![](https://thesamikhsya.com/odia/wp-content/uploads/2020/02/cdf39a8296794a34bdb1a98f6f546ae8.jpg)
ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଆମ୍ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କ ସମସ୍ୟା ବଢୁଥିବା ଜଣାପଡିଛି। ବାସ୍ତବରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ବାସଭବନର ନବୀକରଣ ଏବଂ ବିଳାସପୂର୍ଣ୍ଣ ସାମଗ୍ରୀ କ୍ରୟ ପାଇଁ ଅରବିନ୍ଦ କେଜ୍ରିୱାଲଙ୍କ ଖର୍ଚ୍ଚ ଯାଞ୍ଚ କରିବାକୁ କେନ୍ଦ୍ରୀୟ ଭିଜିଲାନ୍ସ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ପ୍ରକାଶ ଯେ, ଭାରତୀୟ ଜନତା ପାର୍ଟି ବିଧାୟକ ବିଜେନ୍ଦ୍ର ଗୁପ୍ତା ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଖର୍ଚ୍ଚ ହୋଇଥିବା ନେଇ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଏହି ନିର୍ଦ୍ଦେଶ ଦିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ କରାଯାଇଥିବା ନବୀକରଣ ଏବଂ ବିଳାସପୂର୍ଣ୍ଣ ଖର୍ଚ୍ଚର ଯାଞ୍ଚ କରିବାକୁ ସିଭିସି ସିପିଡବ୍ଲ୍ୟୁକୁ କହିଛନ୍ତି।
ବିଜେନ୍ଦ୍ର ଗୁପ୍ତା ମଧ୍ୟ ଦିଲ୍ଲୀ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭି.କେ ସକ୍ସେନାଙ୍କୁ ଚିଠି ଲେଖିଛନ୍ତି। ଏହି ଚିଠି ମାଧ୍ୟମରେ ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସରକାରୀ ବାସଭବନରେ ବେଆଇନ ନିର୍ମାଣ ତଥା ନିୟମ ଉଲ୍ଲଂଘନ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସମ୍ପତ୍ତିକୁ ଏହାର ମୂଳ ସ୍ଥିତିକୁ ଫେରାଇ ଆଣିବା ପାଇଁ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭି.କେ ସକ୍ସେନାଙ୍କୁ ମଧ୍ୟ ଅନୁରୋଧ କରାଯାଇଛି ଏବଂ ନିକଟସ୍ଥ ସରକାରୀ ସମ୍ପତ୍ତି ଉପରେ ହୋଇଥିବା ଜବରଦଖଲ ବିଳମ୍ବ ନକରି ହଟାଇବା ପାଇଁ କୁହାଯାଇଛି।
ବିଜେନ୍ଦ୍ର ଗୁପ୍ତା ଏଲଜିଙ୍କୁ ଲେଖିଥିବା ଅଭିଯୋଗରେ ଦର୍ଶାଯାଇଛି ଯେ, ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ତାଙ୍କ ସରକାରୀ ବାସଭବନକୁ ଶୀଶ ମହଲରେ ପରିଣତ କରିଛନ୍ତି ଯାହା ସମ୍ପୂର୍ଣ୍ଣ ବେଆଇନ ଏବଂ ଅନୈତିକ ଅଟେ। ଏଭଳି ପରିସ୍ଥିତିରେ ସମ୍ପତ୍ତିର ମୂଳ ଅବସ୍ଥାକୁ ଫେରାଇ ଆଣିବା ଉଚିତ ଏବଂ ନିକଟସ୍ଥ ସରକାରୀ ସମ୍ପତ୍ତି ଉପରେ ଜବାରଦଖଲ ବିଳମ୍ବ ନକରି ହଟାଯିବା ଉଚିତ।”
ବିଜେନ୍ଦ୍ର ଗୁପ୍ତା ଏହି ଚିଠିରେ ଲେଖିଛନ୍ତି ଯେ, ଏହି ବିଳାସପୂର୍ଣ୍ଣ ମହଲ ନିର୍ମାଣ ପାଇଁ ଦିଲ୍ଲୀର ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ସହରର ବାସିନ୍ଦା ମୌଳିକ ଆବଶ୍ୟକତା ପାଇଁ ସଂଘର୍ଷ କରୁଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଜଣେ ସାଧାରଣ ବ୍ୟକ୍ତି ବୋଲି ଦାବି କରିଥିଲେ, କିନ୍ତୁ ସେ ନିଜ ପାଇଁ ବିଳାସପୂର୍ଣ୍ଣ ପ୍ରାସାଦ ନିର୍ମାଣ ପାଇଁ ଜନସାଧାରଣଙ୍କ ଟଙ୍କା ବ୍ୟବହାର କରିଥିଲେ। ଅରବିନ୍ଦ କେଜ୍ରିୱାଲ ନିର୍ଦ୍ଦୟ ଭାବରେ ଲୋକଙ୍କ କଷ୍ଟ ଉପାର୍ଜିତ ଟଙ୍କାକୁ ତାଙ୍କ ବିଳାସପୂର୍ଣ୍ଣ ପ୍ରାସାଦରେ ଖର୍ଚ୍ଚ କରିଥିଲେ। ଏହା କେବଳ ଦୁର୍ନୀତି ନୁହେଁ ଲୋକଙ୍କ ପ୍ରତି ବିଶ୍ୱାସଘାତକତା ମଧ୍ୟ ଅଟେ।