Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»‘ସବକି ଯୋଜନା ସବ୍ କା ବିକାଶ’ ଅଭିଯାନ: ସକ୍ରିୟ ଭାବେ ଅଂଶଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ
ଜାତୀୟ ଖବର

‘ସବକି ଯୋଜନା ସବ୍ କା ବିକାଶ’ ଅଭିଯାନ: ସକ୍ରିୟ ଭାବେ ଅଂଶଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ

October 3, 2024No Comments8 Mins Read
Share Facebook Twitter LinkedIn Email WhatsApp Copy Link

ଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମଗ୍ର ଦେଶର ଗ୍ରାମୀଣ ବାସିନ୍ଦା ଏବଂ ଅଂଶୀଦାରମାନଙ୍କୁ ଏକ ନିବେଦନ ଜାରି କରି ‘ସବକି ଯୋଜନା ସବକା ବିକାଶ’ ଅଭିଯାନ – ପିପୁଲ୍ସ ପ୍ଲାନ୍ କ୍ୟାମ୍ପେନ୍ (୨୦୨୪-୨୫)ରେ ସକ୍ରିୟ ଭୂମିକା ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି। ଅକ୍ଟୋବର ୧, ୨୦୨୪ରେ ଏକ ଚିଠିରେ ପ୍ରଧାନମନ୍ତ୍ରୀ ୨୦୨୫-୨୬ ବର୍ଷ ପାଇଁ ଗ୍ରାମ ପଞ୍ଚାୟତ ଉନ୍ନୟନ ଯୋଜନା (ଜିପିଡିପି) ପ୍ରସ୍ତୁତିରେ ଉତ୍ସାହୀ ଏବଂ ପ୍ରତିଶ୍ରୁତିବଦ୍ଧ ଅଂଶଗ୍ରହଣ ଉପରେ ଗୁରୁତ୍ୱାରୋପ କରିଥିଲେ।

ପ୍ରାଚୀନ ବୈଦିକ ଶବ୍ଦରୁ ପ୍ରେରଣା ନେଇ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ, “विश्वं पृष्टं ग्रामे अस्मिन् अनातुरम्” , ଯାହାର ଅର୍ଥ ହେଉଛି, ଯେମିତି ବିଶ୍ୱ ନିଜ ଭିତରେ ସମ୍ପୂର୍ଣ୍ଣ, ଠିକ୍ ସେମିତି ଆମ ଗାଁ ଗୁଡ଼ିକ ମଧ୍ୟ ସକ୍ଷମ, ସଶକ୍ତ ଓ ସମୃଦ୍ଧ ହେବା ଉଚିତ,” ପ୍ରଧାନମନ୍ତ୍ରୀ ଆତ୍ମନିର୍ଭରଶୀଳ ଏବଂ ସ୍ଥାୟୀ ଗ୍ରାମ ଗଠନ ଉପରେ ଗୁରୁତ୍ୱାରୋପ କରିଥିଲେ । ଗ୍ରାମୀଣ ଭାରତର ସାମଗ୍ରିକ ଏବଂ ନିରନ୍ତର ବିକାଶର କେନ୍ଦ୍ରବିନ୍ଦୁ ଜିପିଡିପିରେ ସେମାନଙ୍କ ଅବଦାନ ମାଧ୍ୟମରେ ପ୍ରତ୍ୟେକ ନାଗରିକ ଏବଂ ଅଂଶୀଦାରଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ସେ ଆଲୋକପାତ କରିଥିଲେ । ପ୍ରଧାନମନ୍ତ୍ରୀ ତାଙ୍କ ବାର୍ତ୍ତା ମାଧ୍ୟମରେ ବ୍ୟାପକ ଅଂଶଗ୍ରହଣ ପାଇଁ ଆହ୍ୱାନ ଦେଇଛନ୍ତି ଏବଂ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ଯେ ସେମାନେ ସେମାନଙ୍କ ପଞ୍ଚାୟତଗୁଡ଼ିକୁ ଅଭିବୃଦ୍ଧି ଏବଂ ପ୍ରଗତିର ସମୃଦ୍ଧ କେନ୍ଦ୍ରରେ ପରିଣତ କରିବାରେ ସାହାଯ୍ୟ କରନ୍ତୁ । ସମସ୍ତଙ୍କ ପାଇଁ ଅନ୍ତର୍ଭୁକ୍ତ ଏବଂ ସ୍ଥାୟୀ ଅଭିବୃଦ୍ଧି ସୁନିଶ୍ଚିତ କରିବା ଲକ୍ଷ୍ୟରେ ସାମୂହିକ ପ୍ରୟାସ ଉପରେ ଏହି ପଦକ୍ଷେପର ସଫଳତା ନିର୍ଭର କରେ ବୋଲି ସେ ଦୋହରାଇଥିଲେ । ଏକ ଶକ୍ତିଶାଳୀ, ଆତ୍ମନିର୍ଭରଶୀଳ, ବିକଶିତ ଏବଂ ଅଧିକ ସମୃଦ୍ଧ ଭାରତ ପାଇଁ ‘ସବକି ଯୋଜନା ସବକା ବିକାଶ’ ଅଭିଯାନ – ପିପୁଲ୍ସ ପ୍ଲାନ୍ କ୍ୟାମ୍ପେନ୍ ରେ ଅଂଶଗ୍ରହଣ କରିବାକୁ ସମସ୍ତଙ୍କୁ ପ୍ରେରଣା ଦେବା ସହ ଏହି ବାର୍ତ୍ତାକୁ ଦେଶର କୋଣ ଅନୁକୋଣରେ ପହଞ୍ଚାଇବାକୁ ପଞ୍ଚାୟତିରାଜ ମନ୍ତ୍ରଣାଳୟ ସମସ୍ତ ପଞ୍ଚାୟତିରାଜ ଅନୁଷ୍ଠାନ / ଗ୍ରାମୀଣ ସ୍ଥାନୀୟ ସଂସ୍ଥାଗୁଡ଼ିକୁ ଅନୁରୋଧ କରିଛି ।

କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରୀ ଶ୍ରୀ ରାଜୀବ ରଞ୍ଜନ ସିଂହ ଓରଫ ଲଲନ ସିଂହ ଏକ ବିକଶିତ ଭାରତ ଏବଂ ଆତ୍ମନିର୍ଭର ଭାରତର ଲକ୍ଷ୍ୟ ସହିତ ଅଭିଯାନର ସଂଯୋଗ ଉପରେ ଗୁରୁତ୍ୱାରୋପ କରିଛନ୍ତି । ସାମଗ୍ରିକ ବିକାଶ ଲକ୍ଷ୍ୟ ହାସଲରେ ଏକତା ଉପରେ ଗୁରୁତ୍ୱାରୋପ କରିବା ସହ ସରପଞ୍ଚ, ପଂଚାୟତ ସଭ୍ୟ ଓ ବାସିନ୍ଦାମାନେ ଉତ୍ସାହର ସହ ଏଥିରେ ଅଂଶଗ୍ରହଣ କରିବାକୁ ନିବେଦନ କରିଛନ୍ତି । ବିକାଶ ପ୍ରକ୍ରିୟାରେ ପ୍ରତ୍ୟେକ ସ୍ୱର ଓ ଚିନ୍ତାଧାରା ଗୁରୁତ୍ୱପୂର୍ଣ୍ଣ ବୋଲି କେନ୍ଦ୍ରମନ୍ତ୍ରୀ ଆଲୋକପାତ କରିଛନ୍ତି । କେନ୍ଦ୍ର ପଞ୍ଚାୟତିରାଜ ରାଷ୍ଟ୍ରମନ୍ତ୍ରୀ ପ୍ରଫେସର ଏସ୍ ପି ସିଂହ ବାଘେଲ ପିପୁଲ୍ସ ପ୍ଲାନ୍ ଅଭିଯାନକୁ ଗଣତନ୍ତ୍ରର ମୂଳଦୁଆକୁ ସୁଦୃଢ଼ କରିବା ପାଇଁ ଏକ ନିଆରା ପ୍ରୟାସ ବୋଲି ବର୍ଣ୍ଣନା କରିଛନ୍ତି । ଗ୍ରାମର ବିକାଶ ପାଇଁ ଯୋଜନା କରିବା ନିମନ୍ତେ ନାଗରିକମାନଙ୍କ ସଶକ୍ତୀକରଣ ଉପରେ ସେ ଗୁରୁତ୍ୱାରୋପ କରିଥିଲେ ଏବଂ ପ୍ରକୃତ ଆବଶ୍ୟକତାକୁ ପୂରଣ କରିବା ପାଇଁ ଯୋଜନା ପ୍ରସ୍ତୁତ କରିବା ଲାଗି ଗ୍ରାମସଭାରେ ସକ୍ରିୟ ଅଂଶଗ୍ରହଣକୁ ଉତ୍ସାହିତ କରିଥିଲେ । ରାଷ୍ଟ୍ରମନ୍ତ୍ରୀ ନିରନ୍ତର ବିକାଶ ଲକ୍ଷ୍ୟ ସହିତ ଏହି ଅଭିଯାନର ଲିଙ୍କ୍ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି ଏବଂ ବ୍ୟାପକ ସୂଚନା ପ୍ରସାରଣ ପାଇଁ ବିଭିନ୍ନ ସଂରେଖୀୟ ବିଭାଗର ଆଗଧାଡ଼ିର କର୍ମୀମାନଙ୍କୁ ଗ୍ରାମସଭାରେ ଯୋଗ ଦେବା ପାଇଁ ଦିଆଯାଇଥିବା ନିମନ୍ତ୍ରଣ ବିଷୟରେ ଉଲ୍ଲେଖ କରିଛନ୍ତି ।

