ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଏବଂ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଦକ୍ଷ ମାର୍ଗଦର୍ଶନରେ ମାର୍ଚ୍ଚ 2026 ସୁଦ୍ଧା ଦେଶକୁ ସମ୍ପୂର୍ଣ୍ଣ ଭାବେ ମାଓ ମୁକ୍ତ କରିବାକୁ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ। ଆଜି ଲୋକସଭାରେ ବାମପନ୍ଥୀ ଉଗ୍ରବାଦ ବିରୋଧରେ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ଏବଂ ମାଓପ୍ରଭାବିତ ଅଞ୍ଚଳ ପାଇଁ କାର୍ଯ୍ୟକାରୀ ହୋଇଥିବା ଯୋଜନା ସଂକ୍ରାନ୍ତ ପ୍ରଶ୍ନର ଉତ୍ତର ରଖି କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ମୋଦୀ ସରକାର ହିଂସାତ୍ମକ ଉଗ୍ରବାଦ ବିରୋଧରେ ଶୂନ୍ୟ ଶହନଶୀଳତା ନୀତି ଆପଣାଇଛନ୍ତି। ସାମଗ୍ରିକ ବିକାଶ ସୁନିଶ୍ଚିତ କରିବା ଲାଗି ସମ୍ପୂର୍ଣ୍ଣ ସରକାରୀ ଆଭିମୁଖ୍ୟ ନେଇ ନୀତି ଏବଂ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରାଯାଉଛି। ମାଓ ପ୍ରଭାବିତ ଅଞ୍ଚଳରେ ବିଭିନ୍ନ ସୁରକ୍ଷା ପଦକ୍ଷେପ ଗ୍ରହଣ କରାଯାଉଛି।
କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ କହିଛନ୍ତି, ସରକାରଙ୍କ ଏସବୁ ପଦକ୍ଷେପ କାରଣରୁ ବାମପନ୍ଥୀ ଉଗ୍ରବାଦ ଘଟଣାରେ 2010 ତୁଳନାରେ 2024ରେ 81% ହ୍ରାସ ଦେଖା ଦେଇଛି । ସେହିପରି 2004ରୁ 2014 ମଧ୍ୟରେ 16,135ଟି ହିଂସା ଘଟଣା ଘଟିଥିବା ବେଳେ ଜୁନ୍ 2015ରୁ ମଇ 2025 ମଧ୍ୟରେ 7,134ଟି ହିଂସା ଘଟଣା ଘଟିଛି । ହିଂସାରେ 56% ହ୍ରାସ ଦେଖା ଦେଇଛି । 1 ଜୁନରୁ 30 ନଭେମ୍ବର 2025 ମଧ୍ୟରେ 110ଟି ହିଂସା ଘଟଣା ଘଟିଛି। ସେହିପରି ନାଗରିକଙ୍କ ମୃତ୍ୟୁ ସଂଖ୍ୟା ପୂର୍ବ ଅବଧିରେ 4,684 ଥିବା ବେଳେ ବିଗତ 10 ବର୍ଷ ମଧ୍ୟରେ ଏହା 70% ହ୍ରାସ ପାଇ 1404ରେ ପହଞ୍ଚିଛି । 1 ଜୁନରୁ 30 ନଭେମ୍ବର 2025 ମଧ୍ୟରେ ଏହା 35କୁ ହ୍ରାସ ପାଇଛି। 2004ରୁ 2014 ମଧ୍ୟରେ 1,824 ଜଣ ସୁରକ୍ଷାବାହିନୀ ମୃତ୍ୟୁବରଣ କରିଥିବା ବେଳେ 2015ରୁ 2025 ମଧ୍ୟରେ ଏହା 75% ହ୍ରାସ ପାଇ 464ରେ ପହଞ୍ଚିଛି। ସେହିପରି ମୋଟ୍ ମୃତ୍ୟୁ ସଂଖ୍ୟା 71% ହ୍ରାସ ପାଇଛି । 2014ରେ 10ଟି ରାଜ୍ୟ, 126ଟି ଜିଲ୍ଲା ଏବଂ 465ଟି ଥାନାଞ୍ଚଳ ମାଓବାଦ ଦ୍ୱାରା ପ୍ରଭାବିତ ହୋଇଥିଲା। ଏଥିରେ ଯଥାକ୍ରମେ 50%, 91% ଏବଂ 77% ହ୍ରାସ ଦେଖା ଦେଇଛି । 2025ରେ ମାତ୍ର 5ଟି ରାଜ୍ୟର 11ଟି ଜିଲ୍ଲା ଏବଂ 106ଟି ଥାନା କ୍ଷେତ୍ର ମାଓ ପ୍ରଭାବିତ କ୍ଷେତ୍ର ରୂପେ ଚିହ୍ନଟ କରାଯାଇଛି ।
