ନୂଆଦିଲ୍ଲୀ: ଦେବଯାନୀ ରାଣା କିଏ? ଯିଏ ଗତକାଲି ଜମ୍ମୁ କାଶ୍ମୀରର ନାଗ୍ରୋଟା ବିଧାନସଭା ଉପନିର୍ବାଚନରେ ବିଜେପିରୁ ବିଜୟୀ ହୋଇଛନ୍ତି। ତାଙ୍କ ବିଜୟ ଭାରତୀୟ ଜନତା ପାର୍ଟିକୁ ଜମ୍ମୁ ଏବଂ କାଶ୍ମୀରର ଗୁରୁତ୍ୱପୂର୍ଣ୍ଣ ଆସନରେ ତାର ଗଡ଼ ବଜାୟ ରଖିବାରେ ସାହାଯ୍ୟ କରିଛି। ଏହି ବିଜୟ ପରେ ଦଳ ଦେବଯାନୀ ରାଣାଙ୍କ ପରି ଏକ ନୂତନ ଯୁବ ଚେହେରାକୁ ହାସଲ କରିଛି।
ଦେବଯାନୀଙ୍କ ବାପା ଦେବେନ୍ଦର ସିଂହ ରାଣାଙ୍କ ବିୟୋଗ ପରେ ସେହି ନାଗ୍ରୋଟା ଆସନ ଖାଲି ପଡିଥିଲା। ଉପନିର୍ବାଚନ ଘୋଷଣା ପରେ ବିଜେପି ତାଙ୍କ ଝିଅ ଦେବଯାନୀଙ୍କୁ ଟିକେଟ ଦେଲା। ଆଉ ଦେବଯାନୀ ୨୪୦୦୦ ଭୋଟ ବ୍ୟବଧାନରେ ବିଜୟ ଲାଭ କରିଛନ୍ତି।
ଦେବଯାନୀଙ୍କୁ ମିଳିଛି ମୋଟ ୪୨,୦୦୦ ଭୋଟ। ତାଙ୍କ ପ୍ରତିଦ୍ବନ୍ଦି ଜେ ଆଣ୍ଡ କେ ନ୍ୟାସନାଲ ପାନ୍ଥର୍ସ ପାର୍ଟି ପ୍ରାର୍ଥୀ ହର୍ଷ ଦେବ ସିଂହଙ୍କୁ ପରାସ୍ତ କରିଥିଲେ। ସେ ୧୭,୬୬୧ ଖଣ୍ଡ ଭୋଟ ହାସଲ କରିଛନ୍ତି। ନ୍ୟାସନାଲ କନଫରେନ୍ସ (ଏନସି) ପ୍ରାର୍ଥୀ ଶାମିମ ବେଗମ ୧୦,୮୩୪ ଭୋଟ ପାଇ ଦୌଡ଼ରେ ତୃତୀୟ ସ୍ଥାନରେ ରହିଛନ୍ତି।
ଦେବଯାନୀ ରାଣା, ଯାହାର ବୟସ 30 ବର୍ଷ ହେବ ସେ ବର୍ତ୍ତମାନ ଜମ୍ମୁକାଶ୍ମୀର ବିଧାନସଭାର ଅନ୍ୟତମ ମହିଳା ବିଧାୟିକା। ସେ ଆମେରିକାର କାଲିଫର୍ନିଆ ବିଶ୍ୱବିଦ୍ୟାଳୟରୁ ଅର୍ଥନୀତି ସ୍ନାତକ ହାସଲ କରି ବାପାଙ୍କ ବ୍ୟବସାୟରେ ସାହାର୍ଯ୍ୟ କରୁଥିଲେ। ତାଙ୍କ ବିଜୟରେ ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୁସି ପ୍ରକଟ କରିଛନ୍ତି। ତାଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି।


