ପଦ୍ମଶ୍ରୀ କମଳା ପୂଜାରୀଙ୍କୁ ଷଢଯନ୍ତ୍ର କରି ମାରି ଦିଆଯାଇଛି, ସାଂଘାତିକ ଅଭିଯୋଗ ଆଣିଲେ ସାଂସଦ ସୁଲତା ଦେଓ

Published: Jul 23, 2024, 8:03 pm IST

ଭୁବନେଶ୍ବର: ପାଂରପାରିକ ଧାନବିହନ ସଂରକ୍ଷଣ କରି ପଦ୍ମଶ୍ରୀ ହାସଲ କରିଥିବା କୋରାପୁଟର କମଳା ପୂଜାରୀଙ୍କ ଗତ 20 ତାରିଖରେ ପରଲୋକ ହୋଇଯାଇଛି। ବାର୍ଦ୍ଧକ୍ୟ ଜନିତ ରୋଗରେ ସେ ମୃତ୍ୟୁବରଣ କରିଥିବାର ଜଣାପଡିଛି। ତେବେ ପରଲୋକର ତିନିଦିନ ପରେ ମୃତ୍ୟୁକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସାଂସଦ ସୁଲତା ଦେଓ। କମଳାଙ୍କୁ ଷଢଯନ୍ତ୍ରୀ କରି ମାରି ଦିଆଯାଇଛି ବୋଲି ସାଂସଦ ସୁଲତା ଗୁରୁତର ଅଭିଯୋଗ କରିଛନ୍ତି।

ଏକ ଭିଡିଓ ଜାରୀ କରି ସେ କହିଛନ୍ତି ଯେ, କମଳା ପୂଜାରୀଙ୍କ ଦେହ ଖରାପ ହେବା ପରେ ତାଙ୍କୁ କଟକ କଣ ପାଇଁ ଅଣାଯାଇଥିଲା। ସାଧାରଣତଃ ଯାହାର ଦେହ ଗୁରୁତର ହୋଇପଡେ ତାଙ୍କୁ ତୁରନ୍ତ ନିକଟସ୍ଥ ହସପିଟାଲରେ ଭର୍ତ୍ତି କରାଯାଇଥାଏ। ହେଲେ ତାଙ୍କୁ ନିକଟସ୍ଥ ଭାଇଜାକ, ବ୍ରହ୍ମପୁର ଏବଂ ଭୁବନେଶ୍ବରର ହସପିଟାଲରେ ଭର୍ତ୍ତି ନ କରି ସେସବୁ ପାରି କରି କଣ ପାଇଁ କଟକ ଅଣାଗଲା ବୋଲି ପଚାରିଛନ୍ତି। ଯଦି ସରକାର ସେ ଜଣେ ଗୁରୁତ୍ବ ପୂର୍ଣ୍ଣ ବ୍ୟକ୍ତି ଏବଂ କଟକରେ ଚିକିତ୍ସା କରିବାର ଆବଶ୍ୟକ ଅଛି ବୋଲି ଅନୁଭବ କରୁଥିଲେ, ତେବେ କାହିଁକି ଏୟାର ଲିଫ୍ଟ କରାଗଲା ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି।

ଅନ୍ୟପକ୍ଷରେ ସାଂସଦ ସୁଲତା ଆଉ ଏକ ଗୁରୁତର ଅଭିଯୋଗ ମଧ୍ୟ କରିଛନ୍ତି। ତାହା ହେଲା କମଳାଙ୍କୁ ଯେତେବେଳେ କଟକ ମେଡିକାଲରେ ଭର୍ତ୍ତି କରାଗଲା ସେତେବେଳେ ହାଉସ ସର୍ଜନମାନେ ଧର୍ମଘଟ କରିଥିଲେ। ଏପରି ପରିସ୍ଥିତିରେ ଓଡିଶାର ଏହି ମହାନ ବ୍ୟକ୍ତିଙ୍କୁ ସରକାର ଚିକିତ୍ସାରେ ଜାଣିଶୁଣି ଅବହେଳା କରିଛନ୍ତି କି ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି।

କୋରାପୁଟରୁ ଜଣେ ଗୁରୁତର ରୋଗୀଙ୍କୁ ରାସ୍ତାରେ ଏତେ ବଡବଡ ଡାକ୍ତରଖାନା ଛାଡି ସିଧା କଟକ ଆଣିବା ପଛରେ ଷଢଯନ୍ତ୍ର ଅଛି ବୋଲି କହିଛନ୍ତି ସୁଲତା। ଆଉ ସେହି ଷଢଯନ୍ତ୍ରରେ ସରକାର ଫସିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଏହା ପଛରେ ଧାନ ବିହନ ବ୍ୟବସାୟୀଙ୍କ ହାତ ଥାଇପାରେ ବୋଲି ସେ ସନ୍ଦେହ କରିଛନ୍ତି। ଏହାର ବିଧବଧ ତଦନ୍ତ କରାଯାଉ ବୋଲି ସୁଲତା ଦାବୀ କରିଛନ୍ତି।

Related posts