ଆଜି (ଅକ୍ଟୋବର ୨) ୨୦୨୫-୨୬ ପାଇଁ ପଞ୍ଚାୟତ ଉନ୍ନୟନ ଯୋଜନା (ପିଡିପି) ପ୍ରସ୍ତୁତି ନିମନ୍ତେ ଜନଯୋଜନା ଅଭିଯାନର ଦେଶବ୍ୟାପୀ ଶୁଭାରମ୍ଭ ହୋଇଛି । ଭାରତ ସରକାରଙ୍କ ପଞ୍ଚାୟତିରାଜ ମନ୍ତ୍ରଣାଳୟ ଦେଶର ସମସ୍ତ ପଞ୍ଚାୟତ ଏବଂ ଅଂଶୀଦାରମାନଙ୍କୁ ନିବେଦନ କରି ଏହି ଗୁରୁତ୍ୱପୂର୍ଣ୍ଣ “ପିପୁଲ୍ସ ପ୍ଲାନ କ୍ୟାମ୍ପେନ୍ ” (୨୦୨୪-୨୫)ରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିବାକୁ ଅନୁରୋଧ କରିଛି । ‘ସବକି ଯୋଜନା ସବକା ବିକାଶ’ର ଭାବନାକୁ ପ୍ରତିଫଳିତ କରୁଥିବା ପିପୁଲ୍ସ ପ୍ଲାନ୍ କ୍ୟାମ୍ପେନ୍ (ଜନ ଯୋଜନା ଅଭିଯାନ) ହେଉଛି ତୃଣମୂଳ ସ୍ତରର ଗଣତନ୍ତ୍ରକୁ ସୁଦୃଢ଼ କରିବା ଏବଂ ଗ୍ରାମୀଣ ଭାରତରେ ସମାବେଶୀ ବିକାଶକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଏହା ଗ୍ରାମୀଣ ନାଗରିକମାନଙ୍କୁ ସ୍ଥାନୀୟ ବିକାଶ ପାଇଁ ଯୋଜନା ପ୍ରକ୍ରିୟାରେ ଅଂଶଗ୍ରହଣ କରି ସେମାନଙ୍କ ଗ୍ରାମର ଭବିଷ୍ୟତ ଗଠନରେ ସକ୍ରିୟ ଭୂମିକା ଗ୍ରହଣ କରିବାକୁ ସଶକ୍ତ କରିଥାଏ ।

ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପକୁ ସମର୍ଥନ କରି ବ୍ୟାପକ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା ପାଇଁ ଅନେକ ବିଶିଷ୍ଟ ବ୍ୟକ୍ତି ଆଗେଇ ଆସିଛନ୍ତି । ପଞ୍ଚାୟତିରାଜ ମନ୍ତ୍ରଣାଳୟ (https://www.youtube.com/playlist?list=PLr1WFeVzpoLu2lw_Dq-SeCV7vujuKBXDW)ର ୟୁଟ୍ୟୁବ୍ ଚ୍ୟାନେଲରେ ଉପଲବ୍ଧ ସ୍ୱତନ୍ତ୍ର ଭାବେ ରେକର୍ଡ ହୋଇଥିବା ଭିଡିଓ ବାର୍ତ୍ତା ମାଧ୍ୟମରେ ସେମାନେ ଉଭୟ ପଞ୍ଚାୟତ ଓ ଜନସାଧାରଣଙ୍କୁ ପିପୁଲ୍ସ ପ୍ଲାନ୍ କ୍ୟାମ୍ପେନ୍ ରେ ସାମିଲ ହେବାକୁ ନିବେଦନ କରିଛନ୍ତି ।

ଏହି ପ୍ରସଙ୍ଗରେ ସ୍ୱର ଯୋଡିଥିବା ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନଙ୍କ ମଧ୍ୟରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀ (ଡ. ) ମୋହନ ଯାଦବ ; ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଶ୍ରୀ ଭଜନ ଲାଲ ଶର୍ମା ; ତ୍ରିପୁରା ମୁଖ୍ୟମନ୍ତ୍ରୀ ପ୍ରଫେସର (ଡ.) ମାଣିକ ଶାହା,; ଏବଂ ବିହାରର ପଞ୍ଚାୟତିରାଜ ମନ୍ତ୍ରୀ ଶ୍ରୀ କେଦାର ପ୍ରସାଦ ଗୁପ୍ତା , ଛତିଶଗଡ ମୁଖ୍ୟମନ୍ତ୍ରୀ ଶ୍ରୀ ବିଷ୍ଣୁ ଦେଓ ସାଏ ଲିଖିତ ବାର୍ତ୍ତା ମାଧ୍ୟମରେ ପଞ୍ଚାୟତ ଏବଂ ସ୍ଥାନୀୟ ବାସିନ୍ଦାଙ୍କୁ ପିପୁଲ୍ସ ପ୍ଲାନ ଅଭିଯାନରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି । ଏହି ପଦକ୍ଷେପ ଗ୍ରାମାଞ୍ଚଳରେ ଗୋଷ୍ଠୀ ନିୟୋଜନ ଏବଂ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ନେତୃତ୍ୱର ପ୍ରତିବଦ୍ଧତାକୁ ଆଲୋକପାତ କରେ । ଏହା ମଧ୍ୟ ଉଲ୍ଲେଖନୀୟ ଯେ ଶ୍ରୀ ବିଷ୍ଣୁ ଦେଓ ସାଏ, ଶ୍ରୀ ଭଜନ ଲାଲ ଶର୍ମା ଏବଂ ଶ୍ରୀ କେଦାର ପ୍ରସାଦ ଗୁପ୍ତା ସରପଞ୍ଚ / ମୁଖିଆ ଭାବରେ ସେମାନଙ୍କର ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ, ଯାହା ସ୍ଥାନୀୟ ସ୍ୱୟଂ ଶାସନରେ ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ।

