Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ସୁପର କମ୍ପ୍ୟୁଟର ପରମ ରୁଦ୍ରକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କଲେ ପ୍ରଧାନମନ୍ତ୍ରୀ, ଜାଣନ୍ତୁ ଏହା କଣ
ଜାତୀୟ ଖବର

ସୁପର କମ୍ପ୍ୟୁଟର ପରମ ରୁଦ୍ରକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କଲେ ପ୍ରଧାନମନ୍ତ୍ରୀ, ଜାଣନ୍ତୁ ଏହା କଣ

September 27, 2024No Comments6 Mins Read
Share Facebook Twitter LinkedIn Email WhatsApp Copy Link
supercomputer
ସୁପର କମ୍ପ୍ୟୁଟର ପରମ ରୁଦ୍ରକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କଲେ ପ୍ରଧାନମନ୍ତ୍ରୀ, ଜାଣନ୍ତୁ ଏହା କଣ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ପ୍ରାୟ ୧୩୦ କୋଟି ଟଙ୍କା ମୂଲ୍ୟର ତିନୋଟି ପରମ ରୁଦ୍ର ସୁପର କମ୍ପ୍ୟୁଟରକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ଜାତୀୟ ସୁପରକମ୍ପ୍ୟୁଟିଂ ମିଶନ (ଏନଏସଏମ) ଅଧୀନରେ ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ ଏହି ସୁପର କମ୍ପ୍ୟୁଟରକୁ ପୁଣେ, ଦିଲ୍ଲୀ ଏବଂ କୋଲକାତାରେ ସ୍ଥାପିତ କରାଯାଇ ବୈଜ୍ଞାନିକ ଗବେଷଣାର ସୁବିଧା ପାଇଁ ନିୟୋଜିତ କରାଯାଇଛି । ପ୍ରଧାନମନ୍ତ୍ରୀ ପାଣିପାଗ ଏବଂ ଜଳବାୟୁ ଗବେଷଣା ପାଇଁ ପ୍ରସ୍ତୁତ ଏକ ହାଇ ପରଫର୍ମାନ୍ସ କମ୍ପ୍ୟୁଟିଂ (ଏଚପିସି) ପ୍ରଣାଳୀର ଉଦଘାଟନ କରିଛନ୍ତି।

ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜି ଭାରତ ପାଇଁ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଏକ ମହାନ ସଫଳତା ହାସଲ କରିଛି। ଏହା ଗବେଷଣା ଓ ବିକାଶକୁ ପ୍ରାଥମିକତା ଦେଇ ଦେଶ କିଭଳି ପ୍ରଗତି ହାସଲ କରୁଛି ତାହାର ପ୍ରତିଫଳନ। ‘‘ଆଜିର ଭାରତ ସମ୍ଭାବନାର ଅସୀମ ଦିଗନ୍ତରେ ନୂତନ ସୁଯୋଗ ସୃଷ୍ଟି କରୁଛି’’, ପ୍ରଧାନମନ୍ତ୍ରୀ କହିଛନ୍ତି।

ପ୍ରଧାନମନ୍ତ୍ରୀ ଭାରତର ବୈଜ୍ଞାନିକମାନଙ୍କ ଦ୍ୱାରା ତିନୋଟି ପରମ ରୁଦ୍ର ସୁପର କମ୍ପ୍ୟୁଟର ବିକାଶ ଏବଂ ଦିଲ୍ଲୀ, ପୁଣେ ଏବଂ କୋଲକାତାରେ ଏହାର ପ୍ରତିଷ୍ଠା ବିଷୟରେ ଉଲ୍ଲେଖ କରିବା ସହ ପାଣିପାଗ ଏବଂ ଜଳବାୟୁ ଗବେଷଣା ପାଇଁ ପ୍ରସ୍ତୁତ ଏକ ହାଇ-ପରଫର୍ମାନ୍ସ କମ୍ପ୍ୟୁଟିଂ (ଏଚପିସି) ପ୍ରଣାଳୀ ‘ଅର୍କ’ ଏବଂ ‘ଅରୁଣିକା’ର  ଉଦଘାଟନ ବିଷୟରେ ମଧ୍ୟ କହିଥିଲେ। ଏଥିପାଇଁ ସମଗ୍ର ବୈଜ୍ଞାନିକ ସମୁଦାୟ, ଇଞ୍ଜିନିୟର ଏବଂ ସମସ୍ତ ନାଗରିକଙ୍କୁ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି।

ତୃତୀୟ ପାଳି ଆରମ୍ଭ ହେବାର ୧୦୦ ଦିନ ବ୍ୟତୀତ ଅତିରିକ୍ତ ୨୫ ଦିନ ଯୁବବର୍ଗଙ୍କୁ ସମର୍ପିତ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଏଥିସହିତ ତିନୋଟି ପରମ ରୁଦ୍ର ସୁପର କମ୍ପ୍ୟୁଟରକୁ ଦେଶର ଯୁବବର୍ଗଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ। ଦେଶର ଯୁବ ବୈଜ୍ଞାନିକମାନଙ୍କ ପାଇଁ ଏଭଳି ଅତ୍ୟାଧୁନିକ ଜ୍ଞାନକୌଶଳ ଉପଲବ୍ଧ କରାଇବା ଦିଗରେ ଏହି ସୁପର କମ୍ପ୍ୟୁଟରଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ସେ ଗୁରୁତ୍ୱାରୋପ କରିବା ସହ ପଦାର୍ଥ ବିଜ୍ଞାନ, ଭୂ-ବିଜ୍ଞାନ ଓ ବ୍ରହ୍ମାଣ୍ଡ ବିଜ୍ଞାନ କ୍ଷେତ୍ରରେ ଉନ୍ନତ ଗବେଷଣାରେ ଏହାର ବ୍ୟବହାର ଉପରେ ଆଲୋକପାତ କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏଭଳି କ୍ଷେତ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ଭବିଷ୍ୟତ ପାଇଁ ପରିକଳ୍ପନା କରିଥାଏ।

‘‘ଡିଜିଟାଲ ବିପ୍ଳବ ଯୁଗରେ କମ୍ପ୍ୟୁଟିଂ କ୍ଷମତା ଜାତୀୟ ସାମର୍ଥ୍ୟର ପରିଚାୟକ ପାଲଟିଛି’’, ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଗବେଷଣା, ଆର୍ଥିକ ଅଭିବୃଦ୍ଧି, ରାଷ୍ଟ୍ରର ସାମୂହିକ ସାମର୍ଥ୍ୟ, ବିପର୍ଯ୍ୟୟ ପରିଚାଳନା, ସହଜ ଜୀବନଯାପନ, ବ୍ୟବସାୟିକ ସୁଗମତା ଇତ୍ୟାଦି କ୍ଷେତ୍ରରେ ସୁଯୋଗ ପାଇଁ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଏବଂ କମ୍ପ୍ୟୁଟିଂ କ୍ଷମତା ଉପରେ ପ୍ରତ୍ୟକ୍ଷ ନିର୍ଭରଶୀଳତା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ ଯେ, ଶିଳ୍ପ ୪.୦ରେ ଏଭଳି ଶିଳ୍ପ ଭାରତର ବିକାଶ ପାଇଁ ଆଧାର ହେଉଛି। ଶ୍ରୀ ମୋଦୀ ଜୋର୍ ଦେଇ କହିଥିଲେ ଯେ ଭାରତର ଅଂଶ ବିଟ୍ ଏବଂ ବାଇଟ୍ ରେ ସୀମିତ ନ ରହି ଟେରାବାଇଟ୍ ଏବଂ ପେଟାବାଇଟ୍ ରେ ବିସ୍ତାର ହେବା ଉଚିତ୍। ତେଣୁ ଭାରତ ସଠିକ ଦିଗରେ ଆଗକୁ ବଢ଼ୁଥିବାର ଆଜିର ଘଟଣା ପ୍ରମାଣ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜିର ଭାରତ କେବଳ ବାକି ବିଶ୍ୱର ସାମର୍ଥ୍ୟ ସହିତ ମେଳ ଖାଇ ସନ୍ତୁଷ୍ଟ ରହିପାରିବ ନାହିଁ। ବୈଜ୍ଞାନିକ ଗବେଷଣା ମାଧ୍ୟମରେ ମାନବିକତାର ସେବା କରିବା ନିଜର ଦାୟିତ୍ୱ ବୋଲି ଭାରତ ବିବେଚନା କରେ। ଡିଜିଟାଲ ଇଣ୍ଡିଆ, ଷ୍ଟାର୍ଟଅପ୍ ଇଣ୍ଡିଆ ଏବଂ ମେକ୍ ଇନ୍ ଇଣ୍ଡିଆ ଭଳି ଐତିହାସିକ ଅଭିଯାନ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ, ଭାରତର ମନ୍ତ୍ରଣ ହେଉଛି ଗବେଷଣା ମାଧ୍ୟମରେ ଆତ୍ମନିର୍ଭରଶୀଳତା ଏବଂ ଆତ୍ମନିର୍ଭରଶୀଳତା ପାଇଁ ବିଜ୍ଞାନ।

