Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଆମେରିକୀୟ ଉପସ୍ଥାପକ ଲେକ୍ସ ଫ୍ରିଡମ୍ୟାନଙ୍କ ସହ ପଡକାଷ୍ଟରେ ମତ ବିନିମୟ କଲେ ପ୍ରଧାନମନ୍ତ୍ରୀ
ଜାତୀୟ ଖବର

ଆମେରିକୀୟ ଉପସ୍ଥାପକ ଲେକ୍ସ ଫ୍ରିଡମ୍ୟାନଙ୍କ ସହ ପଡକାଷ୍ଟରେ ମତ ବିନିମୟ କଲେ ପ୍ରଧାନମନ୍ତ୍ରୀ

March 17, 2025No Comments6 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକୀୟ କମ୍ପ୍ୟୁଟର ବିଜ୍ଞାନୀ ତଥା ଉପସ୍ଥାପକ ଲେକ୍ସ ଫ୍ରିଡମ୍ୟାନଙ୍କ ସହିତ ଏକ ପଡକାଷ୍ଟରେ ବିଭିନ୍ନ ପ୍ରସଙ୍ଗରେ ମନଖୋଲି କଥା ହୋଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କର ବାଲ୍ୟ ଜୀବନ ଠାରୁ ଆରମ୍ଭ କରି ସାର୍ବଜନୀନ ଜୀବନ ଏବଂ ଅନ୍ତର୍ଜାତୀୟ କୂଟନୀତି ପର୍ଯ୍ୟନ୍ତ ବିଭିନ୍ନ ପ୍ରସଙ୍ଗରେ ନିଜର ମତ ରଖିଛନ୍ତି।

ପ୍ରଧାନମନ୍ତ୍ରୀ ଉପବାସ ଏବଂ ଶୃଙ୍ଖଳିତ ଜୀବନଯାପନ ଉପରେ ଆଲୋଚନା କରିଥିଲେ। ଲେକ୍ସ ମଧ୍ୟ କହିଥିଲେ ଯେ ଏହି ସାକ୍ଷାତକାର ପୂର୍ବରୁ ସେ ୪୫ ଘଣ୍ଟା ଉପବାସ ରଖିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଉପବାସ ଦ୍ୱାରା ସେ ଅଧିକ ସ୍ଫୁର୍ତ୍ତି ଅନୁଭବ କରିବା ସହିତ କଠିନ ପରିଶ୍ରମ କରିବା ଲାଗି ଅନୁପ୍ରାଣିତ ହୋଇଥା’ନ୍ତି।

ଶ୍ରୀ ମୋଦୀ କହିଥିଲେ, ପିଲାଦିନରୁ ସେ ଦାରିଦ୍ର୍ୟ ମଧ୍ୟରେ ବଢ଼ିଛନ୍ତି । କିନ୍ତୁ ଦାରିଦ୍ର୍ୟ ତାଙ୍କୁ କେବେ କଷ୍ଟ ଦେଇ ନାହିଁ। ଜୀବନର ପ୍ରତ୍ୟେକ ପର୍ଯ୍ୟାୟକୁ ସେ କୃତଜ୍ଞତାର ସହିତ ସ୍ୱୀକାର କରିଛନ୍ତି ବୋଲି କହିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ସ୍ୱାମୀ ବିବେକାନନ୍ଦଙ୍କ ଶିକ୍ଷା ତାଙ୍କ ଜୀବନକୁ ପ୍ରଭାବିତ କରିଛି । ବ୍ୟକ୍ତିଗତ ଉପଲବ୍ଧି ନୁହେଁ ବରଂ ଅନ୍ୟମାନଙ୍କର ନିଃସ୍ୱାର୍ଥ ସେବା ସେ ସ୍ୱାମୀଜୀଙ୍କ ଜୀବନରୁ ଶିଖିଥିବା ପ୍ରଧାନମନ୍ତ୍ରୀ କହିଥିଲେ । ସେ ଆହୁରି କହିଥିଲେ, ରାମକୃଷ୍ଣ ପରମହଂସ ଆଶ୍ରମରେ ରହିବା ସମୟରେ ସେ ସାଧୁସନ୍ଥଙ୍କ ଠାରୁ ଅଶେଷ ସ୍ନେହ ପାଇଥିଲେ। ସ୍ୱାମୀ ଆତ୍ମସ୍ଥାନାନନ୍ଦଙ୍କ ଠାରୁ ସେ ଲୋକଙ୍କ ସେବା କରିବା ଏବଂ ସମାଜ କଲ୍ୟାଣ ପାଇଁ କାମ କରିବା ଲାଗି ଜୀବନର ଉଦ୍ଦେଶ୍ୟ ପାଇଥିଲେ ।

ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ସହିତ ତାଙ୍କର ନିବିଡ଼ ସମ୍ପର୍କ ବିଷୟରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ, ଆରଏସଏସ ସହିତ ରହିବା ସମୟରେ ସେ ନିଃସ୍ୱାର୍ଥ ସେବା ପାଇଁ ଜୀବନର ଉଦ୍ଦେଶ୍ୟ ଏବଂ ମୂଲ୍ୟ ପାଇପାରିଥିଲେ। ସାରା ଦେଶରେ ଏହି ସଂଗଠନ କିଭଳି ବ୍ୟାପକ ଭାବେ ଶିକ୍ଷା ଓ ସ୍ୱାସ୍ଥ୍ୟସେବା ଯୋଗାଇ ଦେଉଛି ତାହା ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହିତ ତାଙ୍କର ମଧୁର ସମ୍ପର୍କ ଥିବା ପ୍ରଧାନମନ୍ତ୍ରୀ କହିଥିଲେ। ସେ କହିଥିଲେ, ଟ୍ରମ୍ପଙ୍କର ତାଙ୍କ ଉପରେ ବିଶ୍ୱାସ ରହିଛି । ଆମେରିକା ରାଷ୍ଟ୍ରପତିଙ୍କର ଆମେରିକା ପ୍ରଥମ ନୀତି ସହିତ ତାଙ୍କର ରାଷ୍ଟ୍ର ପ୍ରଥମ ଓ ଭାରତ ପ୍ରଥମ ନୀତି ମେଳ ଖାଉଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଆମେରିକା ରାଷ୍ଟ୍ରପତିଙ୍କ ଡୋଜ ଦର୍ଶନ ଅନୁରୂପ ଭାରତରେ କିପରି ପ୍ରଶାସନିକ ସଂସ୍କାର ଆସିଛି ସେ ବିଷୟରେ ଶ୍ରୀ ମୋଦୀ ଚର୍ଚ୍ଚା କରିଥିଲେ। ସେ କହିଥିଲେ, ତାଙ୍କ ସରକାର କଲ୍ୟାଣମୂଳକ ଯୋଜନାରୁ ୧୦ କୋଟି ନକଲି ହିତାଧିକାରୀଙ୍କୁ ବାଦ ଦେଇଛି। ଡିବିଟି ଜରିଆରେ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର କାରଣରୁ ୩ ଲକ୍ଷ କୋଟି ଟଙ୍କାର ରାଜସ୍ୱ ସଞ୍ଚୟ ହୋଇପାରିଛି। ଏହାବ୍ୟତୀତ ତାଙ୍କ ସରକାର ୧୫ଶହରୁ ଅଧିକ ଅନାବଶ୍ୟକ ଆଇନ ଏବଂ ୪୫ ହଜାରରୁ ଅଧିକ ଅନୁପାଳନ ବୋଝ ଉଚ୍ଛେଦ କରିଥିବା ସେ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭାରତ ହେଉଛି ଭଗବାନ ବୁଦ୍ଧ ଓ ମହାତ୍ମା ଗାନ୍ଧୀଙ୍କ ଦେଶ। ତେଣୁ ଭାରତର ଶାନ୍ତି ପ୍ରସ୍ତାବକୁ ଆଜି ବିଶ୍ୱ ଗ୍ରହଣ କରୁଛି । ଭାରତ ନିରପେକ୍ଷ ନୁହେଁ ବରଂ ଶାନ୍ତି ପାଇଁ ସଂକଳ୍ପବଦ୍ଧ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ। ବିବାଦ ଦୂର କରି ସମନ୍ୱୟ ସ୍ଥାପନ କରିବା ପାଇଁ ସେ ସାରା ବିଶ୍ୱକୁ ପରାମର୍ଶ ଦେଇଥିଲେ । ବିସ୍ତାରବାଦ ନୁହେଁ ବରଂ ବିକାଶବାଦ ଦ୍ୱାରା ପ୍ରଗତି ସମ୍ଭବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଗୋଧ୍ରା ଦଙ୍ଗା ବିଷୟରେ ମତବ୍ୟକ୍ତ କରି ପ୍ରଧାନମନ୍ତ୍ରୀ କହିଥିଲେ, ୨୦୦୨ ପୂର୍ବରୁ ଗୁଜରାଟରେ ୨୫୦ରୁ ଅଧିକ ଦଙ୍ଗା ଓ ସାମ୍ପ୍ରଦାୟିକ ହିଂସା ହୋଇଥିଲା। କିନ୍ତୁ ୨୦୦୨ ଗୋଧ୍ରା ଦଙ୍ଗାକୁ ନେଇ ମିଥ୍ୟା ପ୍ରଚାର କରାଯାଇଥିଲା। ସେବେଠାରୁ ଗୁଜରାଟରେ ଗୋଟିଏ ହେଲେ ସାମ୍ପ୍ରଦାୟିକ ଦଙ୍ଗା ହୋଇନାହିଁ । ତାଙ୍କ ସରକାର ତୁଷ୍ଟିକରଣ ଏବଂ ଭୋଟବ୍ୟାଙ୍କ ରାଜନୀତି ନୁହେଁ, ବରଂ ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ, ସବକା ପ୍ରୟାସ ନୀତି ନେଇ ସମସ୍ତଙ୍କର ସାମଗ୍ରିକ ବିକାଶ କରିଥାଏ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଶ୍ରୀ ମୋଦୀ କହିଥିଲେ, ସେ କେବେ ବି ନିଜକୁ ଏକାକୀ ଅନୁଭବ କରିନାହାନ୍ତି। ତାଙ୍କ ପାଇଁ ଜନ ସେବା ହିଁ ପ୍ରଭୁ ସେବା। ତାଙ୍କ ସହ ୧୪୦ କୋଟି ଭାରତୀୟଙ୍କର ସମର୍ଥନ ରହିଥିବା ସେ କହିଥିଲେ ।