ଚଳିତ ବର୍ଷ ‘ସବକି ଯୋଜନା ସବକା ବିକାଶ’ ଅଭିଯାନ ଅନେକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଛୁଇଁଛି, ଯେଉଁଥିରେ ୨ ଅକ୍ଟୋବର ୨୦୨୪ରେ ସ୍ୱତନ୍ତ୍ର ଗ୍ରାମସଭା ମାଧ୍ୟମରେ ଭାରତୀୟ ଗଣତନ୍ତ୍ରର ୭୫ତମ ବାର୍ଷିକୀ ପାଳନ ପାଇଁ ଏକ ସ୍ୱତନ୍ତ୍ର ପଦକ୍ଷେପ ଅନ୍ତର୍ଭୁକ୍ତ । ଏହି ଗ୍ରାମସଭାଗୁଡ଼ିକ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ସେମାନଙ୍କ ପଞ୍ଚାୟତ ଉନ୍ନୟନ ଯୋଜନା (ପିଡିପି) ପ୍ରସ୍ତୁତ କରିବା, ୨.୫୫ ଲକ୍ଷରୁ ଅଧିକ ଗ୍ରାମ ପଞ୍ଚାୟତ, ୬,୭୦୦ ବ୍ଲକ ପଞ୍ଚାୟତ ଏବଂ ୬୬୫ ଟି ଜିଲ୍ଲା ପଞ୍ଚାୟତକୁ ନିୟୋଜିତ କରିବା ଦିଗରେ ଗ୍ରାମ ପଞ୍ଚାୟତଗୁଡ଼ିକୁ ପ୍ରୋତ୍ସାହିତ କରିବା ଉପରେ ଗୁରୁତ୍ୱ ଦେବେ । ପଞ୍ଚାୟତିରାଜ ମନ୍ତ୍ରଣାଳୟର ଅଧିକାରୀ ଏବଂ ପରାମର୍ଶଦାତାମାନଙ୍କୁ ଅକ୍ଟୋବର ୨, ୨୦୨୪ ରେ ସ୍ୱତନ୍ତ୍ର ଗ୍ରାମସଭାର ଆୟୋଜନର ତଦାରଖ ଏବଂ ଯାଂଚ କରିବା ପାଇଁ ବିଭିନ୍ନ ରାଜ୍ୟ/ କେନ୍ଦ୍ରଶାସିତ ଅଞ୍ଚଳରେ ମନୋନୀତ ଗ୍ରାମ ପଞ୍ଚାୟତଗୁଡିକୁ ନିୟୋଜିତ କରାଯାଇଛି । ଉଚ୍ଚମାନର ପଞ୍ଚାୟତ ଉନ୍ନୟନ ଯୋଜନାର ବିକାଶ ପାଇଁ ଏକ ଅଧିକ ଶୃଙ୍ଖଳିତ, ସମାବେଶୀ ଏବଂ ଗଠନମୂଳକ ପ୍ରକ୍ରିୟା ସୁନିଶ୍ଚିତ କରିବା ସହିତ ମୂଲ୍ୟବାନ ବୁଝାମଣା ଏବଂ ମାର୍ଗଦର୍ଶନ ପ୍ରଦାନ କରିବା ସେମାନଙ୍କ ଉପସ୍ଥିତିର ଲକ୍ଷ୍ୟ ।