ଭାରତର ଭବିଷ୍ୟତ ପିଢ଼ି ମଧ୍ୟରେ ବୈଜ୍ଞାନିକ ମନୋଭାବକୁ ସୁଦୃଢ଼ କରିବା ପାଇଁ ବିଦ୍ୟାଳୟରେ ୧୦,୦୦୦ରୁ ଅଧିକ ଅଟଳ ଟିଙ୍କରିଂ ଲ୍ୟାବ୍ ସୃଷ୍ଟି, ଷ୍ଟେମ୍ ବିଷୟରେ ଶିକ୍ଷା ପାଇଁ ବୃତ୍ତି ବୃଦ୍ଧି ଏବଂ ଚଳିତ ବର୍ଷ ବଜେଟରେ ୧ ଲକ୍ଷ କୋଟି ଟଙ୍କାର ଗବେଷଣା ପାଣ୍ଠି ସୃଷ୍ଟି କରିବା ବିଷୟରେ ସେ ଉଲ୍ଲେଖ କରିଥିଲେ। ଏକବିଂଶ ଶତାବ୍ଦୀର ବିଶ୍ୱକୁ ସଶକ୍ତ କରିବା ପାଇଁ ସେ ଏହାର ଉଦ୍ଭାବନ ଦ୍ୱାରା ଭାରତକୁ ସଶକ୍ତ କରିବା ଲକ୍ଷ୍ୟ ଉପରେ ଗୁରୁତ୍ୱାରୋପ କରିଥିଲେ ।

ମହାକାଶ ଏବଂ ସେମିକଣ୍ଡକ୍ଟର ଶିଳ୍ପ ଉପରେ ବିଶେଷ ଧ୍ୟାନ ଦେଇ ବିଭିନ୍ନ କ୍ଷେତ୍ରରେ ଭାରତର ଅଗ୍ରଗତି ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ଏପରି କୌଣସି କ୍ଷେତ୍ର ନାହିଁ ଯେଉଁଠାରେ ଭାରତ ସାହସିକ ନିଷ୍ପତ୍ତି ନେଉନାହିଁ କିମ୍ବା ନୂତନ ନୀତି ପ୍ରଣୟନ କରୁନାହିଁ। ଭାରତ ମହାକାଶ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଶକ୍ତି ରେ ପରିଣତ ହୋଇଛି। ଭାରତର ବୈଜ୍ଞାନିକମାନେ ସୀମିତ ସମ୍ବଳ ସହିତ ସମାନ ସଫଳତା ହାସଲ କରିଛନ୍ତି ଯେଉଁଠାରେ ଅନ୍ୟ ରାଷ୍ଟ୍ରମାନେ ସେମାନଙ୍କ ସଫଳତା ପାଇଁ କୋଟି କୋଟି ଡଲାର ଖର୍ଚ୍ଚ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ଅବତରଣ କରିବାରେ ଭାରତର ପ୍ରଥମ ଦେଶ ହେବାର ସଫଳତା ଉପରେ ଶ୍ରୀ ମୋଦୀ ଗର୍ବର ସହ ଆଲୋକପାତ କରିଥିଲେ। ଏହି ସଫଳତା ମହାକାଶ ଗବେଷଣା କ୍ଷେତ୍ରରେ ଦେଶର ନିଷ୍ଠା ଓ ଆଧୁନିକ ଉଦ୍ଭାବନର ପ୍ରମାଣ ବୋଲି ସେ କହିଥିଲେ। ମହାକାଶରେ ଭାରତର ଭବିଷ୍ୟତ ଲକ୍ଷ୍ୟ ସମ୍ପର୍କରେ ବିସ୍ତୃତ ବିବରଣୀ ଦେଇ ଶ୍ରୀ ମୋଦୀ କହିଥିଲେ, ଭାରତର ଗଗନଯାନ ଅଭିଯାନ କେବଳ ମହାକାଶରେ ପହଞ୍ଚିବା ପାଇଁ ନୁହେଁ; ଏହା ଆମ ବୈଜ୍ଞାନିକଙ୍କ ସ୍ୱପ୍ନର ଅସୀମ ଉଚ୍ଚତାରେ ପହଞ୍ଚିବା ଉପରେ ଆଧାରିତ। ୨୦୩୫ ସୁଦ୍ଧା ଭାରତୀୟ ମହାକାଶ ଷ୍ଟେସନ ପ୍ରତିଷ୍ଠାର ପ୍ରଥମ ପର୍ଯ୍ୟାୟ ପାଇଁ  ନିକଟରେ କେନ୍ଦ୍ର ସରକାରଙ୍କ ଅନୁମୋଦନ ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଥିଲେ, ଯାହା ମହାକାଶ ଅନୁସନ୍ଧାନରେ ଭାରତର ଉପସ୍ଥିତିକୁ ବଢ଼ାଇବ।