କେନ୍ଦ୍ର ମନ୍ତ୍ରୀ ରାୟ କହିଛନ୍ତି, 2014ରୁ ବର୍ତ୍ତମାନ ସୁଦ୍ଧା 9,588 ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । କେବଳ ଚଳିତ ବର୍ଷ 2167 ଜଣ ମାଓବାଦୀ ଆତ୍ମସମର୍ପଣ କରିବା ମାଓବିରୋଧୀ ଅଭିଯୋଗରେ ଏକ ଉଲ୍ଲେଖନୀୟ ସଫଳତା। ଜୁନ୍ 2019ରୁ ବର୍ତ୍ତମାନ ସୁଦ୍ଧା 29 ଜଣ ଶୀର୍ଷ ମାଓନେତା ନିହତ ହୋଇଥିବା ବେଳେ ଚଳିତ ବର୍ଷ 14 ଜଣ ନିହତ ହୋଇଛି । 2019ରୁ ବର୍ତ୍ତମାନ ସୁଦ୍ଧା 1106 ଜଣ ନକ୍ସଲ ନିହତ ହୋଇଥିବା ବେଳେ 7,311 ଜଣ ଗିରଫ ହୋଇଛନ୍ତି ଏବଂ 5,571 ଜଣ ଆତ୍ମସର୍ପଣ କରିଛନ୍ତି । ଆତ୍ମସମର୍ପଣ କରୁଥିବା ମାଓବାଦୀଙ୍କ ପାଇଁ ସରକାର ଆର୍ଥିକ ସହାୟତା ବ୍ୟବସ୍ଥା କରିଛନ୍ତି । ଶୀର୍ଷ କ୍ୟାଡର ମାଓବାଦୀଙ୍କୁ 5 ଲକ୍ଷ, ଅନ୍ୟ କ୍ୟାଡରଙ୍କୁ 2.50 ଲକ୍ଷ ଏବଂ ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କଲେ ଅତିରିକ୍ତ ଆର୍ଥିକ ପ୍ରୋତ୍ସାହନ ସହିତ ତିନି ବର୍ଷ ପର୍ଯ୍ୟନ୍ତ ପ୍ରଶିକ୍ଷଣ ଲାଗି 10 ହଜାର ଟଙ୍କାର ମାସିକ ସହାୟତା ଦେବାର ବ୍ୟବସ୍ଥା ରହିଛି । ଏହାବ୍ୟତୀତ ପୀଡ଼ିତ ପରିବାରକୁ ମାଗଣା ଶିକ୍ଷାଦାନ ଓ ଛାତ୍ରାବାସ ସୁବିଧା ସହିତ ଛାତ୍ରବୃତ୍ତି ମଧ୍ୟ ଦିଆଯାଉଛି। ଆହତ ଏବଂ ଅକ୍ଷମ ବ୍ୟକ୍ତିଙ୍କୁ ମାଗଣା ଚିକିତ୍ସା ସହ ଜମି, ରୋଜଗାର ଏବଂ ନିଯୁକ୍ତି ସହାୟତା ଦେବାର ବ୍ୟବସ୍ଥା ରହିଛି । ମହିଳା କ୍ୟାଡରମାନଙ୍କୁ ସହାୟତା ରାଶି ଏବଂ ବିଭିନ୍ନ ଯୋଜନାରେ ପ୍ରାଥମିକତା ଦିଆଯିବାର ବ୍ୟବସ୍ଥା ରହିଛି । ପୁଲିସ ସହଯୋଗୀମାନଙ୍କୁ ଆବାସ ଯୋଜନାରେ ଘର, ସହାୟତା ରାଶି, ଚାଷ ଓ ଘର ଡିହ ଜମି ଯୋଗାଇ ଦିଆଯାଉଛି । ଏବେ ସୁଦ୍ଧା 2,167 ମାଓବାଦୀ ଥଇଥାନ ସହାୟତାର ଲାଭ ପାଇସାରିଛନ୍ତି ।