ମହାତ୍ମା ଗାନ୍ଧୀଙ୍କ ଜନ ଆନ୍ଦୋଳନ ସଂକଳ୍ପ ତାଙ୍କର ପ୍ରତ୍ୟେକ ପ୍ରୟାସକୁ ଅନୁପ୍ରାଣିତ କରିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ । ସେ କହିଥିଲେ, ମହାତ୍ମା ଗାନ୍ଧୀ କେବଳ ବିଂଶ ଏବଂ ଏକବିଂଶ ଶତାବ୍ଦୀ ନୁହେଁ ଆଗାମୀ ଶତାବ୍ଦୀର ମଧ୍ୟ ଜଣେ ମହାନତମ ନେତା। ସେ ଦେଶର ସ୍ୱାଧୀନତାକୁ ଜନ ଆନ୍ଦୋଳନରେ ପରିଣତ କରିବା ଲାଗି ଜନଶକ୍ତିର ସାମର୍ଥ୍ୟକୁ ଉପଯୋଗ କରିଥିଲେ । ଆଜି ପ୍ରତ୍ୟେକ ପ୍ରୟାସରେ ଗାନ୍ଧୀଜୀଙ୍କ ଏହି ନୀତିକୁ ଅନୁସରଣ କରୁଥିବା ଶ୍ରୀ ମୋଦୀ କହିଥିଲେ।