ସାମ୍ପ୍ରତିକ ବିଶ୍ୱରେ ସେମିକଣ୍ଡକ୍ଟରର ଗୁରୁତ୍ୱ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ, ସେମିକଣ୍ଡକ୍ଟର ବିକାଶ ପାଇଁ ଏକ ଅତ୍ୟାବଶ୍ୟକ ଉପାଦାନ ପାଲଟିଛି। ଏହି କ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ ‘ଇଣ୍ଡିଆ ସେମିକଣ୍ଡକ୍ଟର ମିଶନ’ର ଶୁଭାରମ୍ଭ କରାଯାଇଛି।  ଅଳ୍ପ ସମୟ ମଧ୍ୟରେ ଦେଖାଯାଇଥିବା ସକାରାତ୍ମକ ଫଳାଫଳ ଉପରେ ଆଲୋକପାତ କରିଥିଲେ। ସେ ଗୁରୁତ୍ୱାରୋପ କରିଥିଲେ ଯେ ଭାରତ ଏହାର ସେମିକଣ୍ଡକ୍ଟର ଇକୋସିଷ୍ଟମ ନିର୍ମାଣ କରୁଛି, ଯାହା ବିଶ୍ୱ ଯୋଗାଣ ଶୃଙ୍ଖଳାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ପ୍ରଧାନମନ୍ତ୍ରୀ ତିନୋଟି ନୂତନ ‘‘ପରମ ରୁଦ୍ର’’ ସୁପର କମ୍ପ୍ୟୁଟର ପ୍ରଚଳନ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ, ଯାହା ଭାରତର ବହୁମୁଖୀ ବୈଜ୍ଞାନିକ ବିକାଶକୁ ଆହୁରି ସମର୍ଥନ କରିବ।

ପ୍ରଧାନମନ୍ତ୍ରୀ ମୋଦୀ ଭାରତର ବୈଜ୍ଞାନିକ ଏବଂ ବୈଷୟିକ ପ୍ରଗତି ଉପରେ ଗୁରୁତ୍ୱାରୋପ କରି କହିଥିଲେ ଯେ ସୁପର କମ୍ପ୍ୟୁଟରରୁ କ୍ୱାଣ୍ଟମ କମ୍ପ୍ୟୁଟିଂ ପର୍ଯ୍ୟନ୍ତ ଭାରତର ଯାତ୍ରା ଦେଶର ମହାନ ଦୃଷ୍ଟିକୋଣର ପରିଣାମ। ସେ ଦର୍ଶାଇଥିଲେ ଯେ ସୁପର କମ୍ପ୍ୟୁଟର ପୂର୍ବରୁ କେବଳ କିଛି ରାଷ୍ଟ୍ରର ଅଧୀନରେ ଥିଲା, କିନ୍ତୁ ୨୦୧୫ରେ ନ୍ୟାସନାଲ ସୁପର କମ୍ପ୍ୟୁଟର ମିଶନର ଶୁଭାରମ୍ଭ ସହିତ ଭାରତ ବର୍ତ୍ତମାନ ବିଶ୍ୱସ୍ତରୀୟ ସୁପର କମ୍ପ୍ୟୁଟର ନିର୍ମାତା ଦେଶମାନଙ୍କ ସାମର୍ଥ୍ୟ ସହିତ ତୁଳନୀୟ ହୋଇପାରିଛି।