ଏହି ଅଭିଯାନର ଏକ ଅଂଶ ଭାବରେ ୨.୫୫ ଲକ୍ଷରୁ ଅଧିକ ଗ୍ରାମ ପଞ୍ଚାୟତରେ ସ୍ୱତନ୍ତ୍ର ଗ୍ରାମସଭା ଆୟୋଜନ କରାଯାଉଛି । ଏହି ସ୍ୱତନ୍ତ୍ର ଭାବରେ ଡକାଯାଇଥିବା ଏବଂ ସୁପରିକଳ୍ପିତ ଗ୍ରାମସଭା ନାଗରିକମାନଙ୍କ ପାଇଁ ସେମାନଙ୍କ ମତାମତ ରଖିବା, ସେମାନଙ୍କର ଆବଶ୍ୟକତା ବାଣ୍ଟିବା ଏବଂ ସେମାନଙ୍କ ଅଞ୍ଚଳର ବିକାଶ ଯୋଜନାରେ ସକ୍ରିୟ ଭାବରେ ଯୋଗଦାନ କରିବା ପାଇଁ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରେ । ପିପୁଲ୍ସ ପ୍ଲାନ୍ ଅଭିଯାନ ଭାରତରେ ସମାବେଶୀ ଏବଂ ଅଂଶୀଦାର ଗ୍ରାମୀଣ ବିକାଶ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଏହାର ଉଦ୍ଦେଶ୍ୟ ହେଉଛି , ଯୋଜନା ପ୍ରକ୍ରିୟାରେ ଗ୍ରାମୀଣ ନାଗରିକଙ୍କ ସକ୍ରିୟ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରି, ବିକାଶ ଯୋଜନା ସୃଷ୍ଟି କରିବା ଯାହା ପ୍ରକୃତରେ ସ୍ଥାନୀୟ ଆବଶ୍ୟକତା ଏବଂ ଆକାଂକ୍ଷାକୁ ପ୍ରତିଫଳିତ କରେ । ଏହି ପଦକ୍ଷେପର ସଫଳତା ପାଇଁ ଏବଂ ଗ୍ରାମର ଶକ୍ତିରେ ଆଧାରିତ ଏକ ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବା ପାଇଁ ପଞ୍ଚାୟତିରାଜ ଅନୁଷ୍ଠାନ ଏବଂ ଗ୍ରାମୀଣ ସ୍ଥାନୀୟ ସଂସ୍ଥାଗୁଡ଼ିକର ସମର୍ଥନ ଏବଂ ଯୋଗଦାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି ଅଭିଯାନ ଆଗକୁ ବଢ଼ୁଥିବା ବେଳେ ଏହା ଗ୍ରାମୀଣ ସମୁଦାୟମାନଙ୍କ ମଧ୍ୟରେ ସେମାନଙ୍କ ବିକାଶ ପ୍ରକ୍ରିୟା ପ୍ରତି ସ୍ୱାମିତ୍ୱ ଭାବନାକୁ ପ୍ରୋତ୍ସାହିତ କରିବ ଏବଂ ୨୦୨୫- ୨୬ ବର୍ଷ ପାଇଁ ଅଧିକ ପ୍ରଭାବଶାଳୀ ଏବଂ ସ୍ଥାନୀୟ ସ୍ତରରେ ପ୍ରାସଙ୍ଗିକ ପଞ୍ଚାୟତ ଉନ୍ନୟନ ଯୋଜନା ସୃଷ୍ଟି କରିବ ବୋଲି ଆଶା କରାଯାଉଛି । ଆଇଆଇଟି ଦିଲ୍ଲୀ ଦ୍ୱାରା ସମନ୍ୱିତ ଉନ୍ନତ ଭାରତ ଅଭିଯାନ (ୟୁବିଏ) ଚଳିତ ବର୍ଷ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ, ଯେଉଁଥିରେ ‘ସବକି ଯୋଜନା ସବକା ବିକାଶ’ ଅଭିଯାନ ନାମରେ ଜଣାଶୁଣା ପିପୁଲ୍ସ ପ୍ଲାନ୍ କ୍ୟାମ୍ପେନ୍ ରେ ଉଚ୍ଚ ଶିକ୍ଷାନୁଷ୍ଠାନ (ଏଚ୍‌ଇଆଇ) ଏବଂ ଉନ୍ନତ ଭାରତ ଅଭିଯାନର ୧୫,୦୦୦ ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ସାମିଲ କରାଯିବ ।

ଏହି ଛାତ୍ରଛାତ୍ରୀମାନେ କେବଳ ଅକ୍ଟୋବର ୨, ୨୦୨୪ରେ ସ୍ୱତନ୍ତ୍ର ଗ୍ରାମସଭାରେ ଅଂଶଗ୍ରହଣ କରିବେ ନାହିଁ, ବରଂ ବିଭିନ୍ନ ଗ୍ରାମ ପଞ୍ଚାୟତରେ ଜିପିଡିପିକୁ ସହାୟତା କରିବେ ଏବଂ ପ୍ରସ୍ତୁତିରେ ମଧ୍ୟ ସହଯୋଗ କରିବେ ।  ୟୁବିଏ ଏବଂ ପଞ୍ଚାୟତିରାଜ ମନ୍ତ୍ରଣାଳୟ ମଧ୍ୟରେ ଏହି ଭାଗିଦାରୀର ଉଦ୍ଦେଶ୍ୟ ହେଉଛି ତୃଣମୂଳ ସ୍ତରର ଯୋଜନାରେ ଯୁବ ମନକୁ ସାମିଲ କରିବା, ଯାହା ଏହି ଅଭିଯାନର ଇତିହାସରେ ପ୍ରଥମ ।  ଏହାବ୍ୟତୀତ ମଡେଲ ଗ୍ରାମ ପଞ୍ଚାୟତ କ୍ଲଷ୍ଟର (ପିସିଏମଜିପିସି) ସୃଷ୍ଟି ପ୍ରକଳ୍ପ ଅଧୀନରେ କାର୍ଯ୍ୟ କରୁଥିବା ଯୁବ ଫେଲୋ ଏବଂ ପିରାମଲ ଫାଉଣ୍ଡେସନ, ଆକାଂକ୍ଷୀ ଭାରତ ସହଯୋଗୀ (ଏବିସି) ଏବଂ ଟ୍ରାନ୍ସଫର୍ମିଂ ରୁରାଲ ଇଣ୍ଡିଆ ଫାଉଣ୍ଡେସନ (ଟିଆରଆଇଏଫ)ର ଫେଲୋମାନେ ଅକ୍ଟୋବର ୨ ତାରିଖ ଗ୍ରାମସଭାର ସହ-ସହାୟକ ହେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ । ସେମାନେ ସରପଞ୍ଚଙ୍କୁ ଏଲଏସଡିଜି ଉପରେ ପ୍ରାକ୍ ଯୋଜନା ଏବଂ ଅଭିମୁଖୀକରଣରେ ସମର୍ଥନ କରିବେ, ପିଡିଆଇ ସ୍କୋର ଏବଂ ଏଲଏସଡିଜି ପ୍ରସଙ୍ଗ ଉପରେ ଗ୍ରାମସଭା ସଦସ୍ୟମାନଙ୍କୁ ପ୍ରୋତ୍ସାହିତ କରିବେ ଏବଂ ଉପଯୁକ୍ତ ହସ୍ତକ୍ଷେପ ଏବଂ ବିଷୟବସ୍ତୁ ଚୟନ କରିବାରେ ସାହାଯ୍ୟ କରିବେ ।