ବିଦେଶ କୁଟନୀତିରେ ତାଙ୍କର ପ୍ରାରମ୍ଭିକ ଅଭିଜ୍ଞତାକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, ତାଙ୍କର ସବୁଠୁ ବଡ଼ ସାମର୍ଥ୍ୟ ହେଉଛନ୍ତି ୧୪୦ କୋଟି ଭାରତୀୟ। ‘‘ଭାରତ କେବେ କାହାକୁ ଡରିବ ନାହିଁ କିମ୍ବା କାହାକୁ ଧମକ ଦେବ ନାହିଁ । ଆମେ ଦୁନିଆ ସହିତ ଆତ୍ମବିଶ୍ୱାସର ସହିତ ଆଖିରେ ଆଖି ମିଶାଇ ଚାଲିବୁ,’’ ପ୍ରଧାନମନ୍ତ୍ରୀ କହିଥିଲେ । ସେ କହିଥିଲେ ଯେ, ଭାରତ ନିଜର ପ୍ରାଚୀନ ଦର୍ଶନ ବସୁଧୈବ କୁଟମ୍ବକମ୍‌ – ସାରା ବିଶ୍ୱ ଏକ ପରିବାରରେ ବିଶ୍ୱାସ କରିଥାଏ।

ନିଜର ଅପରାଜିତ ରାଜନୀତିକ କ୍ୟାରିଅର ଏବଂ ବିଜେପିର ସଫଳତା ବିଷୟରେ ମତ ରଖି ପ୍ରଧାନମନ୍ତ୍ରୀ କହିଥିଲେ, ସେ କେବେ ବି ରାଜନୀତି କେନ୍ଦ୍ରିତ ସରକାର ଚଳାଇନାହାନ୍ତି ବରଂ ସବୁବେଳେ ଜନ କେନ୍ଦ୍ରିତ ପ୍ରଶାସନ ଉପରେ ଗୁରୁତ୍ୱ ଦେଇଛନ୍ତି । ସବୁବେଳେ ଅନ୍ୟକୁ ଦାନ କରିବାର ଆଦର୍ଶରେ ବିଶ୍ୱାସ କରୁଥିବା ବିଶ୍ୱର ସବୁଠୁ ବଡ଼ ରାଜନୈତିକ ଦଳର ସଦସ୍ୟ ହୋଇ ସେ ଗର୍ବିତ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଏହି ପଡକାଷ୍ଟରେ ପ୍ରଧାନମନ୍ତ୍ରୀ, ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନକୁ କଡ଼ା ବାର୍ତ୍ତା ଦେଇଥିଲେ । ଶ୍ରୀ ମୋଦୀ କହିଥିଲେ, ପାକିସ୍ତାନ ଯେ ଆତଙ୍କବାଦର ଉତ୍ପତି ସ୍ଥଳ, ଏହାକୁ ନେଇ ବିଶ୍ୱର ଆଉ ସନ୍ଦେହ ନାହିଁ । ପାକିସ୍ତାନକୁ ତାଙ୍କର ପ୍ରଥମ ଶପଥ ଗ୍ରହଣ ସମାରୋହକୁ ନିମନ୍ତ୍ରଣ କରିବା ଏବଂ ନିଜ ଲାହୋର ଗସ୍ତ ସମ୍ପର୍କରେ ଅବତାରଣା କରି ପ୍ରଧାନମନ୍ତ୍ରୀ କହିଥିଲେ, ଶାନ୍ତି ପାଇଁ ତାଙ୍କର ପ୍ରୟାସକୁ ସବୁବେଳେ ନକାରାତ୍ମକ ପରିଣାମ ମିଳିଛି । ଭାରତ ଏବଂ ପାକିସ୍ତାନ ମଧ୍ୟରେ ଭଲ କ୍ରିକେଟ୍‌ ଟିମ୍‌ କେଉଁଟି ବୋଲି ପଚାରିବାରୁ ପ୍ରଧାନମନ୍ତ୍ରୀ କହିଥିଲେ, ସେ ଏ ବିଷୟରେ ବିଶେଷଜ୍ଞ ନୁହନ୍ତି । କିନ୍ତୁ ନିକଟରେ ଖେଳାଯାଇଥିବା ମ୍ୟାଚର ଫଳାଫଳ ଏହାର ଉତ୍ତର ଦେଉଛି । ପ୍ରଧାନମନ୍ତ୍ରୀ କହିଥିଲେ, ମାରାଡୋନା ତାଙ୍କର ସବୁଠୁ ପ୍ରିୟ ଫୁଟବଲ ଖେଳାଳୀ। ଏହି ଅବସରରେ ସେ ମିନି ବ୍ରାଜିଲ ନାମରେ ପରିଚିତ ମଧ୍ୟପ୍ରଦେଶର ଶେହଡୋଲକୁ ତାଙ୍କର ଗସ୍ତ ବିଷୟରେ ଉଲ୍ଲେଖ କରିଥିଲେ।