ସେ କହିଛନ୍ତି ଯେ କ୍ୱାଣ୍ଟମ କମ୍ପ୍ୟୁଟିଂ କ୍ଷେତ୍ରରେ ଦେଶ ନେତୃତ୍ୱ ନେଉଛି, ଯେଉଁଠାରେ ଜାତୀୟ କ୍ୱାଣ୍ଟମ ମିଶନ ଏହି ଅତ୍ୟାଧୁନିକ ଜ୍ଞାନକୌଶଳରେ ଭାରତର ସ୍ଥିତିକୁ ଆଗକୁ ବଢ଼ାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ଏହି ଉଦୀୟମାନ ଜ୍ଞାନକୌଶଳ ବିଶ୍ୱରେ ପରିବର୍ତ୍ତନ ଆଣିବ, ଆଇଟି କ୍ଷେତ୍ର, ଉତ୍ପାଦନ, ଏମଏସଏମଇ ଏବଂ ଷ୍ଟାର୍ଟଅପ୍ ରେ ଅଭୂତପୂର୍ବ ପରିବର୍ତ୍ତନ ଆଣିବ, ନୂତନ ସୁଯୋଗ ସୃଷ୍ଟି କରିବ ଏବଂ ଭାରତକୁ ବିଶ୍ୱସ୍ତରରେ ନେତୃତ୍ୱ ନେବା ପାଇଁ ଉପଯୁକ୍ତ ରୂପେ ସ୍ଥାନିତ କରିବ ବୋଲି ସେ ଜୋର୍‌ ଦେଇ କହିଥିଲେ।

ବିଜ୍ଞାନର ପ୍ରକୃତ ଉଦ୍ଦେଶ୍ୟ କେବଳ ଉଦ୍ଭାବନ ଓ ବିକାଶ ନୁହେଁ ବରଂ ସାଧାରଣ ଲୋକଙ୍କ ଆକାଂକ୍ଷା ପୂରଣ କରିବା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଡିଜିଟାଲ ଅର୍ଥବ୍ୟବସ୍ଥା ଏବଂ ୟୁପିଆଇର ଉଦାହରଣ ଦେଇ ଶ୍ରୀ ମୋଦୀ କହିଥିଲେ ଯେ ଭାରତ ହାଇଟେକ୍ କ୍ଷେତ୍ରରେ ଅଗ୍ରଗତି କରୁଥିବା ବେଳେ ଏହି ଜ୍ଞାନକୌଶଳ ଗରିବମାନଙ୍କୁ ସଶକ୍ତ କରିବାରେ ଲାଗିଛି। ଦେଶକୁ ପାଣିପାଗ ପାଇଁ ପ୍ରସ୍ତୁତ ଏବଂ ଜଳବାୟୁ ସ୍ମାର୍ଟ କରିବା ଉଦ୍ଦେଶ୍ୟରେ ନିକଟରେ ଆରମ୍ଭ ହୋଇଥିବା ‘ମିଶନ ମୌସମ’ ବିଷୟରେ ମଧ୍ୟ ସେ କହିଥିଲେ।

ହାଇ ପରଫର୍ମାନ୍ସ କମ୍ପ୍ୟୁଟିଂ (ଏଚପିସି) ସିଷ୍ଟମ ଏବଂ ସୁପର କମ୍ପ୍ୟୁଟରର ଆବିର୍ଭାବ ସହିତ ହାଇପର-ଲୋକାଲ ଏବଂ ଅଧିକ ସଠିକ ପୂର୍ବାନୁମାନ ପାଇଁ ଭାରତର ପାଣିପାଗ ପୂର୍ବାନୁମାନ କ୍ଷମତା ବୃଦ୍ଧି ପାଇବ ବୋଲି ସେ ଉଲ୍ଲେଖ କରିଥିଲେ। ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ ବର୍ଣ୍ଣନା କରିଥିଲେ ଯେ  ସୁପର କମ୍ପ୍ୟୁଟର ଏଭଳି ଏକ ବୈଜ୍ଞାନିକ ଉପଲବ୍ଧି ଯାହାଦ୍ୱାରା ଦୁର୍ଗମ ଗ୍ରାମଗୁଡ଼ିକରେ କେବଳ ପାଣିପାଗ ଏବଂ ମୃତ୍ତିକା ବିଶ୍ଳେଷଣ ନୁହେଁ ବରଂ ହଜାର ହଜାର ଜୀବନ ପାଇଁ ଏକ ରୂପାନ୍ତରଣକାରୀ ପରିବର୍ତ୍ତନ ଆସିପାରିବ।