ପଞ୍ଚାୟତିରାଜ ମନ୍ତ୍ରଣାଳୟ ୨ ଅକ୍ଟୋବର ୨୦୨୪ରେ ଏକ ଐତିହାସିକ ପଦକ୍ଷେପ ଆରମ୍ଭ କରୁଛି, ଯାହା ଦେଶର ୭୫୦ ଟି ଗ୍ରାମ ପଞ୍ଚାୟତରେ ଏକ ସ୍ୱତନ୍ତ୍ର ଗ୍ରାମସଭା ତଥା ଓରିଏଣ୍ଟେସନ୍ / ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରୁଛି । ପଞ୍ଚାୟତିରାଜ ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ସକ୍ରିୟ ଗୋଷ୍ଠୀ ଅଂଶଗ୍ରହଣ ମାଧ୍ୟମରେ ଉଚ୍ଚମାନର ପଞ୍ଚାୟତ ଉନ୍ନୟନ ଯୋଜନା (ପିଡିପି) ସୃଷ୍ଟିକୁ ସୁନିଶ୍ଚିତ କରିବା ପାଇଁ ମନ୍ତ୍ରଣାଳୟର ପ୍ରତିବଦ୍ଧତାର ଏକ ଅଂଶ ହେଉଛି ଏହି ପ୍ରକାରର ପ୍ରଥମ କାର୍ଯ୍ୟକ୍ରମ ।

ଭାରତୀୟ ଗଣତନ୍ତ୍ରର ୭୫ତମ ବର୍ଷ ଅନେକ ଦୃଷ୍ଟିରୁ ଦେଶର ଯାତ୍ରାରେ ଏକ ଐତିହାସିକ ମାଇଲଖୁଣ୍ଟ । ୭୫ ବର୍ଷରୁ ଅଧିକ ବୟସ୍କ ବରିଷ୍ଠ ନାଗରିକମାନଙ୍କୁ ସେମାନଙ୍କ ସ୍ୱରକୁ ବ୍ୟାପକ କରିବା ଏବଂ ଏକ ଶକ୍ତିଶାଳୀ ସମୁଦାୟ ଗଠନ କରିବା ଉଦ୍ଦେଶ୍ୟରେ ୭୫୦ଟି ଗ୍ରାମସଭାରେ ଅଂଶଗ୍ରହଣ କରିବାକୁ ଆମନ୍ତ୍ରଣ କରି ସେମାନଙ୍କୁ ସମ୍ମାନିତ କରିବା ଏବଂ ସେମାନଙ୍କୁ ନିୟୋଜିତ କରିବା, ଜନଭାଗିଦାରୀ ଶକ୍ତି ମାଧ୍ୟମରେ ଗ୍ରାମ ସ୍ୱରାଜ ସୁନିଶ୍ଚିତ କରିବାର ଏକ ମୁହୂର୍ତ୍ତ । ଜ୍ଞାନ ଓ ସହଯୋଗର ଏହି ଉତ୍ସବରେ ଏକାଠି ହୋଇ ସମସ୍ତଙ୍କ ପାଇଁ ଏକ ଉଜ୍ଜ୍ୱଳ ଏବଂ ଅଧିକ ସମାବେଶୀ ଭବିଷ୍ୟତ ପାଇଁ ମାର୍ଗ ପ୍ରଶସ୍ତ କରିବାକୁ ମନ୍ତ୍ରଣାଳୟ ନାଗରିକମାନଙ୍କୁ ଆହ୍ୱାନ ଦେଇଛି । ତୃଣମୂଳ ସ୍ତରରେ ବିକାଶ ଯୋଜନା ଯେପରି ସମାବେଶୀ, ସ୍ୱଚ୍ଛ ଏବଂ ଫଳପ୍ରଦ ହୁଏ ତାହା ସୁନିଶ୍ଚିତ କରିବା ପାଇଁ ପ୍ରସ୍ତୁତ ଏହି ପଦକ୍ଷେପ ପିପୁଲ୍ସ ପ୍ଲାନ୍ କ୍ୟାମ୍ପେନ୍ ର ଏକ ଅତ୍ୟାବଶ୍ୟକ ଉପାଦାନ ।

ଗ୍ରାମୀଣ ଭାରତର ନିରନ୍ତର ବିକାଶ ଦିଗରେ ମିଳିତ ଭାବେ କାର୍ଯ୍ୟ କରିବା ପାଇଁ ଉଭୟ ବୟସ୍କ ଓ ଯୁବପିଢ଼ିକୁ ନିୟୋଜିତ କରିବା ଉପରେ ଏହି ପଦକ୍ଷେପ ବିଶେଷ ଧ୍ୟାନ ଦେଉଛି । ଏକ ନିଆରା ଆଭିମୁଖ୍ୟରେ ବରିଷ୍ଠ ନାଗରିକମାନଙ୍କୁ ସମ୍ମାନିତ କରାଯିବା ସହ ସେମାନଙ୍କ ଅନୁଭୂତି ବାଣ୍ଟିବା ପାଇଁ ଆମନ୍ତ୍ରଣ କରାଯିବ । ଦଶନ୍ଧି ଧରି ଭାରତର ପରିବର୍ତ୍ତନକୁ ଦେଖି ସେମାନେ ଆକୃଷ୍ଟ ହୋଇ ପଞ୍ଚାୟତ ଗୁଡ଼ିକର ଭବିଷ୍ୟତ ଏବଂ ସ୍ଥାୟୀ ବିକାଶର ଦୃଷ୍ଟିକୋଣକୁ ମାର୍ଗଦର୍ଶନ କରିବାରେ ସହାୟକ ହେବେ। ଯୋଜନା ପ୍ରକ୍ରିୟାରେ ବୟସ୍କ ମାନଙ୍କର ସମ୍ପୃକ୍ତି ଗ୍ରାମୀଣ ଶାସନରେ ଥିବା ପାରମ୍ପରିକ ଜ୍ଞାନ ଏବଂ ମୂଲ୍ୟବୋଧକୁ ସୁଦୃଢ଼ କରିଥାଏ। ପଞ୍ଚାୟତିରାଜ ମନ୍ତ୍ରଣାଳୟର ଯୁବ ପ୍ରତିନିଧି, ଟିଆଇଆରଏଫ ଓ ପିରାମଲ ଫାଉଣ୍ଡେସନର ପ୍ରତିନିଧିମାନେ ସହାୟକ ଭାବେ କାର୍ଯ୍ୟ କରିବେ। ସେମାନେ ପଞ୍ଚାୟତ ପ୍ରତିନିଧି ଏବଂ ଅନ୍ୟ ଅଂଶୀଦାରମାନଙ୍କୁ ବିକାଶ ଯୋଜନାର ଗୁରୁତ୍ୱପୂର୍ଣ୍ଣ ଦିଗ ଯଥା ନିରନ୍ତର ବିକାଶ ଲକ୍ଷ୍ୟ (ଏଲଏସଡିଜି)ର ସ୍ଥାନୀୟକରଣ ଏବଂ ଶାସନରେ ଥିବା ବ୍ୟବଧାନକୁ ଚିହ୍ନଟ କରିବା ଉପରେ କେନ୍ଦ୍ରୀଭୂତ ପ୍ରଶିକ୍ଷଣ ପ୍ରଦାନ କରିବେ।

ଅକ୍ଟୋବର ୨ ତାରିଖ ସ୍ୱତନ୍ତ୍ର ଗ୍ରାମସଭା ତଥା ଓରିଏଣ୍ଟେସନ୍‌/ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଭାବ ବିନିମୟ ଅଧିବେଶନ ମଧ୍ୟ ଅନ୍ତର୍ଭୁକ୍ତ ହେବ ଯେଉଁଥିରେ ବରିଷ୍ଠ ନାଗରିକମାନେ ପ୍ରଥମ ପଞ୍ଚାୟତ ନିର୍ବାଚନଠାରୁ ଆରମ୍ଭ କରି ସାମ୍ପ୍ରତିକ ଶାସନ ଅଭ୍ୟାସ ପର୍ଯ୍ୟନ୍ତ ପଞ୍ଚାୟତର ବିକାଶର ସ୍ମୃତି ବାଣ୍ଟିବେ। ଏହାପରେ ସ୍ଥାନୀୟ ଶାସନରେ ଥିବା ବ୍ୟବଧାନ ଏବଂ ଭବିଷ୍ୟତ ଲକ୍ଷ୍ୟ ଉପରେ ଆଲୋଚନା ହେବ । ଏହି କାର୍ଯ୍ୟକ୍ରମରେ ବୃକ୍ଷରୋପଣ ଅଭିଯାନ (ଏକ ପେଡ ମା କେ ନାମ), ସ୍ୱଚ୍ଛତା, ଫିଟ୍ ନେସ୍ ଏବଂ ନିଶାମୁକ୍ତ ସମାଜ ପାଇଁ ସାମୂହିକ ପ୍ରତିଶ୍ରୁତି ଦେବା ସହିତ ଗୁଣାତ୍ମକ ପଞ୍ଚାୟତ ଉନ୍ନୟନ ଯୋଜନା ପ୍ରସ୍ତୁତ କରିବା ପାଇଁ ସାମୂହିକ ପ୍ରତିବଦ୍ଧତା ମଧ୍ୟ ପ୍ରଦାନ କରାଯିବ।