ଭାରତ-ଚୀନ ପ୍ରସଙ୍ଗରେ ମତ ରଖି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, ଏକବିଂଶ ଶତାବ୍ଦୀ ଏସିଆର ଶତାବ୍ଦୀ ହେବ । ଆଲୋଚନାକୁ ପ୍ରାଥମିକତା ଦେଇ ଭାରତ ଓ ଚୀନ ମଧ୍ୟରେ ସୀମା ବିବାଦର ସ୍ୱାଭାବିକ ସମାଧାନ ହୋଇଛି ।  ପ୍ରଧାନମନ୍ତ୍ରୀ କହିଥିଲେ, ଦୁଇ ଦେଶ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ରହିବା ସ୍ୱାଭାବିକ, ତେବେ ଶାନ୍ତି ଓ ପ୍ରଗତି ପାଇଁ ବିବାଦକୁ ଏଡ଼ାଇବା ଜରୁରୀ। ସାର୍ବଜନୀନ ଜୀବନରେ ଗଠନମୂଳକ ସମାଲୋଚନା ହ୍ରାସ ପାଇବାକୁ ନେଇ ପ୍ରଧାନମନ୍ତ୍ରୀ ଚିନ୍ତା ବ୍ୟକ୍ତ କରିଥିଲେ। ତେବେ ସତ୍ୟ ଓ ତଥ୍ୟ ନଥାଇ ଏବଂ ଲୁକ୍କାୟିତ ମନ୍ଦ ଉଦ୍ଦେଶ୍ୟ ରଖି ରାଷ୍ଟ୍ରର ସ୍ୱାର୍ଥ ବିରୋଧରେ କରାଯାଉଥିବା ଅପପ୍ରଚାରକୁ ସେ ଦୃଢ଼ ନିନ୍ଦା କରିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ବିକାଶ ଦିଗରେ ବିଶ୍ୱର ପ୍ରୟାସ ଭାରତର ଅଂଶଗ୍ରହଣ ବିନା ଅସମ୍ପୂର୍ଣ୍ଣ ରହିବ। ଭାରତର ସମସ୍ୟା ସମାଧାନ କୌଶଳ ଏବଂ ବିଶ୍ଲେଷଣାତ୍ମକ ଚିନ୍ତାଧାରା ବିଶ୍ୱ ପ୍ରତିଦ୍ୱନ୍ଦ୍ୱିତାର ସାମ୍ନା କରିବାକୁ ସକ୍ଷମ। ତେଣୁ ଦେଶ ଏଆଇ ବିପ୍ଳବରେ ଏକ ଗୁରୁତ୍ୱପୂର୍ଣ୍ଣ ଶକ୍ତି ହୋଇପାରିବ। ଏଆଇ ଯେତେ ଶକ୍ତିଶାଳୀ ହେଲେ ମଧ୍ୟ ମାନବୀୟ ପରିକଳ୍ପନାର ଗଭୀରତା ସହ ତୁଳନୀୟ ହୋଇପାରିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଶ୍ରୀ ମୋଦୀ ଜନ ସେବା ଦିଗରେ ତାଙ୍କର ସମର୍ପଣ ବିଷୟରେ ମତ ରଖି କହିଥିଲେ, ରାଜନୀତିକୁ ଆସିବା ଦିନ ଠାରୁ ସେ ମାନବ ସେବା ହିଁ ମାଧବ ସେବା ନୀତି ନେଇ କାମ କରି ଆସିଛନ୍ତି। ଲୋକମାନଙ୍କର ତାଙ୍କ ପ୍ରତି ରହିଥିବା ବିଶ୍ୱାସକୁ କେବେ ଭାଙ୍ଗିବାକୁ ନଦେବା ପାଇଁ ସେ ସମ୍ପୂର୍ଣ୍ଣ ସମର୍ପିତ ହୋଇ କାମ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ ସେ କେବେ ରାଜନୈତିକ କ୍ଷମତାର ଖେଳରେ ସମ୍ପୃକ୍ତ ହୋଇନାହାନ୍ତି । ନିଜକୁ ସବୁବେଳେ ସେ ‘ପ୍ରଧାନ ସେବକ’ ବୋଲି ବିବେଚନା କରି ଆସିଛନ୍ତି । ନିଜର ଆତ୍ମମୂଲ୍ୟାଙ୍କନ ପାଇଁ ସେ ତିନୋଟି ମାପଦଣ୍ଡକୁ ଗୁରୁତ୍ୱ ଦେଇଛନ୍ତି। କଠିନ ପରିଶ୍ରମ ପାଇଁ ପଛଘୁଞ୍ଚା ନଦେବା, ମନ୍ଦ ଉଦ୍ଦେଶ୍ୟ ତ୍ୟାଗ କରିବା ଏବଂ ନିଜ ପାଇଁ ନୁହେଁ, ବରଂ ସମାଜ ପାଇଁ କିଛି କରିବାକୁ ସେ ସବୁବେଳେ ଚେଷ୍ଟା କରି ଆସିଛନ୍ତି । ଲୋକମାନେ ତାଙ୍କ ପ୍ରତି ରଖିଥିବା ବିଶ୍ବାସ କାରଣରୁ ସେ ଅକ୍ଳାନ୍ତ ଭାବେ କାମ କରି ଆସୁଥିବା କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ, ରାଷ୍ଟ୍ର ପାଇଁ ସାହସିକ ପଦକ୍ଷେପ ଗ୍ରହଣ କରିବାର ଆଭିମୁଖ୍ୟ ତାଙ୍କ ନେତୃତ୍ୱର ଆଧାର। ଭାରତ ପାଇଁ ସଠିକ ନିଷ୍ପତ୍ତି ନେବାରେ ସେ କେବେ ବି ପଛଘୁଞ୍ଚା ଦିଅନ୍ତି ନାହିଁ ଏବଂ ସମର୍ପଣର ସହିତ କାମ କରିଥା’ନ୍ତି ବୋଲି କହିଥିଲେ। ସେ କହିଥିଲେ, ଜଣେ ମଣିଷ ହୋଇଥିବାରୁ ତାଙ୍କର ମଧ୍ୟ ଭୁଲ ହୋଇପାରେ କିନ୍ତୁ କେବେ ମନ୍ଦ ଉଦ୍ଦେଶ୍ୟ ନେଇ ସେ କାମ କରିନାହାନ୍ତି। ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ପରିଣାମକୁ ନେଇ ଚିନ୍ତିତ ନହେବା ଏବଂ ଜୀବନରେ ଆଗକୁ ବଢ଼ିବା ପାଇଁ ପରାମର୍ଶ ଦେଇଥିଲେ। ମୃତ୍ୟୁକୁ ନେଇ ଭୟ ସମ୍ପର୍କରେ ମତ ରଖି ସେ କହିଥିଲେ, ମୃତ୍ୟୁ ତ’ ଅନିର୍ବାର୍ଯ୍ୟ କିନ୍ତୁ ଅର୍ଥପୂର୍ଣ୍ଣ ଜୀବନ ବଞ୍ଚିବା ଗୁରୁତ୍ୱପୂର୍ଣ୍ଣ। ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଲେକ୍ସ ଫ୍ରିଡମ୍ୟାନ ଗାୟତ୍ରୀ ମନ୍ତ୍ରର ଗଭୀର ମହତ୍ୱକୁ ନେଇ ଆଲୋଚନା କରିଥିଲେ।

