ଭୁବନେଶ୍ବର: ଶେଷ ହେଲା ରାଜ୍ୟସଭା ନିର୍ବାଚନ। ଏଥିରେ ବିଜେପିର ଦୁଇ ପ୍ରାର୍ଥୀ ଏବଂ ବିଜେଡିର ଜଣେ ପ୍ରାର୍ଥୀ ବିଜୟ ଲାଭ କରିଛନ୍ତି। ସେମାନେ ହେଲେ ବିଜେପିର ମନମୋହନ ସାମଲ, ସୁଜିତ କୁମାର। ସେହିପରି ବିଜେଡିର ସନ୍ତୃପ୍ତ ମିଶ୍ର ମଧ୍ୟ ବିଜୟ ହୋଇଛନ୍ତି। ତେବେ ବିଜେପିର ଦୁଇ ପ୍ରାର୍ଥୀ ଜିତିବା ପରେ ସେମାନଙ୍କୁ ସ୍ବାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ରାଜ୍ୟସଭା ନିର୍ବାଚନ ଫଳାଫଳ ଘୋଷଣା ପରେ ତାଙ୍କୁ ମୁଖ୍ୟମନ୍ତ୍ରୀ ବିଧାନସଭା ପ୍ରକୋଷ୍ଠରେ ଫୁଲତୋଡା ଦେଇ ଉଭୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ଏ ନେଇ ମୁଖ୍ୟମନ୍ତ୍ରୀ ତାଙ୍କ ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି ଯେ, ରାଜ୍ୟସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ପ୍ରାର୍ଥୀ ଭାବେ ବିଜୟୀ ହୋଇଥିବା ଦଳର ମାନ୍ୟବର ରାଜ୍ୟ ସଭାପତି ଶ୍ରୀମନମୋହନ ସାମଲ,ଦଳର ବରିଷ୍ଠ ନେତା ଶ୍ରୀ ସୁଜିତ କୁମାରଏବଂ ଦଳ ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଶ୍ରୀ ଦିଲ୍ଲୀପ ରାୟଙ୍କୁଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ।

ସେ କହିଛନ୍ତି ଯେ, ଆମ ସରକାରର ‘ସମୃଦ୍ଧ ଓଡ଼ିଶା’ ଗଠନର ସଂକଳ୍ପକୁ ପରିପୂର୍ଣ୍ଣ କରିବା ଦିଗରେ ଏହି ବିଜୟ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ । ସଂସଦର ଉଚ୍ଚ ସଦନରେ ସେମାନଙ୍କ ଉପସ୍ଥିତି ଓଡ଼ିଶାର ସ୍ୱାର୍ଥ, ଉନ୍ନତି ଓ ଲୋକସେବାର ସ୍ୱରକୁ ରାଷ୍ଟ୍ରୀୟ ସ୍ତରରେ ଆହୁରି ଦୃଢ଼ କରିବ। ଆଦରଣୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ‘ସବକା ସାଥ୍, ସବକା ବିକାଶ’ ମନ୍ତ୍ରରେ ଅନୁପ୍ରାଣିତ ହୋଇ ସେମାନଙ୍କର ଏହି ଯାତ୍ରା ଯଶସ୍ୱୀ ହେଉ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର କୃପା ସର୍ବଦା ସମସ୍ତଙ୍କ ଉପରେ ରହିଥାଉ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।