ଏହି ପଦକ୍ଷେପ ଶାସନ ପାଇଁ ଏକ ଆଗୁଆ ଚିନ୍ତାଧାରାର ପ୍ରତୀକ – ଯାହା ନିରନ୍ତର ବିକାଶ ଏବଂ ଗ୍ରାମୀଣ ଭାରତର ସଶକ୍ତୀକରଣ ଉପରେ ଧ୍ୟାନ ଦେବା ସହିତ ପରମ୍ପରାକୁ ଗୁରୁତ୍ୱ ଦିଏ। ଗଣତନ୍ତ୍ରର ୭୫ତମ ବାର୍ଷିକୀକୁ ୭୫୦ଟି ଗ୍ରାମସଭା ସହ ପାଳନ କରିବା ସହ ଲୋକଙ୍କ ଭାଗିଦାରୀ ମାଧ୍ୟମରେ ଗ୍ରାମ ସ୍ୱରାଜ ସୁନିଶ୍ଚିତ କରିବା ପାଇଁ ପଞ୍ଚାୟତିରାଜ ମନ୍ତ୍ରଣାଳୟ ସମସ୍ତ ଗ୍ରାମ ପଞ୍ଚାୟତ, ବ୍ଲକ ପଞ୍ଚାୟତ, ଜିଲ୍ଲା ପଞ୍ଚାୟତ ଏବଂ ସମ୍ପ୍ରଦାୟକୁ ଏହି କାର୍ଯ୍ୟକ୍ରମରେ ସକ୍ରିୟ ଭାବରେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛି।

narendra modi ପିପୁଲ୍ସ ପ୍ଲାନ୍ କ୍ୟାମ୍ପେନ୍ ରାଜୀବ ରଞ୍ଜନ ସିଂହ ସବକି ଯୋଜନା ସବ୍ କା ବିକାଶ
Share. Facebook Twitter LinkedIn Email WhatsApp Copy Link

Related Posts

ସଚିନ ତେନ୍ଦୁଲକରଙ୍କର ଏହି ବଲିଉଡ୍ ଅଭିନେତ୍ରୀଙ୍କ ସହ ସମ୍ପର୍କ ଥିଲା?: ଅନେକ ବର୍ଷ ପରେ ସାମ୍ନାକୁ ଆସିଲା ସତ୍ୟ

July 24, 2025

ଆକର୍ଷଣୀୟ ଡିଜାଇନ୍‌ ଏବଂ ସର୍ବୋତ୍ତମ କାର୍ଯ୍ୟଦକ୍ଷତା ସହିତ ମହିନ୍ଦ୍ରା XUV 3XO “REVX” ସିରିଜ୍ ଲଞ୍ଚ୍: ଜାଣନ୍ତୁ ମୂଲ୍ୟ 

July 24, 2025

ପରବର୍ତ୍ତୀ ଉପରାଷ୍ଟ୍ରପତି ବିଜେପିରୁ ହେବେ!, ସହଯୋଗୀ ଦେଲେ ସମର୍ଥନ: ଜାଣନ୍ତୁ ଅପଡେଟ୍

July 24, 2025

ସାବଧାନ!: ନିୟନ୍ତ୍ରଣ ବାହାରେ ଭାରତରେ ସାଇବର ଠକେଇ, ୨୦୨୪ ରେ ୨୨,୮୪୫ କୋଟି ଲୁଟ୍

July 24, 2025
Latest News

ସଚିନ ତେନ୍ଦୁଲକରଙ୍କର ଏହି ବଲିଉଡ୍ ଅଭିନେତ୍ରୀଙ୍କ ସହ ସମ୍ପର୍କ ଥିଲା?: ଅନେକ ବର୍ଷ ପରେ ସାମ୍ନାକୁ ଆସିଲା ସତ୍ୟ

July 24, 2025

ଚିତାଲାଗି ଅମାବାସ୍ୟା ଓ ଚିତଉ ଭୋଗ

July 24, 2025

ଆକର୍ଷଣୀୟ ଡିଜାଇନ୍‌ ଏବଂ ସର୍ବୋତ୍ତମ କାର୍ଯ୍ୟଦକ୍ଷତା ସହିତ ମହିନ୍ଦ୍ରା XUV 3XO “REVX” ସିରିଜ୍ ଲଞ୍ଚ୍: ଜାଣନ୍ତୁ ମୂଲ୍ୟ 

July 24, 2025

ପରବର୍ତ୍ତୀ ଉପରାଷ୍ଟ୍ରପତି ବିଜେପିରୁ ହେବେ!, ସହଯୋଗୀ ଦେଲେ ସମର୍ଥନ: ଜାଣନ୍ତୁ ଅପଡେଟ୍

July 24, 2025

ବାଣପୁର: ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ଜନଶୁଣାଣି ଓ ସାମାଜିକ ସମୀକ୍ଷା 

July 24, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.