ଆଜି ସଂଧ୍ୟାରେ ଘୋଷଣା ହୋଇପାରେ ମେଣ୍ଟ ନିଷ୍ପତି, ଜାଣନ୍ତୁ କଣ ହେଲା ଆସନ ବୁଝାମଣା ???

Published: Mar 8, 2024, 1:13 pm IST

ନୂଆଦିଲ୍ଲୀ: ଆଜି ସଂଧ୍ୟାରେ ମେଣ୍ଟ ସଂପର୍କିତ ନିଷ୍ପତି ଘୋଷଣା ହେବାର ବହୁ ସମ୍ଭାବନା ରହିଛି। ନୂଆଦିଲ୍ଲୀ ସୁତ୍ର ଅନୁସାରେ ଆଉ ସମୟ ନ ଥିବାରୁ ଆଜି ଚୁଡାନ୍ତ ନିଷ୍ପତି ନିଆଯାଇ ସଂଧ୍ୟାରେ ଘୋଷଣା କରାଯିବ। ଏହାପରେ ବିଜେପି ତାହାର ଲୋକସଭା ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ କରିବ। ଯଦି ସବୁ ଠିକଠାକ ଚାଲେ ତେବେ ଆଜି ନିଶ୍ଚିତ ଘୋଷଣା ହେବ ବୋଲି କୁହାଯାଉଛି।

ମେଣ୍ଟ ସଂପର୍କରେ ଆଲୋଚନା କରିବା ପାଇଁ କାର୍ତ୍ତିକ ପାଣ୍ଡିଆନ ଏବଂ ପ୍ରଣବ ପ୍ରକାଶ ଦାସ ଗତକାଲି ନୂଆଦିଲ୍ଲୀ ଯାଇଥିଲେ। ସେମାନେ ବିଭିନ୍ନ ନେତାଙ୍କ ସହିତ କୁଆଡେ ଆଲୋଚନା କରି ଭୁବନେଶ୍ବର ଫେରି ଆସିଛନ୍ତି ବୋଲି କୁହାଯାଉଛି। ହେଲେ କଣ ଛିଣ୍ଡିଲା, କେତେ ଆସନ କାହା ଭାଗରେ ପଡିଲା ସେ ନେଇ କେହି କିଛି କହି ନାହାଁନ୍ତି।

ତେବେ ସୁତ୍ର ଅନୁସାରେ ଲୋକସଭା ପାଇଁ ବିଜେଡିକୁ ୭ ଟି ଆସନ ଦିଆଯାଉ ଥିବା ବେଳେ ବିଜେପିକୁ ୧୪ଟି ଆସନ ମିଳିବ ବୋଲି ନିଷ୍ପତି ହୋଇଛି। ହେଲେ ପୁରୀ ଓ ଭୁବନେଶ୍ବର ଆସନ ନେଇ କେଁ ରହିଥିବାର ଜଣାପଡିଛି। ଏହି ଦୁଇ ଆସନ ବିଜେଡି ରଖିବାକୁ ଦାବୀ କରିଛି। ହେଲେ ବିଜେପି ନେତୃତ୍ବ ସେଥିରେ ରାଜି ନ ଥିବାର ଜଣାପଡିଛି। ତାହାର ସମାଧାନ ସଂଧ୍ୟା ସୁଦ୍ଧା ହେବ ବୋଲି ଆଶା କରାଯାଉଛି।

ସେହିପରି ବିଧାନସଭା ଆସନ ଭାଗବଣ୍ଟା ନେଇ ଉଭୟ ଦଳ ଏକ ପ୍ରକାରର ଚୁଡାନ୍ତ କରିଥିବାର ଜଣାପଡିଛି। ସେହି ଅନୁସାରେ ମୋଟ ୧୪୭  ବିଧାନସଭା ଆସନରୁ ବିଜେଡି ୯୮ ଲଢିବାକୁ ଯାଉଥିବା ବେଳେ ବିଜେପି ୪୯ ଟି ଆସନରେ ପ୍ରାର୍ଥୀ ଦେବ। ତେବେ ଏହାକୁ ନେଇ ବିଜେଡି କୁଆଡେ ଅସନ୍ତୁଷ୍ଠ ବୋଲି ଜଣାପଡିଛି। ଦଳ ୧୦୦ ଉପରେ ଆସନ ଦାବୀ କରୁଛି।

ତେବେ କେଉଁ ଦଳ କେତେ ଆସନରେ ଲଢିବ ତାହା ଏକ ପ୍ରକାରର ଚୁଡାନ୍ତ ହୋଇଥିବାର ଜଣାପଡିଛି। ହେଲେ ସବୁଠାରୁ ଆଉ ଏକ ବଡ କେଁ ରହିବ ତାହା ହେଲା କେଉଁ ଦଳ କେଉଁ ଆସନ ନେବ। କାରଣ ପୂର୍ବ ମେଣ୍ଟ ସମୟରେ ଯେଉଁ ଆସନ ଭାଗ ବଣ୍ଟା ହୋଇଥିଲା ତାହାକୁ ପୁଣି ରିପିଟ କରିବାକୁ ବିଜେଡି ଚାହୁଁ ନାହିଁ।

ତେବେ ଆଜି ସଂଧ୍ୟାରେ ଏ ନେଇ ଚିତ୍ର ସ୍ପଷ୍ଟ ହେବ। ଯଦି କିଛି ଅସୁବିଧା ହୁଏ ତେବେ ୧୨ ତାରିଖରେ ଅମିତ ସାହା ଭୁବନେଶ୍ବର ଆସି ଘୋଷଣା କରିବେ ବୋଲି ମଧ୍ୟ କୁହାଯାଉଛି।

Related posts