ନୂଆଦିଲ୍ଲୀ: ଏପର୍ଯ୍ୟନ୍ତ ପ୍ୟାରିସରେ ଚାଲିଥିବା ଅଲିମ୍ପିକ୍ସରେ ଭାରତ ୩ ଟି ପଦକ ଜିତିଛି। ଭାରତ ଏପର୍ଯ୍ୟନ୍ତ ବ୍ରୋଞ୍ଜ ପଦକ ଜିତିଛି। ବର୍ତ୍ତମାନ ଭାରତୀୟ ପ୍ରଶଂସକମାନେ ସ୍ୱର୍ଣ୍ଣ ପଦକକୁ ଅପେକ୍ଷା କରିଛନ୍ତି। ସ୍ୱର୍ଣ୍ଣ ପଦକ ପାଇଁ ଷ୍ଟାର ଜାଭେଲିନ୍ ଥ୍ରୋଅର ନୀରଜ ଚୋପ୍ରାଙ୍କଠାରୁ ପ୍ରଶଂସକମାନେ ଅନେକ ଆଶା ରଖିଛନ୍ତି। ନୀରଜ ଚୋପ୍ରା ପୂର୍ବରୁ ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତିଥିଲେ। ବର୍ତ୍ତମାନ ଯଦି ନୀରଜ ଚୋପ୍ରା ପ୍ୟାରିସ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତନ୍ତି, ତେବେ ଏହା ଦେଶବାସୀଙ୍କ ପାଇଁ ଖୁସି ଆଣିବା ସହିତ ବଡ଼ ଲାଭ ମଧ୍ୟ ଦେବ। ତେବେ ନୀରଜ ଚୋପ୍ରା ସ୍ୱର୍ଣ୍ଣ ଜିତିବା ସହିତ ସମସ୍ତ ଭାରତୀୟ ବିଶ୍ୱର ଯେକୌଣସି ଦେଶକୁ ମାଗଣା ଭିସା ପାଇବେ।
ବାସ୍ତବରେ ଭାରତୀୟ ବଂଶଜ ଭିସା ଷ୍ଟାର୍ଟଅପ୍ ଆଟଲାସର ସିଇଓ ମୋହକ ନାହଟା ପ୍ରତିଶୃତି ଦେଇଛନ୍ତି ଯେ, ଯଦି ନୀରଜ ଚୋପ୍ରା ପ୍ୟାରିସ୍ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତନ୍ତି, ତେବେ ଭାରତର ସମସ୍ତ ନାଗରିକଙ୍କୁ ବିଶ୍ୱର ଯେକୌଣସି ଦେଶକୁ ମାଗଣା ଭିସା ଦିଆଯିବ। ମୋହକ ନାହାଟା ତାଙ୍କ ଲିଙ୍କଡଇନ ପୋଷ୍ଟ ମାଧ୍ୟମରେ ଏ ବିଷୟରେ କହିଛନ୍ତି। ଏହାପୂର୍ବରୁ ସେ ଏକ ପୋଷ୍ଟ କରିଥିଲେ, ଯେଉଁଥିରେ ସେ ଭିସା ଦେବେ ବୋଲି ପ୍ରତିଶୃତି ଦେଇଥିଲେ। ବର୍ତ୍ତମାନ ମୋହକ ନାହଟା ବିସ୍ତୃତ ଭାବରେ କହିଛନ୍ତି ଯେ, ଯଦି ନୀରଜ ଚୋପ୍ରା ସ୍ୱର୍ଣ୍ଣ ଜିତନ୍ତି ତେବେ କିପରି ଏବଂ କିଏ ଭିସା ପାଇବେ?
ଏହାପୂର୍ବରୁ ତାଙ୍କ ଲିଙ୍କଡଇନ ପୋଷ୍ଟରେ ମୋହକ ନାହଟା ଲେଖିଥିଲେ ଯେ, ଯଦି ନୀରଜ ଚୋପ୍ରା ପ୍ୟାରିସ ଅଲିମ୍ପିକରେ ସ୍ୱର୍ଣ୍ଣ ଜିତନ୍ତି, ତେବେ ମୁଁ ବ୍ୟକ୍ତିଗତ ଭାବେ ସମସ୍ତଙ୍କୁ ମାଗଣା ଭିସା ପଠାଇବି।
ତା’ପରେ ଭିସା ବିଷୟରେ ସବିଶେଷ ତଥ୍ୟ ପ୍ରଦାନ କରୁଥିବା ଅନ୍ୟ ଏକ ପୋଷ୍ଟରେ ଆଟଲାସ୍ ସିଇଓ ଲେଖିଛନ୍ତି ଯେ, “ଜୁଲାଇ ୩୦ ତାରିଖରେ ଯଦି ନୀରଜ ଚୋପ୍ରା ସ୍ୱର୍ଣ୍ଣ ଜିତନ୍ତି ତେବେ ମୁଁ ସମସ୍ତଙ୍କୁ ମାଗଣା ଭିସା ଦେବି ବୋଲି ପ୍ରତିଶୃତି ଦେଇଥିଲି। ସେହି ଦିନଠାରୁ ଅନେକ ଲୋକ ଏହାର ବିବରଣୀ ବିଷୟରେ ପଚାରିଥିଲେ। ତେଣୁ ଏଠାରେ ଜାଣନ୍ତୁ।”
ସବିଶେଷରେ ମୋହକ ନାହାଟା କହିଛନ୍ତି ଯେ, ଯଦି ନୀରଜ ଚୋପ୍ରା ସ୍ଵର୍ଣ୍ଣ ପଦକ ହାସଲ କରନ୍ତି, ତେବେ ଆମେ ସମସ୍ତ ଉପଭୋକ୍ତାଙ୍କୁ ଗୋଟିଏ ଦିନ ପାଇଁ ମାଗଣା ଭିସା ଦେବୁ। ଏଥିସହ ଭିସା ସମ୍ପୂର୍ଣ୍ଣ ମାଗଣା ହେବ ବୋଲି ସେ କହିଛନ୍ତି। ଏହା ମଧ୍ୟ କୁହାଯାଇଥିଲା ଯେ, ଆପଣ ଯେକୌଣସି ଦେଶ ପାଇଁ ଭିସା ନେଇପାରିବେ।