ଛୋଟରୁ ଛୋଟ କୃଷକ ମଧ୍ୟ ଯେପରି ବିଶ୍ୱର ସର୍ବୋତ୍ତମ ଜ୍ଞାନ ପାଇପାରିବେ ତାହା ସୁପର କମ୍ପ୍ୟୁଟର ଦ୍ୱାରା ସୁନିଶ୍ଚିତ ହେବା। ଏହା ସେମାନଙ୍କୁ ସେମାନଙ୍କ ଫସଲ ବିଷୟରେ ସଚେତନ ନିଷ୍ପତ୍ତି ନେବାରେ ସାହାଯ୍ୟ କରିବ। ସମୁଦ୍ରକୁ ଯାଉଥିବା ମତ୍ସ୍ୟଜୀବୀମାନେ ମଧ୍ୟ ଉପକୃତ ହେବେ କାରଣ ଏହି ଜ୍ଞାନକୌଶଳ ବିପଦକୁ ହ୍ରାସ କରିବ ଏବଂ ବୀମା ଯୋଜନା ବିଷୟରେ ସୂଚନା ପ୍ରଦାନ କରିବ। ପ୍ରଧାନମନ୍ତ୍ରୀ ମୋଦୀ ଗୁରୁତ୍ୱାରୋପ କରି କହିଥିଲେ ଯେ ଭାରତ ବର୍ତ୍ତମାନ ଏଆଇ ଏବଂ ମେସିନ୍ ଲର୍ଣ୍ଣିଂ ସହ ଜଡ଼ିତ ମଡେଲ୍ ତିଆରି କରିବାରେ ସକ୍ଷମ ହେବ, ଯାହାଦ୍ୱାରା ସମସ୍ତ ଅଂଶୀଦାର ଉପକୃତ ହେବେ।

ସୁପର କମ୍ପ୍ୟୁଟର ନିର୍ମାଣ କରିବାରେ ଭାରତର ଦକ୍ଷତା ଏକ ଜାତୀୟ ଗୌରବର ବିଷୟ ଏବଂ ଏହାର ସୁଫଳ ସାଧାରଣ ନାଗରିକଙ୍କ ଦୈନନ୍ଦିନ ଜୀବନରେ ପହଞ୍ଚିବ । ଏହା ଭବିଷ୍ୟତରେ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିବ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଏଆଇ ଏବଂ ମେସିନ ଲର୍ଣ୍ଣିଂର ଏହି ଯୁଗରେ ସୁପର କମ୍ପ୍ୟୁଟର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ସେ ଏହାକୁ ୫ଜି ଜ୍ଞାନକୌଶଳ ଏବଂ ମୋବାଇଲ ଫୋନ୍ ଉତ୍ପାଦନ କ୍ଷେତ୍ରରେ ଭାରତର ସଫଳତା ସହ ତୁଳନା କରିଥିଲେ ଯାହା ଦେଶରେ ଡିଜିଟାଲ ବିପ୍ଳବକୁ ପ୍ରୋତ୍ସାହିତ କରିଛି ଏବଂ ଟେକ୍ନୋଲୋଜିକୁ ପ୍ରତ୍ୟେକ ନାଗରିକଙ୍କ ପାଇଁ ଉପଲବ୍ଧ କରିଛି। ଭାରତର ମେକ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମ ସାଧାରଣ ନାଗରିକମାନଙ୍କୁ ଭବିଷ୍ୟତର ବୈଷୟିକ ଉନ୍ନତି ପାଇଁ ପ୍ରସ୍ତୁତ କରିବ, ଯେଉଁଠାରେ ସୁପର କମ୍ପ୍ୟୁଟରଗୁଡ଼ିକ ନୂତନ ଗବେଷଣା କୁ ପ୍ରୋତ୍ସାହିତ କରିବ ଏବଂ ବିଶ୍ୱସ୍ତରରେ ଭାରତର ପ୍ରତିଦ୍ୱନ୍ଦ୍ୱିତା ସୁନିଶ୍ଚିତ କରିବା ପାଇଁ ନୂତନ ସମ୍ଭାବନା ଖୋଲିବ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ସେ ଆଶ୍ୱାସନା ଦେଇଥିଲେ ଯେ ଏହି ଜ୍ଞାନକୌଶଳ ସାଧାରଣ ଲୋକଙ୍କ ଜୀବନରେ ପ୍ରକୃତ ଲାଭ ଆଣିବ ଏବଂ ସେମାନେ ବାକି ବିଶ୍ୱ ସହିତ ତାଳମେଳ ରକ୍ଷା କରିବାରେ ସକ୍ଷମ ହେବେ।

