ଏବେ ରାଜ୍ୟସଭାରେ ସଂଖ୍ୟାଗରିଷ୍ଠତାଠାରୁ ମାତ୍ର ୪ ପାଦ ଦୂରରେ ଏନଡିଏ: ବଦଳିଲା ରାଜନୈତିକ ସମୀକରଣ

Published: Feb 28, 2024, 1:23 pm IST

ନୂଆଦିଲ୍ଲୀ: ଏପ୍ରିଲରେ ଖାଲି ପଡ଼ିଥିବା ୫୬ ଟି ରାଜ୍ୟସଭା ଆସନ ମଧ୍ୟରୁ ମଙ୍ଗଳବାର ହୋଇଥିବା ନିର୍ବାଚନରେ ବିଜେପି ୩୦ଟିରେ ବିଜୟୀ ହୋଇଛି। ସେଥିମଧ୍ୟରୁ ଦଳ ୨୦ଟି ବିନା ପ୍ରତିଦ୍ୱନ୍ଦ୍ୱିତାରେ ଏବଂ ୧୦ଟି ଆସନରେ ମତଦାନ ପରେ ବିଜୟୀ ହୋଇଛି। ଏହାକୁ ମିଶାଇ ରାଜ୍ୟସଭାରେ ବିଜେପିର ଆସନ ସଂଖ୍ୟା ୯୭କୁ ବୃଦ୍ଧି ପାଇବ ଏବଂ ଭାରତୀୟ ଜନତା ପାର୍ଟି (ବିଜେପି) ନେତୃତ୍ୱାଧୀନ ଏନଡିଏର ସଂଖ୍ୟା ୧୧୭ରେ ପହଞ୍ଚିବ।

ସମସ୍ତ ସଦସ୍ୟ ଶପଥ ନେବା ପରେ ଏନଡିଏ ୨୪୦ ସଦସ୍ୟ ବିଶିଷ୍ଟ ଗୃହରେ ସଂଖ୍ୟାଗରିଷ୍ଠତା ସଂଖ୍ୟା ୧୨୧ରୁ ମାତ୍ର ୪ ପାଦ ଦୂରରେ ରହିବ। ବର୍ତ୍ତମାନ ରାଜ୍ୟସଭାରେ ବିଜେପି ସବୁଠାରୁ ବଡ଼ ଦଳଭାବେ ରହିଛି। ରାଜ୍ୟସଭାରେ ଏହାର ୯୭ ଜଣ ସଦସ୍ୟ ଅଛନ୍ତି। ଏମାନଙ୍କ ମଧ୍ୟରେ ୬ ଜଣ ମନୋନୀତ ସାଂସଦ ଅଛନ୍ତି।

୩ଟି ରାଜ୍ୟରେ ମତଦାନ

ରାଜ୍ୟସଭାର ୫୬ ଜଣ ସଦସ୍ୟଙ୍କ ମଧ୍ୟରୁ ୪୧ ଜଣ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଥିବାବେଳେ ଉତ୍ତରପ୍ରଦେଶ, କର୍ଣ୍ଣାଟକ ଓ ହିମାଚଳ ପ୍ରଦେଶର ୧୫ଟି ଆସନ ପାଇଁ ମଙ୍ଗଳବାର ମତଦାନ ହୋଇଥିଲା। ଉତ୍ତର ପ୍ରଦେଶର ୧୦ଟି ଆସନରୁ ବିଜେପି ୮ଟି, କର୍ଣ୍ଣାଟକର ୪ଟି ଆସନରୁ ଗୋଟିଏ ଏବଂ ହିମାଚଳ ପ୍ରଦେଶର ଗୋଟିଏ ଆସନରେ ବିଜୟୀ ହୋଇଛି।

ରାଜ୍ୟସଭାରେ କେଉଁ ଦଳର କେତେ ଆସନ ଅଛି?

ବିଜେପି ପରେ ରାଜ୍ୟସଭାରେ କଂଗ୍ରେସର ସର୍ବାଧିକ ଆସନ ରହିବ। କଂଗ୍ରେସର ୨୯, ତୃଣମୂଳ କଂଗ୍ରେସ ୧୩, ଡିଏମକେ ଓ ଆମ୍ ଆଦମୀ ପାର୍ଟି ୧୦ ଲେଖାଏଁ, ୱାଇଏସଆରସିପି ୧୧, ବିଜୁ ଜନତା ଦଳ ୯, ବିଆରଏସ ୫, ଆରଜେଡି ୬, ସିପିଏମ ୫ ଏବଂ ଏଆଇଏଡିଏମକେ ଓ ଜେଡିୟୁ ୪ ଜଣ ଲେଖାଏଁ ପ୍ରାର୍ଥୀ ହେବେ। ଏହାବ୍ୟତୀତ ରାଜ୍ୟସଭାରେ ସମାଜବାଦୀ ପାର୍ଟିର ସଦସ୍ୟ ସଂଖ୍ୟା ମଧ୍ୟ ୪ ରହିବ।
ଶିବସେନା, ସିପିଆଇ(ଏମ୍), ସିପିଏ, ଏନସିପି, ଜେଏମ୍ଏମ୍ କୁ ୨-୨ଟି ଆସନ ମିଳିବ।

ସେହିପରି ବିଏସପି, ଏମଡିଏମକେ, କେରଳ କଂଗ୍ରେସ ଏମ, ଇଣ୍ଡିଆନ ମୁସଲିମ ଲିଗ୍, ୟୁପିପି, ତାମିଲ ମାନିଲା କଂଗ୍ରେସ, ଆରପିଆଇ, ଆରଏଲଡି, ପଟ୍ଟାଲି ମକ୍କଲ କାଚି, ଏନପିପି, ଏମଏନଏଫ, ଜେଡିଏସ ଏବଂ ଆସାମ ଗଣ ପରିଷଦର ସଦସ୍ୟ ସଂଖ୍ୟା ୧-୧ ହେବ।

Related posts