ନରେନ୍ଦ୍ର ମୋଦୀ ପଡକାଷ୍ଟ ବାଲ୍ୟ ଜୀବନ ଲେକ୍ସ ଫ୍ରିଡମ୍ୟାନ
Share. Facebook Twitter LinkedIn Email WhatsApp Copy Link

Related Posts

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟକ୍ରମ ସମୀକ୍ଷା: ପ୍ରଥମ ପର୍ଯ୍ୟାୟରେ ନିର୍ମାଣ ହେବ ୮୩୫ ସ୍କୁଲ

August 5, 2025

ଓଭାଲ ଟେଷ୍ଟରେ ଭାରତର ଚମତ୍କାର ବିଜୟ ପରେ କାହିଁକି କ୍ଷମା ମାଗିଲେ କଂଗ୍ରେସ ସାଂସଦ ଶଶି ଥରୁର?

August 4, 2025

ଗିନିଜ୍ ଓ୍ୱାର୍ଲଡ୍ ରେକର୍ଡରେ ସ୍ଥାନ ପାଇଲା ପ୍ରଧାନମନ୍ତ୍ରୀଙ୍କ ‘ପରୀକ୍ଷା ପେ ଚର୍ଚ୍ଚା ୨୦୨୫’: ଧର୍ମେନ୍ଦ୍ର ପ୍ରଧାନ

August 4, 2025

ଭାରତର ନେତୃତ୍ୱରେ ସାର୍କ ଅଞ୍ଚଳରେ ଗୁରୁତ୍ୱପୂର୍ଣ୍ଣ ମତ୍ସ୍ୟଚାଷ ପ୍ରକଳ୍ପ: ଓଡ଼ିଆ ବୈଜ୍ଞାନିକଙ୍କ ଅଗ୍ରଣୀ ଭୂମିକା

August 4, 2025
Latest News

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟକ୍ରମ ସମୀକ୍ଷା: ପ୍ରଥମ ପର୍ଯ୍ୟାୟରେ ନିର୍ମାଣ ହେବ ୮୩୫ ସ୍କୁଲ

August 5, 2025

ଜୀ ସାର୍ଥକରେ ଅଗଷ୍ଟ ୧୦ ସନ୍ଧ୍ୟା ୬.୩୦ରେ ଦେଖନ୍ତୁ ଓଡ଼ିଆ ଫିଲ୍ମ ‘ପାରି କରିବେ ଭୋଳାଶଙ୍କର ୪’

August 4, 2025

୩୩ ସିଭିଲ ଜଜଙ୍କୁ ଶପଥ ପାଠ କରାଇଲେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି

August 4, 2025

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ

August 4, 2025

ଓଭାଲ ଟେଷ୍ଟରେ ଭାରତର ଚମତ୍କାର ବିଜୟ ପରେ କାହିଁକି କ୍ଷମା ମାଗିଲେ କଂଗ୍ରେସ ସାଂସଦ ଶଶି ଥରୁର?

August 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.