ନୂଆଦିଲ୍ଲୀ: ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଏବଂ ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତା (ପିଏସଏ)ଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଜି ଇନସ୍ପାଏରିଂ ଇନୋଭେଟର୍ସ – ନୟେ ଭାରତ କୀ ନୟି ପେହଚାନ୍ (ନବସୃଜନକାରୀଙ୍କୁ ଅନୁପ୍ରାଣିତ କରିବା – ନୂତନ ଭାରତର ନୂଆ ପରିଚୟ) ନାମକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏହା ଏକ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଯାହାକୁ ନେଟଫ୍ଲିକ୍ସ ଫଣ୍ଡ୍ ଫର୍ କ୍ରିଏଟିଭ୍ ଇକ୍ୟୁଟି ସହ ମିଳିତ ଭାବେ ବିକଶିତ କରାଯାଇଛି। ଗ୍ରାଫିଟୀ ଷ୍ଟୁଡିଓଜ୍ ସହିତ ଭାଗିଦାରୀରେ ହୋଇଥିବା ଏହି ପ୍ରୟାସ କାହାଣୀ କହିବା ଏବଂ ହ୍ୟାଣ୍ଡସ୍ ଅନ୍ ସ୍କିଲିଂ ଜରିଆରେ ସାମାଜିକ ଭାବେ ପ୍ରାସଙ୍ଗିକ ନବସୃଜନକୁ ପ୍ରୋତ୍ସାହନ ଦେବା ଲାଗି ଭାରତର ନୂତନ ଉଦ୍ଭାବନ ଏବଂ ସୃଜନଶୀଳ ପରିବେଶକୁ ଏକତ୍ରିତ କରିଥାଏ।
ଏହି କାର୍ଯ୍ୟକ୍ରମରେ ପିଏସଏ କାର୍ଯ୍ୟାଳୟ ଦ୍ୱାରା ସାମାଜିକ ପ୍ରଭାବ ସୃଷ୍ଟିକାରୀ ନୂତନ ଉଦ୍ଭାବନକୁ ଆଗେଇ ନେବାରେ କାର୍ଯ୍ୟ କରିବା ପାଇଁ ଚିହ୍ନଟ ହୋଇଥିବା ଆଠଟି ଭାରତୀୟ ଷ୍ଟାର୍ଟ-ଅପ୍ର ଅବଦାନକୁ ପ୍ରଦର୍ଶିତ କରାଯାଇଛି। ଏହି ଷ୍ଟାର୍ଟ-ଅପ୍ଗୁଡ଼ିକୁ ଭାରତର ଆଠଟି ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ନିର୍ମିତ ଆଠଟି କ୍ଷୁଦ୍ର ଏନିମେଟେଡ୍ ଚଳଚ୍ଚିତ୍ର ମାଧ୍ୟମରେ ପ୍ରଦର୍ଶିତ କରାଯାଇଛି। ଏଗୁଡ଼ିକ ମଧ୍ୟରେ ନେସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଡିଜାଇନ, ଚିତକାରା ୟୁନିଭର୍ସିଟି, ସତ୍ୟଜିତ ରାୟ ଇନଷ୍ଟିଚ୍ୟୁଟ୍ ଅଫ୍ ଫିଲ୍ମ ଏଣ୍ଡ ଟେଲିଭିଜନ ଏବଂ ଅନ୍ୟ କେତେକ ଅନୁଷ୍ଠାନ ସାମିଲ ରହିଛନ୍ତି। ଜାତୀୟ ଚଳଚ୍ଚିତ୍ର ବିକାଶ ନିଗମ (ଏନଏଫଡିସି) ସହିତ ସହଭାଗିତାରେ ନେଟଫ୍ଲିକ୍ସ ଦ୍ୱାରା ଏକ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଭଏସ୍ ବକ୍ସର ଅଂଶଗ୍ରହଣକାରୀଙ୍କ ଦ୍ୱାରା ଚଳଚ୍ଚିତ୍ରଗୁଡ଼ିକର ଭଏସ ଓଭର୍ ରେକର୍ଡ କରାଯାଇଛି।