ଶ୍ରୀ ରାୟ ଆହୁରି କହିଛନ୍ତି, ବର୍ତ୍ତମାନ ସୁଦ୍ଧା ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଅଞ୍ଚଳରେ 574 କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ସୁରକ୍ଷା ବାଟାଲିୟନକୁ ମୁତୟନ କରାଯାଇଛି। ସୁରକ୍ଷା ସମ୍ବନ୍ଧୀୟ ବ୍ୟୟ ଯୋଜନାରେ ଏସବୁ ଅଞ୍ଚଳ ପାଇଁ 3523 କୋଟି ଟଙ୍କା ମଞ୍ଜୁର କରାଯାଇଛି। ସ୍ୱତନ୍ତ୍ର ଭିତ୍ତିଭୂମି ଯୋଜନାରେ 1,757 କୋଟି, ସ୍ୱତନ୍ତ୍ର କେନ୍ଦ୍ରୀୟ ସହାୟତା ଯୋଜନାରେ 3,848.49 କୋଟି, ବାମପନ୍ଥୀ ଉଗ୍ରବାଦ ମୁକାବିଲା ପାଇଁ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକୁ ଅନୁଦାନ ଯୋଜନାରେ 1218 କୋଟି, ନାଗରିକ କେନ୍ଦ୍ରିତ ସୁବିଧା କାର୍ଯ୍ୟକ୍ରମ ପାଇଁ 210 କୋଟି ଟଙ୍କାର ଅନୁଦାନ ଯୋଗାଇ ଦିଆଯାଇଛି।
କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ସୂଚନା ମୁତାବକ, ବାମପନ୍ଥୀ ଉଗ୍ରବାଦ ଅଞ୍ଚଳରେ 706ଟି ସୁରକ୍ଷିତ ପୁଲିସ ଷ୍ଟେସନ ପ୍ରତିଷ୍ଠାକୁ ମଞ୍ଜୁରି ମିଳିଛି । ଛତିଶଗଡ଼ର ମାଓପ୍ରଭାବିତ ଅଞ୍ଚଳ ପାଇଁ 1143 ଜଣ ଯବାନଙ୍କୁ ନିଯୁକ୍ତି ଦେଇ ସ୍ୱତନ୍ତ୍ର ସିଆରପିଏଫ ବସ୍ତରିୟା ବାଟାଲିୟନ ଗଠନ କରାଯାଇଛି । 2019ରୁ ବର୍ତ୍ତମାନ ସୁଦ୍ଧା ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଅଞ୍ଚଳରେ 377ଟି ସୁରକ୍ଷା ଶିବିର ଖୋଲାଯାଇଛି । ମାଓପ୍ରଭାବିତ ଅଞ୍ଚଳରେ ସଡ଼କ ନିର୍ମାଣ ପାଇଁ ମୋଟ୍ 20,815 କୋଟି ଟଙ୍କା ମଞ୍ଜୁର କରାଯାଇଥିବା ବେଳେ ଏଥିମଧ୍ୟରୁ ପ୍ରାୟ 85% କାମ ଅର୍ଥାତ୍ 17,573 କିମି ସଡ଼କ କାମ ଶେଷ ହୋଇଛି । ଏସବୁ ଅଞ୍ଚଳରେ 10,651 ମୋବାଇଲ ଟାୱାର, 496 କୋଟି ଟଙ୍କା ବ୍ୟୟରେ 46ଟି ଆଇଟିଆଇ ଏବଂ 49ଟି ଦକ୍ଷତା ବିକାଶ କେନ୍ଦ୍ର, 11ଟି କେନ୍ଦ୍ରୀୟ ବିଦ୍ୟାଳୟ, 6ଟି ନବୋଦୟ ବିଦ୍ୟାଳୟ, 258ଟି ଏକଲବ୍ୟ ଆଦର୍ଶ ବିଦ୍ୟାଳୟ, 6,025 ଡାକ ଘର, 1804 ବ୍ୟାଙ୍କ ଶାଖା, 1321 ଏଟିଏମ୍ ଖୋଲିବାକୁ ଅନୁମୋଦନ କରାଯାଇଛି ।
ସେ କହିଛନ୍ତି, ଦେଶରେ ବାମପନ୍ଥୀ ଉଗ୍ରବାଦ ସମସ୍ୟା 1967 ମସିହାରୁ ଚାଲି ଆସୁଛି। ପୂର୍ବରୁ ପଶୁପତିନାଥ ଠାରୁ ଆରମ୍ଭ କରି ତିରୁପତି ପର୍ଯ୍ୟନ୍ତ ଅଞ୍ଚଳକୁ ରେଡ୍ କରିଡର କୁହାଯାଉଥିଲା। ବର୍ତ୍ତମାନ ଏହା ଖୁବ୍ କମ୍ ଅଞ୍ଚଳରେ ସୀମିତ ରହିଛି । ମୋଦୀ ସରକାର ବାମପନ୍ଥୀ ଉଗ୍ରବାଦ ବିରୋଧରେ କଠୋର ନୀତି ଆପଣାଇଛନ୍ତି।


