ବିଜେଡିର ଘୋଷିତ ୬ ପ୍ରାର୍ଥୀଙ୍କ ମଧ୍ୟରୁ ୫ ନୂଆ ମୁହଁ, ୪ ବିଧାୟକଙ୍କ ଟିକେଟ କଟିଲା, ଭାଗ୍ୟବାନ ତୁଷାର

Published: Apr 22, 2024, 6:49 pm IST

ଭୁବନେଶ୍ବର: ଆଜି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି। ତେବେ ଏହି ପ୍ରାର୍ଥୀଙ୍କ ମଧ୍ୟରୁ ନବୀନ ୪ ଜଣ ବିଧାୟକଙ୍କ ଟିକେଟ କାଟିବା ସହିତ ୫ ଜଣ ନୂଆ ପ୍ରାର୍ଥୀଙ୍କୁ ସୁଯୋଗ ଦେଇଛନ୍ତି। ତେବେ ଏହି ସପ୍ତମ ତାଲିକାରେ ମନ୍ତ୍ରୀ ତୁଷାରକାନ୍ତି ବେହେରା ହେଉଛନ୍ତି ଏକମାତ୍ର ବିଧାୟକ ଯାହାର ଟିକେଟ କଟି ନାହିଁ। ତାଙ୍କୁ ଛାଡିଦେଲେ ଏଥର ବିଜେଡି ୫ ଜଣ ନୂଆ ପ୍ରାର୍ଥୀଙ୍କୁ ସୁଯୋଗ ଦେଇଛି।

ଯେଉଁମାନଙ୍କର ଟିକେଟ କଟିଛି ସେମାନେ ହେଲେ ବରୀ ବିଧାୟିକା ସୁନନ୍ଦା ଦାସ, ବାଲିକୂଦା ଏରସମାର ରଘୁନନ୍ଦନ ଦାସ, ହିନ୍ଦୋଳରୁ ସୀମାରାଣୀ ନାୟକ ଏବଂ ବାଙ୍ଗିରୀପୋଷିର ବିଧାୟକ ସୁଦାମ ମାରଣ୍ଡି। ତେବେ ସୁଦାମ ମାରାଣ୍ଡିଙ୍କୁ ଦଳ ଏଥର ଟିକେଟ ନ ଦେଇ ତାଙ୍କ ପତ୍ନୀ ରଞ୍ଜିତା ମାରାଣ୍ଡିଙ୍କୁ ପ୍ରାର୍ଥୀ କରିଛି। ହେଲେ ଅନ୍ୟମାନଙ୍କ ସଂପୂର୍ଣ୍ଣ ରୂପେ ନିର୍ବାଚନ ମଇଦାନରୁ ଦୂରେଇ ଦିଆଯାଇଛି।

ତେବେ ବରୀର ବିଧାୟିକା ସୁନନ୍ଦା ଦାସଙ୍କୁ ଦଳ ଏଥର ଭରସାକୁ ନେଇ ନାହିଁ। ହେଲେ ବିଜେପି ଛାଡି ବିଜେଡିରେ ଯୋଗଦେଇଥିବା ବିଶ୍ବ ରଂଜନ ମଲ୍ଲିକଙ୍କୁ ଦଳ ପ୍ରାର୍ଥୀ କରିଛି। ଗତ ନିର୍ବାଚନରେ ସୁନନ୍ଦା ଏବଂ ବିଶ୍ବ ରଂଜନ ମଧ୍ୟରେ ଲଢେଇ ହୋଇଥିଲା। ଏଥିରେ ବିଶ୍ବ ପ୍ରାୟ ଚାରି ହଜାର ପାଖାପାଖି ଭୋଟରେ ହାରିଯାଇଥିଲେ। ଏଥର ତାଙ୍କୁ ଦଳ ପ୍ରାର୍ଥୀ କରି ସେ ବହୁ ଭୋଟରେ ଜିତିବେ ବୋଲି ଆଶା କରିଛି।

ସେହିପରି ବାଲକୂଦା ଏରସମାରେ ବିଧାୟକ ରଘୁନନ୍ଦନ ଦାସଙ୍କୁ ଦଳ ଭରସା କରି ନାହିଁ। ତାଙ୍କ ବଦଳରେ ଗତଥର ତାଙ୍କ ସହିତ ସ୍ବାଧୀନରୁ ଲଢେଇ କରିଥିବା ସାରଦା ଜେନାଙ୍କୁ ପ୍ରାର୍ଥୀ କରିଛି। ସାରଦା ବିଜେଡିରେ ମିଶିବା ପରେ ଦଳ ତାଙ୍କ ଉପରେ ଭରସା କରିଛି। ରଘୁନନ୍ଦନଙ୍କ କୁଆଡେ ଦେହ ଭଲ ରହୁ ନ ଥିବାରୁ ଦଳ ତାଙ୍କୁ ଟିକେଟ ଦେଲା ନାହିଁ ବୋଲି କୁହାଯାଉଛି।

ହିନ୍ଦୋଳରେ ଏଥର ବିଜେଡି ଢେଙ୍କାନାଳ  ସାଂସଦ ମହେଶ ସାହୁଙ୍କୁ ବିଧାୟକ ପ୍ରାର୍ଥି କରିଛି।  ସେ ପୁଣିଥରେ ସାଂସଦ ପ୍ରାର୍ଥୀ ହେବେ ବୋଲି ଆଶା କରିଥିଲେ। ହେଲେ ଦଳ ତାଙ୍କ ବଦଳରେ ଯୁବ ପ୍ରାର୍ଥୀ ଅବିନାଶ ସାମଲଙ୍କ ଉପରେ ଭରସା କରିଛି। ଅବିନାଶଙ୍କ ନାମ ଘୋଷଣା ହେବା ପରେ ମହେଶ କଣ କରିବେ ବୋଲି ଚର୍ଚ୍ଚା ଚାଲିଥିଲା। ହେଲେ ଦଳ ସେଠାକାର ବିଧାୟକ ସୀମାରାଣୀ ନାୟକଙ୍କ ଟିକେଟ କାଟି ମହେଶ ସାହୁଙ୍କୁ ପ୍ରାର୍ଥୀ କରିଛି।

ବିଜେଡି ବାଙ୍ଗିରୀପୋଷିର ବିଧାୟକ ସୁଦାମ ମାରାଣ୍ଡିଙ୍କ ଟିକେଟ କାଟିଥିଲେ ମଧ୍ୟ ତାଙ୍କ ପତ୍ନୀଙ୍କ ଉପରେ ଦଳ ଭରସା କରି ଟିକେଟ ଦେଇଛି। ତେବେ ଏହି ୬ ଜଣିଆ ତାଲିକାରେ କେବଳ ତୁଷାରଙ୍କୁ ଛାଡି ଦେଲେ ଆଉ ସମସ୍ତେ ନୂଆ। ସେହିପରି ୬ ଜଣିଆ ତାଲିକାରେ ଦଳ ଦୁଇ ଜଣ ମହିଳାଙ୍କୁ ପ୍ରାର୍ଥୀ କରିଛି। ବର୍ତ୍ତମାନ ସୁଦ୍ଧା ଘୋଷଣା ହୋଇଥିବା ବିଧାୟସଭା ପ୍ରାର୍ଥୀ ତାଲିକାରେ ମୋଟ ୩୪ ଜଣ ମହିଳାଙ୍କୁ ପ୍ରାର୍ଥୀ କରିଛି। ଯାହା ୨୪ ପ୍ରତିଶତ ବୋଲି ଜଣା ପଡିଛି।

Related posts