ନେଟଫ୍ଲିକ୍ସ ଫଣ୍ଡ୍ ଫର କ୍ରିଏଟିଭ୍ ଇକ୍ୱିଟି ଅଧୀନରେ କାହାଣୀ କହିବା ଏବଂ ଦକ୍ଷତା-ନେତୃତ୍ୱାଧୀନ ଏକ କାର୍ଯ୍ୟକ୍ରମ ଭାବରେ ଏହାକୁ ଡିଜାଇନ୍ କରାଯାଇଛି । ଏହା ଭାରତର ବିଭିନ୍ନ ସ୍ଥାନରୁ 26 ଜଣ ଛାତ୍ରଛାତ୍ରୀଙ୍କୁ ହ୍ୟାଣ୍ଡସ୍ ବାସ୍ତବ ସୃଜନଶୀଳ ଅଭିଜ୍ଞତା ପ୍ରଦାନ କରିଥିଲା। ଅଂଶଗ୍ରହଣକାରୀଙ୍କ ମଧ୍ୟରୁ 50% ଝିଅ ଥିଲେ, ଅନେକ ଛାତ୍ରଛାତ୍ରୀ ଦ୍ୱିତୀୟ ଶ୍ରେଣୀ ସହରରୁ ଆସିଥିଲେ। ଛାତ୍ରଛାତ୍ରୀଙ୍କୁ ନେସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଡିଜାଇନ୍ (ଏନଆଇଡି), ଅହମ୍ମଦାବାଦ ଏବଂ ଗ୍ରାଫିଟି ଷ୍ଟୁଡିଓର ବିଶେଷଜ୍ଞମାନଙ୍କ ଦ୍ୱାରା ପରାମର୍ଶ ଦିଆଯାଇଥିଲା, ଯାହାଫଳରେ ସେମାନେ ଶିଳ୍ପ ପ୍ରକ୍ରିୟା ସହିତ ବ୍ୟବହାରିକ, ବାସ୍ତବ ଦୁନିଆ ଅନୁଭୂତି ହାସଲ କରିଥିଲେ।
ଶଙ୍କର ମହାଦେବନ ଏକାଡେମୀର ଛାତ୍ରଛାତ୍ରୀଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମର ସଙ୍ଗୀତ ପରିବେଷଣ କରାଯାଇଥିଲା, ଯାହା ଏଥିରେ ଏକ ସାଂସ୍କୃତିକ ଏବଂ ସୃଜନଶୀଳ ଦିଗ ଯୋଡ଼ିଥିଲା।
ଏହି କାର୍ଯ୍ୟକ୍ରମରେ ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍. ମୁରୁଗନ କହିଛନ୍ତି, ‘‘ଭାରତର କାହାଣୀ କହିବାର ସମୃଦ୍ଧ ପରମ୍ପରାକୁ ଆଧାର ଆମର ନିର୍ମାତାମାନେ ଆଜି ଭାରତୀୟ କାହାଣୀଗୁଡ଼ିକୁ ବିଶ୍ୱ ଦର୍ଶକଙ୍କ ପାଖରେ ପହଞ୍ଚାଇବାର ସୁଯୋଗ ପାଇଛନ୍ତି। ବୌଦ୍ଧିକ ସମ୍ପତ୍ତି ଢାଞ୍ଚାକୁ ସୁଦୃଢ଼ କରିବା ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ସୃଜନଶୀଳ ଇକୋସିଷ୍ଟମକୁ ସକ୍ଷମ କରିବା ପାଇଁ ସରକାରଙ୍କ ପ୍ରୟାସ ସେମାନଙ୍କୁ ସମର୍ଥନ କରୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ଅନୁରୂପ ବର୍ତ୍ତମରନ ଭାରତରେ ନିର୍ମାଣ ଏବଂ ବିଶ୍ୱ ପାଇଁ ନିର୍ମାଣ କରିବାର ସଠିକ୍ ସମୟ। ବିଭିନ୍ନ କଣ୍ଟେଣ୍ଟ ବା ବିଷୟବସ୍ତୁ, ସୃଜନଶୀଳତା ଏବଂ ସଂସ୍କୃତି ଏବେ ଭାରତୀୟ ଅର୍ଥବ୍ୟବସ୍ଥାର ପ୍ରମୁଖ ସ୍ତମ୍ଭ ଭାବରେ ଉଭା ହେଉଛି।
ଭାରତ ସରକାରଙ୍କ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା ପ୍ରଫେସର ଅଜୟ କୁମାର ସୁଦ କହିଛନ୍ତି, ‘ଇନସ୍ପାଏରିଂ ଇନୋଭେଟର୍ସ’ କାର୍ଯ୍ୟକ୍ରମକୁ ସାମାଜିକ ପ୍ରାସଙ୍ଗିକତା ସହିତ ନବସୃଜନକୁ ପ୍ରଦର୍ଶିତ କରିବା ଏବଂ ଦକ୍ଷତା ଓ ଜ୍ଞାନର ମାର୍ଗକୁ ସୁଦୃଢ଼ କରିବା ପାଇଁ ଡିଜାଇନ୍ କରାଯାଇଛି।
ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ସଞ୍ଜୟ ଜାଜୁ କହିଛନ୍ତି, ଭାରତରେ ବର୍ତ୍ତମାନ ବିଭିନ୍ନ କ୍ଷେତ୍ରରେ ନୂତନ ଉଦ୍ଭାବନ ହେଉଛି। ସାମାଜିକ କ୍ଷେତ୍ରରେ ନୂତନ ଉଦ୍ଭାବନକାରୀ ବା ଇନୋଭେଟର୍ମାନେ ସେମାନଙ୍କର ଉଦ୍ଭାବନ ଜରିଆରେ ଦୈନନ୍ଦିନ ସମସ୍ୟାର ପ୍ରଭାବୀ ସମାଧାନ କରୁଛନ୍ତି। ନେଟଫ୍ଲିକ୍ସକୁ ଭାରତରେ ଦଶ ବର୍ଷ ପୂରଣ ହେଉଥିବା ସମୟରେ ‘ଇନସ୍ପାଏରିଂ ଇନୋଭେଟର୍ସ’ କାର୍ଯ୍ୟକ୍ରମ କାହାଣୀ କହିବା ଠାରୁ ଆଗକୁ ବଢ଼ି ଦକ୍ଷତା ବିକାଶ ଏବଂ ସଶକ୍ତିକରଣର ଏକ ଫଳପ୍ରଦ ମଞ୍ଚ ପାଲଟିଛି। ଏହା ଦେଶର ଯୁବ ପ୍ରତିଭାଙ୍କର ଆତ୍ମବିଶ୍ୱାସ ଏବଂ ବୃତ୍ତିଗତ ମନୋଭାବକୁ ଦର୍ଶାଉଛି।
ନେଟଫ୍ଲିକ୍ସ ଇଣ୍ଡିଆର ବିଶ୍ୱ ବ୍ୟାପାର ନିର୍ଦ୍ଦେଶକ ମହିମା କୌଲ କହିଛନ୍ତି, ଭାରତର ଯୁବ ଏବଂ ଉଜ୍ଜ୍ୱଳ ସୃଜନଶୀଳ ଇକୋସିଷ୍ଟମର ଦକ୍ଷତା ବିକାଶ ଏବଂ ପୁନଃଦକ୍ଷତା ବିକାଶ ଲାଗି ନେଟଫ୍ଲିକ୍ସ ସଂକଳ୍ପବଦ୍ଧ ରହିଛି। ‘ଇନସ୍ପାଏରିଂ ଇନୋଭେଟର୍ସ’ କାର୍ଯ୍ୟକ୍ରମ ସାମାଜିକ ମୂଲ୍ୟବୋଧ ପ୍ରତି ସହଭାଗୀ ପ୍ରତିବଦ୍ଧତାକୁ ଦର୍ଶାଉଛି।
