ ୨୬,୮୧୬ ଭୋଟରେ ପରାଜିତ କରିଥିଲେ । କଂଗ୍ରେସ ପ୍ରାର୍ଥୀ ଭକ୍ତ ଚରଣ ଦାସ ୩,୧୯,୨୦୨ ଭୋଟ ପାଇ ତୃତୀୟ ସ୍ଥାନରେ ଥିଲେ । ଏହି ନିର୍ବାଚନ ମଣ୍ଡଳୀରେ ଗୋଟିଏ କଥା ସ୍ପଷ୍ଟ ଯେ କଂଗ୍ରେସ ଦଳର ପ୍ରାୟ ୩ଲକ୍ଷରୁ ଅଧିକ ଭୋଟ ରହିଛି ।

କିନ୍ତୁ ଆଗାମୀ ନିର୍ବାଚନରେ ବିଜେପି ସାଂସଦ ବସନ୍ତ କୁମାର ପଣ୍ଡାଙ୍କୁ ଲୋକସଭା ପରିବର୍ତ୍ତେ ବିଧାନସଭା ନିର୍ବାଚନ ଲଢ଼ାଇବ ବୋଲି ଦଳୀୟ ମହଲରେ ଆଲୋଚନା ହେଉଛି । ଗତ ନିର୍ବାଚନରେ ବିଜେଡି ଟିକଟ ପାଇନଥିବା ଅର୍କକେଶରୀ ଦେଓ ଇତି ମଧ୍ୟରେ ବିଜେପିରେ ଯୋଗ ଦେଇଛନ୍ତି । ତେଣୁ ତାଙ୍କ ପତ୍ନୀ ମାଳବିକା ଦେବୀଙ୍କୁ ବିଜେପି ପ୍ରାର୍ଥୀ କରିବ ବୋଲି ଚର୍ଚ୍ଚା ଜୋର ଧରିଛି । ସେହିପରି ଗତଥର ଦ୍ୱିତୀୟ ସ୍ଥାନରେ ଥିବା ବିଜେଡି ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂହଦେଓ ଏଥର ବିଧାନସଭା ନିର୍ବାଚନ ଲଢ଼ିବା ପାଇଁ ଦଳୀୟ ନେତୃତ୍ୱ ନିକଟରେ ନିଜର ମତାମତ ଜଣାଇ ଦେଇଥିବା ଦଳୀୟ ସୂତ୍ରରୂ ପ୍ରକାଶ । ତେଣୁ ଶାସକ ବିଜେଡି ପୁଷ୍ପେନ୍ଦ୍ର ସିଂହଦେଓଙ୍କ ସ୍ଥାନରେ ନୂଆ ପ୍ରାର୍ଥୀ ଦେବାର ବହୁତ ସମ୍ଭାବନା ରହିଛି । କଂଗ୍ରେସ ପ୍ରାର୍ଥୀ ଭକ୍ତ ଚରଣ ଦାସ ଲୋକସଭା ପରିବର୍ତ୍ତେ ତାଙ୍କର ପାରମ୍ପରିକ ଧର୍ମଗଡ଼ ବିଧାନସଭା ଆସନରୁ ଲଢ଼ିବା ପାଇଁ ପ୍ରସ୍ତୁତି ଚଳାଇଥିବା ଜଣାପଡ଼ିଛି । ଏଭଳି ସ୍ଥିତିରେ କଳାହାଣ୍ଡି ଲୋକସଭା ଆସନରେ ଆଗାମୀ ନିର୍ବାଚନରା ୩ଟିଯାକ ଦଳ ନୂଆମୁହଁ ନେଇ ନିର୍ବାଚନକୁ ଓହ୍ଲାଇବେ ବୋଲି ଆଲୋଚନା ହେଉଛି ।

Related posts