ଅଭିଭାଷଣ ଶେଷ କରି ପ୍ରଧାନମନ୍ତ୍ରୀ ଏହି ସଫଳତା ପାଇଁ ନାଗରିକ ଏବଂ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇବା ସହ ବିଜ୍ଞାନ କ୍ଷେତ୍ରରେ ନୂତନ କ୍ଷେତ୍ର ଖୋଲିଥିବା ଏହି ଉନ୍ନତ ସୁବିଧାଗୁଡ଼ିକୁ ଅଧିକରୁ ଅଧିକ ଉପଯୋଗ କରିବାକୁ ଯୁବ ଗବେଷକମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଅବସରରେ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଭର୍ଚୁଆଲ ଭାବେ ଉପସ୍ଥିତ ଥିଲେ।

 

narendra modi Param Rudra Super Computer Prime Minister supercomputer ନରେନ୍ଦ୍ର ମୋଦୀ ପରମ ରୁଦ୍ର ସୁପର କମ୍ପ୍ୟୁଟର
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତର ନେତୃତ୍ୱରେ ସାର୍କ ଅଞ୍ଚଳରେ ଗୁରୁତ୍ୱପୂର୍ଣ୍ଣ ମତ୍ସ୍ୟଚାଷ ପ୍ରକଳ୍ପ: ଓଡ଼ିଆ ବୈଜ୍ଞାନିକଙ୍କ ଅଗ୍ରଣୀ ଭୂମିକା

August 4, 2025

ଇଂଲଣ୍ଡ ମୁହଁରୁ ବିଜୟ ଛଡାଇ ଆଣିଲା ଭାରତ: ସିରିଜ୍ ୨-୨ ରେ ବରାବର

August 4, 2025

NRC ଭୟ!: ବାଂଲାଦେଶ ପଠାଇଦେବା ଚିନ୍ତାରେ ଆତ୍ମହତ୍ୟା କଲେ କୋଲକାତାରେ ରହୁଥିବା ବ୍ୟକ୍ତି

August 4, 2025

ଅଗଷ୍ଟ ୭ ରେ ଦିଲ୍ଲୀରେ ଇଣ୍ଡିଆ ବ୍ଲକ ବୈଠକ: କେଉଁ ପ୍ରସଙ୍ଗ ଉପରେ ହେବ ଆଲୋଚନା?

August 4, 2025
Latest News

ବଡବାହାଳ ଉଚ୍ଚ ପ୍ରାଥମିକ ସ୍କୁଲର ମୁଖ୍ୟ ଗେଟ୍ ରେ ତାଲା: ଧାରଣାରେ ସ୍କୁଲ କମିଟି ଓ ଗ୍ରାମବାସୀ

August 4, 2025

କାରରୁ ମିଳିଲା ଦକ୍ଷିଣ କୋରିଆର ଅଭିନେତା ସୋଙ୍ଗ ୟଙ୍ଗ-କ୍ୟୁଙ୍କ ମୃତଦେହ: କାରଣ ଅସ୍ପଷ୍ଟ

August 4, 2025

ଭାରତର ନେତୃତ୍ୱରେ ସାର୍କ ଅଞ୍ଚଳରେ ଗୁରୁତ୍ୱପୂର୍ଣ୍ଣ ମତ୍ସ୍ୟଚାଷ ପ୍ରକଳ୍ପ: ଓଡ଼ିଆ ବୈଜ୍ଞାନିକଙ୍କ ଅଗ୍ରଣୀ ଭୂମିକା

August 4, 2025

ଚୂଡାନ୍ତ ରାଉଣ୍ଡ ନାମଲେଖା ପାଇଁ ଆଇଆଇଏମସି ପକ୍ଷରୁ ଆବେଦନ ଆହ୍ବାନ

August 4, 2025

ଇଂଲଣ୍ଡ ମୁହଁରୁ ବିଜୟ ଛଡାଇ ଆଣିଲା ଭାରତ: ସିରିଜ୍ ୨-୨ ରେ ବରାବର

August 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.