ମନ୍ଥନ ପ୍ଲାଟଫର୍ମ ଜରିଆରେ ଆଠଟି ସାମାଜିକ ନବସୃଜନକାରୀ ଷ୍ଟାର୍ଟଅପ୍କୁ ସମର୍ଥନ ଦିଆଯାଇଛି। ଏହି କାର୍ଯ୍ୟକ୍ରମ ଅଧୀନରେ ଆଠଟି ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଛି। ନିଓ ମୋସନ ଚଳଚ୍ଚିତ୍ର ସେହି ଉଦ୍ଭାବକମାନଙ୍କୁ ଅନୁସରଣ କରିଥାଏ ଯେଉଁମାନେ ଦିବ୍ୟାଙ୍ଗଜନଙ୍କୁ ସ୍ୱାଧୀନ ଭାବେ ବୁଲିବା ଏବଂ ସମ୍ମାନଜନକ ଜୀବନ ବଞ୍ଚିବା ଲାଗି ହ୍ୱିଲଚେୟାର ଏବଂ ମୋବିଲିଟି ସମାଧାନ ପ୍ରସ୍ତୁତ କରିଥାନ୍ତି। ସେହିପରି ବ୍ଲାଇଣ୍ଡ୍ ଭିଜନ ଫାଉଣ୍ଡେସନ ଦୃଷ୍ଟିଶକ୍ତିହୀନଙ୍କୁ ପଢ଼ିବା, ରାସ୍ତା ଚିହ୍ନିବା, ମୁହଁ ଚିହ୍ନିବା ଏବଂ ଆତ୍ମବିଶ୍ୱାସର ସହ ଜୀବନ ବଞ୍ଚିବା ଲାଗି ଏଆଇ କ୍ଷମତାସମ୍ପନ୍ନ ସ୍ମାର୍ଟ ଚଷମା ପ୍ରସ୍ତୁତିକୁ ଦର୍ଶାଇଥାଏ। ସେହିପରି ହେଲ୍ଥକେୟାର ଗ୍ଳୋବାଲ୍ ଏଣ୍ଟରପ୍ରାଇଜେସ୍ ଏପରି ଏକ ଶସ୍ତା ଭଏସ୍ ପ୍ରୋସ୍ଥୋସିସ୍ର କାହାଣୀ କହିଥାଏ ଯାହା ଲ୍ୟାରିଙ୍ଗେଟୋମି ପରେ କର୍କଟ ପୀଡ଼ିତ ଲୋକଙ୍କ କହିବା କ୍ଷମତା, ସମ୍ମାନ ଏବଂ ଜୀବିକା ଫେରାଇ ଆଣିଥାଏ। ସେହିପରି ଇନୋଗ୍ଲ ଚଳଚ୍ଚିତ୍ର ଭାରତର ନୀଳ ଅର୍ଥବ୍ୟବସ୍ଥା ପାଇଁ ସାମୁଦ୍ରିକ ସୁରକ୍ଷା, ଜଳଜ ଜୀବ ଉତ୍ପାଦକତା, ସାଗର ନିରାପତ୍ତା ଏବଂ ବିପର୍ଯ୍ୟୟ ଅନୁଧ୍ୟାନ ନିମନ୍ତେ ଏଆଇ ଏବଂ ପାଣି ଭିତରର ପ୍ରଯୁକ୍ତିବିଦ୍ୟା ବିଷୟରେ ବର୍ଣ୍ଣନା କରିଥାଏ। ଏହାବ୍ୟତୀତ କଲ୍ଟୟଭେଟ୍ ଚଳଚ୍ଚିତ୍ର ଚାଷୀଙ୍କ ପାଇଁ ଜଳ ସଂରକ୍ଷଣ, ଉତ୍ପାଦନ ବୃଦ୍ଧି ଏବଂ ଜଳବାୟୁ-ପ୍ରତିରୋଧୀ, ସଠିକ କୃଷି ପଦ୍ଧତି ଗ୍ରହଣ କରିବାରେ ସାହାଯ୍ୟ କରୁଥିବା ଏଆଇ ପରିଚାଳିତ ଜଳସେଚନ ପ୍ରଣାଳୀର କାହାଣୀ ବର୍ଣ୍ଣନା କରିଥାଏ। ବର୍ଜ୍ୟ ପରିଚାଳନା ଉପରେ ଆଧାରିତ ୱି ଭଏସ୍ ଲ୍ୟାବ୍ସ, ଅଙ୍ଗାରକାମ୍ଳକୁ ମୂଲ୍ୟବାନ ଜୈବ ସମ୍ପଦରେ ପରିଣତ କରୁଥିବା ଗ୍ରିଞ୍ଜିନ୍ ଏନଭାରନମେଣ୍ଟ ଟେକ୍ନୋଲୋଜି, କୃଷି ଓ ଶିଳ୍ପ ବର୍ଜ୍ୟ ପରିଚାଳନା ଉପରେ ଆଧାରିତ ଏଲସିବି ଫର୍ଟିଲାଇଜର୍ସ ଆଦି ଚଳଚ୍ଚିତ୍ର ନେଟଫ୍ଲିକ୍ସ ଇଣ୍ଡିଆର ୟୁଟ୍ୟୁବ୍ ଚ୍ୟାନେଲରେ ଉପଲବ୍ଧ ରହିଛି ।


