
ଭୁବନେଶ୍ୱର: ଭାରତ ସରକାରଙ୍କ ଆତଙ୍କବାଦୀ ବିରୋଧୀ ଅଭିଯାନ ‘ଅପରେସନ ସିନ୍ଦୂର’ ଭାରତର ସୈନିକ ଶକ୍ତିର ଶୌର୍ଯ୍ୟ, ସାହସ ଏବଂ ପରାକ୍ରମର ବଡ଼ ପ୍ରମାଣ ବୋଲି ଗଣମାଧ୍ୟମର ଏ ସମ୍ପର୍କିତ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଆତଙ୍କବାଦ ବିରୋଧରେ ଏକ ନିର୍ଣ୍ଣାୟକ ଲଢେଇ ପାଇଁ ଅପରେସନ ସିନ୍ଦୂରର ସଫଳତା ପରେ ତିନି ସେନାକୁ ଓଡ଼ିଶା ତରଫରୁ ଶୁଭେଚ୍ଛା ଜଣାଇଥିବା ସହ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ଶ୍ରୀ ପ୍ରଧାନ। ସେ କହିଛନ୍ତି ଆତଙ୍କବାଦୀଙ୍କୁ ମୂଳପୋଛ କରିବା ପାଇଁ ପାକିସ୍ତାନ ସୀମା ଭିତରେ ଆମର ବାୟୁ ସେନାବାହିନୀମାନେ ପ୍ରବେଶ କରି ପ୍ରଥମେ ସେମାନଙ୍କ ୯ଟି ଠିକଣା ସ୍ଥାନକୁ ନଷ୍ଟ କଲେ।
ଭାରତର ସନ୍ୟଶକ୍ତିର ପରାକ୍ରମ, ଭାରତୀୟ ସମାଜର ପ୍ରତିବଦ୍ଧତା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଣ୍ଣାୟକ ନେତୃତ୍ୱର ପରାକାଷ୍ଠା ସାରା ବିଶ୍ୱ ଦେଖିଲା । ଦେଶରେ ସୈନିକଶକ୍ତିଙ୍କ ମନୋବଳକୁ ବଢାଇବା ତଥା ଅପରେସନ ସିନ୍ଦୂର ସମର୍ଥନରେ ତ୍ରିରଙ୍ଗା ଯାତ୍ରାର ଆୟୋଜନ ପାଇଁ ଦେଶବାସୀଙ୍କୁ ଆହ୍ୱାନ କରାଯାଇଛି। ଏହାକୁ ନେଇ ଓଡ଼ିଶା ସମେତ ଦେଶବାସୀଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଛି।
ଅପରପକ୍ଷରେ ଗୋପାଳପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରରୁ ଭାର୍ଗବାସ୍ତ୍ର ନୂଆ ଭାବରେ ନିର୍ମିତ ହୋଇଛି। ଭାର୍ଗବାସ୍ତ୍ର ଭାରତର ଏୟାର ଡିଫେନ୍ସ ସିଷ୍ଟମକୁ ଆହୁରି ଆଧୁନିକ କରିବ। ଡିଆରଡିଓର ଏହି ସଫଳତା ପରେ ଓଡିଶା ଆଜି ଗର୍ବିତ।
ଭାରତର ଭୂମିକା, ସେନାର ଭୂମିକାକୁ ନେଇ ଆମେ ଗୌରବାନ୍ୱିତ । ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ପାକିସ୍ତାନର କ୍ଷେପଣାସ୍ତ୍ର ଭାରତ ଶକ୍ତି ଆଗରେ ଫିକା ପଡିଛି । ଏଭଳି ବିଷୟରେ ସମାଲୋଚନା କରିବା ପୂର୍ବରୁ ବିରୋଧୀ ପକ୍ଷ ଧୈର୍ଯ୍ୟର ସହ ଦାୟିତ୍ୱସମ୍ପନ୍ନ ବ୍ୟବହାର କରିବା ଦରକାର ବୋଲି ସେ କହିଛନ୍ତି ।